Unknown

 

 

 

 

 

 

 

 

 

 

 

ମଧ୍ୟାହ୍ନର ମରୁପଥେ

ରାଜକିଶୋର ରାୟ

 

ଉତ୍ସର୍ଗ

 

ଯେ ଜୀବନକୁ ଦେଖିଛି...

ଜୀବନର ସତ୍ୟ ଅସତ୍ୟ ରୂପକୁ ଦୃଷ୍ଟି ଦେଇଛି...

ମଣିଷର ନିର୍ମମତାରେ ଯାହାର କଣ୍ଠ ବିଷନୀଳ...

ନେତ୍ରତୀର ଅଶ୍ରୁସିକ୍ତ...

ସେହି ମରୁପଥର ଯାତ୍ରିଣୀକୁ

ଅମୃତାୟନର ବିଶ୍ୱାସଭରା ପଥିକ କରିବାପାଇଁ

ବିଶ୍ୱ ପିତାଙ୍କର କଲ୍ୟାଣ ଭିକ୍ଷାକରି

ତାହାରି କର ପଲ୍ଲବରେ...

ଏହି ‘‘ମଧ୍ୟାହ୍ନର ମରୁପଥେ’’ କୁ

ନିବିଡ଼ ସ୍ନେହାନୁଭୂତିରେ ଅର୍ପଣ କରୁଛି ।

 

ଅଗଷ୍ଟ ପନ୍ଦର, ୧୯୬୨

ଲେଖକ

ଶ୍ରୀକ୍ଷେତ୍ର

 

Image

 

ସୂଚୀପତ୍ର

 

୧.

ମଧ୍ୟାହ୍ନର ମରୁପଥେ

୨.

ଅନନ୍ତିକା

୩.

ଶେଷ

୪.

ପ୍ରାନ୍ତର

୫.

ଇଣ୍ଟରଭାଲ୍

୬.

ମଙ୍ଗଳ ଆଲୋକ

୭.

ଉଲଗ୍ନ ରାକା

୮.

ଗୋଟିଏ ତାରିଖ

୯.

ବିବାହୋତ୍ସବ

୧୦.

ନୀହାରିକାର ନୀଳସ୍ରୋତ

୧୧.

ପଛ ପଲକ

୧୨.

ଗରଳ ଗ୍ରାସ

୧୩.

ପାପିନୀ ସତ୍ୟଭାମା

୧୪.

ଅଖ୍ୟାତ ଶୋଣିତ ଲିପି

୧୫.

ରଥ-ବଢ଼େଇ

Image

 

ମଧ୍ୟାହ୍ନର ମରୁପଥେ

 

ଧୂ-ଧୂ ଜ୍ୱଳନ୍ତ ମଧ୍ୟାହ୍ନର ମରୁପଥେ ଯେ କଳିଟି ପୂର୍ଣ୍ଣ ବିକଶିତ ହୋଇଗଲା, ପ୍ରକୃତିର ଅସ୍ୱାଭାବିକ ସୃଜନ ସେ...ନୁହେଁ କି ?

 

କିନ୍ତୁ ଆସେ...ଇମିତି ଅସ୍ୱାଭାବିକ, ପ୍ରହେଳିକାମୟ ଜୀବନସ୍ପର୍ଶ ଆସେ...ଯାହାକୁ ମଣିଷ ସମ୍ମାନ ଦେଇଜାଣେ ନାହିଁ, ଯାହାକୁ ପଦେ ପଦେ ମଣିଷ ନିଗୃହୀତ କରେ, କରେ ତାକୁ ଧ୍ୱଂସ...

 

ମଣିଷ ଚିହ୍ନିଛି ସ୍ୱାଭାବିକତାକୁ । ଧରି ରଖିଛି ତୁଠ ପଥର ଉପରେ ଅଗଣିତ ପଦଚିହ୍ନ । ଅତି ପରିଚିତ, ତେଣୁ ସହଜ ଓ ସ୍ପଷ୍ଟ; କିନ୍ତୁ ସେ ଦେଖି ପାରେନି, ସ୍ୱାଭାବିକତାର ଉର୍ଦ୍ଧ୍ୱରେ, ଧରାବାଟ ଚଲାପଥର ଟିକିଏ ଦୂରର ସର୍ପିଳ ବନରେଖା ତଳେ, ଆଉ ଗୋଟାଏ ଅନୁଭବ ଅଛି, ଆଉ ଗୋଟାଏ ସ୍ପର୍ଶକାତର ନମ୍ର ନିବେଦନ ଅଛି, ଯାହା କେବଳ ଅନନ୍ତରେ ସମାହିତ ଶାଶ୍ୱତରେ ଚିହ୍ନିତ ।

 

ଭାଷାର ଛାଉଣି ପକାଇ ମୁଁ ମୋର ଭାବ-ସୈନିକଗୁଡ଼ିକୁ ଛାଡ଼ିଦେଇଛି ଜୀବନ-ତମ୍ବୁ ତଳେ ଜାଗ୍ରତ ପ୍ରହରୀ ଭୂଷାରେ... । ମୁଁ କେତେ ଉପରକୁ ଉଠିଛି ବୋଲି ଅଥଚ ଲୋକେ କହନ୍ତି, ମୁଁ କେତେ ତଳେ କେତେ ପାମରତା ଭିତରେ ଲିପ୍ତ ରହିଛି, ମୁଁ ଭାବି ପାରୁଛି, ଦେଖିପାରୁଛି ଯେଉଁ ଭାବନା ଓ ଦୃଶ୍ୟ ସେ ତ ସମସ୍ତଙ୍କର ଦର୍ଶନ-ରେଖା ଭିତରର ଦୃଶ୍ୟ ନୁହେଁ କି ଚିନ୍ତା ଭିତରେ ଚିନ୍ତ୍ୟ ନୁହେଁ ।

 

ପଚାରିପାର ମୁଁ ଏଡ଼େ ବଡ଼ ହେଲି କିପରି ? ଦ୍ୱିତୀୟ ପ୍ରଶ୍ନ କରିପାର-ମୁଁ ମନକୁ ବଡ଼ ହୋଇଛି ନା କେହି କହୁଛନ୍ତି ମୁଁ ବଡ଼ ବୋଲି । କେହି କହିବେ ନାହିଁ ମୁଁ ବଡ଼ । ମୁଁ ବି କାହାକୁ ପଚାରି ନାହିଁ ମୁଁ କଅଣ; କିନ୍ତୁ ବିଶ୍ୱାସ କର ମୁଁ ଜାଗ୍ରତ ଅବସ୍ଥାରେ ଯାହା ଦେଖେ ତାହା ତୁମ ଦେଖା ଭଳି ନୁହେଁ ।

 

ତୁମେ କହିପାର ମୁଁ ସ୍ୱତନ୍ତ୍ର । ଏଇଟା କହିବାକୁ ତୁମକୁ ବାଧୁଥିବ । ତୁମ ଆତ୍ମା ଉପରେ ଏହା ପ୍ରଚଣ୍ଡ ଆଘାତ ଦେଇଥିବ, କିନ୍ତୁ ସତ କଥା ମୁଁ ସ୍ୱତନ୍ତ୍ର । ତୁମେ ଯେତେମତେ ଶ୍ରେଣୀଭୁକ୍ତ କରିବାକୁ ଚେଷ୍ଟା କର, ମୁଁ ଏକକ ଏବଂ ମୋ ଶ୍ରେଣୀର ମୁଁ ଏକମାତ୍ର ସ୍ଥିତି । ଏକମାତ୍ର ଅନୁଭୂତି ।

 

ନା, ନା ତୁମେ ତ୍ରସ୍ତ ହୁଅନାହିଁ । ମୁଁ ଦର୍ଶନର ଧାର ଧାରେ ନାହିଁ । ଦର୍ଶନ ମଣିଷକୁ ସୃଷ୍ଟି କରିନାହିଁ । ମଣିଷ ‘ଦର୍ଶନ’ ଦେଖିଛି । ମୋ ଦର୍ଶନ କେଉଁ ନାମଜାଦା ଦାର୍ଶନିକର ପୁସ୍ତକ ବିଶେଷର ପୃଷ୍ଠା ଶୋଭିତ କରୁନାହିଁ । ମୋ ବାଣୀ ହିଁ ମୋ ଦର୍ଶନ, କାରଣ ମୁଁ ଜୀବନକୁ ଦେଖିଛି । ତା’ର ଆଲୋକ ପଥର ଅନୁଗାମୀ ହୋଇଛି; ତା’ର ତିମିରାଭିସାର ଭିତରେ ଗତି କରିଛି । କହିପାର ମୁଁ ଜୀବନଶିଳ୍ପୀ; କିନ୍ତୁ କହିପାରିବ କି ? କହିବା ପୂର୍ବରୁ ତୁମକୁ ବାଧିବ । କାରଣ ତୁମେ ଚାହଁ ନାହିଁ ଅରଣ୍ୟଗର୍ଭରେ ଛୋଟ ବଡ଼ ବୃକ୍ଷ ରହୁ । ଛୋଟର ମହିମା ବଡ଼ରେ ନାହିଁ କି ବଡ଼ର ମହିମା ଛୋଟରେ ନାହିଁ–ଏ ରହସ୍ୟ କେତେ ଜଣ ବୁଝନ୍ତି ? ସେଥିପାଇଁ ମୁଁ ଛୋଟ ହୋଇ ମହିମାନ୍ୱିତ, କାରଣ ଜୀବନ ମୋ ପାଖେ ଅର୍ଘ୍ୟ ଢାଳିଛି, ତା’ର ବିନ୍ଦୁଏ ତୁମେ ପାଇନାହଁ, କାରଣ ତମ ଗଣନାରେ ତମେ ନିଷ୍ପତ୍ତି କରିଛ, ଟ୍ରାକ୍ଟର ଚଳାଇ ସବୁ ସମତଳ କରିଦେବ, ସବୁ ଏକାକାର କରିଦେବ, କେବଳ ରହିବ ଗୋଟାଏ ଧୂସର ଧାରାବାହିକତାର ରୂପ... ଆଦ୍ୟ...ଅନ୍ତ କେବଳ ପ୍ରାନ୍ତର ମହାପ୍ରାନ୍ତର....

 

ଆଚ୍ଛା, ମୋ ଅନ୍ତିମ ସମୟରେ, ବେଳ ତ ଆସି ହୋଇଗଲା, ମୁଁ ଗୋଟିଏ କଥା ପଚାରିବି । ସାୟାହ୍ନ ସୂର୍ଯ୍ୟ ଢଳିପଡ଼ିବା ପୂର୍ବରୁ ସେ କଅଣ ଏତିକି କରିପାରିବ ନାହିଁ, ଏତିକି ପ୍ରାର୍ଥନା ? ସେ ପ୍ରାର୍ଥନା ଆଉ କିଛି ନୁହେଁ, ଏତିକି...ତୁମେମାନେ ଅନ୍ୟକୁ, ତୁମରି ସ୍ୱଜାତି, ଏକାବ୍ରହ୍ମରୁ ଯାହାର ଉତ୍ପତ୍ତି, ଏକା ସଂସାର ପଥରେ ଯାହାର ଗତି, ଏକା ତେଲ ଲୁଣ ଇନ୍ଧନ ମଧ୍ୟରେ ଯାହାର ପ୍ରାଣଧାରଣର ସାମଗ୍ରୀ ରହିଛି, ସେଇ ‘‘ଅନ୍ୟ’’ କୁ ତୁମେ ଜୀବନଯାକ ସହିପାରିଲ ନି କାହିଁକି ?

 

କେଉଁଠି ତୁମକୁ, ମାନେ, ଯେଉଁ ଜାଗାଟାରେ ତୁମକୁ ବେଶୀ କାଟିଲା ? ତୁମେ ସହିପାରିଲ ନାହିଁ ? ହୃଦୟ ? ମନ ? ଦେହ ମାଂସ ? ଚକ୍ଷୁତାରକା ? କେଉଁଠି ? ନା ସମଗ୍ର ସତ୍ତା ତୁମର ଏଇ ‘‘ଅନ୍ୟ’’ ପ୍ରତି ବିଦ୍ରୋହ କରିଉଠିଲା ? ଭାବିଲା ଏ ବଞ୍ଚି ରହିଲେ ତୁମ ସାମ୍ରାଜ୍ୟ ବଢ଼ିବ ନାହିଁ, ଭାବିଲା ଏ ଚଲାଫେରା କରୁଥିଲେ ୟା ପାଦତଳେ ଯାହା ଫୁଟୁଛି, କଣ୍ଟା ଅବଶ୍ୟ ନୁହେଁ, ତୁମେ ଖୁବ୍ ହୁସିଆର ଆଉ ବିଜ୍ଞ, ତୁମେ ଏ କଥା କହିବ କି ? କଅଣ ଫୁଟୁଥିଲା ତୁମେ ଜାଣ ? ଭାବିଲି ୟା ପାଦତଳେ ଯାହା ଫୁଟୁଛି ତା’ର ଗୋଟାଏ ବିଶେଷ ମହକ ଅଛି ।

 

ମାତ୍ର ବନ୍ଧୁ, ଦୁଃଖ ହୁଏ କହିବାକୁ, କହିବନି କାହିଁକି, ପାଟି ତ ଏଯାଏଁ ଖନି ମାରିଆସିନି, ଚିନ୍ତା କରିବାର ଶକ୍ତି ଅବଲୁପ୍ତ ହୋଇନି, ଦେଖୁଛି, ଅନୁଭବ କରୁଛି, ସମସ୍ତ ଇନ୍ଦ୍ରିୟ ସତେଜ ରହିଛି ଅଥଚ କେତେବେଳଯାଏ ବା ଏମାନେ ସେମିତି ତେଜସ୍କର ରହିବେ ? ହଁ କଅଣ କହୁଥିଲି-ମହକ-ଏ ମହକକୁ ତୁମେମାନେ ସୁସ୍ଥ ପବିତ୍ର ଧର୍ମସଂରକ୍ଷକ, ନୀତିଧାରକ, ତମେ ମହାମାନବମାନେ ଆଖ୍ୟା ଦେଲ ଅଶ୍ଳୀଳ....

 

ଶ୍ଳୀଳ ଅଶ୍ଳୀଳ ବିଚାର କରିବାକୁ ମୋର ସମୟ ନାହିଁ । ଯେତେବେଳେ ବହି ବେଶୀ ଘାଣ୍ଟୁଥିଲି, ସେତେବେଳେ ଜାଣିଥିଲି, ବଡ଼ ବଡ଼ମାନେ ଲେଖିଥିଲେ–ଯେତେ ମନଗଢ଼ା କଳ୍ପନା କର ପଛକେ, ଜୀବନକୁ ଧରିପାରିବ ନାହିଁ, ତା’ର ସୀମାକୁ ବି ଛୁଇଁ ପାରିବ ନାହିଁ । ଜୀବନ ଅକଳ୍ପନୀୟ ।

 

ଏଇ ଅକଳ୍ପନୀୟ ଜୀବନକୁ ମୁଁ ବାସ୍ତବରେ ଦେଖିଛି । ଖାଲି ଦେଖିନାହିଁ ତା’ର ସତ୍ୟରୂପକୁ ମୁଁ ଆଦିମ ମାନବିକ ସ୍ନେହଧାରାରେ ଆପ୍ଳୁତ କରିଦେଇଛି । ବିଶ୍ୱାସ କରିବ କି ? ହୃଦୟର ସ୍ନେହଧାରା ଆଉ ନେତ୍ରର ଅଶ୍ରୁଧାରା ଭିତରେ ଯେ ସଂସାରଟି ମୁଁ ପ୍ରାୟ ଗଢ଼ିଥାଏ, ତାହାହିଁ ମୋ ଜୀବନର ଭୂମି । ସେଥିପାଇଁ ଆଜି ନିର୍ବାଣମୁଖୀପ୍ରଦୀପ ନିଃଶିଖ ହୋଇଯିବା ପୂର୍ବରୁ, ଦେଖୁଛ, କି ଉଲ୍ଲାସରେ ଯାହା ବି ଶକ୍ତି ଧରିଛି ସେଇଥିରେ ସେ କିମିତି ଜଳୁଛି ?

 

ମୁଁ ମଲେ ହଜିଯିବି ନାହିଁ, ତୁମେମାନେ ମଲେ ହଜିଯିବ, କାରଣ ତୁମମାନଙ୍କର ନଖ ଦାନ୍ତ ଆଘାତରେ ମୋ ଭଳି ବହୁଜୀବନ ଶିଳ୍ପୀ ମରିଛନ୍ତି, ମରୁଛନ୍ତି । ଆଉ ଯେ ଜୀବନକୁ ସାକ୍ଷାତ୍ କରିଛି, ତା’ର ସୂକ୍ଷ୍ମ ଓ ସ୍ଥୁଳ ସବୁପ୍ରକାର ବିଭବକୁ ଆଦର କରି ଗ୍ରହଣ କରିଛି, ଶିଳ୍ପୀ ନୁହେଁ । ତୁମେ ଶିଳ୍ପୀ ?

 

କହିଲ ଭଲା; କିନ୍ତୁ ସତ କହିବ, କେବେ ତମ ବିରାଟ ଜୀବନର ଆକାଶ ତଳେ ଗୋଟାଏ ଛୋଟ ଝିଣ୍ଟିକାକୁ ଉଠାଇଆଣି ତା’ର ନୀଳ ରୂପ ଉପରେ ଆଙ୍ଗୁଳି ଚଳେଇଛ ସ୍ନେହରେ । କେବେ ତୁମର ସାଂସ୍କୃତିକ, ରାଜନୈତିକ, ସାମାଜିକ ଓ ସାଙ୍ଗଠନିକ ଜୀବନରୁ ଓହ୍ଳାଇ ଆସି କ୍ଷଣେମାତ୍ର ମୁଠାଏ ଧୂଳିକୁ କରତଳରେ ରଖି ଶ୍ରଦ୍ଧାରେ ତାକୁ ତୁଚ୍ଛ ଜାଣି ସୁଦ୍ଧା ତୁମ ମୁଣ୍ଡ ଉପର ମୁଠାଏ ଆକାଶ ଭିତରକୁ ଛାଡ଼ିଦେଇଛ ? ଆଉ ଏଇ ନୀଚ, ତୁଚ୍ଛ, କୁତ୍ସିତ ଧୂଳିମୁଠାକ ଉପରକୁ ଛାଡ଼ିଦେବା ଦୃଶ୍ୟରେ ମହାକାଶ ଏବଂ ସୁନୀଚ ମୃତ୍ତିକାଧାର ଭିତରେ ଯେ ସମ୍ବେଦନା; ସଂପ୍ରୀତିର ପ୍ରବାହ ଖେଳିଗଲା, ତାହା ଅବଲୋକନ କରି ଆତ୍ମଭୋଳ ମନ ତୁମର ହସିଉଠିଛି କି ?

 

ରହ ଟିକିଏ, ଏକା ନିଃଶ୍ୱାସରେ ଅନେକଗୁଡ଼ାଏ କଥା କହିଦେଲି । ଧୀରେ କ୍ଳାନ୍ତିରେ ଆଚ୍ଛନ୍ନ ହୋଇଆସୁଛି ଶରୀର । ଆଗେ ଯେତେବେଳେ ପୂର୍ଣ୍ଣତମ ଭାବରେ ଜୀବନକୁ ଉପଭୋଗ କରୁଥିଲି, ସେ ଉପଭୋଗର ପ୍ରଧାନ ଭିତ୍ତି ଥିଲା ଆବେଗ ।

 

ଏଇ ନିରୀହ ଆବେଗ-ବୋଧକୁ ସେତେବେଳେ କିଏ କଅଣ କେତେ ନ କହୁଥିଲେ । ଏଇ ଆବେଗ ହିଁ ମତେ ସ୍ଥାନ ଦେଇଥିଲା କୁଟୀଳ ଜଞ୍ଜାଳକ୍ଷୁବ୍‍ଧ ମଣିଷ ସମାଜ ଉପରେ । ମୋର ସ୍ଥିତି ଥିଲା ମଣିଷ ଭିତରେ, ମାତ୍ର ମୋର ସନ୍ତରଣ ଭୂମି ରହିଥିଲା ଆବେଗ ରଞ୍ଜିତ ମହାକାଶରେ-

 

ଏହିପରି ପ୍ରତିନିୟତ ଭାବାବେଶରେ ରହୁଥିବାରୁ ସମସ୍ତଙ୍କ ପ୍ରତି ଗୋଟାଏ ଅବୋଧଶିଶୁର ସରଳ ସହଜ ବିଶ୍ୱାସ ମୋ ବ୍ୟକ୍ତିତ୍ୱରେ ବ୍ୟକ୍ତ ରହିଥିଲା । ବହୁତ କଷ୍ଟ ପାଇଛି ଏଥିପାଇଁ । ରକ୍ତାକ୍ତ ହୋଇଛି । ନିନ୍ଦିତ ହୋଇଛି । ତେବେ ବି ଆସନ୍ନ ମୃତ୍ୟୁ ପର୍ଯ୍ୟନ୍ତ ଏଇ ବିଶ୍ୱ ଓ ବିଶ୍ୱାସବୋଧଟିକୁ ମୁଁ ଛାଡ଼ି ଯାଇପାରିଲି ନାହିଁ ।

 

ମୁଁ ଦେଖିପାରୁଛି ମୋର ଶଯ୍ୟା ଚାରିପଟେ ଯେଉଁମାନେ ଛିଡ଼ା ହୋଇଛ; ସେମାନେ କୌତୂହଳୀ ହୋଇ ଆସିଛ ମୋର ଅବସାନ ଦେଖିବାକୁ । ମୃତ୍ୟୁ...ମୃତ୍ୟୁ–ସେଥିରେ ବା ବୈଚିତ୍ର୍ୟ କଅଣ ଅଛି ? ମାତ୍ର ମୁଁ ଲକ୍ଷ୍ୟ ରଖିବି ସେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜୀବନ ମତେ କଅଣ ଦଉଛି, କଅଣ କହୁଛି ଓ ତା’ର ମୋ ପ୍ରତି ଶେଷ ବର୍ଣ୍ଣଟି କଅଣ ତା’ ବି ମୁଁ ଶୁଣିଯିବି । ତେଣୁ ଦେଖୁଛ ମୁଁ ପ୍ରକୃତରେ ଜୀବନଶିଳ୍ପୀ ନା ତୁମେ ?

 

ଶିଳ୍ପୀ ବୋଲି ଜଣେ ମତେ ଡାକିଥିଲା ଜୀବନରେ । ମୃତ୍ୟୁ ପରେ ବି ସେ ମତେ ସେଇ ପଦବୀରେ ଭୂଷିତ ରଖିବ, ମୁଁ ଜାଣେ । କିଏ କେତେ ପ୍ରକାରେ ମତେ ଡାକିଗଲେ । ନୂତନ, ବିଚିତ୍ର, ସୁନ୍ଦର ନାଁରେ ମତେ ଡାକିଗଲେ । ମୋ ଜୀବନର ଯେଉଁ ବିଭାବ ଯାହାକୁ ଯେମିତି ଆକର୍ଷଣ କରିଛି, ସେ ସେହି ଭାବରେ ନାଁ ସୃଷ୍ଟି କରି ମତେ ଡାକିଛି ।

 

ମାତ୍ର ଜଣକର କଥା ଆଜି ଏଇ ଶେଷକ୍ଷୟ କ୍ଷଣରେ ମୋର ବେଶୀ ମନେ ପଡ଼ୁଛି । ଅସ୍ଥିର ହେଉଛି । ଏକଆଡ଼େ ମୋର ଜୀବନ ଦେବତାର ଡାକ–‘‘ଆରେ ଭୋଳାମନ, ଅସମ୍ମାନିତ ପ୍ରାଣ, ନିନ୍ଦିତ ବ୍ୟକ୍ତି, ଅପଯଶିତ ମଣିଷ, ଆ ଚାଲିଆ, ଦୁନିଆ ତତେ ଏଇ ଭାବରେ ଡାକିଗଲା, ତୁ ଚାଲିଆ, ମୁଁ ତୋର ନିନ୍ଦା, ଅପଯଶ, କଳଙ୍କ ସବୁ ନେଇଯିବି । କିଛି ଦୁଃଖ କରନା, ନିସ୍ପନ୍ଦ ଶାନ୍ତି ଭିତରେ ଚାଲି’ଆ–

 

ଆଉ ଜଣେ ଅଶ୍ରୁସ୍ନାତ ଚକ୍ଷୁରେ ବିଦୀର୍ଣ୍ଣ ବ୍ୟାକୁଳ ହୃଦୟରେ କହୁଛି–‘‘ତୁମେ ଯାଅ ନାହିଁ, ତୁମ ଆଖିର ଅଞ୍ଜନରେ ଏ ଜୀବନକୁ ଯେପରି ଦେଖୁଥିଲି, ଯେ ବାଣୀରେ ତା’ର ରୂପ ଫୁଟାଉଥିଲ, ତାହାହିଁ ବୁଝିଲେ ନାହିଁ ବୋଲି ଏତେ ପରିତାପ କାହିଁକି ? ହୁଏତ ତୁମର ବ୍ୟକ୍ତିତ୍ୱରେ ସେଇ ନ ବୁଝିପାରିବା ସମ୍ପଦଟି ହିଁ ମହାମୂଲ୍ୟବାନ...ତୁମେ ଯାଅନାହିଁ ।’’

 

ୟାକୁ କହନ୍ତି ଆକର୍ଷଣ । ମନ ପ୍ରାଣ ପୂରିଯାଏ ଏଇ ଆକର୍ଷଣର ମହାସଙ୍ଗୀତ ଶୁଣିବାରେ...ଏହା ବିନା କଅଣ ଅଛି ସଂସାରରେ ? ଅଦୂରେ ସିନ୍ଧୁରୋଳ ଶୁଭୁଛି । ମହାନିଦ୍ରା ଆଉ ମହାସିନ୍ଧୁ ଏକ କଥା । ଏ ଯେପରି ମହା ବିସ୍ମୃତିରେ ମହୀୟାନ୍ ସେ ସେହିପରି ମହା ବିସ୍ତୃତିରେ ଗରୀୟାନ୍ । ବୋଧହୁଏ ଧୀରେ ମୋ ଅଙ୍ଗରୁ ଚୈତନ୍ୟ କ୍ଷୀଣ ହୋଇଆସୁଛି । ଆସିବ, ଦୁଃଖ କଅଣ ? ମାତ୍ର ସେଇ ମହାବିଲୁପ୍ତିର ଏକକ ବିନ୍ଦୁମାତ୍ର ସମୟରେ ମୁଁ କ’ଣ ଆଉ କିଛି ଭାବିପାରିବି-?

 

କହିଯାଏ ଗୋଟିଏ ପଦ କଥା ତାକୁ, ଯେ ମତେ ଭର୍ତ୍ସନା କରି କରି ଭଲ ପାଇଥିଲା । ଏମିତି ସାଧାରଣରେ ଘଟେ ନାହିଁ । ତମେମାନେ ଏ ବିଷୟରେ ବେଶୀ ଅଭିଜ୍ଞ, କେବଳ ତଫାତ୍, ଅନ୍ୟଠାରେ ଏ ଉପସର୍ଗ ଦେଖିଲେ ନୀତିଗ୍ରନ୍ଥ ଖୋଲି କହ-ଅଶ୍ଳୀଳ, ଅଶୋଭନୀୟ....ନୁହେଁ କି ? ନିଜବେଳକୁ ମୋ ପାଖକୁ ଆସି କେତେବାର କହିଛ, ‘‘ମୁଁ ପ୍ରଣୟାସକ୍ତ, ହେ ଲେଖକ, ହେ କବି, ଆମ ଦୁହିଁଙ୍କର ଏ ବେଦନାକୁ ଗୋଟିଏ କବିତାରେ, ଗୋଟିଏ ଗଳ୍ପରେ ରୂପ ଦିଅନ୍ତୁ ।’’ ମୁଁ କିଛି କହିବା ପୂର୍ବରୁ ତୁମେ ଧନ୍ୟବାଦ ଦେଇସାରିଥାଅ । ମୁଁ ପ୍ରଣାମ କରେ ଏଇ ପ୍ରେମର ଗୁଞ୍ଜନକୁ; କିନ୍ତୁ ପଚାରେ-ପ୍ରୀତି-ଦର୍ପଣରେ ନିଜର ଆତ୍ମାକୁ ଦେଖିପାରୁଛ କି ? ଦେଖୁଛ କି ସେ ଆତ୍ମା ଅନିର୍ବଚନୀୟ ଶାଶ୍ୱତ ଦୀପ୍ତିରେ କିପରି ସ୍ଥିତିର ଖର୍ବତା ତୁମ ପ୍ରାଣର କ୍ଷୁଦ୍ରତାକୁ ଧ୍ୱଂସ କରି ତୁମକୁ ଆଣି ଦେଇଛି ଏକ ମହାମାନସ, ଏକ ମହତ୍ ଦୃଷ୍ଟି ?

 

ନାଃ, ମୋଠୁ ଏ କଥା ଶୁଣି ଯେଉଁମାନେ ଆସୁଥାନ୍ତି ମୋଠାରୁ କବିତା ଅଳ୍ପ ଲେଖାଇ ତାଙ୍କର ପ୍ରେମାଶକ୍ତିକୁ ପରିମଣ୍ଡିତ କରିବେ, ସେମାନେ ମୁହଁ ଫେରାଇ ଚାଲିଯାଆନ୍ତି; କାରଣ ମୋ କଷଟି ପଥରରେ ସେମାନେ ପରୀକ୍ଷିତ ହୋଇପାରିଲେ ନାହିଁ । ଆତ୍ମଗ୍ଳାନି ତାଙ୍କୁ ବାଧିଲା । ସେମାନେ ପଳାଇଲେ କାହିଁକି ? ଧୀରେ ଧୀରେ ଉଚ୍ଚତର ସୋପାନକୁ ଯାଇଥାନ୍ତେ, ବିକାଶ ଦେଖିଥାନ୍ତେ...ଅଧୀର ହୋଇପଡ଼ିଲେ ବୋଧହୁଏ ।

 

ମୁଁ ସେଇ ଦୃଷ୍ଟିରେ ଏ ଆକର୍ଷଣକୁ ଜୀବନସାରା ଦେଖି ଆସିଲି । ସେଥିପାଇଁ ମୁଁ ମରିଯାଇ ବି ବଞ୍ଚିବି । ଯେ ମୋର ବ୍ୟକ୍ତିତ୍ୱର କାଳିମା ଅଂଶଗୁଡ଼ିକ ଉପରେ ବାରମ୍ବାର ମନ୍ତବ୍ୟ ଦେଇ ମତେ ସଚେତନ କରିଥିଲା ସେଗୁଡ଼ିକୁ ଦୂର କରିବାକୁ, ତାକୁ ହିଁ ମୁଁ ମୋର ସମସ୍ତ ଭାର ଦେଇଥିଲି । ଅଶ୍ରୁ, ଆନନ୍ଦ, ମୃଦୁକମ୍ପନ, ମଧୁର ଲଜ୍ଜା ଭିତରେ ସ୍ପନ୍ଦିତ ଏ ପ୍ରାଣକୁ ତା’ରି ପାଖରେ...ପାଖରେ ଦୁହେଁ...ତା’ର ସତ୍ତା ଭିତରେ ଅବଲୁପ୍ତ କରି ଦେଇଥିଲି...ମଧ୍ୟାହ୍ନର ମରୁପଥରେ ଯେ କଳିଟି ବିକଶି ଉଠିଲା...ବିକଶି...ଆଃ.....

 

...ଆଃ...ନର୍ସ, ଏତେ ଲୋକ କାହିଁକି ? ମୁଁ ବୋଧହୁଏ ଅଚେତନ ହୋଇପଡ଼ିଥିଲି କେତୁଟା ମୁହୂର୍ତ୍ତ ! ଭୁଲ୍...ଭୁଲ୍...ମୁଁ ତ ଆଉ ଟିକିଏ ପରେ ପ୍ରଶାନ୍ତ ଗିରିମାଳାର ତୁଷାରସ୍ନିଗ୍ଧ ନିଶ୍ଚେତନ ପରିବେଶରେ ଘୂରି ବୁଲିବି ଆଉ ଦେଖିବି ବିଶ୍ୱବନ୍ଦ୍ୟ ହରଗୌରୀ ରୂପ...ମତେ ଆଉ କାହିଁକି ଘେରି ଛିଡ଼ାହୋଇଛି ?

 

ସେ କାହିଁ ? ମୂର୍ଖ ମୁଁ କାହାକୁ ଖୋଜୁଛି ? ସେ ତ ଶୋଣିତଧାରାର ତଳେ ତଳେ, ମୋ ମନର ଆଦିମ ପ୍ରବଣତାର ଗଭୀର ଉତ୍ସ ଭିତରେ ରହିଛି, ତାକୁ ତମମାନଙ୍କ ଭିତରେ ଖୋଜିବି କାହିଁକି ? କେତେ କଷ୍ଟ ନ ଦେଇଛ ତାକୁ ? ଆଘାତ ପରେ ଆଘାତ ସୃଷ୍ଟି କଲା ବହ୍ନିମୟ କରିଦେଇ ତା’ର ମନକୁ ଅସ୍ଥିର କରି, ରକ୍ତାକ୍ତ କରି-ଏଇ ତୁମେ ଆଉ ତୁମର ସଂସାର....

 

ଏତେ ଦୁଃଖ ଭିତରେ ବି ସେ ମୁକ୍ତ । ମୋ ମୁକ୍ତି ଯେ ଏ ଯାଏ ଆସି ନାହିଁ । ସେ କିନ୍ତୁ ବହୁ ପୂର୍ବରୁ ମୁକ୍ତ ହୋଇଛି । ସେ ଆଗରୁ ଯାଇଛି ଆୟୋଜନ କରିବାପାଇଁ । ମୁଁ ଯେଉଁ ବାଟରେ ଯିବି ତାକୁ ସେ ରକ୍ତବସ୍ତ୍ର ଦେଇ ଆଚ୍ଛାଦନ କରିବ । ରକ୍ତଗୋଲାପର କୁମ୍ଭ ଥାପିବ ଦୁଇ ପାର୍ଶ୍ୱରେ । ଆଉ କେତେ କଅଣ ସେ କରିବ; ମୁଁ ଜାଣେ ତାକୁ...ଆଉ ତୁମମାନଙ୍କୁ ବି ଜାଣେ....

 

ସ୍ମୃତି...ସ୍ମୃତି...କଠିନ ସଂସାରଲୋଭୀ ମଣିଷ ସ୍ମୃତି ବୋଲି କିଛି ଜାଣେ ନାହିଁ । କହିଲେ ବିରକ୍ତ ହୁଏ । ମୁଁ କିନ୍ତୁ ମୋର ଅବସାନ ପରେ ବଞ୍ଚିରହିବି ସ୍ମୃତି ଭିତରେ...ସେ ଗୋଟିଏ ଗୋଟିଏ ପୂର୍ଣ୍ଣତୋୟା ଶତଦଳଶୋଭିତା ପୁଷ୍କରିଣୀ । ଯେତିକି ମୁଁ ସେଥିରୁ କୁସୁମ ତୋଳୁଥିବି, ସେତିକି ସ୍ପନ୍ଦିତ ହେଉଥିବ ସମଗ୍ର ଜଳରାଶି ଆଉ ତା’ ସଙ୍ଗେ ଶିହରିତ ହେଉଥିବ ମୋର ପ୍ରାଣପକ୍ଷୀ ।

 

ନା, ତୁମେ କାନ୍ଦ ନାହିଁ । ଏଇଟାକୁ ମୁଁ ସହିପାରେନା, ସତ କହୁଛି । ଏଇଟା ଅତି ପାର୍ଥିବ । ଜୀବନରେ ମୁଁ ନିଜେ ବହୁତ କାନ୍ଦିଛି । ପୁରୁଷକାର ବାରଣ କରିଛି ବହୁବାର ଏବଂ କହିଛି ଏମିତି ଅଶ୍ରୁଧାରଣ ଲୋକକୁ ଦୁର୍ବଳ କରିଦିଏ । ତୁମେ ବି ଗାଳିଦେଇଚ । ଆଚ୍ଛା ଯିବା ପୂର୍ବରୁ ପଚାରେ । ମୋଠାରେ ପୌରୁଷ ବୋଲି କିଛି ଦେଖିଲ କି ? ଉତ୍ତର ତୁମେ ଦେବ ନାହିଁ ମୁଁ ଜାଣେ । କାରଣ ତୁମେ ଦେଖିନ ମୋ ପାଖରେ ପୁରୁଷକାରର ପ୍ରଚଣ୍ଡ ସ୍ପୂର୍ତ୍ତି । କିମିତି ଦେଖିବ ? ମୁଁ ଗୀତ ରଚନା କରେ, କଥା ସୃଷ୍ଟି କରେ, ଆତ୍ମଭୋଳ ହୋଇଥାଏ, ସ୍ୱପ୍ନରେ ସିନ୍ଦୁର ଦିଏ ତୁମ ସୀମନ୍ତରେ; ଅଥଚ ଉଜ୍ଜ୍ୱଳ ଆଲୋକରେ ମୁଁ ଲୁଚିଯାଏ କାପୁରୁଷତାକୁ ଘେନି...ସେଠି କି ପୁରୁଷକାର ବା ଦେଖିବ ?

 

କିନ୍ତୁ ତୁମେ ଯାହା ଦେଖିଲ, ଅନ୍ୟ କେହି ଦେଖି ନାହାନ୍ତି ମୋଠି...ତୁମେ ମତେ କହିଛ ତୁମେ ମୋଠି ଦେଖିଛ କେବଳ ତୁମେ...ତୁମେ...ତା’ର ଅତିରିକ୍ତ ନୁହେଁ କି ତା’ର ନିମ୍ନ କିଛି ନୁହେଁ । କହିଲ, ଏ ଯେ ରଚନା ବା ବାଣୀ ମୁଁ ଦେଇଯାଉଛି, ଏ କଅଣ କାହାକୁ ଭଲ ଲାଗିବ ? କହିବେ-ଜୀବନଟାଯାକ ଆତ୍ମକୈନ୍ଦ୍ରିକ ରହିଗଲା; ଶେଷ ପ୍ରୟାଣପୂର୍ବରୁ ବି ସେଇ ଆତ୍ମକୈନ୍ଦ୍ରିକ ।

 

ଆତ୍ମାର କଥା କହିବି ନାହିଁ ତ ଆଉ କାହାକଥା କହିବି ? ଏହାର ଅର୍ଥ ମୁଁ ବୁଝିପାରୁନାହିଁ । ତୁମେ ତ ଜୀବନରେ ଅନେକ କଥା ମତେ ବୁଝେଇଛ । ତୁମେ ଏତେ ଦୃଢ଼, ଶକ୍ତ ଓ ଆତ୍ମ-ସମାହିତ ହେଲ କିପରି ? ଜୀବନଯାକ ବେଦନାସ୍ପର୍ଶ ହିଁ ତୁମକୁ ଏତେ ଶକ୍ତ କରିଛି । ବେଳ ସରିଆସିଲା । ରକ୍ତିମ ସୁର୍ଯ୍ୟ ଢଳିପଡ଼ିବେ । ସେଇ ଢଳିବାଦୃଶ୍ୟ ସବୁବେଳେ ସୁମହାନ୍ । ସେଠି ଦୈନ୍ୟ ନାହିଁ, ଦାରିଦ୍ର୍ୟ ନାହିଁ । ମୁଁ ସେମିତି ଢଳିଯିବି । ଦୀନ ଭାବରେ ନୁହେଁ, ଦରିଦ୍ର ଭାବରେ ନୁହେଁ; ରାଜରାଜେଶ୍ୱର ଭାବରେ...

 

ତୁମକୁ କହିଯାଉଛି । ଶେଷ ଅଭିଳାଷ; ଆଉ ଏ ଜନତାକୁ ବି କହିଯାଉଛି । ସମସ୍ତେ ଜାଣନ୍ତି ମୁଁ ମହାସିନ୍ଧୁ ଉପାସକ, ରସିକ, ପ୍ରେମିକ । ତା’ରି ତଟଦେଶରେ ମୋର ପ୍ରାଣହୀନ ଦେହକୁ ରଖିବ, ଯେପର୍ଯ୍ୟନ୍ତ ମୋ ଦେହର ଉଷ୍ମା ସିନ୍ଧୁଗର୍ଭର ଅୟୁତ ଶିଶିରମାଳା କମ୍ପନଶ୍ରୀରେ ଶୀତଳ ନ ହୋଇଛି । ଭାରି ଭଲ ଲାଗେ ଏଇ ଜଳକଣାର ସ୍ପର୍ଶ । ଏଇ ବେଳାଭୂମିରେ ବସି ମଣିଷ ଜୀବନକୁ କେତେ ମୁଁ ଧ୍ୟାନ କରିଛି; ଜୀବନର ଖଣ୍ଡତା ଆଉ ଖର୍ବତାକୁ ବିସର୍ଜନ ଦେଇ ମହାପ୍ରଶାନ୍ତିରେ ଅଭିଭୂତ ହୋଇଛି ଏହିଠାରେ । ଗଲାବେଳକୁ ସେ ପଥ ଉପରେ ମତେ ଟାଣିନେବ; ଦେଖୁ ଦେଖୁ, ସିନ୍ଧୁ ଗୋଟାଏ ନଗଣ୍ୟ ଘୃଣିତ ଲେଖକର ମନ ଓ ତନୁ ଉପରେ କ୍ରୁର ଆଘାତ ଓ ସ୍ନିଗ୍ଧ ପ୍ରେମର ରେଖାବଳୀ କିପରି ପାଖକୁ ପାଖ ଚିହ୍ନିତ ରହିଛି ।

 

ଆଉ ତ କିଛି ଦେଖାଯାଉନାହିଁ । ଧୀରେ ଯେପରି ଗୋଟାଏ ଆଚ୍ଛନ୍ନ ଗୋଧୂଳି ଘୋଟିଆସୁଛି । ତା’ପରେ ମହାରାତ୍ରି...ଆସିବ ଘୋର ଅନ୍ଧକାର ।

 

ହେ ମହାପ୍ରଦୀପ, ତୋର ଜ୍ୱଳନଦୀପ୍ତି ଧୀରେ କମିଆସିଛି । ଚାରିଆଡ଼େ କର୍ମ କୋଳାହଳରତ ନରନାରୀ...ଅଥଚ ମୁଁ ଗୋଟିଏ କ୍ଷଣ ପରେ ହୋଇଯିବି ଜଡ଼, ନିଶ୍ଚଳ, ନିର୍ବାକ୍, ନିସ୍ପନ୍ଦ...ଜୀବନକୁ ଖୁବ୍ ଭଲ ପାଇଥିଲି...ମୃତ୍ୟୁ ବି ଅମୃତ ଆଣିଦେବ । ମଝିରେ ରହିଗଲା ମୋର ଶିଳ୍ପ...ସେ ତ ଅକ୍ଷୟ, ଅବ୍ୟୟ...କାନ୍ତ...କମନୀୟ ।

Image

 

ଅନନ୍ତିକା

 

ପ୍ରସୂତ ଭବନରୁ ସଦ୍ୟ ଫେରିଥିବା ସ୍ତ୍ରୀଙ୍କ ମୁହଁକୁ ଗୋଟିଏ ବର୍ଷଣ ସଞ୍ଜରେ କେଜାଣି କାହିଁକି କେମିତି ଚାହିଁଦେଇ ହସି କହିଲି–‘ଏବେ କଅଣ ହେଲା ? ଏସବୁ କଥାରେ ପରୀକ୍ଷା କରିବା ଠିକ୍ ହେଲା ତ ?’

 

ମେଘଡ଼ମ୍ବରୁ ମୁହଁ ଭାର କରି ସ୍ତ୍ରୀ କହିଲେ–‘ତୁମ ପୁରୁଷଗୁଡ଼ାଙ୍କର ନିର୍ଲ୍ଲଜତା କଅଣ ଆଉ ଜାଣିବାକୁ ବାକି ଅଛି ? ପରୀକ୍ଷା ତୁମେ କରୁଥିଲ ନା ମୁଁ କରୁଥିଲି ? କଅଣ ଗୋଟାଏ ନିଆଁପୋଡ଼ା ବାଲାନ୍‍ସ ରହିବ ବୋଲି କହିଲ । ଦୁଇ ଝିଅକୁ ଦୁଇ ପୁଅ, ଏବେ ପୁଅ ବଦଳରେ ଝିଅ ପାଇଲ । ନିକିତି ଠିକ୍ ରହିଲା ତ ? ବ୍ରହ୍ମାଣ୍ଡଗୋସେଇଁଙ୍କ ବିଧାନକୁ ତୁମେଗୁଡ଼ାଏ ପ୍ରକୃତିଛଡ଼ା ଲୋକ ବଦଳେଇ ପାରିବ ? ଏବେ ତିନି ଝିଅକୁ ଏକ ପୁଅ । ବାଲାନ୍‍ସ ଟିକିଏ ଏପଟ ସେପଟ ହୋଇଯିବାରୁ ଦେଖିଲ ତ ତାରତମ୍ୟ କେତେ ନିଷ୍ଠୁର ହୋଇଗଲା ?

 

ଶୁଣ, ତିନି ଝିଅ–ଏଁ, ମାନେ ଶାଢୀ, ବ୍ଳାଉଜ୍, ସେଲଓ୍ୟାର, ଗହଣାଗାଣ୍ଠି, ତାଙ୍କ ବାହାଘର, ପୁଣି କଲେଜରେ ପଢ଼ିଲେ ସେମାନଙ୍କ ପାଇଁ ଅଲଗା ବ୍ୟବସ୍ଥା ଓ ବ୍ୟବସ୍ଥା ଅନୁଯାୟୀ ଖର୍ଚ୍ଚ; ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରିବାକୁ ହେଲେ ରିକ୍‍ସା ମଟର ଭିତରେ ଥୋଇ ତାଙ୍କୁ ନବା ଆଣିବାରେ ଯେତେ ବାଜେ ଖର୍ଚ୍ଚ–ଏସବୁ ଭବିଷ୍ୟତରେ ରହିଛି । ମୁଁ ମନା କରୁଥିଲି ବୁଢ଼ାଦିନେ ଏ ରଙ୍ଗରସ କରିବାକୁ । ଆମର ବାଲାନ୍‍ସ ଦରକାର ନାହିଁ । ଏଣେ ବ୍ୟାଙ୍କରେ ବାଲାନ୍‍ସ ଶୂନ୍ୟ । ମୋ କଥା ସେତେବେଳେ ଘେନା କରିଥିଲ ? ନା ପୌରୁଷର ବଡ଼େଇ ଦେଖେଇ ହେଉଥିଲ ? ହଇଏ ?

 

ସେତେବେଳକୁ ‘ହଇଏ’ ଅର୍ଥାତ୍ ମୁଁ ନିସ୍ତବ୍‍ଧ ହୋଇଗଲିଣି । ଆକାଶରେ ବାଦଲ ଛାଇ ହୋଇଯାଇଛି । ପଶ୍ଚିମ ଆକାଶ ଆହୁରି କଳା । ଅଭିମାନିନୀ ତରୁଣୀର ମୁହଁ ଭାର ଭଳି ତା’ର ଥର ଥର ଭାବ । ମୋ ମନଟା ବି ସେମିତି ବେଦନାକ୍ରାନ୍ତ ଥର ଥର ଭାବ ।

 

ମୁଁ ଶୁଣେଇ କହିଲି–‘ମୁଁ ଗଢ଼ିଥିଲେ ଗଢ଼ି ଦେଇଥାନ୍ତି ଗୋଟିଏ ପୁଅ, ବିଶ୍ୱବିଧାତାଙ୍କର ଘିଅ ଗୁଡ଼ ଘରେ ପିମ୍ପୁଡ଼ି ପଶି ଯାଇ ନଥାନ୍ତେ । ଯିମିତି ସୃଷ୍ଟି ଚାଲୁଥିଲା, ଚାଲୁଥାଆନ୍ତା । ଦୁଇ ପୁଅକୁ ଦୁଇ ଝିଅ-ବେଶ୍ ସମତା ରହିଥାନ୍ତା ।

 

ଏବେ ସବୁ ଓଲଟ ପାଲଟ ହୋଇଗଲା । ସାଇ ପଡ଼ିଶା ଚିହ୍ନା ସାଙ୍ଗ, ବନ୍ଧୁବାନ୍ଧବ ଟୁପୁରୁଟାପର ହେଉଛନ୍ତି-ୟାଙ୍କର କଅଣ ଏକୋଇଶା କି ତିରିଶିଆ ହେବନାହିଁ କି ?

 

ହାରେ, ଦୁର୍ଭାଗ୍ୟ ! ମନ ଫୁଲାଣିଆ ସିନା ଗୀତ ଗାଏ ! ଏଇ ଅବାଞ୍ଛିତ କାବ୍ୟ-ଉପେକ୍ଷିତା କନ୍ୟାପାଇଁ ମୁଁ ଆଲୁଅ ଜଳେଇବି ? ଏକୋଇଶା କରିବି ? ଦଶ ଜଣଙ୍କୁ ଗୋଗ୍ରାସ ଦେବି ?

 

ଆଚ୍ଛା କହିଲ, ବନଜା, ହେଙ୍ଗାମା କଅଣ ଏତିକିରେ ସରିବ ? ଝିଅକୁ ଦଶ ବର୍ଷ ହେଲାବେଳକୁ ଯୁବା ଟିଉସନ ମାଷ୍ଟର ରଖିବାକୁ ମନ ପତେଇବ ନାହିଁ । ତେଣିକି ଘରେ ବୁଢ଼ା, ଅଥର୍ବ, କଣା, ଛୋଟା ଚାକର ଆଉ ରାନ୍ଧୁଣୀ ରଖିବାକୁ ପଡ଼ିବ । ସବୁବେଳେ ଆତଙ୍କ, ଆଶଙ୍କା ।

 

କିନ୍ତୁ ପୁଅ ? ପୁଅ କଥା ଛାଡ଼ । ସେ ରାଜା । ସେ ରାଜାର ପୁଅ ଭଳି ପକ୍ଷୀରାଜ ଘୋଡ଼ା ଉପରେ ବସି ଉଡ଼ିବ । କି ପରବାଏ ତା’ର ? ଫୁଟବଲ ପଡ଼ିଆରେ ଗଡ଼ିବ । ହକି ଷ୍ଟିକ୍ ଧରି ମାତି ଉଠିବ । ଗୋଟାଏ କଥାରେ ତା’ର ପ୍ରତି ଅବୟବରେ ତରଳ ରକ୍ତତରଙ୍ଗ ତାକୁ କରିବ ଅପରାଜେୟ । ନିର୍ଭୀକ !

 

ଅଥଚ ତା’ରି ଚଲାପଥ ଉପରେ ଈକ୍ଷଣ ହାଣୁଥିବେ ଏଇ କାବ୍ୟ-ଉପେକ୍ଷିତା ଅବାଞ୍ଛିତା ଝିଅଦଳ । ପରଦା ଫାଙ୍କରେ, ବଗିଚା, ଥିଏଟର, ସିନେମା ଘରେ ଗୁଣୁଗୁଣୁ ଗୁଞ୍ଜନ ତୋଳି ତାକୁଇ ପ୍ରଲୁବ୍‍ଧ କରୁଥିବେ ।

 

ସ୍ତ୍ରୀ ସବୁ ଶୁଣୁଥିଲେ ବିମୂଢ଼ ଭାବରେ । କେତେବେଳକୁ ସେ ବାତ୍ସଲ୍ୟ-ଭରା କଣ୍ଠରେ କହିଲେ–‘ଥାଉ ବହୁତ କଥା କହିଗଲଣି । ଭାଗ୍ୟରେ ଯଦି ଥିବ, ଆଜି ଯାହାକୁ ତମେ ଅବାଞ୍ଛିତା କହି ହୀନିମାନ କରୁଛ, ସେଇ ପୁଣି ଦିନେ ରତ୍ନ ହୋଇଉଠିବ । ସେଇ ପୁଣି ଦିନେ ଆମ ହୃଦ-ଅନ୍ଧାରକୁ ରଶ୍ମି ଆଭାରେ ଉଜ୍ଜ୍ୱଳ କରିଦେବ । ନାଁ ଖୋଜି ପାଉ ନଥିଲି । ଏବେ ଏଇ ‘ରଶ୍ମି’ ନାଁଟି ରଖିଲି ।

 

ହଁ, ତୁମର ଯେ ସମୟ ହେଲାଣି । ସାତଟା ତିରିଶ ମିନିଟ । ଆଉ ପନ୍ଦର ମିନଟ୍ ପରେ ଆକାଶବାଣୀରେ ତୁମର ଗଳ୍ପ ପ୍ରଚାର । ମନକୁ ସ୍ଥିର କରି ଷ୍ଟୁଡ଼ିଓ ଭିତରକୁ ଯିବ । ନିଜ ଭାଷଣ କହିବ । ପୁଅ ହେଉ ବା ଝିଅ ହେଉ ସବୁ ଦେବତାର ଆଶୀର୍ବାଦ ବୋଲି ଭାବିନିଅ । ଗଳାଖଙ୍କାର ଆରମ୍ଭ କରିବ । ତୁମ ଗଳାରେ ଥଣ୍ଡା ଲାଗିଛି, ଶୀଘ୍ର ଯାଅ ।

 

ଉଣେଇଶ ଅଠସ୍ତରୀ ବର୍ଷ ଜୁଲାଇ ପଚିଶ-ତାରିଖ । କୋଡ଼ିଏ ବର୍ଷ ପାଣି ଭଳି ଭାସିଯାଇଛି । ବୃଦ୍ଧ ଜ୍ୟୋତିରୀନ୍ଦ୍ର ଶଯ୍ୟା ଉପରେ ଅଙ୍ଗ ଢାଳି ଖଣ୍ଡିଏ ଉପନ୍ୟାସ ପଢ଼ୁଛନ୍ତି । ଜୀବନରେ ରାଶି ରାଶି ପୁସ୍ତକ ସେ ପଢ଼ିଛନ୍ତି; ତଥାପି, ଜୀବନ-ରହସ୍ୟ ତାଙ୍କ ପାଖରେ ପରିଷ୍କାର ହେଲା ନାହିଁ ।

 

୧୯୭୮ ଉପନ୍ୟାସରେ ନ ଥିଲା ପ୍ରେମର କୁହୁ ତାନ, ଥିଲା ବିଜ୍ଞାନର ଜୟ ଘୋଷଣା-। ସ୍ପେସ୍, ଚନ୍ଦ୍ରମଣ୍ଡଳ, ମଙ୍ଗଳଗ୍ରହ-ଲୋକଙ୍କ ମୁହେଁ ମୁହେଁ ଏଇ ସବୁ ପ୍ରଚାରିତ ହେଉଥିଲା-। ସ୍ପେସରେ ଷ୍ଟେସନ୍ ତିଆରି ହୋଇଛି । ସ୍ଥଳ ଉପରେ ମଣିଷର ପାଦ ରହୁନାହିଁ, ରହୁଛି ବ୍ୟୋମରେ-। ଯାନ୍ତ୍ରିକ ଯୁଗର ଚରମ ବିକାଶ ।

 

ବୃଦ୍ଧ ଜ୍ୟୋତିରୀନ୍ଦ୍ର ସ୍ତ୍ରୀଙ୍କୁ ଡାକିଲେ–କହିଲେ–ଟେଲିଭିଜନ୍ ସେଟ୍ ଖୋଲିଦିଅ । ସ୍ପେସର କେଉଁ ଷ୍ଟେସନରୁ କି ଖବର ଆସୁଛି, ଶୁଣିବା । ଶୂନ୍ୟରେ ଷ୍ଟେସନ ଘର, ରକେଟରେ ମଣିଷ ଯାତ୍ରୀ–ଆଜି ଆଉ ମିଥ୍ୟା ହୋଇ ରହିନାହିଁ । ସେଇଠି ପୁଣି ମଣିଷ ପୁଅ ଝିଅ ଜନ୍ମ କରୁଛି ।

 

......ତୁମେ ବନଜା, ଇମିତି ହଠାତ୍ ମନମରା ହୋଇଗଲ କାହିଁକି ? ଓଃ ବୁଝୁଛି । ଝିଅ କଥା ମନେ ପଡ଼ିଗଲା ପରା ? ବହୁ ସନ୍ଧାନ କଲି, ତାକୁ ପାଇଲି ନାହିଁ । କେବଳ ଦୀର୍ଘନିଃଶ୍ୱାସ ହିଁ ସାର ହେଲା ।

 

ଶୁଣିଛି ସେ ଭାରତବର୍ଷ କାହିଁକି ପୃଥିବୀରେ ଜଣେ ନାରୀ ବୈଜ୍ଞାନିକ । ସ୍ପେସ୍ ବିଷୟରେ ଗବେଷଣା କରିଛି । ଆଜି ତା’ର ସବୁଆଡ଼େ ପ୍ରଶସ୍ତି । କିନ୍ତୁ ବାପ ମାଆଙ୍କୁ ସେ ଯାହା ଭୁଲିଗଲା । ନା–ନା ମୋର ମନ କହୁଛି ସେ ଆମଙ୍କୁ ଭୁଲି ନାହିଁ । କେବଳ ଅଭିମାନ..ଅଭିମାନ ।

 

ଟେଲିଭିଜନ୍ ସେଟରୁ ଶୁଣାଗଲା–୧୯୭୮ ଜୁଲାଇ ୨୫ ତାରିଖ ସନ୍ଧ୍ୟା ୭ । ୪୫ ମିନିଟରେ ଆପଣ ଶୀଘ୍ର ଶୁଣିବାକୁ ପାଇବେ ପ୍ରସିଦ୍ଧ ବୈଜ୍ଞାନିକ କୁମାରୀ ଅନନ୍ତିକାଙ୍କ ସହିତ ଆକାଶବାଣୀର ଷ୍ଟେସନ୍ ଡିରେକ୍ଟରଙ୍କର ସାକ୍ଷାତକାର ପ୍ରଚାର । କୁମାରୀ ଅନନ୍ତିକା...

 

‘ଆଚ୍ଛା, କୁମାରୀ ଅନନ୍ତିକା, ଆପଣ ବିଜ୍ଞାନର ଏତେ ବଡ଼ ସାଧକ ହେବାପାଇଁ କେଉଁଠାରୁ ପ୍ରେରଣା ପାଇଲେ ?

 

ଉତ୍ତର–‘ପ୍ରଥମରେ ପିଲାଦିନରୁ ବିଜ୍ଞାନ ରହସ୍ୟ ମତେ ଅଭିଭୂତ କରୁଥିଲା । ଦ୍ୱିତୀୟରେ ମୋର ବାପା ମାଆଙ୍କର ମୋ ପ୍ରତି ଅଶ୍ରଦ୍ଧା ।’

 

‘ଆଶ୍ଚର୍ଯ୍ୟ, ମୁଁ ବଡ଼ ଦୁଃଖିତ । ବାପାଙ୍କର ଏଇ ଅଶ୍ରଦ୍ଧାର କାରଣ ?’

 

ଉତ୍ତର–‘ମୁଁ ଝିଅ ବୋଲି । କୋଡ଼ିଏ ବର୍ଷ ତଳେ ମୁଁ ଜନ୍ମ ହୋଇଥିଲି । ବାପା ମାଆ ମତେ କେହି ଚାହିଁ ନିଥିଲେ । ତେଣୁ ତାଙ୍କ କଥାରେ ମୁଁ ଥିଲି ଅବାଞ୍ଛିତା ।’

 

ସାକ୍ଷାତକାରୀ ପ୍ରଶ୍ନ କଲେ–‘ଘର ସହିତ ସମ୍ବନ୍ଧ ରଖିଛନ୍ତି ତ ?’

 

ଉତ୍ତର–‘ନାଁ, ବିଶ୍ୱବିଦ୍ୟାଳୟ ଡିଗ୍ରୀ ପରେ ମୁଁ ଶୂନ ବ୍ୟୋମ ସମ୍ବନ୍ଧରେ ଗବେଷଣା କରି ଏକପ୍ରକାର ଶୂନ୍ୟ ସହିତ ମିଶିଯାଇଛି, ତଥାପି ମାଆ ବାପାଙ୍କ ପ୍ରତି ମୋର ଅଭକ୍ତି ନାହିଁ । ସେମାନେ ଚାହୁଁଥିଲେ କେବଳ ପୁଅ, ମୁଁ ଝିଅ ଜନ୍ମିଲି । ମତେ ପାଇ ତାଙ୍କ ମନ ଭଲ ରହିଲା ନାହିଁ-।’

 

ସାକ୍ଷାତକାରୀ ପୁଣି ପଚାରିଲେ–

 

‘ଆଚ୍ଛା, କହନ୍ତୁ ତ ଆପଣ ଯେ ପିଲାଦିନୁ ବାପାଙ୍କ ଦ୍ୱାରା ଅବାଞ୍ଛିତା, ତାହା ଆପଣ ଜାଣିଲେ କିପରି ?

 

ଉତ୍ତର–‘ବାପାମା’ଙ୍କର ପିଲା ପ୍ରତି ହାବଭାବ ଶିଶୁ ବେଶ୍ ଜାଣିପାରେ । ମୁଁ ଜାଣିପାରିଥିଲି । ତେବେ ବେଶୀ ଜାଣିଲି ଗୋଟିଏ ସ୍କ୍ରିପ୍‍ଟରୁ.....’

 

ସ୍କ୍ରିପ୍‍ଟ…ମାନେ ? ବେତାର...ଲେଖାରୁ ?'

 

'ହଁ ।'

 

'କିପରି ?'

 

‘ବାପା ମୋର ୧୯୫୮ ଜୁଲାଇ ୨୫ ତାରିଖରେ ଯେଉଁ ଛୋଟ ଗଳ୍ପଟି ଆକାଶବାଣୀରୁ ପ୍ରଚାର କରିଥିଲେ; ସେଇଟି ମୁଁ ବହୁଦିନ ତଳେ ଆପଣଙ୍କର ଷ୍ଟେସନର ପ୍ରୋଗ୍ରାମ ପରିଚାଳିକା ଭାବରେ ପାଇ ପାରିଥିଲି । ସେଥିରେ ମୋ ବିଷୟର ଉଲ୍ଲେଖ ଥିଲା ।’

 

ସାକ୍ଷାତକାରୀ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ–

 

‘ଛୋଟ ଗଳ୍ପ ? ସେ ସବୁ ତ ମିଥ୍ୟା ଓ କଳ୍ପନା ।’ ଅନନ୍ତିକା ଦୃଢ଼ କଣ୍ଠରେ କହିଲେ-‘ନା, ବାପା ଯେଉଁ ଗଳ୍ପ ଲେଖନ୍ତି, ତାହା ପୂରାପୂରି କଳ୍ପନା ନୁହେଁ । ସେଥିରେ ପୂର୍ଣ୍ଣ ହେଉ ବା ଆଂଶିକ ହେଉ ସତ୍ୟ ନିହିତ ଥାଏ । ଲେଖକ ଭାବରେ ବାପାଙ୍କର ଏହା ହିଁ ପ୍ରତିଷ୍ଠାର ଏକ କାରଣ । ବଡ଼ ବାସ୍ତବ ତାଙ୍କର ଗଳ୍ପ ।’

 

‘ତା’ପରେ–’

 

‘ହଁ, ସେଇ ସନ୍ଧ୍ୟାରେ ବାପା ଗଳ୍ପରେ ଘୋଷଣା କରିଥିଲେ–ହାୟରେ ଦୁର୍ଭାଗ୍ୟ ! ମନଫୁଲାଣିଆ ସିନା ଗୀତ ଗାଏ, ଏଇ ଅବାଞ୍ଛିତା କାବ୍ୟେ-ଉପେକ୍ଷିତା କନ୍ୟା ପାଇଁ ମୁଁ ଆଲୁଅ ଜଳେଇବି ? ଏକୋଇଶା କରିବି ? ଇମିତି ଆଉ କେତେ କଥା । ସେଥିରୁ ମୁଁ ବୁଝିଲି ବାପା ମାଆଙ୍କର ମୋ ପ୍ରତି ଏକପ୍ରକାର ଘୃଣା ଥିଲା । ମୁଁ ଆଉ ଘରର ସ୍ନେହ ନ ଚାହିଁ, ଚାହିଁଲି ବିଶ୍ୱକୁ...ଅନନ୍ତକୁ ।’

 

ସାକ୍ଷାତକାରୀ ଘୋଷଣା କଲେ–‘ଆଚ୍ଛା ଆପଣଙ୍କର ନାଁ ପରା ଅନନ୍ତିକା ?’

 

ଉତ୍ତର–‘ଏକ୍ଷଣି ତ କହିଲି । ଯେ ବିଶ୍ୱକୁ ଘର ବୋଲି ଭାବି ବସିଲା, ତା’ର ନାଁ ଆଉ କଅଣ ହୋଇପାରେ ? ମୋର ନାଁ ଅନନ୍ତିକା ।’

 

‘–ଏ ତ ଅଦ୍ଭୁତ ନାଁ ?’ ଘୋଷକ ଘୋଷଣା କଲେ ।

 

‘–ହଁ । ଅଦ୍ଭୁତ ହୋଇପାରେ । ମାତ୍ର ମଣିଷ ଆଜି ଅନନ୍ତର ସାମଗ୍ରୀ । କେଉଁ ଦେଶ, କେଉଁ ରାଷ୍ଟ୍ର ବା ସଂକୀର୍ଣ୍ଣ ଗୋଷ୍ଠିଗତ ପରିଧିର ସେ ଦାସ ନୁହେଁ ? ଜଣେ ବୈଜ୍ଞାନିକ ପାଇଁ ଅତି ଉପଯୁକ୍ତ ଭାବି ମୁଁ ମୋ ନାଁ ବଦଳେଇ ଅନନ୍ତିକା ହୋଇଛି ।’

 

ସାକ୍ଷାତକାରୀ କହିଲେ–

 

‘ତେବେ ଏଥିରୁ ଜଣାପଡ଼ୁଛି ଆପଣଙ୍କର ଆଉ ଗୋଟିଏ ନାଁ ଥିଲା ?’

 

–‘ହଁ ଥିଲା, ସେଇ ବେତାର ଛୋଟ ଗଳ୍ପରେ ବାପା ପ୍ରଚାର କରିଥିଲେ ମୋ ନାଁ ରଶ୍ମି । ବୋଧହୁଏ ଅନୁତପ୍ତ ହୃଦୟରେ ସେ ଏଇ ନାମ ରଖିଥିଲେ ତାଙ୍କ ହୃଦଅନ୍ଧକାରକୁ ଉଜ୍ଜ୍ୱଳ କରିବି ବୋଲି । ମାତ୍ର ତାହା ଆଉ ହୋଇପାରିଲା ନାହିଁ ।’

 

ସାକ୍ଷାତକାରୀ ଆନନ୍ଦରେ ପରିବେଷଣ କଲେ–

 

‘ଆପଣ ତ ପୃଥିବୀର ଜ୍ଞାନାନ୍ଧକାରକୁ ଉଜ୍ଜ୍ୱଳ କରୁଛନ୍ତି । ଧନ୍ୟବାଦ, ଅନନ୍ତିକା : ନମସ୍କାର... ।

 

ବୃଦ୍ଧ ଜ୍ୟୋତିରୀନ୍ଦ୍ର ଶେଷ ଶବ୍ଦ ଶୁଣୁ ଶୁଣୁ ଚିତ୍କାର କରିଉଠିଲେ...ମା’ ରଶ୍ମି..ବନକା, ତୁମେ କାନ୍ଦିବ ? ଏଇ ଯେ..ଏଇ...ରଶ୍ମି...ସେ କଥା କହୁଥିଲା । ମୋ କଥା ଠିକ୍ । ଯେ ଅଭିମାନିନୀ ଆଜି ପୃଥିବୀର ଜଣେ ଜ୍ଞାନ-ସାଧକ । ଆରେ, ତାକୁ କଅଣ ତୁମେ ପଣତ ତଳେ ଧରି ରଖିପାରିଥାନ୍ତି ? ରଶ୍ମି, ତୁ ଆମକୁ କ୍ଷମା କର । କୋଡ଼ିଏ ବର୍ଷ ତଳେ ତୋର ଜନ୍ମ ଘେନି ଯେ ନିରାନନ୍ଦ ମୁଁ ଭୋଗିଥିଲି, ତାହା ଆଜି ମହାଆନନ୍ଦ ଓ ଗର୍ବରେ ପରିଣତ ହୋଇଛି ।

 

ପୁଅ କିଏ ? ଝିଅ କିଏ ? ନାରୀ ଓ ପୁରୁଷ ସୃଷ୍ଟିକର୍ତ୍ତାଙ୍କର କଲ୍ୟାଣବାହୀ ଦୁଇ ଅଙ୍ଗ । ପୁଅର ଯେତିକି ଜୟ, ଝିଅର ସେତିକି ଜୟ...ନା...ନା...ତା’ଠାରୁ ବେଶୀ...ତା’ଠାରୁ ଜୟ...ଝିଅର ବେଶୀ ଜୟ.....’

Image

 

ଶେଷ

 

–‘‘ଶେଷ ହୋଇଗଲା ? ଶେଷ ? ନିମିଷକେ ଶେଷ ହୋଇଗଲା ? ହାଃ-ହାଃ ଜୀବନ ଏତେ ସୁନ୍ଦର, ମରଣ ଏତେ ବୀଭତ୍ସ ! କାହାର ସେ କଅଣ କରିଥିଲା ? ଏତେ ଚଞ୍ଚଳ ଶେଷ ହୋଇଗଲା ?’’

 

ଯେ ଏ କଥା ଚିତ୍କାର କରି କହୁଥିଲେ, ସେ ଭୂଇଁ ସାଉଁଟି ହଜିଲା ମାଣିକକୁ ଖୋଜୁଥିଲେ । ମାଣିକ ସତ, ଆଖିର ଜ୍ୟୋତି, ଅନ୍ଧର ଲଉଡ଼ି ।

 

ଯାହାର ଗୋଟିଏ ମାତ୍ର ସନ୍ତାନ, ଇହ ଆଉ ପରକାଳକୁ ବାଟ ଦେଖାଇବା ପାଇଁ ଧରା ଛୁଇଁଥାଏ, ସେ ତ ଯଶୋଦାର କୋଳନନ୍ଦନ । ନଥିଲେ ଅଙ୍କ ଶୂନ୍ୟ, ଥିଲେ ରତ୍ନର ତେଜ ଭଳି ଚାରିଆଡ଼େ ଜଳୁଥାଏ । ବୟସ ବଢ଼ିଯାଇଛି, ସ୍ୱାମୀ ଆଉ ସ୍ତ୍ରୀଙ୍କର । କେତେ ଆଦରର କେତେ ଯତ୍ନର ସେଇ ଛୋଟ ଦେବତାଟି । ମନ୍ଦିର ଭିତର ଦେବ-ବିଗ୍ରହ ଉପରେ ଚକ୍ଷୁ ଢାଳି ଭକ୍ତ ସ୍ଥିର ରହିବା ପରି ଏମାନେ ତାକୁ ଦେଖି ଥରେ ଥରେ ଚମକି ଉଠନ୍ତି, ବିଶ୍ୱାସ କରିପାରନ୍ତି ନାହିଁ ତାଙ୍କରି ଶୋଣିତପଦ୍ମ ।

 

ପୁଅ ? ରତ୍ନମାଳୀ ଜିଭ କାମୁଡ଼ି ଦଣ୍ଡେ ଅଚଳ ରହିଯାଆନ୍ତି । ମୋ ପୁଅ ? କଅଣ ପାଗଳଙ୍କ ଭଳି କଥା କହୁଛ ମ ? ନା, ନା, ସେ ଜଗନ୍ନାଥଙ୍କ ପୁଅ, ମହାଦେବଙ୍କ ପୁଅ । ସେ କୋଟି କୋଟି ଦେବତାଙ୍କ ପୁଅ । ଆମ ପୁଅ କହିଲେ ଦେବତା ରାଗ କରିବେ । ତାକୁ ସେ ନେଇଯିବେ–ହଁ–ନେଇଯିବେ । ତମେ ତାକୁ ମୋ ଆଖି ଆଗରୁ କୁଆଡ଼େ ନିଅ ନାହିଁ । ଶୁଣୁଛ ?

 

ଓଡ଼ିଶାର ଗୋଟିଏ କ୍ଷୁଦ୍ର ପଲ୍ଲୀରେ ଏମାନେ ଚାଳ ବାନ୍ଧି ଥାଆନ୍ତି । ସହରର ବହୁ ଦୂରରେ, ସହରର ଆମୋଦପ୍ରମୋଦ, ଶିକ୍ଷା, ସଭ୍ୟତା, ଅହଙ୍କାର, ପରିପ୍ରଚାରର ବହୁ ଦୂରରେ ଏମାନେ ରହିଛନ୍ତି । ନିର୍ମଳ ଲିପାପୋଛା ଗୃହାଙ୍ଗନର ତୁଳସୀବୃକ୍ଷ ତଳେ ଜଳିଉଠେ ସନ୍ଧ୍ୟାପ୍ରଦୀପ-

ଆକାଶରେ ସେତେବେଳେ ଲାଖି ରହିଥାଏ ମହାବିଭୂତିର ଛାୟାସ୍ନିଗ୍‍ଧ ପ୍ରଲେପ । ସ୍ତ୍ରୀ ମହାକାଶ ଆଡ଼େ ପ୍ରଦୀପ ଦେଖାଇ ଶାଶ୍ୱତ ସତ୍ତାକୁ ନମସ୍କାର କରନ୍ତି । ସ୍ୱାମୀ କରନ୍ତି ଶଙ୍ଖଧ୍ୱନି । ସନ୍ଧ୍ୟା ନଇଁ ଆସେ । ତାହା ସଙ୍ଗେ ସଞ୍ଚରିଯାଏ ଦେବାଶୀର୍ବାଦର ଧୂମପଟଳ ।

ଛନ୍ଦ ନାହିଁ, କପଟ ନାହିଁ । ଇଶ୍ୱର–ଇଚ୍ଛା ଜୀବନରେ ପୂର୍ଣ୍ଣ ହେଉ ବୋଲି ସେମାନେ ପ୍ରାର୍ଥନା କରନ୍ତି । ସରଳ ଜୀବନଯାପନର ଏପରି ଉଚ୍ଚ ଆଦର୍ଶ ମୁଁ କେବେ ଦେଖି ନଥିଲି । ଏକ ବୃନ୍ତର ଦୁଇଟି ପୁଷ୍ପ । ଯୌବନରେ ତାହା ହିଁ ସେମାନେ ଥିଲେ । ସାବଲୀଳ ସଂଯମିତ ଯୌବନର ନିକଷ ରେଖା ଭଳି ଆସିଛି ସ୍ୱର୍ଗର ମାଣିକ, ତାଙ୍କର ସନ୍ତାନ ।

ଏ’ ବିଂଶ ଶତାବ୍ଦୀ । ଚାରିଆଡ଼େ ଧନ ସମ୍ପଦର ମହୋତ୍ସବ । ଏତେ ବିପୁଳତା ମଝିରେ ଲୋକସତ୍ତା ହଜିଯାଇଛି ।

କାର୍ଯ୍ୟ ଉପଲକ୍ଷରେ ମୁଁ ସେଇ ଛୋଟ ଗାଁଟିକୁ କେତେ ଥର ଯାଇଛି । ଗାଁଟିର ସଜୀବ ପ୍ରସନ୍ନ ରୂପ ମତେ ବିମୁଗ୍‍ଧ କରେ । ଦୁଃଖ ଅଛି, ଅଭାବ ଅଛି, ତଥାପି ଗ୍ରାମବାସୀଙ୍କର ଜୀବନଦର୍ଶନରେ ଏଗୁଡ଼ିକର କ୍ଷଣିକତା ଯେତିକି ପ୍ରକଟିତ, ସବୁ କଥା ପଛରେ ପକାଇ ଇଶ୍ୱରଙ୍କ ନିକଟରେ ସମସ୍ତ ସମର୍ପଣ କରିଦେବା ଓ ତାଙ୍କର ଇଙ୍ଗିତରେ ଏ ଚଳମାନ ଦୃଷ୍ଟି ଯେ ନିୟନ୍ତ୍ରିତ ହେଉଛି, ଏଇ ବିଶ୍ୱାସ ହିଁ ଗାଁଟିକୁ ମଧୁର ସୁନ୍ଦର କରି ରଖିପାରିଥିଲା ।

 

ମନେପଡ଼େ ଭାରତର ସେଇ ପ୍ରାଚୀନ ଗ୍ରାମ୍ୟଜୀବନ କଥା । ମଣିଷ ମଣିଷକୁ ଶ୍ରଦ୍ଧା କରୁଥିଲେ । ବୁଢ଼ା ଥିଲେ ସମସ୍ତଙ୍କର ଅଜା । ଅଭିଜ୍ଞତା-ଅନୁଭୂତି-ଜ୍ଞାନକୋଷର ସେ ଅଧିକାରୀ । ଟୋକାଏ ଭୁଲଭ୍ରାନ୍ତି କଲେ ସେ ବୁଝାଇ ଦେଉଥିଲେ ଜୀବନପଥରେ କେଉଁଠି କେତେ ଆବର୍ତ୍ତ ରହିଛି । କାହାକୁ କିପରି ଜାଣିବାକୁ ହେବ । ପିଲାଏ ବୟସ୍କଙ୍କର କଥା ଶୁଣନ୍ତି । ସଂଭ୍ରମ ଦେଖାନ୍ତି । ନୀତି ଆଉ ଧର୍ମବିଶ୍ୱାସ ସମସ୍ତଙ୍କ ହୃଦୟକୁ ଶ୍ରୀଯୁକ୍ତ କରୁଥାଏ ।

 

ସଦାନନ୍ଦ ଉଚ୍ଚ ଶିକ୍ଷିତ ନ ଥିଲେ । ସ୍କୁଲ କଲେଜରେ ସେ ପଢ଼ି ନ ଥିଲେ । ଗାଁ ଚାଟଶାଳୀରୁ ତାଙ୍କ ପାଠ ଇତି ହୋଇଥିଲା । ମାତ୍ର ସେ ପ୍ରକୃତି–ଗ୍ରନ୍ଥ ଅଧ୍ୟୟନ କରୁଥିଲେ ।

 

ସଦାନନ୍ଦ ପୁଅକୁ ମୂଳରୁ ମହତ୍ କରିବାକୁ ଚେଷ୍ଟା କରୁଥିଲେ । ନିଜ ରକ୍ତର ସେ ବିଭାସିତ ଗୋଲାପ । ତା’ର ସୁରଭି ଚାରିଆଡ଼େ ଖେଳିଯାଉ–ଏଇ ସାଧନାରେ ସେ ବ୍ରତୀ ଥିଲେ ।

 

ଗାଁ ପାଖ ଦେଇ ଗୋଟିଏ ଅଙ୍କାବଙ୍କା ପଥ ଚାଲିଯାଇଛି । ମିଶିଯାଇଛି ଦୂର ଦିଗ୍‍ବଳୟକୁ । ସେଇ ଦିଗ୍‍ବଳୟରେ ସୂର୍ଯ୍ୟ ଉଠିଲେ ପ୍ରଥମ ରଶ୍ମି ପଡ଼େ ତାଆରି ଉପରେ । ବୈଶାଖରେ ତା’ ଉପରୁ ଧୂଳି ଉଡ଼େ, ବର୍ଷାରେ ତାହା ଅଗମ୍ୟ ହୋଇଯାଏ ।

 

ଏଇ ପଥ ଉପରେ କେତେ ଯୁଗରୁ ମଣିଷ ପାଦସ୍ୱାକ୍ଷର ଆଙ୍କି ଚାଲିଛି । ଅଦ୍‍ଭୂତ ଏଇ ପଥର କାହାଣୀ । ପଥ କହେ ସେ ଦେବତା । ଯାଇ ଯାଇ ଯେତେବେଳେ ଶେଷ ଯାତ୍ରା ଆରମ୍ଭ ହୁଏ, ସେତେବେଳେ ମଣିଷ ଗାଁଟିର ମୋହମାୟା ତୁଟାଇ ଦେଇ ପାଖ ଶ୍ମଶାନରେ ଶୋଇପଡ଼େ । ଏଇ ହେଲା ଅବାରିତ ଗତି, ପରିଣତି ।

 

ଦିନେ ରତ୍ନମାଳୀ ସଦାନନ୍ଦଙ୍କୁ କହିଲେ–‘ଗାଁ ମାଷ୍ଟ୍ରେ ଆସିଥିଲେ, କହୁଥିଲେ କେଦାର ଭଲ ପଢ଼ୁଛି । ଏ ବର୍ଷ ସେ ବୃତ୍ତି ପାଇବ ।’ ସଦାନନ୍ଦ ଅତି ଉଚ୍ଚ ସ୍ୱରରେ କହିଲେ–‘ହଁ, ମୁଁ ଜାଣେ ସେ ଭଲ ପଢ଼ୁଛି ।’

 

ତା’ପରେ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲେ । ଭାବିଲା ଭଳି କହିଲେ-’କିନ୍ତୁ ସହରକୁ ଗଲେ କଅଣ କରିବ; କିପରି ଚଳିବ, ଏ ମାଟି ପିଣ୍ଡୁଳାକୁ ମୁଁ କାହା ପାଖରେ, କାହା ହାତରେ ଥୋଇ ଦେଇ ନିଶ୍ଚିନ୍ତ ହେବି ? ବଡ଼ ଚିନ୍ତାର କଥା ରତ୍ନ ।’

 

ରତ୍ନମାଳୀ ଆଶ୍ୱସ୍ତ କଣ୍ଠରେ କହିଲେ–‘‘ତେବେ ତାକୁ ସହରକୁ ପଠାଇବା ନାହିଁ; ଏଇଠି ରହୁ ।’

 

ସଦାନନ୍ଦ ଦୁଃଖରେ କହିଲେ–

 

‘ତାକୁ କଅଣ ମୂର୍ଖ କରିବ ? ସହରକୁ ସେ ଗଲେ ବେଶୀ ପାଠ ପଢ଼ିବ । ଆଜିକାଲି ବିଜ୍ଞାନର ଯୁଗ । ମୋର ଇଚ୍ଛା, ସେ ବିଜ୍ଞାନ ପଢ଼ିବ । ସେ କେତେ କଅଣ ଆବିଷ୍କାର କରିବ । ସତ୍ୟକୁ ଖୋଜିବ । ଲୋକଙ୍କୁ ଚକିତ କରିଦେବ । ଏ କଥା ଭାବିଲାବେଳେ କେଦାର ଯେ ସତେ ଏଇ ପଚାସଢ଼ା ଗାଁ ମାଟିର ଅଙ୍କୁର; ଦେଶର ମୁହଁ ଉଜ୍ଜ୍ୱଳ କରିବ ଓ ସେ ଯେ ମୋରି ପୁଅ ଏଇ ଗର୍ବରେ ମୁଁ ଦିନେ ଅଧୀର ହେବି, ଏ କାମନା କଅଣ ସତେ ପ୍ରଭୁ ପୂର୍ଣ୍ଣ କରିବେ ?

 

ସବୁ ପିତାଙ୍କ ହୃଦୟରେ ଏଇ କାମନା ରହିଛି । ରକ୍ତରେ ଗଢ଼ି ଉଠିବ କୋଣାର୍କ । ରକ୍ତ ଡାକେ ରକ୍ତର ସାର୍ଥକତା । ପୁଅର ଜୀବନ ବିକାଶରେ ପିତାର ଅତୃପ୍ତି ତୃପ୍ତ ହୁଏ ।

 

କିନ୍ତୁ ସଦାନନ୍ଦ ସବୁବେଳେ ସହରର ଭୟାବହ ରୂପ ଦେଖି ଶିହରି ଉଠନ୍ତି । ଦେଖନ୍ତି ସହର ଭିତରେ ମଣିଷର ଉଚ୍ଛନ୍ନ ଜୀବନଧାରା । ସରୀସୃପୀୟ ତା’ର ଗତି ଓ ବସତି । ଗତିପୂର୍ଣ୍ଣ ଏଇ ଦୌଡ଼ରେ କିଏ କେଉଁଠିକି ଚାଲିଯାଏ, ଲୁପ୍ତ ହୋଇଯାଏ, ନିଃଶେଷ ହୁଏ, କହିହୁଏ ନାହିଁ । ସେ ଶୁଣିଛନ୍ତି ପୁଅ ମଫସଲୀ ବାପାକୁ ଚିହ୍ନି ସୁଦ୍ଧା ସ୍ୱୀକାର କରେ ନାହିଁ ।

 

ଦିନେ ଦାଣ୍ଡପଟୁ ରତ୍ନମାଳୀ ଦଉଡ଼ି ଆସି ବିଶ୍ରାମରତ ସଦାନନ୍ଦଙ୍କୁ ହଲେଇ ପକାଇ କହିଲେ–‘ହଇଏ, ଶୁଣୁଚ, ଦେଖାନାହିଁ, ଶୁଣା ନାହିଁ, ଏଡ଼େ ବଡ଼ ଗୋଟାଏ ମଟର ବେଗରେ ଚାଲିଗଲା । କାହିଁ ମୁଁ ତ ବୋହୂ ହୋଇ ଆସିବାଦିନଠୁ ଦୀନା ଆଉ ପାଣୁଆର ଦୁଇ ଖଣ୍ଡ ଶଗଡ଼ ଯାହା ଦେଇ ଯା ଆସ କରେ । ବାକି ସଭିଏଁ ବାଟର ବାଟୋଇ । ଦେଖିଲ, ଏ କି ଅଘଟଣା କଥା ?

 

ସଦାନନ୍ଦ ଭ୍ରୁକୁଞ୍ଚିତ କରି ବାହାରକୁ ଆସି ଦେଖିଲେ ଗାଁ ବାଟର ଧୂଳିକୁ ଦବେଇ ଦୁଇ ପାଖରେ ଦୁଇଟା ବିରାଟ ଚକ୍ରଚିହ୍ନ ପଡ଼ିଛି । ଆଉ ବାଟ ପାଖରେ ଆମ୍ବ ନଡ଼ିଆଗଛ ପତ୍ରରେ ଲାଖି ରହିଛି କେମିତି ଗୋଟାଏ ଅଶୋଭନୀୟ ଧୂଳିରେଖା ।

 

ରତ୍ନମାଳୀର କଥା ଠିକ୍ । ଦୁଇ ତିନି ଖଣ୍ଡ ଶଗଡ଼ ମାତ୍ର ଏ ପଲ୍ଲୀର ଯାନବାହାନ । ବଳଦ କେତୋଟି ହଲି ହଲି ପାଦ ପକାଇ ଆସନ୍ତି । ଗଳାରେ ତାଙ୍କର ବାଜିଉଠେ ଘଣ୍ଟିମାଳ । ଲୋକେ ପଚାରନ୍ତି–‘କଅଣ ପଧାନଘର ବୋହୂ ଥରେ ଗାଁକୁ ବୁଲି ଆସିଲେ କି ?’

 

ଧୂଳିଗନ୍ଧ ଏପର୍ଯ୍ୟନ୍ତ ନାକକୁ ପୀଡ଼ା ଦେଉଛି । ତା’ ସହିତ ମିଶିଛି ଧୂଆଁଳିଆ ପୋଡ଼ା ପେଟ୍ରୋଲର ଗନ୍ଧ । ଗ୍ରାମବାସୀ ଭାବିଲେ, ଅକସ୍ମାତ୍ କିଏ ବାବୁଭୟା ଏପଟେ ଚାଲିଯାଇଛନ୍ତି ।

 

ନା, ତାହା ନୁହେଁ । ହିଂସ୍ର ଶତାବ୍ଦୀ କ୍ରମେ ଏ ସୁନ୍ଦର ସୁସ୍ଥ ପଲ୍ଲୀଟିକୁ କବଳିତ କରି ତା’ ବକ୍ଷ ଉପରେ ଚଳେଇଲା ଅଜସ୍ର ଚକ୍ର । ଚାହୁଁ ଚାହୁଁ ଗାଁ ବାଟଟି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଗଲା । ତା’ରି ଉପରେ ଆଉ ଗୋଟିଏ ରାସ୍ତା ଖୋଲିଗଲା । ଗର୍ତ୍ତବହୁଳ ଏଇ ରାସ୍ତାଟିରେ ଚାଲିଲା ଧାଡ଼ି ଧାଡ଼ି ପଥରବୋଝେଇ ଟ୍ରକ୍ ।

 

ଯନ୍ତ୍ରର ଗର୍ଜନ ଓ କୁଲିମାନଙ୍କର ଗୀତ ଓ ଅଶ୍ଳୀଳ ଭଙ୍ଗୀରେ ଗାଁ ପଡ଼ିଲା ଉଠିଲା । ଭୁଆସୁଣୀ ଘରେ ଲୁଚିଲେ । କୂଅ ଚଉତରା ନିର୍ଜନ ହେଲା । ଧଳା ପୋଷାକରେ ବିଭୂଷିତ ହୋଇ କେତେ ବାବୁ ଗଳି କନ୍ଦି ବୁଲି ବୁଲି କଅଣ ସବୁ ଆବିଷ୍କାର କରିବାକୁ ଲାଗିପଡ଼ିଲେ ।

 

ମୁଁ ଯାଏ ଏ ଗାଁଟିକୁ ଯେତେବେଳେ ସମୟ ପାଏ । ସଦାନନ୍ଦଙ୍କର ପରିବାର ବିଶେଷରେ କେଦାର ମତେ ଟାଣିନିଏ । ତାଙ୍କ ଦାଣ୍ଡପିଣ୍ଡାରେ ବସି କେତେ ଥର ଚୂଡ଼ାଚକଟା ଖାଇଚି, ପଇଡ଼ ପିଇଛି । ଅସ୍ତକାଳର ଆକାଶକୁ ଅନାଇଛି ।

 

ଆଞ୍ଜୁଳାଏ ଜହ୍ନିଫୁଲ ଧରି କଉତୁକିଆ ଛୋଟ ପୁଅ ଝିଅଙ୍କର ଅପମିଶ୍ର ଆନନ୍ଦ ଉପଭୋଗ କରିଛି ।

 

ମାତ୍ର ଆଉ ଏ ସୁଖ ଶାନ୍ତି ସମ୍ଭବ ହେଲା ନାହିଁ । ଚାହୁଁ ଚାହୁଁ ଗାଁ ଗୋଟାଯାକ ଲୋକ ଭୟ ଚକିତ ହୋଇଗଲେ ଏଇ ଦୁର୍ବାର ଚକ୍ରର ବଜ୍ରଧ୍ୱନି ଶୁଣି ଆଉ ତା’ ଉଚ୍ଛନ୍ନ ଗତି ଦେଖି ।

 

ସେଦିନ ସୂର୍ଯ୍ୟ ଉଠିଥିଲେ, ସପ୍ତାଶ୍ୱ-ରଥ ଉପରେ ବସି ସେଇ ରଶ୍ମି ଝରଣା, ନିତିଦିନିଆ ସେଇ ଜ୍ୟୋତି । ସେଦିନ ବି ସକାଳୁ ସୁଲୁସୁଲୁ ପବନଭିତରେ ଗାଁଟିର ଏପାଖ ସେପାଖକୁ ଉଡ଼ିଯାଇଥିଲେ କେତୋଟି ପକ୍ଷୀ ଡେଣା ଖେଳାଇ । ସବୁଠାରେ ଜୀବନ, ପ୍ରାଣର କମ୍ପନ ।

 

ମନଟା କାହିଁକି ସେଦିନ ବେଶୀ ପରିଚ୍ଛନ୍ନ ବୋଧ ହେଉଥାଏ । ସଦାନନ୍ଦଙ୍କ ସଙ୍ଗେ ଆଳାପ କରୁଥାଏ । ଆଜି ଛୋଟକାଟର ଏକ ଉତ୍ସବ ଅନୁଷ୍ଠିତ ହେଉଛି ସେ ଗୃହ ପ୍ରାଙ୍ଗଣରେ ।

 

କେଦାର ବୃତ୍ତି ପାଇଛି । ପ୍ରଥମ ହୋଇ ବୃତ୍ତି ପାଇଛି । ଯାଇଛି ସ୍କୁଲମାଷ୍ଟ୍ରଙ୍କୁ ନମସ୍କାର କରି ଆସିବ । କଥାଟା ଗାଁରେ ରାଷ୍ଟ୍ର ହୋଇଯିବାରୁ ଲୋକେ ଆସି ସଦାନନ୍ଦଙ୍କୁ ଅଭିନନ୍ଦନ, ଜଣାଇଛନ୍ତି । କେଦାର ଯିବ ସହରକୁ । ଗାଁର ସେ ସାର୍ଥକ ଅଙ୍କୁର, ସହରର ଶିକ୍ଷାରସ ଘେନି ଫଳବାନ୍ ହେବ ।

 

କେଦାରର ହସ ହସ ମୁହଁଟି ମୋ ଆଖି ଉପରେ ନାଚିଗଲା । ନିଷ୍ପାପ ସରଳ ଏଇ ବାଳକ ଗ୍ରାମବାସୀଙ୍କ ମାୟାମମତାରେ ଆଚ୍ଛନ୍ନ ରହିଛି ।

 

ହଠାତ୍ କାହିଁକି ଗାଁ ମୁଣ୍ଡଆଡ଼େ ବହୁ ଲୋକଙ୍କର ସମ୍ମିଳିତ ଚିତ୍କାର ଶୁଣାଗଲା । ସେ ଚିତ୍କାର ତ ଚିତ୍କାର ନୁହେଁ, ଯେମିତି ମନେ ହେଲା ବଜ୍ରକୋଠାର ଗୋଟା ପାହାଡ଼ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଛି । ମଣିଷର କଣ୍ଠସ୍ୱର ଅଥଚ ଆର୍ତ୍ତନାଦର ବିଭୀଷିକା !

 

ମୁଁ ପାଗଳ ଭଳି ସେ ଶବ୍ଦଧାରାକୁ ଅନୁସରଣ କଲି, ମାତ୍ର ଖୁବ୍ ବିଳମ୍ବ ହୋଇଯାଇଥିଲା-। ଆଜି ସେ ଦୃଶ୍ୟକୁ ବର୍ଣ୍ଣନା କରିବାକୁ ମୋର ଶକ୍ତି ନାହିଁ । ମୋ ରକ୍ତ ତୁଷାରାବୃତ ହୋଇଯାଇଛି-

 

ତେବେ କାହା କଣ୍ଠର ସେଇ ଶୀର୍ଷଧ୍ୱନି ପ୍ରବାହ ମୋ କାନ ଭିତରେ ପ୍ରଚଣ୍ଡ ରବ ତୋଳିଥିଲା–

 

–କେଦାର ! କେଦାର ! ବନ୍ଦ କର, ବନ୍ଦ କର ଆଗରେ ପିଲା । ଓଃ ପ୍ରଭୁ !!!

 

ପିଚ୍ ପିଚ୍ ରକ୍ତର ପିଚକାରୀ । ନାଚିଗଲେ ସମସ୍ତ ଭୌତିକ ପ୍ରାଣୀ । ଝରଝର ତତଲା ରକ୍ତପ୍ରବାହରେ ଗାଁ ମାଟି ସିକ୍ତ ହୋଇଗଲା । ଅବିରଖେଳର ସେଇ ଲାଲ ପିଚ୍‍କାରୀ । ଗୋଟିଏ ଅର୍ଦ୍ଧ ବିକଶିତ ବାଳକର ପ୍ରତିଭା, ତା’ର ଆକାଂକ୍ଷା, ତା’ର ପିତାମାତାର ରଙ୍ଗମୟ ସ୍ୱପ୍ନ ହତ୍ୟାକାରୀ ରୁଗ୍‍ଣ ଶତାବ୍ଦୀର ଗତିଲିପ୍‍ସା ଯୋଗୁଁ ଏଇ ମୁହୂର୍ତ୍ତରେ ଅକାରଣରେ ମାଆ ଧରିତ୍ରୀର କୋଳରେ ଝରିଗଲା ।

 

କେଦାରର ରକ୍ତପିଣ୍ଡକୁ ଧରି ମୁଁ ସେ ସନ୍ଧ୍ୟାରେ ଶ୍ମଶାନକୁ ଯାଇଥିଲି । ମଣିଷର ଆକୃତି ନଥିଲା ଯେ ମୁଁ ତାକୁ କୋକେଇରେ ଶୁଆଇ ନେଇଥାନ୍ତି । ଗୋଟାଏ ମାଂସ-ରକ୍ତ-ହାଡ଼ର ପିଣ୍ଡୁଳାକୁ କାନ୍ଧରେ ପକାଇ ମୁଁ ଚାଲିଗଲି ଗାଁର ନଇ ପାଖ ଚିତାପୀଠ ଉପରକୁ ।

 

ଦେବତା ଗୋଟିଏ ଦିନ ପରିକ୍ରମଣ କରି ବୁଡ଼ି ଯାଉଥିଲେ ମହୋଦଧି ତଳେ; ଯାହାକୁ ଅନାଇ ଏ ଯୁଗର ଦାରୁରୂପ ଭଗବାନ୍ ଛପନ ପୌଟି ଭୋଗ ସଂଭୋଗ କରୁଛନ୍ତି ଶିଳାମୟ ଦେବନିକେତନ ଭିତରେ ବସି ।

 

ରକ୍ତ ପିଣ୍ଡୁଳା ଉପରେ ଦେବତାର ସମାପ୍ତ ଲାଲ ରଶ୍ମି ଝରିପଡ଼ୁଥିଲା ସେତେବେଳେ । କେଦାର ଆଜିଠାରୁ ମହାକାଳର ମସୀ ତଳେ ଅବଲୁପ୍ତ ହୋଇଗଲା ।

 

ସଦାନନ୍ଦର କଥା ନ କହିବା ଭଲ ।

 

ସେ ଶ୍ମଶାନକୁ ଯିବା ବାଟରେ ଉନ୍ମତ୍ତ ଅବସ୍ଥାରେ ନିଜ ବକ୍ଷକୁ ବିଦାରି ଯାହା କହୁଥିଲେ, ସେଇ ବାଣୀତକ ମୁଁ ନିବେଦନ କରୁଛି ।

 

ସେ କହୁଥିଲେ–‘ଶେଷ ହୋଇଗଲା ? ଶେଷ ? ହାଃ ହାଃ । ଜୀବନ ଏତେ ସୁନ୍ଦର ଅଥଚ ମୃତ୍ୟୁ ଏତେ ବୀଭତ୍ସ । ସେ କାହାର କଅଣ କରିଥିଲା ? ଏତେ ଚଞ୍ଚଳ ଶେଷ ହୋଇଗଲା-?’

 

ଏହାର ଉତ୍ତର ବିଶ୍ୱପିତାଙ୍କୁ ହିଁ ଗୋଚର; କିନ୍ତୁ ସେ ଦେବେ ନାହିଁ । ମଣିଷ ହିଁ ତାଙ୍କୁ ଆଜି ବାକ୍‍ହୀନ କରିଦେଇଛି । ସେ ନିରୁତ୍ତର ରହିଯିବେ ।

Image

 

ପ୍ରାନ୍ତର

 

ଦିଗନ୍ତବିସ୍ତୃତ ପ୍ରାନ୍ତର ।

 

ଘନ ନୀଳ ଦୁର୍ବାର ଏକ ପ୍ରାନ୍ତର । ସ୍ଥଳେ ସ୍ଥଳେ ସେହି ପ୍ରାନ୍ତର ଉପରେ ବଢ଼ିଯାଇଛି ଗୋଟାଏ ଗୋଟାଏ ବିରାଟ ବୃକ୍ଷ ।

 

ଆଉ ସେହି ବୃକ୍ଷଗୁଡ଼ାକର ବି କୋଟର ଅଛି । ବଡ଼ ଗଭୀର କୋଟର । ତା’ ଭିତରେ ଘନ ତମିସ୍ରାର ସ୍ତର ସ୍ତର ପ୍ରଲେପ ।

 

ଭୟଙ୍କର ସେଗୁଡ଼ାକ । ଆରଣ୍ୟକ ସରୀସୃପର ପ୍ରତିଦିନର ଖେଳଘର । ସେଇ ଜାଗାରେ ସେମାନେ ହଣାହଣି ହୁଅନ୍ତି ପୁଣି ମିଳିଯାଆନ୍ତି । ରାତ୍ରର ନିସ୍ତବ୍‍ଧତା ଭିତରେ ସେଗୁଡ଼ାକ ଭୟାର୍ତ୍ତ ଚିତ୍କାର କରନ୍ତି । ସେମାନଙ୍କର ଆଖି କାନର ରନ୍ଧ୍ରପଥ ଦେଇ ରକ୍ତସ୍ରାବ ହୁଏ, ପୁଣି ଶୁଖିଯାଏ । ସେହି ପ୍ରାନ୍ତର ଉପରେ ବିବସ୍ତ୍ର ପଶୁ ଚରନ୍ତି । ବସ୍ତ୍ର ତାଙ୍କର ଅବଶ୍ୟ ରହିଛି । ଲୋମ ବା ଆବରଣ । ପଶୁର ଚର୍ମ ଉପରର ଏଇ କଳା ଲୋମଗୁଡ଼ାକ ଦୁର୍ଗନ୍ଧରେ ଭରା । ତା’ର ପ୍ରତ୍ୟେକଟି କୂପରୁ ଜଳୀୟ ସ୍ରାବ ବାହାରେ ।

 

କେତେଗୁଡ଼ାଏ ପଶୁ ପ୍ରାନ୍ତର ଉପର ନୀଳ ଦୁର୍ବାଗୁଡ଼ାକୁ ଦଳି ଚକଟି ପକାନ୍ତି । ଶିଙ୍ଗରେ ମାଟି ତାଡ଼ନ୍ତି । କରାଳ ଦଂଷ୍ଟ୍ରା ବାହାର କରି ଗୋଡ଼ାଇ ଆସନ୍ତି ଅଦୃଶ୍ୟ ଶତ୍ରୁ ସହିତ ଯୁଦ୍ଧ କରିବାକୁ-

 

ଆଉ କେତେକ ଅନ୍ୟର ଲୋମଗୁଡ଼ିକୁ ଚିବୁକ ଦେଇ ସାଉଁଳି ଦେଇଥାନ୍ତି । ନୀରବ ସେମାନଙ୍କର ଅଭିସାର । ପଶୁ ପ୍ରେମରେ ପ୍ରେମାସକ୍ତ କରନ୍ତି ତାଙ୍କ ଭଳି ପଶୁ ଦଳକୁ ।

 

ଏ ଲୀଳା ଚାଲିଥାଏ । ବିବସ୍ତ୍ର ପଶୁମୟ ଏ ପ୍ରାନ୍ତର ଉପରେ ସୂର୍ଯ୍ୟ ରଶ୍ମି ଢାଳେ; ଇନ୍ଦୁ ଚନ୍ଦ୍ରିକା ଝରାଏ । ବର୍ଷା ଝରିଯାଏ । ସାଇଁ ସାଇଁ ପବନ ବହେ । ବଜ୍ର ଭାଙ୍ଗିପଡ଼େ । ପ୍ରକୃତିର ଏ ଶାଶ୍ୱତ ଲିପି ତଳେ ପଶୁ-ଆତ୍ମା କେବଳ ଖୋଜୁଥାଏ ମଣିଷକୁ ରକ୍ତାକ୍ତ କରିବ । ମଣିଷ ଦେଖିଲେ ସେ ଉନ୍ମତ୍ତ ହୋଇଉଠେ । ସେ ପ୍ରାନ୍ତରର ସୀମା ତଳେ କେଉଁ ଅଦୃଶ୍ୟ ପଥିକ ଯଦି ବାଟ ଖୋଜି ଯାଇଥାଏ, ତେବେ ଗୋଟାଏ କି ଦି’ଟା ବିବସ୍ତ୍ର ପଶୁ ଆଘ୍ରାଣ ଶକ୍ତିର ଜୋରରେ ଜାଣିପାରନ୍ତି କିଏ ଜଣେ ଯାଇଛି ।

 

ତାକୁ ଶୋଣିତଲିପ୍ତ କରିବାକୁ ତାକୁ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ତା’ର ମାଂସର ସ୍ୱାଦୁ ଉପଭୋଗ କରିବା ପାଇଁ ଏମାନେ ହୁଅନ୍ତି ଉନ୍ମାଦ ।

 

ଏଇ ଭଳି ଗୋଟାଏ ବିବସ୍ତ୍ର ଜାନୁୟାର ନିଶୀଥର ନିରନ୍ଧ୍ର ମସୀ ତଳେ ଆତ୍ମଗୋପନ କରି ରହିଥିଲା । ଗୋଟିଏ ଛୋଟ ପାହାଡ଼ ତଳେ ଗୋଟିଏ ଝରଣା । ପ୍ରାନ୍ତରର ଏକ ପ୍ରାନ୍ତରେ ଏଇ ନିର୍ଝରଟି ବହି ଚାଲିଥାଏ ତା’ର ପ୍ରାଣମୟତାକୁ ଘେନି ।

 

ନବୀନ ବୟସର ଏଇ କୁଳୁସ୍ୱନା ଝରଣା । ଗାତ୍ରରେ ରହିଥାଏ ନିର୍ମଳ ନିଷ୍ପାପ ଝର ବିନ୍ଦୁ-। ମନରେ ଧରିଥାଏ ବହୁ ବିଶ୍ୱାସର ବିଚିତ୍ର ରଶ୍ମିକଣା । ସେଇ ଗଭୀର ରାତ୍ରିର ସ୍ତବ୍‍ଧ ମଣ୍ଡଳ ଭିତରେ ବନଚାରୀ ମୃଗବଧୂ ଭଳି ଏଇ ନିର୍ଝରଟି ଚଳ-ଈକ୍ଷଣ ଢାଳି ଏଣେତେଣେ ଅନାଇ ଝରିଯାଇଥାଏ ।

ପାଖ ତଟ ଉପରେ ବୁଦିବୁଦିକିଆ ଘାସଗଛ । କେଉଁଠି ବା ଦୁଇ ତିନିଟା ପୁଲର ବିକାଶ-। ତା’ଉପରେ ବହି ଯାଇଥାଏ ଧୀର ପବନ । ଏମାନେ ତା’ର ପ୍ରବାହକୁ ଆଉରି ନିର୍ମଳ କରନ୍ତି-। ସେ ବହିଯାଏ ।

ସେଇ ପଶୁ ଛକି ରହିଲା ଏତେବଡ଼ ସୁନ୍ଦର ନିର୍ମଳ ଝରଣାକୁ ଗୋଳିଆ କରିବ; କରିବ ବିଷାକ୍ତ । ନଖ ଦାନ୍ତ ମେଲାଇ ଚିରି ଆଣିବ ତା’ର ବକ୍ଷସ୍ଥଳ ।

ସୁଯୋଗ ଆସିଲା । ମୂକ ନକ୍ଷତ୍ରପୁଞ୍ଜ ଆକାଶର ଅଙ୍ଗନରେ ସବୁ ଦେଖୁଥାଆନ୍ତି । ଦେଖିଲେ ଗୋଟାଏ ପଶୁ ପ୍ରମତ୍ତ ହିଂସ୍ରତାରେ ଏଇ ନିର୍ଝରର ନିର୍ମଳ ନୀର ବିନ୍ଦୁକୁ ପଙ୍କିଳ କରିବାକୁ ଦଉଡ଼ି ଆସୁଛି ।

ନାଚି ନାଚି ନିର୍ଝର ଝରି ଯାଉଛି, କଅଣ ବା ସେ ଜାଣେ ? ପଶୁତ୍ୱ କଅଣ ସେ ଜାଣେନା; ତେବେ ତା’ର ଏତିକି ଭୁଲ୍ ହୋଇ ଯାଇଛି, ତା’ର କେତୋଟି ତରଙ୍ଗକୁ ସେ ଉଠାଇ ଡାକିଛି–‘‘ତୁମେ କିଏ ଆସ, ତୁମ ପାଖେ ଶକ୍ତି ଅଛି, ସେ ଶକ୍ତି ମୁଁ ଚାହେଁ, ମାତ୍ର ଏ କଅଣ ତୁମେ ଏତେ ପ୍ରଚଣ୍ଡ କାହିଁକି ? ଦେଖ କେତେ ମୃଦୁ ମଞ୍ଜୁଳ ମୋର ଆଚରଣ । ମୋ ଗତିପଥରେ କୁଳୁଧ୍ୱନି ଉଠେ; ମାତ୍ର ତୁମ ଗତିପଥରେ କୁଳୁଧ୍ୱନି ଉଠେ; ମାତ୍ର ତୁମ ଗତିପଥରେ ଉଠୁଛି ପ୍ରଚଣ୍ଡ ଝଡ଼ । ମୁଁ ଯେତେବେଳେ ଡାକି ସାରିଲିଣି ତୁମେ ଆସ, ମାତ୍ର ଧୀରେ ଆସ, ସୁନ୍ଦର ପଥରେ ଆସ-

ହେଲା ନାହିଁ, ଝରଣାର ଶ୍ରୀ ତୁଟିଗଲା । ଶୁଷ୍କ ହୋଇ ଆସିଲା ନୀର ପ୍ରବାହ । ବିବସ୍ତ୍ର ପଶୁ ତାକୁ କବଳିତ କରିଛି, ତା’ର ଆମନ୍ତ୍ରଣକୁ ବୁଝିଛି ଆତ୍ମ-ସମର୍ପଣ ।

ପ୍ରାନ୍ତର ଉପରେ ସେଇ ବିକଟ ପଶୁର କ୍ଷୁର ଚିହ୍ନ । ସେ ଆଜି ବିଜୟୀ । ଉଦ୍ଧତ ପାଷାଣ୍ଡତାରେ ତା’ର ଲୋମଗୁଡ଼ାକ ତୀକ୍ଷଣ ଓ କଣ୍ଟକିତ ।

ମୁହଁରେ ଲାଗିଛି ନିର୍ଝରର ଅଧରାମୃତ । ଆଉ କି ସେ ପଶୁ ସ୍ଥିର ରହିବ ? ଆକ୍ରମଣ ପରେ ଆକ୍ରମଣ...ସେଇ ନଖ ଦନ୍ତର ଆଘାତ...ରକ୍ତାକ୍ତ...ରକ୍ତ....ରକ୍ତ...

ଝରଣାର ଚିତ୍କାରରେ ଘର ଗୋଟାକଯାକ ଉଠିପଡ଼ିଲେ...

ଝରଣାର ଜଡ଼ ଦେହଟାକୁ ତା’ର ବୋଉ ହଲାଇ ଦେଇ କହିଲେ–ଝରଣା କଅଣ ହେଲା ? ରକ୍ତ କେଉଁଠି ? ରକ୍ତ କାହିଁ, କଅଣ ସପନ ଦେଖିଲୁ ?

ବିନ୍ଦୁଏ ବି ରକ୍ତ କେଉଁଠି ଝରିନି ଅଥଚ ଝରଣାର ଅଚେତନ ମନ ତଳେ ଝରି ଯାଉଛି ରକ୍ତଗଙ୍ଗା । ଏ ଗଙ୍ଗାର ଉତ୍ସ ଯେଉଁ ତ୍ରିକୋଣଭୂମିରୁ ଉତ୍ପନ୍ନ, ସେ ଭୂମି ଆଜି ନିଶ୍ଚିହ୍ନ । କିନ୍ତୁ ସ୍ରାବ ରହିଯାଇଛି ।

ନିଜେ ଝରଣା ଶଯ୍ୟା ପ୍ରାନ୍ତକୁ ପରୀକ୍ଷା କଲା । ଆଖିରେ ତା’ର ଆବେଶ, ଭୟର ଆବେଶ । ଚିବୁକଟି ଥରିଯାଉଛି । କପାଳ ଉପରେ ବିନ୍ଦୁ ବିନ୍ଦୁ ସ୍ୱେଦ ତା’ ପାଖରେ ଲୋକ ତାକୁ ଦୃଶ୍ୟ ହେଉ ନାହାନ୍ତି ।

ପ୍ରତ୍ୟେକଟି ଯେପରି ସେଇ ପ୍ରାନ୍ତରର ପଶୁ । ସେଇ କୋଟର ଭିତରର ସରୀସୃପ । ସେଇ ବିବସ୍ତ୍ର ନିର୍ଲଜତା । ଖାଇଯିବାର, ରକ୍ତ ଶୋଷିଯିବାର ସେଇ ନିର୍ମମ ଭଙ୍ଗୀ ।

ଆଉ ଥରେ ଚିତ୍କାର...ତା’ପରେ ଝରଣା ଢଳିପଡ଼ିଲା ବସୁଧା ଉପରେ ନିର୍ବାକ୍...ନିଷ୍ପନ୍ଦ...

ଏ ଦେହ ମନକୁ ବସନ୍ତ ଆସେ; ଆସିଥିଲା ଝରଣାର ଜୀବନକୁ । ସବୁ କଥାରେ ବିଶ୍ୱାସ, ସବୁ ଦୃଶ୍ୟରେ ବିଶ୍ୱାସ, ସବୁ ଆଗମନ ପ୍ରତ୍ୟାଗମନରେ ବିଶ୍ୱାସ ରଖି ସେ ଚାଲୁଥିଲା କେତୋଟି ବସନ୍ତକୁ ମଥାରେ ରଖି ।

ସାଧାରଣ ଝିଅ । ମନଟି କିନ୍ତୁ କୋକନଦ ଭଳି ବିକଶିତ । ଅଙ୍ଗରେ ଉଦୟାଭିସାର; ସଙ୍ଗେ ସଙ୍ଗେ ମନ ଖୋଜୁଥିଲା ଏ ସଂସାରର ମୂଲ୍ୟ ଓ ତାକୁ ଅସଜଡ଼ା କରି ଦେଇଥିଲା ।

ସେ କାହାଣୀ ବିଚିତ୍ର । ଝରଣା ଏଇ ଧରଣୀର ପ୍ରବାହିନୀ । ସୁଖ ଦୁଃଖର ସଂସାର ଭିତରେ ତା’ର ଗତି ଓ ସ୍ଥିତି । ତଥାପି ଯୌବନ ତାକୁ ଯେ ଛନ୍ଦରୂପା କରିଛି, ତା’ର ସତ୍ୟ କାହିଁ, କଅଣ ସତ୍ୟ–ସେଇ ଭାବନାରେ ସେ ଉବ୍ଦୀପ୍ତ ହେଲା ପ୍ରଥମରୁ ।

ସ୍କୁଲ ଚଲାବାଟରେ ଅନେକ ଆଖି ପଡ଼େ ତା’ଉପରେ । କେଉଁଟାକୁ ସେ ସ୍ନିଗ୍‍ଧ ବୋଲି ଭାବିନି । କେଉଁ ଲକ୍ଷଣରେ ହୁଏତ ଟିକିଏ ସଖାଭାବ ବି ନଥିଲା ।

ଯାଏ ଆସେ । ମନର ବିହଙ୍ଗ ଉଡ଼େ । କେଉଁ ଡାଳ କପୋତ ଘୁମୁରି ଉଠୁଛି, କେଉଁଠି ଚନ୍ଦ୍ର-ପୀୟୁଷପାଇଁ ତୃଷାର୍ତ୍ତ ଚକୋର ବସିଛି–ସେ ଲକ୍ଷ୍ୟ କରେ ।

 

ଉତ୍ତଳା ଏ ପ୍ରବାହ ଭିତରେ ଝରଣା ଦେହଟାକୁ ଭସାଇ ଦେଇ ନାହିଁ । ଖୋଜି ବୁଲୁଛି କାହିଁ ସେ ଦୀପଦଣ୍ଡି, ପୋତାଶ୍ରୟ, ଯାହାର ଅବଲମ୍ବନ ତଳେ ତା’ର କୁମାରୀ ମନ ପୂର୍ଣ୍ଣଚନ୍ଦ୍ରର ସ୍ୱାଗତ କରିବ । ତା’ର ସେଇ ସ୍କୁଲ ପଥଟା ଆଜି ବେଶି ମନେପଡ଼େ । ନା, ଏମିତି କିଛି ଗୋଟାଏ ବିଚିତ୍ର ପଥ ନୁହେଁ । ଅଙ୍କା ବଙ୍କା ଗୋଟାଏ ମାର୍ଗ ମାତ୍ର । ଅଥଚ ଆଜି ତା’ର ବହୁ ବଙ୍କିମ ଜୀବନ ପଥ ଉପରେ ସ୍କୁଲ ବାଟର ଅସ୍ତିତ୍ୱ ରହିଛି ।

 

ଗୋଟିଏ ନିର୍ବ୍ଦିଷ୍ଟ ଯୁବକ ତାକୁ ଲକ୍ଷ୍ୟ କରେ । ଲକ୍ଷ୍ୟହୀନ ନୁହେଁ । ଅର୍ଥ-ସମୃଦ୍ଧ ସେ ଚାହାଣି । ଝରଣା ବୁଝିଥିଲା ସଂସାର-ପଥ ଉପରେ ଚାଲିବାବେଳେ ବହୁପ୍ରକାର ଚାହାଣି ତାକୁ ବିବସ୍ତ୍ର କରିବ । ଆତ୍ମବଳ ପ୍ରୟୋଜନ । ସେଥିରୁ ଉଦ୍ଧାର ପାଇବାପାଇଁ ତାକୁ କଠିନ ହେବାକୁ ପଡ଼ିବ ।

 

ମାତ୍ର ଯେ କୋଇଲି କୁହୁ କରେ, ଅଥଚ ଅଦୃଶ୍ୟ ଥାଏ ବନ ଲତା ତଳେ, ତାକୁ ଦେଖିବାପାଇଁ, କଳା ହେଲେ ବି ସେ ରୂପକୁ ଦେଖିବାପାଇଁ ମନ ଦଉଡ଼େ ।

 

ଝରଣାର ମନ ଦଉଡ଼ିଥିଲା । ଜାଣିବାକୁ ଚାହୁଁଥିଲା ଏ କିଏ ? କଅଣ ତା’ର ପ୍ରୟୋଜନ-? ଥରକର କଥା ତା’ର ମନେ ଅଛି । ଯୁବକଟି ନିର୍ବ୍ଦିଷ୍ଟ ସମୟରେ ଠିଆ ହୁଏ ପଥପ୍ରାନ୍ତ ଉପରେ । ଦୁହେଁ ଦୁହିଁଙ୍କୁ ଚାହାନ୍ତି । ଇମିତି ଗୋଟାଏ କ୍ଷଣରେ ସେ ଯୁବକ କହିଥିଲା–ସୁନ୍ଦର...

 

ନାରୀ ସୌନ୍ଦର୍ଯ୍ୟର ପ୍ରଶଂସା । ନାରୀ ସହଜେ ତ୍ରାଣ ପାଏନା । ଝରଣା କିଛି କହି ନଥିଲା, ତେବେ ମନ ଭିତରୁ ବାହାରି ଆସିଥିଲା ଗୋଟିଏ ପ୍ରଶ୍ନ–ସତେ ?

 

ମନ ଭିତରକୁ ଚାହିଁଲା ଝରଣା । ଅବୟବକୁ ଲକ୍ଷ୍ୟ କଲା । ସହସ୍ର ପ୍ରଜାପତିର ବର୍ଣ୍ଣରେଣୁ ଅନ୍ତର ତଳେ ଝରି ପଡ଼ିଲା । ସେଇଦିନ ବୋଧହୁଏ ଛିଦ୍ର ପଥରେ ଗୋଟାଏ ଛୋଟ ସରୀସୃପ ଚାଲିଗଲା । କେହି ଜାଣିଲେ ନାହିଁ । ଏ ସରୀସୃପ କ୍ରମେ ଝରଣାର ପରିବାର ଗୃହସ୍ଥଳୀକୁ ଚରାଭୂଇଁ କରିନେଲା । ସଂସାରରେ ଲୋକେ ଅଛନ୍ତି, ଯେଉଁମାନେ ବାହାରର ରୂପ ଓ ଭିତରର ରୁପକୁ ଭିନ୍ନ ରଖି ଥାଆନ୍ତି । ସ୍ୱାର୍ଥସିଦ୍ଧି ପାଇଁ ଏ ଏକ ବିଚିତ୍ର ଭୂମିକା ।

 

-‘‘ବାଃ, ଆପଣଙ୍କ କୋଷ୍ଠୀ ଚମତ୍କାର; ଆପଣଙ୍କ ଭବିଷ୍ୟତ ? କଅଣ କହିବି ? ପୂରା ଗୋଟିଏ ବର୍ଷର କୋଷ୍ଠୀର ଶୁଭ ଅଶୁଭ ଫଳ ମୁଁ ଲେଖିଦେବି । ଆପଣ ଦେଖିବେ ମୋ ସାଧନା ସତ୍ୟ ନା ମିଥ୍ୟା । ଯଦି ମିଥ୍ୟା ହୁଏ ତେବେ ମୋ ନାଁ କାମନ୍ଦକ ନୁହେଁ, ମେହେନ୍ତର–’’

 

ଏଡ଼େ ବଡ଼ କଥା !! ଝରଣାର ଗୃହାଙ୍ଗନ ସ୍ତବ୍‍ଧ ହୋଇଗଲା ସେତେବେଳେ, ଏତେ ବଡ଼ ବିଦ୍ୱାନ ପୁଣି ଭବିଷ୍ୟତ ବକ୍ତା !

 

କାମନ୍ଦକ ବାବୁ ଜଣକ ପରେ ଜଣକର କୋଷ୍ଠୀ ଦେଖିଲେ । ଦୁର୍ବଳ ଅଦୃଷ୍ଟବାଦୀ ଲୋକର ଦୁର୍ବଳତାକୁ ଜାରିଲେ । ସରୀସୃପ ଜାଣେ କେଉଁ ତୈଳ ସହିତ ପଥରେ କେତେ ସହଜରେ ଗତିକରି ହେବ । ସେ ସେଇ ବାଟ ଧରିଲା । ଝରଣାର ବାପା କୃତକୃତ୍ୟ ହେଲେ । ଭବିଷ୍ୟତର ଗ୍ରହମଣ୍ଡଳ ତାଙ୍କୁ ଅନେକ କିଛି ଦାନ କରିବେ । ଭାଗ୍ୟ, ଯଶ, ଅର୍ଥ, ସମ୍ମାନ, କିଏ ନଚାହେଁ ? କରତଳର ରେଖା କ୍ରମେ ସ୍ପଷ୍ଟ ହୋଇଆସିଲା ଓ ତା’ ସଙ୍ଗେ ସଙ୍ଗେ କାମନ୍ଦକ ବାବୁ ଭାଗ୍ୟଗଣନା କରି କେଉଁ ଭାଗ୍ୟକୁ ଚିରଦିନ ପାଇଁ ଅଭିଶପ୍ତ କରିଦେବେ ତା’ର ବ୍ୟବସ୍ଥା କରିଦେଲେ ।

 

ସେ ଭାଗ୍ୟ ଝରଣାର । ଇମିତି କ୍ଷୀଣ-ତନୁ ଚନ୍ଦ୍ର କ୍ରମେ ଉଦୟ ପଥ ଦେଇ ପୂର୍ଣ୍ଣଚନ୍ଦ୍ର ହୁଏ । ଇମିତି ହାତ ରାଖା ଗଣନାରୁ ମନରେଖା ଗଣନା ପର୍ଯ୍ୟନ୍ତ ମଣିଷ ପାଏ । ସତ୍ୟ ଓ ଛନ୍ଦର ପଥରେ ଯାହା ଆସେ ତାହା ରହିଯାଏ ଚିର ଦିନକୁ । କ୍ଷତ ବିକ୍ଷତ ଜୀବନ ହିଁ ବେଶ୍‍ ସତ୍ୟାଶ୍ରୟୀ, କିନ୍ତୁ ସେ କ୍ଷତ ପଶୁର ନଖଦାନ୍ତ ଆଘାତର କ୍ଷତ କି ?

 

କାମନ୍ଦକ ପରିବାର ଭିତରେ ସୁଲଭ ହୋଇଉଠିଲେ । କେତେ ପିକନିକ୍, କେତେ ଭୋଜି, କେତେ ଉତ୍ସବ ! ସବୁଠି କାମନ୍ଦକ ଓ ଝରଣା । କାହିଁକି କେଜାଣି ଏଇ ଲୋକପାଇଁ ଝରଣାର ପ୍ରାଣକମ୍ପନ ଜନ୍ମିଲା ।

 

କମ୍ପନ ଥିଲେ ତରଙ୍ଗ ସୃଷ୍ଟି ହୁଏ ।

 

ଏଇ ତରଙ୍ଗରେ ଦୁହେଁ ଧରାଦେଲେ । କାଳ ବିଚିତ୍ର ଗତିରେ ପ୍ରବାହିତ ହେଲା ।

 

ଆଜି ଝରଣାର ନେତ୍ରରେ ଦୁଇ ଟୋପା ଅଶ୍ରୁ । ସେ ଅଶ୍ରୁ ପବିତ୍ର । ସେଇ ଦୁଇ ବିନ୍ଦୁ ଅଶ୍ରୁ ଭିତରେ ଦେଖୁଛି ତା’ର ପୂର୍ବ ରାଗର ମଣିଷ ତାକୁ ଦେଇଛି କେତେ ନିର୍ଯାତନା, କେତେ ଅସମ୍ମାନ...ତାହାରି କେତୋଟି ଚିତ୍ର ଆଜି ମୁକୁଳିଯାଇଛି ।

 

ଝରଣା ପଥ ଉପର ଅର୍ଗଳ ଭଳି ସତର୍କ କରିଦେଉଛି...ଏ ବାଟେ ଆସ ନାହିଁ ପଥିକ; ଏ ବିଶ୍ୱାସର ପଥ ନୁହେଁ, ସତ୍ୟର ପଥ ନୁହେଁ । ହଁ, ସେଦିନର ଘଟଣା ।

 

କାହିଁ କେଉଁଠୁ ଝଡ଼ର ଗତିରେ ଆସିଲେ କାମନ୍ଦକ । ନିସ୍ତବ୍‌ଧ ରାତ୍ରି । ଝରଣା ଈଶ୍ୱରଙ୍କୁ ପ୍ରାର୍ଥନା କରି ଏକ ମୁହୂର୍ତ୍ତ ପୂର୍ବରୁ ଶଯ୍ୟା ଧରିଛି ।

 

‘–ମୋ ସାଙ୍ଗେ ତତେ ଯିବାକୁ ହେବ ।’

 

ଏ ଆସ୍ଫାଳନ ଆଶ୍ଚର୍ଯ୍ୟ ଲାଗିଲା ଝରଣାକୁ ।

 

–ଯିବି ? କୁଆଡ଼େ ?

 

–ମୁଁ ଯେଉଁଆଡ଼େ ନେଇଯିବି ।

 

–ଅର୍ଥାତ୍‌ ।

 

–ମୁଁ ଭଲ ପାଏ ।

 

କେଜାଣି କାହିଁକି ଝରଣାର ମନ ଗ୍ଳାନିପୂର୍ଣ୍ଣ ହୋଇଗଲା । ଏ ବାଟେ ପ୍ରେମିକ ଆସେ ନାହିଁ । ଏ ପୌରୁଷର ଚିହ୍ନ ନୁହେଁ, ଏ ଲକ୍ଷଣ ଦେହଭୋଗୀ ପଶୁର ଲୀଳା । କିନ୍ତୁ ଉପାୟ ନାହିଁ । ଥରେ ଝରଣା ସ୍ୱାଗତ କରି ନେଇଛି ଏଇ ଉଦୟଭାନୁକୁ । ଆଜି ଅବଶ୍ୟ ଏ ଭାନୁର ସତ୍ୟ ଦୀପ୍ତି କେତେ କ୍ରମେ ବୁଝିପାରୁଛି ଝରଣା ।

 

–ତେବେ କେତେଟା ଟଙ୍କା ଦେ । ମୁଁ ବଡ଼ ଅସୁବିଧା ଭୋଗୁଛି ।

 

ଝରଣା ଉତ୍ତର ଦେଇଥିଲା–ଅନେକ ସମୟରେ ମୁଁ ସାହାଯ୍ୟ କରିଛି, ମାତ୍ର ଏମିତି ଅବସ୍ଥାରେ କେତେଦିନ ଚଳିବ ? ଏକ୍ଷଣି ତ ସମ୍ଭବ ନୁହେଁ ।

 

କାମନ୍ଦକର କଣ୍ଠ କର୍କଶ । ସ୍ନିଗ୍‌ଧ ନିଶାର ପ୍ରଲେପ ଏ ସରୀସୃପକୁ ଉନ୍ମତ୍ତ କଲା–ସେ ଚିତ୍କାର କଲା–

 

–ସାବିତ୍ରୀ ଭଳି ତତେ ହେବାକୁ ପଡ଼ିବ । ମୋର ସେବା ତୋର ପରମ କର୍ତ୍ତବ୍ୟ ।

 

ଉତ୍ତର ଆସିଲା–

 

ଆମ ଭିତରେ କଅଣ ଏମିତି ହୋଇ ଯାଇଛି କି ମୁଁ ସାବିତ୍ରୀ ସାଜିବି ? ଯାହା ବା ହୋଇଛି ତା’ର ପରିଣତି କଅଣ ଏଇ ବାଟରେ ଆସିବ ?

 

ଝରଣାର କଣ୍ଠରେ ବ୍ୟଥାର ରାଗିଣୀ–ଏ କି ଭଳି ମଣିଷ ? ୟାକୁ ସେ ପୂଜା କରେ କାହିଁକି ? ୟାଠାରୁ ମନୋମୟ ସେ କିଛି ପାଏନି, ଅଥଚ–ସବୁ ଭାଗ୍ୟ ।

 

–‘ନହେଲେ ଏଇ ଯେଉଁ ଗହଣା ପିନ୍ଧୁଛୁ ।’ କାମନ୍ଦକର କର୍କଶ କଣ୍ଠ–

 

ଝରଣା ଏ ଅବାଞ୍ଛିତ ଦୃଶ୍ୟରୁ ନିଜକୁ ରକ୍ଷା କରିବାପାଇଁ ପଟିଏ ସ୍ୱର୍ଣ୍ଣ କାଚ ବଢ଼େଇ ଦେଇଥିଲା । ଶେଷରେ କହିଥିଲା–ସଂସାରରେ ଦୃଢ଼ ହେବାକୁ ଚେଷ୍ଟା କର–ମଣିଷ ହୁଅ । ମୁଁ ତାହା ହେଲେ ସର୍ବସ୍ୱ ତୁମ ପାଖେ ସମର୍ପଣ କରିଦେବି ।

 

ଏଇ ସର୍ବସ୍ୱ କଥା ଶୁଣି ଶ୍ୱାପଦ ସ୍ଥିର ହୋଇ ରହି ପାରି ନ ଥିଲା । ଆକାଶରେ ହଠାତ୍‌ କଳା ବଉଦର ସଞ୍ଚାର । ଜ୍ୟୋତି ଟିକକ ଲିଭିଗଲା । ଘୋର ନିବିଡ଼ ତମିସ୍ରା ।

 

ବୈଠକ ବସେ । ଏକା ବୟସର ଗୁଡ଼ାଏ ତରୁଣ ଆତ୍ମଶ୍ଳାଘାରକଥା କହନ୍ତି । କାମନ୍ଦକ ଏ ସଭାର ଅଭିଜ୍ଞ ଗୁରୁ । ପରିହାସପ୍ରିୟ ଏଇ ତରୁଣ ନିର୍ଲଜ ଭାବରେ ବ୍ୟାଖ୍ୟା କରେ ତା’ର ନିଜର ଗୋପନ ବିଳାସ । ଲୋଳଜିହ୍ୱ ରକ୍ତଚକ୍ଷୁ ଏଇ କେତେଗୁଡ଼ାଏ ଜାନୁୟରମାନଙ୍କ ଆଗରେ ଝରଣା ବିବସ୍ତ୍ରା ହୋଇଯାଏ ବହୁବାର–

 

ସେ ଶୁଣେ ଦୁଃଖ ପାଏ । ମାତ୍ର ସବୁ ଅତିକ୍ରାନ୍ତ ହୋଇ ଯାଉଛି । ଫେରି ଆସିବାର ପଥ ନାହିଁ । ପ୍ରଭାତୀକାକ କା ତାନରେ ସେଇ କଥା କହୁଛି । ପ୍ରଦୋଷର ଶଙ୍ଖଧ୍ୱନି ସେଇ କଥା ଧ୍ୱନିତ କରୁଛି ।

 

ଝରଣା ପ୍ରାଣପଣେ ଚେଷ୍ଟା କରୁଛି ଏଇ ରୁକ୍ଷ ପ୍ରଚଣ୍ଡ ଲୋକକୁ ସ୍ନିଗ୍‌ଧ କରିବ; ତା’ର କଣ୍ଠରେ ଦେବ ନମ୍ର ବଚନ । ତା’ର ଆଚରଣରେ ପ୍ରୋଥିତ କରିବ ଯଥାର୍ଥ ପ୍ରୀତମ୍‌ର ଆବେଗ ।

 

ମନେପଡ଼େ ସେଇ ନଦୀତଟର ନିର୍ଜନ ବିଳାସ । ଜଣେ ପ୍ରକାଶ କଲା ଉପରକୁ ଯିବାର ସଂକଳ୍ପ । ଏ ବାଟରେ ସତ୍ୟ ଆସେ ସୌନ୍ଦର୍ଯ୍ୟ ଆସେନି । ପ୍ରିୟତମା ହେବ ସହସ୍ର ଲୋକର ପ୍ରୀତିକର ଜୀବ । ଜ୍ଞାନ, ମାନ ଓ ରୂପରେ ସେ ହେବ ଅଭିନନ୍ଦିତ ।

 

କାମନ୍ଦକ ପଚାରିଲା...‘ଆଉ କେତେ କାଳ ମୁଁ ଅପେକ୍ଷା କରିବି; ଅତି ଜଣାଶୁଣା କଥା । ମୋ’ ଜୀବନରେ ବିପର୍ଯ୍ୟୟ ଆସିଲା ତୋରି ପାଇଁ । ଅଥଚ ତତେ ପାଇ ମୁଁ ପାଇପାରି ନାହିଁ । ଆଜି ତତେ ଏସବୁ ପ୍ରଶ୍ନର ଯବାବ ଦେବାକୁ ହେବ ।’

 

ଏ ପ୍ରଶ୍ନର କି ଜବାବ ଦେବ ଝରଣା ? କ୍ଷତର ପଚନ କ୍ରିୟା ଆରମ୍ଭ ହୋଇଯାଇଛି ତା’ର ଅନ୍ତର ଭିତରେ । ଏ ଲୋକ କଅଣ ଚାହେଁ ଅବା ଚାହିଁଛି, ସେ ଜାଣେ । ମାତ୍ର ଆଉ ନୁହେଁ । ଦୁର୍ବାର ଲାଳସା ଆଗରେ ନାରୀ ବିଭୂତିର ସମସ୍ତ ପରିପାଟୀକୁ ସେ କଅଣ ଶେଷ ଥର ଧ୍ୱଂସ କରିଦେବ ? କେହି ତାକୁ ରକ୍ଷା କରିବେ ନାହିଁ ? ସ୍ୱପ୍ନ ତା’ର ଭାଙ୍ଗିଛି । ଛାରଖାର ହୋଇଯାଇଛି ତା’ର ଜୀବନ । ଅଥଚ କେତେ ସରଲ୍ୟ, କେତେ ଆନନ୍ଦରେ ସେ ସମର୍ପଣ କରିଥିଲେ ତା’ର ମନର ଅବ୍ୟକ୍ତ ବାସନାକୁ । ସବୁରି ସମାପ୍ତି ଘଟିଗଲା ।

 

ସେଥର କାମନ୍ଦକ କ୍ରୋଧରେ ଥରି ଥରି ଚାଲି ଯାଇଥିଲା–ଆଉ କହିଥିଲା ‘ଆଉ ଥରେ ମାତ୍ର ଆସିବି ।’

 

ବିଶୁଷ୍କ ବିଶୀର୍ଣ୍ଣ ପତ୍ର ଭଳି ମଉଳି ରହିଲା ଝରଣା । ତଳୁ ମନ ଉପରେ ପଶୁର ଦଂଶନ-। ନାରୀ ଭାଗ୍ୟରେ ସ୍ୱର୍ଗ କାହିଁ ବା ନରକ କାହିଁ ? ଯାହା ତାହା ଭାଗ୍ୟରେ ଅଛି ତାହା ଅନତିକ୍ରମ୍ୟ-

 

ବେଦନାବିଧୁରା ଏଇ ନାରୀ ଲୋଟିଯାଏ ବିଶ୍ୱଦେବତାର ଚରଣ ପ୍ରାନ୍ତରେ । ଖୋଜେ କାହିଁ ପଥ ? ମୁକ୍ତିର ପଥ । ସ୍ପର୍ଶକାତର ମନ ତା’ର ଦେବତାକୁ ଅନ୍ୱେଷଣ କରିଥିଲା । ଆଜି ସେ ଆକର୍ଷଣକୁ ସେ କହିବ ନାହିଁ ଅହେତୁକ, କିନ୍ତୁ ଏ କଅଣ ଘଟିଗଲା ?

 

ଆଉ ଏକ ନିସ୍ତବ୍‌ଧ ରଜନୀ । ଜୀବନକୁ ଉନ୍ନତ କରିବ ବୋଲି ସବୁ ବିଷାକ୍ତ ପରିସ୍ଥିତି ଭିତରେ ବି ଝରଣା ଅଧ୍ୟୟନ କରୁଛି ଓ ସୋପାନ ପରେ; ସେମାନେ ଉଠୁଛି । ଇନ୍ଦ୍ରଧନୁର ରଙ୍ଗ ଚିରନ୍ତନ ନୁହେଁ । ତାହା ଯେତେବେଳେ ମିଳାଇ ଯାଇଛି, ଅନ୍ୟ ଏକ ସତ୍ୟ ପାଇଁ ସେ ପଣତ ବାନ୍ଧିଛି କଟିଉପରେ ।

 

ଝରଣାର କାହାଣୀର ଶେଷ ନାହିଁ । ଶେଷ ଯିମିତି ହୁଏନି ବକ୍ଷଫଟା ଦୀର୍ଘ ଶ୍ୱାସର । ଏ ସଂସାରରେ କଅଣ ଘଟେ ନ ଘଟେ ବିଶ୍ୱପ୍ରାଣ ଶିଳ୍ପୀ ମଧ୍ୟ ତା’ର କଳ୍ପନା କଳାରେ ଜାଣି ପାରେନା । ସେଥିପାଇଁ ଜୀବନ ରହସ୍ୟମୟ ।

 

ସେଇ ରାତ୍ରିର ନିଭୃତି ଭିତରେ ଛିଡ଼ାହେଲା କାମନ୍ଦକ । ସେ ସୁରାପାନ କରିଥିଲା । ଆଖିରେ ତା’ର ଲାଳସାର ବହ୍ନି । ଝରଣା ସେତେବେଳେ କୁଞ୍ଚିତ ଭ୍ରୂରେଖା ଦେଇ ବୁଝିବାକୁ ଚେଷ୍ଟା କରୁଥିଲା କାଣ୍ଟ୍‌ର ଦର୍ଶନ-ତତ୍ତ୍ୱ ... କେତେ ଜଟିଳ ସତେ....

 

କାମନ୍ଦକର କର୍କଶ ସ୍ୱର ଶୁଣି ଝରଣା ମୂର୍ଚ୍ଛିତା ହେବା ଉପରେ....

 

–‘ଏଥିରେ ଦସ୍ତଖତ କରି ଦେ ।’

 

ଅତି କଷ୍ଟରେ ଝରଣା ପଚାରିଥିଲା–‘କ’ଣ ସେଥିରେ ଲେଖା ଅଛି ?’

 

ସେ ଉତ୍ତର ପାଇଲା–

 

‘ଯେଉଁଥିପାଇଁ ନାରୀ ଜନ୍ମ ହୋଇଥାଏ ସେଇ କଥା ସାବ୍ୟସ୍ତ କରାଯାଇଛି । ଏଇ ଦସ୍ତଖତ ପରେ ସଂସାର ଜାଣିବ ତୋର ଭିନ୍ନ ପରିଚୟ ।

 

‘ଏତକ ନକଲେ ମୁଁ ଏଇ ଅସ୍ତ୍ରରେ ନିଜକୁ ମାରିବାପୂର୍ବରୁ ତତେ ହତ୍ୟାକରି ନିଜକୁ ଧ୍ୱଂସ କରିବି । ଅନେକଦିନ ପର୍ଯ୍ୟନ୍ତ ଏ ଖୁଣି କଥା ଲୋକେ ମନରେ ରଖିବେ । କାରଣ ଗୋଟାଏ ଉନ୍ମତ୍ତ ପ୍ରେମିକ ତା’ର ପ୍ରଣୟିନୀକୁ ଏ ସଂସାରରେ ଜୀବିତ ରଖି ନିଜେ ଚାଲିଯିବାକୁ ଚାହିଁ ନଥିଲା । ହୁଏତ ଏ ହତ୍ୟା ଓ ଆତ୍ମହତ୍ୟା ଖୁବ୍‌ ଆକର୍ଷଣୀୟ ହୋଇ ନପାରେ । ତେବେ ମୁଁ ସ୍ଥିର ରହିଛି ମୋ କାର୍ଯ୍ୟରେ...ଗୋଟାଏ ମୁହୂର୍ତ୍ତ ମୁଁ ଡେରି ସହିବି ନାହିଁ । ମାତ୍ର ମନେରଖିବୁ ଯାହା ମୁଁ କରୁଛି ଅଗାଧ ପ୍ରେମବଶରୁ...’

 

ପ୍ରସିଦ୍ଧ ଏକ ସହରର ବକ୍ଷ ଉପରେ ଏ ଲୀଳାକୁ ଉପଭୋଗ କରୁଥିଲେ ଆକାଶ-ଖଚିତ କେତୋଟି ନକ୍ଷତ୍ର । ଝରଣାର ଶୋଇବା ଘର ଆରପଟେ ଲୋକେ ରହିଛନ୍ତି । ଡକାଡକି କରିବାର ଉପାୟ ନଥିଲା । ଝରଣା ତା’ର ପୂର୍ବ ରାଗର ମଣିଷର ଏ ବୀଭତ୍ସ ରୂପକୁ ଦେଖି ବି ସେଇ ଏକା ପ୍ରେମମୟ ଅନୁଭୂତିରେ ସବୁଶେଷରେ ସୁନ୍ଦର ହେବ ବୋଲି ଭାବି ସ୍ୱାକ୍ଷର ଦେଇଦେଲା ଦଲିଲ୍‌ ଉପରେ...ସେଇ ମୁହୂର୍ତ୍ତରେ ପଶୁତ୍ୱର ଶକ୍ତି ବହୁଗୁଣରେ ବଢ଼ିଗଲା । ପ୍ରାନ୍ତର ଉପରେ ସେଇ ପଶୁଟା ପୁଚ୍ଛ ଟେକି ସେଇ ଦିନଠାରୁ ବେଶି ନୃତ୍ୟ କଲା । କାରଣ ଆଇନ କହେ ସ୍ୱାକ୍ଷର ହିଁ ସବୁ....

 

କାମନ୍ଦକ ଚାହିଁଥିଲା ଏଇ ବଳରେ ଝରଣାର ଶୁଭ୍ର ସୀମାନ୍ତରେ ରଖିବାକୁ ସିନ୍ଦୂରଗାର । ମାତ୍ର ମଥା ଉପର ସିନ୍ଦୂର ସ୍ପର୍ଶ ଅପେକ୍ଷା ମନର ସିନ୍ଦୂର-ରଙ୍ଗ ଏବେ ବି ସମ୍ଭବ ହୋଇନାହିଁ । ଏକ ସୁକୁମାର ସଞ୍ଚାରିଣୀ ଲତା, ଅକପଟରେ ଚାହେଁ ପ୍ରୀତମ୍‌ର ପ୍ରତି ଆଚରଣରେ ମହାନ ବିଶ୍ୱବୋଧ । ଅନ୍ୟ ଚାହେଁ ପଶୁସ୍ତରର ବିଭୀଷିକାରେ ନାରୀ ହୃଦୟକୁ ସଂତ୍ରସ୍ତ ଓ ବିଷାକ୍ତ କରିବା ପାଇଁ । ଖେଦ, କ୍ଷୋଭ ଓ ଆତ୍ମଗ୍ଳାନିରେ ଜର୍ଜରିତ ଝରଣା ଖୋଜୁଛି ମୁକ୍ତିର ପଥ । ସର୍ବନାଶ । ଅଦୃଷ୍ଟ ତାକୁ କେଇଁ ଗଭୀର ଗହ୍ୱର ଭିତରେ ନିକ୍ଷେପ କରିଛି ସେ ଜାଣେ ।

 

ମାତ୍ର ସେ ବଞ୍ଚିବ, ବନ୍ୟାଧ୍ୱସ୍ତ ବୃକ୍ଷ ଯିମିତି ବଞ୍ଚେ ପୁଣି ମାଟିର ଗର୍ଭରୁ ରସ ସଂଗ୍ରହ କରି । ସେ ସେମିତି ବଞ୍ଚିବ ।

 

ଅଳ୍ପ ବିକ୍ଷୁବ୍‌ଧ ନୀଳ ଲହରୀକୁ ଚାହିଁ ଛିଡ଼ାହୋଇଥିଲେ ଦେଶର ପ୍ରତିଷ୍ଠିତ ଶିଳ୍ପୀ ବିଭୁପ୍ରସନ୍ନ । ତାଙ୍କରି ଛବିଗୁଡ଼ିକର ପ୍ରଦର୍ଶନୀ ଚାଲିଛି । ସହରର ବହୁ କଳାକାର ଶିଳ୍ପରସିକ ସେଗୁଡ଼ିକ ଦେଖି ଆନନ୍ଦ ପାଉଛନ୍ତି ।

 

ସ୍ଥିର ବିଦ୍ୟୁତ୍‌ ଭଳି ଗୋଟିଏ ଦୃଶ୍ୟ ବିଭୁପ୍ରସନ୍ନଙ୍କର ମନ ଭିତରେ ରହିଯାଇଛି । ପ୍ରଦର୍ଶନୀର ଆସର ଖୁବ୍‌ ଜମିଥିଲା । ନାରୀ ପୁରୁଷ ଗୋଟିଏ ନିର୍ଦ୍ଦିଷ୍ଟ ଛବି ପାଖରେ ଛିଡ଼ାହୋଇ ଶିଳ୍ପୀଙ୍କ କୃତ ଉଦ୍ଦେଶ୍ୟରେ ସାଧୁବାଣୀ ପ୍ରକାଶ କରୁଥିଲେ ।

 

ଛବିଟିର ନାଁ ‘‘ପ୍ରାନ୍ତର’’ । ଏକ ବିରାଟ ନୀଳ ପ୍ରାନ୍ତର ଉପରେ ଗୁଡ଼ାଏ ଭୟଙ୍କର ପଶୁ । ଚାରିଆଡ଼େ ବୃକ୍ଷଲତା ଗୁଳ୍ମ । ବଡ଼ ବଡ଼ ବୃକ୍ଷର କୋଟର ଭିତରେ ବହୁ ସରୀସୃପ ମଥା ଓ ପୁଚ୍ଛ ଦେଖାଇ ରହିଛନ୍ତି । ସମଗ୍ର ପରିସ୍ଥିତି ଭୟଙ୍କର ଓ ବିପଦସଙ୍କୁଳ ।

 

ସେଇ ଛବିରେ ଶିଳ୍ପୀ ଦେଖାଇଛନ୍ତି ଏକ ତରୁଣୀକୁ ଗୋଟାଏ ପ୍ରମତ୍ତ ପଶୁ ଦଂଶନ କରି ରକ୍ତାକ୍ତ କରୁଛି । ନାରୀଟି ଅର୍ଦ୍ଧବିବସ୍ତ୍ରା । ଆଖିରେ ତା’ର ପ୍ରାର୍ଥନାର ଇଙ୍ଗିତ । ଉପରେ ମେଘମାଳା ଦେହରେ ଗୋଟିଏ ଛୋଟ କ୍ରୁଶର ଚିତ୍ର । ସେଥିରୁ ଦୁଇ ଧାରରେ ଜ୍ୟୋତି ନିର୍ଗତ ହେଉଛି । ଚାରିଆଡ଼କୁ ଚାହିଁ ତରୁଣୀଟି ନିଜ ବସ୍ତ୍ରର ମେଖଳାକୁ ସଂଗ୍ରହ କରୁଛି । ପଶୁର ଅତ୍ୟାଚାରର ସୀମା ନାହିଁ ।

 

ଛବିଟିର ବିଭବ ଏତିକି । ବିଭୁପ୍ରସନ୍ନ ଦେଖିଲେ, ଛବିଟିକୁ ଗୋଟିଏ ସୁଦର୍ଶନ ତରୁଣୀ ଅପଲକ ଚକ୍ଷୁରେ ଚାହିଁ ରହିଛି । ତା’ର ଅଧର କ୍ରମେ ଥରିଗଲା । ଆଖିରୁ ଦୁଇଟି ମୁକ୍ତାବିନ୍ଦୁ ଢଳ ଢଳ ଅବସ୍ଥାରେ ଖସି ଆସିଲା । ମୁହୂର୍ତ୍ତେ ନୁହେଁ, ବହୁକାଳଯାଏ ସେ ନିରୀକ୍ଷଣ କଲା ଚିତ୍ରଟିକୁ ।

 

ତା’ପରେ ସେ ଅଦ୍ଧସ୍ଫୁଟ ଚିତ୍କାର କରିଥିଲା । ସଂଜ୍ଞାହୀନ ଦେହ ତା’ର ଭୂତଳର ଆଶ୍ରୟ ପାଇବାପାଇଁ ଲୋଟି ଆସୁଥିଲା । ସେତିକିବେଳେ ଶିଳ୍ପୀ ବିଭୁପ୍ରସନ୍ନ ବିମୂଢ଼ ଅବସ୍ଥାରେ ସ୍ଖଳିତ ପଦ୍ମଭଳି ତରୁଣୀଟିକୁ ପ୍ରଶସ୍ତ ବକ୍ଷ ଉପରେ ଧରିନେଲେ ।

 

ଦର୍ଶକମାନେ ଦୁଃଖ କଲେ । କିଏ କହିଲେ ଛବିଟିର ମର୍ମ ବୋଧହୁଏ ଝିଅଟିର ମନକୁ ସ୍ପର୍ଶ କରିଛି । ହଁ । ଏ ଜଗତରେ କାହାର କେଉଁ ଅନୁଭବ କେଉଁଠି କିପରି ମିଳିଯାଏ, କହିହେବନାହିଁ । ବିଭୁପ୍ରସନ୍ନଙ୍କ ହୃଦୟରେ ଲାଖି ରହିଛି ସେଇ ଦୃଶ୍ୟଟି । ଆଜି ସେ ଯାଇ ନାହାନ୍ତି ପ୍ରଦର୍ଶନୀ ମଣ୍ଡପକୁ । ତାଙ୍କର ଶିଳ୍ପକୃତିର ସାର୍ଥକତା କାଲି ହୁଏତ ପ୍ରମାଣିତ ହୋଇଯାଇଛି ।

 

ନୀଳ ଲହରୀର ଭାସମାନ ଜଳ ବିନ୍ଦୁ ତଳେ ସେ ଖୋଜୁଛନ୍ତି କାଲିର ସଂଜ୍ଞାହୀନ ଦେହକୁ । ବଲ୍ଲରୀ ଭାଙ୍ଗି ପଡ଼ିବାବେଳେ ସେ ଆଶ୍ରୟ ନେଇଥିଲେ ଏଇ ବକ୍ଷ ଉପରେ । ମାତ୍ର ସେ ବା କେତେ କ୍ଷଣ ? କଳାକାର ଜାଣେ କ୍ଷଣକୁ କିପରି ଶାଶ୍ୱତ କରିହେବ । ମାତ୍ର ଏ ଦୃଶ୍ୟ, ଏ ଭାବ ତ ଅଙ୍କନର ବାହାରେ ।

 

ଥରଟିଏ ଦେଖା, ସେ ପ୍ରାର୍ଥନା କରୁଛନ୍ତି ଏବଂ ଏଇ ପ୍ରାର୍ଥନା ବିଶ୍ୱପିତାଙ୍କର ଚରଣ ତଳେ ଜଣାଇଛନ୍ତି । ଥରଟିଏ ଦେଖା–ସେଇ ତରୁଣୀ । କି ମର୍ମବ୍ୟଥାରେ ସେ ନାରୀ ବୃଥିତା, ନୀଳକଣ୍ଠ ଭଳି ସେ କି ବିଷପାନ କରିଛନ୍ତି, କି ଭଳି ଆତ୍ମଦାହ ଧରି ସେ ହୃଦୟଟାକୁ ପୋଡ଼ି ପାଉଁଶ କରି ପଥ ଚାହିଁଛନ୍ତି ।

 

ଅଥଚ ସେଇ ପାଉଁଶରୁ, ସେଇ ପଙ୍କ-ତିଳକରୁ ଜନ୍ମ ନେଇଛି ଯୁଗେ ଯୁଗେ ଶୁଭଙ୍କର ପଦ୍ମ । ହଁ, ମୁହଁଟି ବିକଚ ପଦ୍ମ; ଦୁଃଖ, ବେଦନାରେ ବଜ୍ରାହତ ଦେହଟି ଯେତେବେଳେ ଝାଉଁଳି ଆସି ବିଭୁପ୍ରସନ୍ନର ବକ୍ଷ ଉପରେ ଆଶ୍ରୟ ନେଲା, ମନେ ହେଲା ସତେ ଯିମିତି ଶିଳ୍ପୀ ଆଉ ଶିଳ୍ପର ପରିଣୟ ଘଟିଗଲା । ସାକ୍ଷୀ ରହିଥିଲେ ସର୍ବ ପାପର ତ୍ରାଣକର୍ତ୍ତା କ୍ରୁଶବିଦ୍ଧ ଶରୀର ଓ ତାଙ୍କର ରକ୍ତଧାରା ।

 

ନା, ଏସବୁ କାହିଁକି ? ବିଭୁପ୍ରସନ୍ନ ସ୍ଥିର ଦୃଷ୍ଟିରେ ଅବଲୋକନ କଲେ ପଶ୍ଚିମର ନଭ ପ୍ରାଙ୍ଗଣକୁ । ଜ୍ୟୋତି ମଉଳିଯାଇଛି ଅଥଚ ମଉଳିବା ପୂର୍ବରୁ କେତେ ବର୍ଣ୍ଣରସରେ ରେଖିତ ହେଉଛି ସେ ପ୍ରାଙ୍ଗଣ ।

 

ସେ ତରୁଣୀ ସିମିତି ମଉଳି ଆସୁ ଆସୁ ବିଭୁପ୍ରସନ୍ନର ହୃଦରେ ବର୍ଣ୍ଣରସର ଆସ୍ତରଣ ଝୁଲାଇଦେଲା । କୋଟିଏ ଲୋକର ଶୋଭାଯାତ୍ରା ଦେଖିଛନ୍ତି ଶିଳ୍ପୀ । ଅଙ୍କନ ତୂଳୀରେ ଦୀପ୍ତ ହୋଇଛି ପ୍ରତ୍ୟେକଟିର ମୁଖ ଚକ୍ଷୁ ଅବୟବ ।

 

ମାତ୍ର ଏ ଯେ ସନ୍ଧ୍ୟାର ତାରକା ଖସି ଆସିଲା ଶିଳ୍ପୀର ମନୋମୟ ଜଗତକୁ, ତା’ ସାଙ୍ଗେ କ’ଣ ଥରେ ମାତ୍ର ଦେଖା ହେବନି ? ଆଜି କ’ଣ ସେ ଆସିଥିବ କଳାମଣ୍ଡପକୁ ? ସେଇ ‘ପ୍ରାନ୍ତର’ ଛବି କ’ଣ ତାକୁ ଆକର୍ଷଣ କରି ଆଣିଥିବ ?

 

ବିଭୁପ୍ରସନ୍ନର ଆତ୍ମା ବିଶ୍ୱବୋଧରେ ପରିଚ୍ଛନ୍ନ ହୋଇ ଉଠିଲା । ଦେଖା ନ ହେଉ ପଛକେ ସେ ତାକୁ ଧରି ରଖିବେ ଏଇ ସିନ୍ଧୁର ଅନନ୍ତ ନୀଳିମାର ବିସ୍ତୃତିରେ । ସେ ତାକୁ ଖର୍ବ କରିବେନି । ତାକୁ ଛୋଟର ଅମର୍ଯ୍ୟାଦା ଦେବେନି ।

 

କଳାର ପ୍ରଶସ୍ତ ଅଙ୍ଗନରେ ସେ ତରୁଣୀ ଜଳି ରହିବ ଏକ ମହାନ୍‌ ପ୍ରଦୀପ ଭଳି । ବିଶାଳ ବ୍ୟଥାରେ ତା’ର ଅନ୍ତର ଛିନ୍ନ ଭିନ୍ନ ନ ହୋଇଥିଲେ ବିବସ୍ତ୍ରା ନାରୀର ତ୍ରସ୍ତ ଈକ୍ଷଣ ଦେଖି ସେ ଜ୍ଞାନ ହରାଇ ନ ଥାନ୍ତା । ଅଧିକାରଲିପ୍‌ସାରେ କେତେ ନାରୀ ଆଜି ବିବସନା । କେତେ କୌଶଳ, କେତେ ଚକ୍ରାନ୍ତରେ ନାରୀ ଆଜି ଝରାପୁଷ୍ପ ଭଳି ବିଶୀର୍ଣ୍ଣ । ଦେବତା ବୁଡ଼ି ଯାଉଥିଲେ ବହ୍ନିମୟ କରି ସିନ୍ଧୁବାରିକୁ । ନାଃ ଆଉ ତାକୁ ଅନ୍ୱେଷଣ କରି ଲାଭ ନାହିଁ । ଏ ବକ୍ଷର ଉଷ୍ମତାକୁ ଚେତନାହୀନ ମନରେ କଅଣ ବା ସେ ଅନୁଭବ କରିଥିବ ?

 

ସବୁ ଅନୁଭବ ବାହାରେ ରହିଗଲା ଏ ମିଳନ । କଳା ଓ କାନ୍ତିର ମିଳନ ।

 

ପଥ ଚାଲିଲେ ବିଭୁପ୍ରସନ୍ନ । ଅବସନ୍ନ ପ୍ରାଣ । ଉଦାସ ଚାହାଣି, ଆଜି ତାଙ୍କର ହୃଦୟ ବ୍ୟଥାମୟ । ଏଇ ବ୍ୟଥାରୁ ଜନ୍ମ ନିଏ ସୃଷ୍ଟି, ମାତ୍ର...

 

ଅଳ୍ପ ଦୂରରେ ବିଗଳିତ ଜ୍ୟୋତ୍ସ୍ନାସ୍ତମ୍ଭ ଭଳି ଜଣେ କେହି ଛିଡ଼ା ହୋଇଥିବାର ଲକ୍ଷ୍ୟ କଲେ ଶିଳ୍ପୀ ବିଭୁପ୍ରସନ୍ନ । ଛାତିର ରୁଦ୍ଧଶ୍ୱାସ ପଥ ଖୋଜୁଥିଲା ବିମୁକ୍ତି । ଏ କ’ଣ ସେଇ ? ଶିଳ୍ପୀର ଶିଳ୍ପ ? ଗୋଧୂଳିର ଈଷତ୍‌ ଧୂସରତା ଭିତରେ ଏ ଚିତ୍ର ଯେ ପରମ ଆକର୍ଷଣୀୟ ।

 

ଅନୁଲିଖିତ ସେଇ ମୂର୍ତ୍ତି ଧୀରେ ପାଦ ଖେଳାଇ ଆସିଲା । ମନେ ହେଲା ଶାଶ୍ୱତ ପ୍ରେମାନୁଭୂତି ଯେପରି ବିଗ୍ରହ ଧରି ଶିଳ୍ପୀର ପ୍ରାଣମୟତା ଭିତରକୁ ଚାଲି ଆସୁଛି ।

 

–ନମସ୍କାର ।

 

–ନମସ୍କାର ।

 

ପୁଣି ଦୁହେଁ ନିର୍ବାକ ।

 

କାହିଁକି କେଜାଣି ଦୁଷ୍ଟ ସାଗରଟା ସେତିକିବେଳେ ଗୁଡ଼ାଏ ଢେଉରୋଳରେ ବଡ଼ପଣିଆ ଦେଖାଇ ବସିଲା ।

 

ବିଭୁପ୍ରସନ୍ନ ପଚାରିଲେ–‘ଆପଣଙ୍କ ଦେହ କିମିତି ଅଛି; କାଲିର ଅସୁସ୍ଥତା...’

 

କେତେ ସମୟ ବିତିଗଲା । ଶାନ୍ତ ହୋଇ ଆସିଲା ସିନ୍ଧୁରୋଳ ।

 

ତରୁଣୀ ଜିଜ୍ଞାସା କଲେ–

 

–ଆପଣ ଚିହ୍ନିପାରିଲେ ?

 

ବିଭୁପ୍ରସନ୍ନ ଆତ୍ମହରା ହେଲେ । ଚାରିଆଡ଼େ ନୀଳଦିଗନ୍ତ, ସମ୍ମୁଖରେ ମହାନ୍‌ ପାରାବାର । ଉପରେ ଶାନ୍ତ ଆକାଶ । ଏଇ ପରିସ୍ଥିତିରେ ଜଣେ ପଚାରୁଛି ଆପଣ ଚିହ୍ନିପାରିଲେ ?

 

ଶିଳ୍ପୀ ହସିଲେ–ମୃଦୁ...କହିଲେ–ବହୁ ଦିନରୁ ପରିଚୟ ଅଛି । ଯେ ଭାବ ମୂର୍ତ୍ତିକୁ ମୁଁ ତୂଳୀ ଆଉ ରଙ୍ଗରେ ଫୁଟାଇବି ବୋଲି କଳ୍ପନା କରି ପାରୁ ନ ଥିଲି ସେ ଇମିତି ସହସା ଖସିଆସିଲା ଦେବଲୋକରୁ...ତାକୁ ମୁଁ ଚିହ୍ନି ନାହିଁ ?

 

ଝରଣାର ଆଖିରେ ଝଲସି ଉଠିଲା କାମନ୍ଦକର ରୂପ...ତା’ର ବଜ୍ର ବାଣୀ–ଏଥିରେ ଦସ୍ତଖତ କରିଦେ–ତୁ ମୋର–

 

ଝରଣା ବି ହସିଲା–କହିଲା–ମୁଁ ଭାବି ନଥିଲି ଆପଣ ଏଠି ଥିବେ ।

 

ଶିଳ୍ପୀ ନିମନ୍ତ୍ରଣ କଲେ ବସିବାପାଇଁ । ଦୁହେଁ ବସିଲେ । କେତେ ଅପରିଚିତ, କେତେ ଅଜ୍ଞାତ ... ଅଥଚ ଜୀବନ-ଭୂମିରେ କେତେବେଳେ କେଉଁ ଅଙ୍କୁର ଫୁଟି ବାହାରେ, ସେ ପୁଣି ହୁଏ କଳିକା, ପୁଣି ସେଥିରେ ଜନ୍ମନିଏ ପୁଷ୍ପ...କେତେ ସମ୍ଭାବନା ରହିଛି...ନୁହେଁ କି ?

 

ବିଭୁପ୍ରସନ୍ନ ଶିହରିତ ହେଲେ । କହିଲେ–ସେ ଛବିଟାକୁ ଦେଖି ଏତେ ବିଚଳିତ ହୋଇପଡ଼ିଲେ ଯେ ?

 

ଝରଣା ଉତ୍ତର ଦେଲା–ପଶୁର ଗ୍ରାସ ଦେଖି ମୁଁ ସ୍ଥିର ରହି ପାରିଲି ନାହିଁ ।

 

–କ୍ଷମା କରିବେ, କୌତୂହଳ ନାହିଁ, ତଥାପି ପଚାରୁଛି–ନିଜ ଜୀବନରେ ଏମିତି କଅଣ ଅନୁଭବ, ମାନେ, ଏହିଭଳି ଗ୍ରାସର–

 

ଦ୍ୱିତୀୟା ଚନ୍ଦ୍ରର କ୍ଷୀଣ ଜ୍ୟୋତ୍ସ୍ନାରେ ଝରଣା ଅପୂର୍ବ ଦେଖାଯାଉଥିଲା । ପ୍ରଶ୍ନଟାକୁ ଏଡ଼ାଇଦେଇ ଝରଣା ପଚାରିଲା–

 

ଆପଣ ଏତେ ସ୍ନିଗ୍‌ଧ କାହିଁକି ?

 

–ଶିଳ୍ପୀ ତ ସ୍ନିଗ୍‌ଧ ରହିବ; ନହେଲେ ତା’ର ଅନ୍ତର ଧରିପାରିବ ନାହିଁ ବିଶ୍ୱଧାରଣାକୁ ।

 

ଝରଣାର କଣ୍ଠରେ ସ୍ନେହଭାବ–

 

–ହଁ, ମୁଁ ଏସବୁ ଜାଣି ନଥିଲି । ପୁରୁଷ ସଙ୍ଗେ ଯେ ଏପରି କଥାବାର୍ତ୍ତା ସମ୍ଭବ, ପୌରୁଷର ଏପରି ସ୍ଥିର ଶାନ୍ତ ସମାହିତ ଆଚରଣ ସମ୍ଭବ, ମୁଁ ଜାଣି ନଥିଲି ।

 

–ଆଉ କଅଣ ଜାଣିଥିଲେ ?

 

–ନା, ସେ ଥାଉ । ଯାହା ଜାଣିଥିଲି ତାକୁଇ ଭାବିଥିଲି ସତ୍ୟ ଅପରୂପ ଓ ବାଞ୍ଛିତ ।

 

ଶିଳ୍ପୀ ଆନମନା ହେଲେ । କହିଲେ ‘ପ୍ରାନ୍ତର’ ଛବିଟାକୁ ଆପଣଙ୍କ ଜୀବନ ସହିତ ଯୋଖି ଦେବାକୁ ମୁଁ ଚାହିଁ ନଥିଲି । ତେବେ ଶିଳ୍ପୀର ଅନୁଭବରେ ଅନେକ କଥା ଆସେ । ଆପଣଙ୍କ ସହିତ ଏଇ କଥାବାର୍ତ୍ତାର ସ୍ମୃତି ଉପଲକ୍ଷେ ମୁଁ ସେ ଛବିଟିକୁ ଆଉ ପ୍ରଦର୍ଶିତ କରିବି ନାହିଁ । ତାକୁ ରଖିଦେବି ।

 

ଝରଣା ବାରଣ କରି କହିଲା–

 

-ନା, ନା, ରଖିବେନି । ମୋ ଭଳି କେତେ ବ୍ୟଥାତୁରା ନାରୀ ଛବିକୁ ଦେଖି ହୁଏତ କିଛି ଶିଖିପାରିବେ, ଧ୍ୟାନ ଦେଇ ପାରିବେ । ଆଚ୍ଛା, କିଛି ମନେକରିବେ ନାହିଁ ଆପଣଙ୍କର ନୀଡ଼ ଅଛି ?

 

ବିଭୁପ୍ରସନ୍ନଙ୍କ ଦୃଷ୍ଟିରୁ ଝରିଲା ଅମୃତ...କହିଲେ–ଶିଳ୍ପ ହିଁ ମୋର ନୀଡ଼...ଆଉ କି ନୀଡ଼ ଦରକାର ? ତା’ଛଡ଼ା ବିଶ୍ୱ ତ ଏକ ନୀଡ଼ ଆମେ ସମସ୍ତେ ସବୁ ପକ୍ଷୀ ପକ୍ଷିଣୀ ଏଇ ନୀଡ଼ ଉଦ୍ଦେଶ୍ୟରେ ପକ୍ଷ ବିସ୍ତାର କରି ଉଡ଼ି ବୁଲୁଛୁ । ସମୟ ଆସିବ ଦିନେ ଆମେ ନୀଡ଼ ଭିତରକୁ ଯିବା । ତା’ର ଭିତରଟିକୁ ସଜାଇବା ।

 

ଝରଣାର ଗଣ୍ଡ ଦେଇ ସେତେବେଳେ ନୀରଧାର ଖସି ଆସୁଥିଲା । ଶିଳ୍ପୀ ଚାହିଁ ରହିଗଲେ ସେଇଆଡ଼େ । ବିମୁଗ୍‌ଧ ଦୃଷ୍ଟି...

 

–ଆପଣ ଚଞ୍ଚଳ ହୋଇପଡ଼ିଲେ । ମୋ କଥାରେ ବ୍ୟଥା ଦେବା ଭଳି କିଛି ଥିଲା କି ?

 

–ନା,

 

–ଆଚ୍ଛା କହନ୍ତୁ, ଆଜି ପର୍ଯ୍ୟନ୍ତ କେହି ଆପଣଙ୍କୁ ନୀଡ଼ ଭିତରକୁ ଆହ୍ୱାନ କରିନି ?

 

ଝରଣା ଆତ୍ମସମ୍ୱରଣ କରି କହିଲା–

 

–କରିଛି, ମାତ୍ର ପ୍ରେମହୀନ ସେ ଆହ୍ୱାନ, କେବଳ ଅଧିକାର, କେବଳ ସେଇ ପଶୁ ଭଳି ବିବସ୍ତ୍ର କରିବାର ଆହ୍ୱାନ–ଓଃ ।

 

ଝରଣାର ସଂଜ୍ଞାହୀନ ଶରୀର ଆଉ ଥରେ ବିଭୁପ୍ରସନ୍ନର ବକ୍ଷ ଉପରେ ଲୋଟିପଡ଼ିଲା । ଆଉ ସେଇମାନଙ୍କର ଚରଣ ପର୍ଯ୍ୟନ୍ତ ଲୋଟି ଆସିଲା ସେତିକିବେଳେ ପାରାବାରର ତରଙ୍ଗ ଉଚ୍ଛ୍ୱାସ ।

 

କୋଳରେ ଝରଣା । ମଣିଷର ଦୁର୍ଗମ ପାଶବିକତାରେ ଛିନ୍ନ ଭିନ୍ନ ପୁଷ୍ପଲତା ଏଇ ଝରଣା ଆଜି ଶାନ୍ତି ପାଇଛି ଶିଳ୍ପୀର ବକ୍ଷ ଭିତରେ....

 

ଏଇ ପଥ ଦେଇ ଆସେ ପ୍ରେମର ପ୍ରବାହିନୀ...ଏଇଭଳି ଭୂମି ଉପରେ ଗଢ଼ି ହୋଇଯାଏ ପ୍ରେମର କୋଣାର୍କ–ଏଇ ଭଳି ନୀଡ଼କୁ ପ୍ରବେଶ କରନ୍ତି ଦୁଇ ବିହଗ ବିହଗୀ...

 

ନିର୍ଭୟ ବିଶ୍ୱାସ, ନିରହଙ୍କାର ଆତ୍ମସନ୍ତୋଷ ଭିତରେ ଝରଣା ଓ ବିଭୁପ୍ରସନ୍ନ ଦୃଷ୍ଟି ପ୍ରସାରିତ କରି ଦେଖିଲେ ସିନ୍ଧୁ ଗଡ଼ି ଚାଲିଛି ଆଉ ସେମାନେ ପ୍ରଶାନ୍ତ ବିଶ୍ୱବୋଧରେ ଗଡ଼ି ଚାଲିଛନ୍ତି ସୀମାହୀନ ଦୂରକୁ...ବହୁ ଦୂରକୁ....

 

ଏ ମିଳନ ଶାଶ୍ୱତ ଓ ଶୁଭ ହେଉ–ଏଇ ବାଣୀ ବହନ କରି ଆଣୁଥିଲା ସେତେବେଳେ ଏକ ନୀଡ଼ଫେରା ପକ୍ଷୀ ।

 

କେତେ ବିଷ, କେତେ ବୀଭତ୍ସତା, କେତେ ଚଣ୍ଡତା ଦୂର ହୋଇଗଲା ଏଇ ପ୍ରଶାନ୍ତ ଭିତରେ...ସତ୍ୟ ଆସିବ, ଆସୁଛି । ପ୍ରାଣ ପଥ ଦେଇ ତାହା ଆସିବ; ନଖ ଦାନ୍ତ ରକ୍ତ ଦେଇ ସତ୍ୟ ଆସେନା, ସୌନ୍ଦର୍ଯ୍ୟ ଆସେନା; ଆସେ ମିଥ୍ୟା ଆଉ କୁରୂପତା । ଏଇ କଥା ବୋଧହୁଏ ଜଣାଇଥିଲା ସିଏ ତା’ର ଅବାରିତ ଗତି ପ୍ରବାହ ଭିତରେ....

 

ଶିଳ୍ପୀ ଆଶ୍ୱାସ ଦେଉଥିଲେ ମୂର୍ଚ୍ଛିତା ଝରଣାକୁ ବକ୍ଷର ଅନନ୍ତ ଉଷ୍ମା ଓ ପ୍ରତ୍ୟୟ ଦେଇ...

 

ନୀଳ ପ୍ରାଙ୍ଗଣରେ ଗୋଟି ଗୋଟି ଫୁଟି ଆସୁଥିଲେ ନଭ-ପୁଷ୍ପ । ଅପୂର୍ବ ସେ ଶୋଭା ! ମଥାପୋତି ରହିଯାଏ ଭାବୁକ–ଭାବିବାର ସୀମା ନ ଥାଏ ।

Image

 

ଇଣ୍ଟରଭାଲ

 

‘‘ମଳୟ-ଛାତ୍ରୀ ନିବାସ’’ର ପାହାଚ ଉପରକୁ ଉଠିଗଲେ ପ୍ରଥମେ ଆଖିରେ ପଡ଼େ ସ୍ତବକିତ କୃଷ୍ଣଚୂଡ଼ାର ସ୍ନିଗ୍‌ଧ ଲୋହିତ ଐଶ୍ୱର୍ଯ୍ୟ...

 

ଯଦି ସନ୍ଧ୍ୟା ନଇଁ ଆସିଥାଏ, ଦେଖାଯାଏ କୁଙ୍କୁମଚିହ୍ନିତ କେତେଗୁଡ଼ିଏ କପାଳ, ଫିଟା ଅଫିଟା ସୁବାସିତ କେତେଗୁଡ଼ିଏ କବରୀର ଚଳନ....ଦୋଳନ; ଦେଖାଯାଏ ଚହଲି ଯାଉଥିବା କେତେଗୁଡ଼ିଏ ସତୃଷ୍ଣ ଆଖିର ମିଠା ଆବେଶ, ଶୁଣାଯାଏ ବହୁ କଣ୍ଠର ବିଚିତ୍ର ମନୋରମ କାକଳି...

 

ପ୍ରତୀକ୍ଷା କରି ରହିଥାନ୍ତି ‘‘ମଳୟ ଛାତ୍ରୀନିବାସ’’ର ଅଧିବାସିନୀ । ମନଖୋଲା ପଦେ କଥା କାହା ସଙ୍ଗେ କହିବାକୁ ଏଇ ସନ୍ଧ୍ୟା ଆକାଶର ନୀରବ ମନ୍ତ୍ରପୂତ ମୋହଘନ ମୁହୂର୍ତ୍ତଗୁଡ଼ିକରେ....

 

ଏମାନେ ପ୍ରଥମେ ନାରୀ, ପରେ ଛାତ୍ରୀ...ଏମାନଙ୍କର ଦେହର ଉଷ୍ଣା, ମନର ଉତ୍ତାପ, ହୃଦୟର ଲୁଚାଭରା ଭାବଗୁଡ଼ିକ ଝରିଯାଏ ଧୀରେ...ତାକୁ ସଜାଇ–ମୋହାର୍ଦ କରିବାକୁ କେହି କେହି ଆସନ୍ତି ସତ, କିନ୍ତୁ ବୃଥା ସେ ରୋମାନ୍‌ସ...ମନକୁ ପାଏ ନାହିଁ, ଦେହକୁ ଲାଗେନାହିଁ, ଛନ୍ଦି ରଖିବା ପାଇଁ ପାଦ ଆକୁଣ୍ଠ ହୁଏ । ଉଭେଇଯାଏ ସେଇ ନବକନ୍ଦଳିତ ରୋମାନ୍‌ସ, ଭୟ...ଆତଙ୍କ–ଆଉ ଆଶ୍ୱସ୍ତି ଭିତରେ...

 

ନୀରବ ପଥିକ ଚାଲିଯାଏ ଛାତ୍ରୀ ନିବାସ ପାଖ ରାଜପଥ ଉପରେ...ନୀରବରେ କୃଷ୍ଣଚୂଡ଼ା ସ୍ତବକ ଖସିପଡ଼େ... ।

 

ଏ ଧାରା ତ ନିତିପ୍ରତି ଲାଗିରହିଛି । ଅର୍ଥନୀତି, ରାଜନୀତି ବିଜ୍ଞାନ ଅବା ଗଣିତ, ସାହିତ୍ୟ ଭିତରେ ବୁଡ଼ି ରହି ସତ୍ୟକୁ ବୁଝୁ ବୁଝୁ ମନେ ପଡ଼ିଯାଏ ସେମାନଙ୍କର ସେଇ ଗୋଧୂଳି ଆଭା...ଗଗନ ବିଛାଇ ଧରାବତରଣ କରେ ଏକ ସ୍ପର୍ଶକାତର ଅନୁଭୂତି ।

 

ଛାତ୍ରୀସଦନର ନିରନ୍ଧ୍ର ପ୍ରାଚୀର ତଟରେ ଲାଗେ ତା’ର ଢେଉ...ତରୁଣୀମାନଙ୍କର ମନ ଖୋଜିବୁଲେ ମାୟାହରିଣୀ, ସ୍ୱର୍ଣ୍ଣରଚିତ ପଶୁ...କିନ୍ତୁ ଆସେନି ସେଇ ଅନାଗତ କ୍ଷଣଟି ଯେଉଁ କ୍ଷଣ ଭିତରେ ପ୍ରଣୟୀକୁ ସଙ୍ଗୀ କରିନେଇ ସେମାନେ ଛିଡ଼ା ହୋଇଯିବେ ଏଇ ଆମର ଭୋଗସମ୍ଭୋଗର ଶକ୍ତ ମାଟି ଉପରେ...

 

ସଞ୍ଜପହର ଗଡ଼ିଗଲେ କାକଳି ଆଉ ଶୁଭେ ନାହିଁ । ସବୁଜ ପଡ଼ିଆ ଉପର ବସିବା ଆସନ ଶୂନ୍ୟ ହୋଇଯାଏ । ସିଗାରେଟର ଚକ୍‌ଚକ୍‌ ଅଗ୍ନି ଲିଭିଯାଏ...ଅଧାପୋଡ଼ା ସିଗ୍‌ରେଟର ଗୁଡ଼ାଏ ଜଞ୍ଜାଳ ସକାଳୁ ଫୋପାଡ଼ି ଦେଇଆସେ ଚାକର ନର୍ଦ୍ଦମା ଭିତରେ...

 

ହୁଏତ ଗୋଟାଏ ବାସି ଗୋଲାପ ସେ ଆବିଷ୍କାର କରେ ଭୂଇଁ ଉପରେ ପଡ଼ିଛି । କେତେ ଜୋତା ପତନ ତଳେ ତାହା ମାଟି ଭିତରେ ଚିପିହୋଇ ଅଧା ବଞ୍ଚାରେ ସୁଲୁ ସୁଲୁ ବାଆ ଭିତର ଦେଇ ଟିକିଏ ଥରିଯାଉଛି ।

 

ଯେ ଉପହାର ଦେଇଥିଲା ସେ ନାହିଁ । ଆଉ ଆସିବ ବି ନାହିଁ । ମନର କପୋତୀ ସେଠି ଗୁମୁରିଉଠିଲା ନାହିଁ । କୃଷ୍ଣଚୂଡ଼ା ଶିହରି ଶିହରି ସବୁ ଦେଖୁଥାଏ; ଏମାନଙ୍କ ମନ ସହିତ ସେ ମିଶି ଯାଇଛି...ଏକ ହୋଇଯାଇଛି...ଏଇ ସ୍ତବକିତ କୃଷ୍ଣଚୂଡ଼ା...

 

ପିତୃମାତୃହୀନା ଅଳକାନନ୍ଦାକୁ ଥରେ ଥରେ ଦେଖି ଆସିବା ପାଇଁ ମୁଁ ଉଠିଯାଏ ‘ମଳୟ-ଛାତ୍ରୀ-ନିବାସ’ର ପାହାଚ ଉପରକୁ ।

 

ଅଳକାନନ୍ଦାର ସଂସାରଶୂନ୍ୟ; ବିବର୍ଣ୍ଣ । ଯାହାର ପିତା ମାତା ନାହାନ୍ତି, ତା’ର ସଂସାରରେ ବା କି ସମ୍ପଦ ଅଛି ? ମାତ୍ର ତାହାର ଆକାଂକ୍ଷା ତୀବ୍ର । ସେ ଉପରକୁ ଉଠିବ, ପଢ଼ିବ । ଯେ କୌଣସି ଉପାୟରେ ଧରିତ୍ରୀ ଉପରେ ପାଦ ରଖି ସେ ମଣିଷ ହେବ ।

 

ଅଳକାନନ୍ଦାର ଅନ୍ତରର ପରିପାଟୀ ମତେ ମୁଗ୍‌ଧ କରିଥାଏ । ନିରାଭରଣ ନିର୍ମୋହ ସୌନ୍ଦର୍ଯ୍ୟରେ ଏଇ ବାଳିକାଟିକୁ ପ୍ରଥମେ ଯେତେବେଳେ ମୁଁ ଦେଖିଲି, ଗୋଟାଏ ସ୍ନିଗ୍‌ଧରୂପଶ୍ରୀ ମୋ ହୃଦୟକୁ ଦୋଳନ ଦେଇଥିଲା ।

 

ନିତ୍ୟ କର୍ତ୍ତବ୍ୟ ଭଳି ସେଦିନ ଶ୍ରେଣୀରେ ଅଧ୍ୟାପନା କରିବାକୁ ଯାଇଥାଏ । ନୂଆ ହୋଇ ଆସିଥାଏଁ । କାହା ସଙ୍ଗେ ଘନିଷ୍ଠ ପରିଚୟ ନଥିଲା । ଶ୍ରେଣୀର ଆଗ ଭୂଇଁ ମଣ୍ଡନ କରି ସବୁଜ ଘାସର ଗାଲିଚା ଲମ୍ୱିଯାଇଥାଏ ଦୂରକୁ । ସେଇ ଶ୍ୟାମରୂପ ହୃଦୟରେ ନୃତ୍ୟ କରୁଥାଏ । ଶ୍ରେଣୀରେ ବସି ବୈକୁଣ୍ଠଙ୍କର କାବ୍ୟ କବିତା ଉପରେ କିଛି କହୁଥାଏ ।

 

ଦେଖିଲି–ଅନ୍ୟମନସ୍କ ଭାବରେ ଜଣେ ଛାତ୍ରୀ ଦୂରକୁ ଚାହିଁ ରହିଛି; ମନରେ ଯେପରି ପକ୍ଷ ଲାଗିଛି । ଘର, ବଗିଚା, ସବୁଜ କ୍ଷେତ ଏପରିକି ମତେ ଅତିକ୍ରମ କରି ଏ ବାଳିକାର ମନ-ବିହଗୀ ଅତି ଦୂରରେ ସନ୍ତରଣ କରୁଛି ...

 

କ୍ଷୁବ୍‌ଧ ହୋଇଥିଲି ସେଦିନ...ତଥାପି ତାହାର ବାହ୍ୟିକ ଭିତରେ ଗୋଟାଏ ସୁଶାନ୍ତ ତୃପ୍ତି ଓ ଅନ୍ତର ଭିତରେ ଅପ୍ରତ୍ୟକ୍ଷ ଅଶାନ୍ତିର ଆଲୋକଛାୟା ଦେଖିଥିଲି–

 

କ୍ଲାସରୁ ଫେରିଆସି ବିଶ୍ରାମ ଘରକୁ ଯାଉଥାଏ । ପଛଆଡ଼ୁ କାହାର ଡାକ ଶୁଣି ଫେରି ଚାହିଁଲି; ଆଗରେ ସେଇ ବାଳିକା...

 

ପଚାରିଲି–‘କଅଣ ?’

 

–ବୈକୁଣ୍ଠ ‘ହରିଜନ’ ଶୀର୍ଷକ କବିତା ଲେଖିଛନ୍ତି । ୟା’ ବୋଲି ସେ ‘ମେହେନ୍ତର’, ‘ହାଡ଼’, ‘ପାଣ’, ‘ବାଉରୀ’ କି ‘କୁଲି’ ‘ଖିଲିପାନ ଦୋକାନୀ’ ବିଷୟରେ ତ କବିତା ଲେଖି ନାହାନ୍ତି ?

 

ମୁଁ ସ୍ତବ୍‌ଧ ହେଲି–ଏ କି ଆମନ୍ତ୍ରଣ ? ପୁଣି ସେଇ ଅପରିଚିତା ପ୍ରଥମ ଦେଖା, ସ୍ୱପ୍ନଚାରିଣୀ ଛାତ୍ରୀଠାରୁ ଏ କି ‘ଯୁଦ୍ଧଂ ଦେହି’ ଭାବ ?’

 

ଯୁଦ୍ଧ ଦେବାକୁ ସେ ଅବଶ୍ୟ ଆସି ନ ଥିଲା । ମୋର ବ୍ୟଙ୍ଗ ବୋଧହୁଏ ସେ ବୁଝିପାରି ନ ଥିଲା ।

 

ଏହିଭଳି ନିଃସ୍ୱ ଲାଞ୍ଛିତ ଜନଶ୍ରେଣୀ ଉପରେ ବୈକୁଣ୍ଠଙ୍କର ମାନବିକତା ଯେ ଅଜସ୍ର ଧାରାରେ ଶ୍ରୀ ଝରାଇଛି, ତାହାହିଁ ମୁଁ ପ୍ରତିପାଦନ କରିଥିଲି ।

 

ସେଇ ପ୍ରସଙ୍ଗରେ ଅଳକାନନ୍ଦା ସହିତ ମୋର ପ୍ରଥମ ଆଳାପ । ତା’ପରେ ଉଚ୍ଚ ଶିକ୍ଷା ପାଇଁ ସୋପାନ ପରେ ସୋପାନ ସେ ଅତିକ୍ରମ କରୁଛି । ସହରକୁ କାର୍ଯ୍ୟାନ୍ତରରେ ଆସିଲେ ତା’ କଥା ପଚାରିଯାଏ ।

 

ସେଦିନ ମଳୟ ଛାତ୍ରୀ-ନିବାସର ପାହାଚ ଉପରକୁ ଉଠିଯାଇ ଦେଖେଁ ଅଳକା ହାତଯୋଡ଼ି ସମ୍ବର୍ଦ୍ଧନା କରୁଛି ଆଉ ତା’ର ଆଖି ଦୁଇଟିରୁ ସଫଳ ସ୍ୱପ୍ନର ଅମୃତ ନିର୍ଝର ଝରିଯାଇଛି-

 

ଏ ବାଳିକାର ଅନ୍ତର ପୁଷ୍ପ କେତେବେଳେ ଫୁଟେ ବା କେତେବେଳେ ମଉଳେ, ତାହା ମୁଁ ଜାଣେ । ପ୍ରାୟ ସେ ଉଦାସୀନ ଥାଏ । ଆଜି ଦେଖିଲି, ଜଗତ ତା’ପାଖରେ ଧରାଦେଇଛି ଅନିର୍ବାଣ ଏଇ ଦୀପ୍ତ ପ୍ରଦୀପ୍ତ ଆଭାରେ...

 

ଆଜି ଅଳକାର ବେଶରେ ସ୍ୱତନ୍ତ୍ର ପରିପାଟୀ । ଚାହାଣୀରେ ଚକିତ ଚିକିମିକି ଭାବ । ଗଭାରେ ଶୋଭୁଛି ରକ୍ତ-ଗୋଲାପର କଳିଟିଏ ।

 

ଭାବିଲି, ଏ ତରୁଣୀ ଆଜି ଏପରି କିଛି ପଦାର୍ଥ ପାଇଛି ଯାହା ଏତେ ଦିନ ତା’ପାଖେ ଥିଲା ମୃଗତୃଷ୍ଣା । କିନ୍ତୁ କି ପଦାର୍ଥ ହୋଇପାରେ ? କୌଣସି ଜାଗତିକ ବିଭବ ତାୟା’କୁ ଏପରି ଆହ୍ୱାନ ଦେବ ନାହିଁ ? ତେବେ ସେ କି ପଦାର୍ଥ ?

 

ବସିଲ ସେଇ ନିର୍ଦ୍ଦିଷ୍ଟ ଘନଶ୍ୟାମ ଦୁର୍ବା ଶେଯ ଉପରେ...ଅଳକାନନ୍ଦା ଯଥାରୀତି ଛିଡ଼ାହେଲା ମୋ ପାଖରେ ।

 

କୁଶଳ ପଚାରିଲି, ପୁଣି ପଢ଼ାଶୁଣା କଥା...

 

ଦେଖିଲି ଅଳକା ଅନ୍ୟ ଅନୁଭବରେ ବ୍ୟସ୍ତ । ମୁଁ ଯେମିତି ତା’ ପାଖରେ ଅକର୍ମଣ୍ୟ, ଅହେତୁକ ଓ ଅସ୍ପୃହଣୀୟ... ।

 

ଦୀର୍ଘକାଳ ହେବ ଏଇ ନୀରବ ନିରାଭରଣା ନାରୀକୁ ମୁଁ ବିଶ୍ଳେଷଣ କରି ଆସିଛି । ଆତ୍ମପ୍ରତିଷ୍ଠା ପାଇଁ ଏହାର ସଂଗ୍ରାମ ଭିତରେ ମୋର ଆଶୀର୍ବାଦ ଓ ସ୍ନେହର ଯେ ମୂଲ୍ୟ ନାହିଁ, ଏପରି ନୁହେଁ; ବରଂ କହିବି ଯେ ମୋ ହୃଦୟର ଏତିକି ନିର୍ଝର ପାଇଁ ସେ ଯେପରି ପୃଥିବୀର ମହାଲୋଭୀ ଭଳି ଅନାଇଁ ରହିଥାଏ...ତୀର ଦେଶର ତୃଷାର୍ତ୍ତ ବିହଗୀ ଭଳି ।

 

ଆଜି ସେଇ ଅଳକା ମୋ ପ୍ରତି ଧ୍ୟାନ ଦେଉ ନଥିଲା । ଅଥଚ ହୃଦୟଟି ତା’ର ଆନନ୍ଦ ଲହରୀରେ ଉଦ୍‌ବେଳିତ ହେଉଥିଲା ।

 

ନାରୀ ଚରିତ୍ର ଏତେ ସହଜରେ ବୁଝାମଣା ଭିତରକୁ ଆସେ ନାହିଁ । ଅଶେଷ ତା’ର ବ୍ୟାପ୍ତି, ଗଭୀରତା ଓ କ୍ଳାନ୍ତି । କେତେବେଳେ କେଉଁ ଢେଉ ଭିତରେ ନାରୀ ପ୍ରଚ୍ଛନ୍ନ ସରୀସୃପ ଭାବରେ ଆକ୍ରମଣ କରେ ଅବା କେଉଁ ତରଙ୍ଗ ଶୀର୍ଷରେ ପଦ୍ମଫୁଲ ଭଳି ବିକଶି ଉଠି ଧୀରେ ଚହଲି ଧରାଦିଏ, କହି ହୁଏନାହିଁ ।

 

ସେ ଅପରାହ୍ନଟି ନଷ୍ଟ ହୋଇଗଲା ବୋଲି ଭାବିଲି । ନଷ୍ଟ ହେବ ବା କାହିଁକି ? ମୋର ଆଶା ନୈରାଶ୍ୟର ପ୍ରଶ୍ନ ନାହିଁ । ମାନବ ପ୍ରକୃତିର ଚିରନ୍ତନ ରୀତି ଭିତରେ ପୁରୁଷ ପ୍ରତି ନାରୀର ଧ୍ୟାନଟାକୁ ମଣିଷ ବଡ଼ ବୋଲି ଦେଖେ । ଏଇ ଧ୍ୟାନଟିକକ ପାଇଁ ପୁରୁଷ ଖୋଜି ବୁଲେ କସ୍ତୁରୀମୃଗ–ଆଉ ଏତିକି ନଦେଇ ପୁରୁଷ ଉପରେ ନାରୀର ବହୁମନ୍ୟତା ଦେଖାଇବା ପାଇଁ ନାରୀ ଘୂରିବୁଲେ ସବୁଆଡ଼େ...

 

ଦୁଃଖରେ ପଚାରିଲି–

 

–ଆଜି ଟିକିଏ ଆନମନା ଦେଖୁଛି, କଥା କଅଣ ?

 

ଅଳକାନନ୍ଦାର ସେଇ ସହଜ ହସ, ସେଇ ଚତୁର ମିଠା ନିଦିଆ ଭାଷାର...

 

–ସାର୍‌ ! ଆପଣ ତ ଅନେକ କଥା ଠଉରେଇ ପାରନ୍ତି ବିଶେଷରେ ନାରୀ ହୃଦୟର ଭାବ । ଏବେ କହନ୍ତୁ ମୁଁ କାହିଁକି ଆଜି ଖୁସି ?

 

ଏତେ ପ୍ରଗଳ୍‌ଭା ମୁଁ ଅଳକାକୁ ଦେଖିନାହିଁ । ସଂଭ୍ରମରେ ସେ ସବୁବେଳେ କଥା କହେ; ବରଂ ମୁଁ ଅଟକାଇଲେ, ସେ ମୁହଁ ବୁଲାଇ ନିଏ, ଗମ୍ଭୀର ହୋଇଯାଏ....

 

କହିଲି–

 

‘ଭଲ ଶାଢ଼ି ଖଣ୍ଡେ ବୋଧହୁଏ କିଣିଛୁ ।’

 

–ଉହୁଁ...

 

‘ତେବେ ଭଲ ପଢ଼ୁଛୁ, କେହି ଅଧ୍ୟାପକ ପ୍ରଶଂସା କରିଛନ୍ତି ।’

 

–ଉହୁଁ...ଛାତ୍ରଛାତ୍ରୀକୁ ପଢ଼ାଯୋଗୁଁ ଏ ଯୁଗରେ ଅଧ୍ୟାପକ ପ୍ରଶଂସା କରିବେ ? ଖୁବ୍‌ ବିରଳ– ।

 

ମୁଁ ତର୍ଜନୀ ଦେଖାଇ ଶାସନ କଲି–‘ଏଇ’....

 

–‘ସତ କହୁଛି ସାର । ଆଚ୍ଛା ଆଉ କି କାରଣ ଥାଇପାରେ ?

 

ମୁଁ ଭାବି ବସିଲି । ଜଣେ ତରୁଣୀ କାହିଁକି ଓ କଅଣ ପାଇଲେ ଅବା ପାଇବା ପୂର୍ବରୁ କି ସ୍ୱପ୍ନ ଦେଖିଲେ ଖୁସି ହେବ ?

 

କହିଲି–

 

–ଆଚ୍ଛା, କୁଆଡ଼େ ସବୁ ମିଳି ବୁଲିଯାଇଛ କି ? ଅବା ପିକ୍‌ନିକ୍‌ ?

 

ଅଳକା ଶାସନ ଭଙ୍ଗୀରେ କହିଲା–‘ଆପଣ ଏଇ ବାଜେ କଥାରେ ମୋର ଆନନ୍ଦ କେବେ ଦେଖିଛନ୍ତି ? ଯାହା ମୁଁ ପାଇବାକୁ ଯାଇଛି ତାହା ମୋର ଅଜ୍ଞାତରେ ଆସୁଛି, ତାକୁ ଗ୍ରହଣ ନ କରିବି କାହିଁକି ? କିଏ ବା ମୋ ସଂସାରରେ ଅଛି ଯେ ସବୁ ବ୍ୟବସ୍ଥା କରିବ, ମୋ ଭବିଷ୍ୟତ ଚିନ୍ତା କରିବ ? ତେଣୁ...

 

ମୁଁ କହିଲି–ତେଣୁ ?

 

–‘ତେଣୁ ଆସନ୍ତୁ ସାର୍‌, ଆପଣଙ୍କୁ ମୋ ସହିତ ସିନେମା ଦେଖିଯିବାକୁ ହେବ । ଜୀବନରେ ଅନ୍ତତଃ ଥରେ ଆପଣ ମୋ ସଙ୍ଗେ ସିନେମା ଦେଖିବେ, ଏଇ ସ୍ମୃତିକୁ ମୁଁ ଧରି ରଖିବି ମରିବାଯାଏ–

 

ସିନେମା ?

 

ଜୀବନରେ ଥରେ ?

 

ସ୍ମୃତି ?

 

ମରିବା ଯାଏ ?

 

ଅଳକାକୁ ନିରୀକ୍ଷଣ କଲି । ଗୋଟିଏ ପୁଷ୍ପିତ ଲତିକା । ତା’ର ଆବେଗ-କମ୍ପିତ କଣ୍ଠ...ତା’ର ଆଶା ଆଶ୍ୱାସନାର ସ୍ୱପ୍ନ-ଦେଖା ମୋହନ ଆଖି ଦୁଇଟି...ହଁ ସବୁ ବାସ୍ତବ...ସବୁ ସତ୍ୟ...

 

ସିନେମା ? ଅଳକା ସାଙ୍ଗରେ ? ସହରର ସିନେମା ଗୃହରେ ପାଖାପାଖି ମୁଁ ଆଉ ଅଳକା ? ଜଣେ ଚଳଚଞ୍ଚଳା ତରଙ୍ଗିଣୀ ଆଉ ଜଣେ ପତ୍ରଝରା ଅଶ୍ୱତଥ ବୃକ୍ଷ ?

 

–ପ୍ରଣାମ

 

–ଏଁ ?

 

ମୋ ପାଦ ସ୍ପର୍ଶ କରି ଜଣେ ଯୁବକ ମୋର ପାଦଧୂଳି ନେଇଥିଲା । ମୁଁ ବିସ୍ମୟାଭିଭୂତ ହୋଇ ଏଇ ତରୁଣକୁ ଳକ୍ଷ୍ୟ କଲି । ମୋ ଆଖିରେ ଗଭୀର ବିସ୍ମୟ ।

 

ଅଳକା ବୁଝିପାରିଲା...କହିଲା–ଆପଣ ଏମିତି ଚମକି ପଡ଼ିଲେ କାହିଁକି ? ଆମେ ଦୁଇ ବନ୍ଧୁ–ସତୀର୍ଥ...ଏ’ ବି ଆମ ସଙ୍ଗେ ଯିବେ । ଆପଣ ପ୍ରସ୍ତୁତ ହୁଅନ୍ତୁ । ଘଣ୍ଟାଏ ସମୟ ଅଛି । ଘଣ୍ଟାଏ ପର୍ଯ୍ୟନ୍ତ ଏଇଠି ଅପେକ୍ଷା କରିବେ କି ଯଦି କାମ ଥାଏ ଟିକିଏ ବୁଲି ଆସିବେ ? ବରଂ ଆପଣ ଠିକ୍‍ ଛଅଟାବେଳେ ସିନେମା ହାଉସରେ ପହଞ୍ଚିବେ । ଆମେ ଆଗରୁ ସେଠାରେ ଅପେକ୍ଷା କରିଥିବୁ ? କଅଣ କହୁଛ ଅଜୟ ? ଆମେ ଟିକଟ କାଟି ନେଇଥିବୁ ।

 

‘ହଁ, ସାର ସେଇଟା ଠିକ୍‍ ହେବ । ଅଜୟ ଏତକ କହି ଅଳକାକୁ ନିବିଡ଼ ଚକ୍ଷୁଚାଳନ ଆଶ୍ଳେଷରେ ବାନ୍ଧିଦେଲା...

 

ମୋ ଜୀବନରେ ସାୟାହ୍ନ ବେଳା ଆସିଯାଉଛି । ମୁଁ ଅସ୍ତମିତ ହେବା ଉପରେ...ଅଳକା ମୋର ସ୍ନେହମୟୀ ଛାତ୍ରୀ...ତା’ର ବକ୍ଷ ସଞ୍ଚାରୀ ସ୍ୱପ୍ନବନ୍ୟାରେ ମୁଁ ଅହେତୁକ ଏକ ନିରର୍ଥକ ଶିଳା ଖଣ୍ଡ...ତଥାପି ତା’ର ନିମନ୍ତ୍ରଣରେ ମୋ ହୃଦୟରୁ କେଇଁ ଦିନରୁ ବାଟବଣା ଦିଗହଜା ବଉଦ ଖଣ୍ଡକ ପୁଣି ଫେରି ଆସୁଥିବାର ଆନନ୍ଦ ଓ ଶିହରଣ ମଝିରେ ଅଜୟ ନାମକ ତରୁଣ ଛିଡ଼ା ହୋଇଗଲା ମଖମଲ ତାରୁଣ୍ୟର ସହସ୍ର ରଶ୍ମି ଝରାଇ ଆମ ଭିତରେ !!!

 

ହାୟ ରେ ବିଚିତ୍ର ପ୍ରକୃତି !! ନାରୀର ସଙ୍ଗଲିପସା ଏତେ ଉଦ୍ଦାମ ? ଏତେ ଅନୁରଞ୍ଜିତ-?

 

ତେବେ ମୋ ମନଟା କଅଣ ପୁଣ୍ୟ ସ୍ପର୍ଶ ବାହାରେ ଥିଲା ? ପାପ ସେଠାରେ ଲୁଚିଥିଲା କି ?

 

ତା ତ ? ପାପ । ପାପ କାହିଁ ? ଅଳକା ପାଖ ସିଟରେ ବସିବି । ହୁଏତ ଅଢ଼େଇଘଣ୍ଟା ଭିତରେ ଛାୟାଛବି ଦେଖୁ ଦେଖୁ ତାକୁ ଗୋଟିଏ ପଦ କଥା ବି କହି ନପାରେ; କଅଣ ବା ଦରକାର କଥା କହିବା ? ସେ ଯଦି କୁହେ, ମୁଁ କହିବି, ନଚେତ ନୀରବ ରହିବି ।

 

ଯଦି ପ୍ରଣୟସିକ୍ତ ଚିତ୍ର ଦେଖୁ ଦେଖୁ ସେ ମୋ ଆଡ଼କୁ ଅନାଇ କହିଦିଏ–

 

-‘ଆପଣଙ୍କୁ ମୁଁ ଜୀବନରେ ଭୁଲିପାରିବି ନାହିଁ–ଆପଣ...’

 

ତା’ର କଣ୍ଠ ଅଟକିଯିବ । ମୁଁ ଯୋଖି ଦେବି–

 

ଆପଣ ମୋର ଶୁଭାକାଂକ୍ଷୀ–ଏଇତ ?’

 

ସେ ଏକଥାରେ ସନ୍ତୁଷ୍ଟ ହେବ କି ? ହବ ନାହିଁ ? ନା ନା, ଅଳକା ସେପରି ନୁହେଁ...

 

ଅତର୍କିତରେ ହାତକୁ ହାତ ବାଜିଯିବ । ବାଜି ଯାଇପାରେ । ହୁଏତ ପଣତଟାକୁ ଟାଣି ବୁଲାଇ ଆଣିବା ବେଳେ ତା’ ହାତ ମୋ ଦେହ ସ୍ପର୍ଶ କରିପାରେ । କଲେ କଅଣ ବା କ୍ଷତି ?

 

ଅଳକା ଦୁଃଖିତ ହେବ–କହିବ–ସାର୍‌ କ୍ଷମା କରିବେ । ବାଜିଗଲା ।

 

ବାଜିଗଲା ? ହାଃ-ହାଃ-କିଏ ? ତରୁଣ ଅଜୟ ଯେ ଆମ ମଝିରେ ବସିଥିବ, ବାଜିବ କିପରି ? ହାଃ-ହାଃ-ଆମ ମଝିରେ ଏଇ ଅଜ୍ଞାତକୁଳଶୀଳ ତରୁଣ ବିଜୟ ବସିବ କାହିଁକି ? ହାଃ-ହାଃ-

 

ସାର୍‌ ଏତେ ହସୁଛନ୍ତି କାହିଁକି ? କେତେବେଳୁ ବସିଲେଣି ଭାବିଲେ, ତା’ପରେ ଏମିତି ଠୋ ଠୋ...ହସ ? ସିନେମା ଦେଖି ଯିବାକୁ ନିମନ୍ତ୍ରଣ କଲି ବୋଲି ଖୁବ ଭୟ ଆପଣଙ୍କର ବୋଧହୁଏ ? ଆପଣ ତ ସବୁବେଳେ ଶୁଷ୍କ ନୀରସ ରହୁଛନ୍ତି । ଭାବିଲି, ଆପଣଙ୍କୁ ସାଙ୍ଗରେ ନେଇ ପାଖରେ ବସାଇ ସିନେମା ଦେଖି ଆସେ । ଯେଉଁଠି ବୁଝି ନପାରିବି, ଆପଣ ବୁଝାଇ ଦେବେ, ଆପଣ ତ ଜାଣନ୍ତି ଆଜିକାଲି ସିନେମା ଛବିରେ ଦୃଶ୍ୟ ଅପେକ୍ଷା ମଣିଷ ମନର ଅଦୃଶ୍ୟ କଥା ବେଶି କୁହାଯାଉଛି । ସେଇ ଭାଷା ମୁଁ ବୁଝିପାରେ ନାହିଁ । ଯେଉଁଠି ବୁଝିପାରିବି ନାହିଁ ଆପଣ ବୁଝାଇଦେବେ । ହସିଲେ କାହିଁକି ? ଆପଣ କଅଣ ଆମ ସାଙ୍ଗେ ଯିବେ ନାହିଁ । ନା–ନା–ନିଶ୍ଚୟ ଯିବେ–

 

ଅଳକାନନ୍ଦାର ଅଳି ଶୁଣିଲି । ଚମତ୍କାର ଅଭିନୟ କଲା ଏଇ କେତୋଟି ମୁହୂର୍ତ୍ତ–

 

କହିଲି–ଅଳକା ମୁଁ ଏଇଥିପାଇଁ ହସିଲି ଯେ ଏଇ ଶୁଷ୍କ ନୀରସ ଲୋକଟାକୁ ତୁ ଟାଣୁଛୁ ଦୁଇମୁହାଣୀ ଦୁଇଟା ଖର ଚଞ୍ଚଳ ନଈର ସଙ୍ଗମ ଆଡ଼କୁ ? ତୋର ଏ କି ନିଷ୍ଠୁରତା ଅଳକା !

 

ଅଳକାର ମୁହଁ ଉପରୁ ଆନନ୍ଦଅମୃତ ଝର ଏକ ମୁହୂର୍ତ୍ତରେ ଶେଷ ହୋଇଗଲା । ଅତି କଷ୍ଟରେ ସେ ଏତିକି କହିଲା–

 

‘ଆପଣ ତାହାହେଲେ ବୁଝିପାରିଛନ୍ତି ?

 

ମୁଁ କହିଲି–କେବଳ ବୁଝି ନାହିଁ; ଆଶୀର୍ବାଦ କରୁଛି, ଜୀବନରେ ଦୁଇ ଜଣ ସୁଖୀ ହୁଅ ।

 

ଅଳକା ଆଉ ଅଜୟ ମୋ ଗୋଡ଼ ଉପରେ ଲୋଟିଗଲେ । ମୁଁ ତାଙ୍କୁ ଉଠାଇ ସାନ୍ଧ୍ୟ ଆକାଶକୁ ଚାହିଁ ରହିଲି । ପ୍ରଶାନ୍ତ ମାଧୁରୀରେ ଦିଗ୍‍ବଳୟ ମଦିରାସିକ୍ତ । ଦୁଇଟି କୃଷ୍ଣଚୂଡ଼ାର କଳି କ୍ରମେ ବିକଶି ଆସୁଥିବାର ମନେ ହେଲା ।

 

ମୋ ଆଖି କୋଣରେ କେଜାଣି କାହିଁକି ଗୋଟିଏ ନୀରବିନ୍ଦୁ ଢଳ ଢଳ କରୁଥିଲା । ମୁଁ ସିନେମା ଦେଖିଯିବି ବୋଲି କଥା ଦେଇ ଆସନ ଛାଡ଼ି ଉଠି ଆସିଲି ରାଜପଥ ଉପରକୁ...

 

ଠିକ ଛଅଟା ବେଳେ ନୟନଭୁଲା ରୂପରେ ଅଳକା ଛିଡ଼ା ହେଲା ସିନେମା ଗୃହର ଅଙ୍ଗନ ଉପରେ ଆଉ ତା’ କାନ୍ଧକୁ କାନ୍ଧ ଘଷି ଅପେକ୍ଷା କଲା ଅଜୟ–

 

ଦୁହେଁ ମତେ ଅପେକ୍ଷା କରି ଛିଡ଼ାହେଲେ ।

 

ଛଅଟା ବାଜି ଛଅଟା ପନ୍ଦର ହେଲା । ସିନେମାର ପ୍ରଥମ ଘଣ୍ଟି ବାଜିଲା ।

 

ଅଜୟ ବ୍ୟସ୍ତ ହୋଇ କହିଲା–ଅଳକା, ସାର୍‌ ତ ଆସିବାକୁ ଡେରି କରୁଛନ୍ତି, ଚାଲ, ମୁଁ ତୁମକୁ ବସାଇ ଆସିବି । ମୋ ପାଖରେ ମୋର ଆଉ ସାର୍‌ଙ୍କର ଟିକେଟ ରହିଲା । ସେ ଆସିଲେ ମୁଁ ତାଙ୍କୁ ଏଠାରୁ ନେଇଯିବି । କାର୍ଯ୍ୟବ୍ୟସ୍ତ ଲୋକ କେଉଁଠି ଅଟକିଯାଇଛନ୍ତି ।

 

ମୁଁ କିନ୍ତୁ ଅଟକି ନଥିଲି, କେହି ମତେ ଅଟକାଇ ନଥିଲେ । ମୋର ଦୁଇଗୋଡ଼ ଛନ୍ଦି ଯେ ମତେ ଆଗକୁ ଚଲେଇ ଦେଉ ନଥିଲା ସେ ହେଉଛି ଏଇ ଅଳକା ।

 

ଆଜି ଜୀବନର ଅର୍ଦ୍ଧାଧିକ ପଥ ଅତିକ୍ରମ କରି ନାରୀର ଏଇ ଗୋପନ ଅଭିସାର କଥା ମୁଁ କଅଣ କିଛି ଜାଣେ ନାହିଁ ? ତା’ଛଡ଼ା ଦୁଇଟା ବିହଗ ବିହଗୀ କୂଜନ କରିବା ପାଇଁ ଥଣ୍ଟ ପାଖରେ ଥଣ୍ଟ ଧରିଛନ୍ତି, ମୁଁ ସେଠି ଶୁଷ୍କ ଝରାପତ୍ରର ଖର ଖର ଶବ୍ଦରେ ସେମାନଙ୍କୁ ଭୀତତ୍ରସ୍ତ କରିବି କାହିଁକି-?

 

ସହରର ଆଶ୍ଚର୍ଯ୍ୟକର ମେଳା ଭିତରେ ମୁଁ ଖୋଜି ବୁଲିଲି ମଣିଷ ଜୀବନର ଏଇ ଆଦିମ ପ୍ରବୃତ୍ତିର ସୂତ୍ରକୁ–ମୁଁ ପଳାଇ ଯାଇଥିଲି ଅଜୟଠାରୁ ପଳାଇଯାଇଥିଲି ଅଳକାଠାରୁ । ନା, ନା, ମୁଁ ଯିବି ନାହିଁ । ତାଙ୍କର ପ୍ରତୀକ୍ଷା ଭିତରେ ଆନ୍ତରିକତା ନଥିବ, ସେମାନେ ବର୍ତ୍ତମାନ ଉପଭୋଗ କରୁଥିବେ; ମତେ ବାଦଦେଇ ସେମାନଙ୍କର ଉପଭୋଗ ଆକଣ୍ଠ ହେଉଥିବ ।

 

ମାଳ ମାଳ ରିକ୍‌ସା, ମଟର, ଲୋକ ଭିତରେ ମୁଁ ଘୂରି ବୁଲିଲି । ଥରେ ସ୍ତବ୍‌ଧ ଭାବରେ ପଥ ଉପରେ ଛିଡ଼ାହୋଇ ହାତ ଘଡ଼ି ଦେଖିଲି...ସାତଘଣ୍ଟା ତିରିଶ ମିନିଟ...ଭାରି ହସ ମାଡ଼ିଲା...ଅଫୁରନ୍ତ କୌତୁକରେ ମୁଁ ଆତ୍ମହରା ହେଲି–ଯାହାହେଉ ଫାଶିଖୁଣ୍ଟିକୁ ଯାଇଥିବା ଲୋକର ଶେଷ ମୁହୂର୍ତ୍ତ ଅଛି । ସିନେମା ଦେଖାଳୀର ମଧ୍ୟ ଶେଷ ମୁହୂର୍ତ୍ତ ଅଛି । ସମୟ ତ ଶେଷ ହେଲା । ସେତିକି ମୋର ଦରକାର ।

 

ମନଟା ହାଲୁକା ହୋଇଗଲା । ମୁଁ ପୁଣି ହାତଘଡ଼ି ଦେଖିଲି, ସାତଘଣ୍ଟା ୩୫ ମିନିଟ–ୟା’ ଭିତରେ ପାଞ୍ଚ ମିନିଟ ହୋଇଗଲାଣି ?

 

ଅନୁଭବ କଲି ଦୁଇଟି ନୀରସିକ୍ତ ଆଖି ଯେପରି ମତେ ଭର୍ତ୍ସନା କରୁଛି–ଆପଣ ଆସିଲେନି କାହିଁକି ? ଆପଣ ଯାହା ଭାବିଲେ, ଯାହା ଭାବି ଆପଣଙ୍କ ପାଦ ବାନ୍ଧି ହୋଇଗଲା ସେସବୁ ମିଛ । ମୁଁ ଆପଣଙ୍କୁ ପାଖରେ ପାଇଥିଲେ ଆଜି ଦିନଟି ମୋର ମନ-ଗହନରେ ଚିରଦୀପ୍ତ ରହିଥାନ୍ତା । ଆପଣଙ୍କ ସେଇ ନୀତିବାଦିତା, ସେଇ କଠୋର ସଂଯମ, ସେଇ ଅନମନୀୟ ସ୍ପର୍ଦ୍ଧା–ଦେଖନ୍ତୁ ଦେଖି, ମତେ ଆଜି କେତେ କଷ୍ଟ ଦେଲା ? ଆପଣ ନାରୀକୁ ନଦେଖି କେବଳ ଛାତ୍ରୀକୁ ଦେଖିଲେ ? ଛାତ୍ରୀର ବିକାଶ ପଥରେ ନାରୀତ୍ୱର ସୁଲଭ ସମବେଦନାକୁ ଆପଣ ଦେଖି କ’ଣ ଦେଖିପାରିଲେ ନାହିଁ ?

 

କାହିଁକି ଆପଣ ବଡ଼ାଇ କରନ୍ତି ଯେ ଆପଣ ସବୁ ବୁଝି ପାରନ୍ତି ? ଆପଣଙ୍କର ବୋଧ ନିର୍ବୋଧ । ଆପଣ କିଛି ଜାଣିପାରନ୍ତି ନାହିଁ ।

 

କାନ ପାଖରେ ପଦେ ଅଧେ କଥା କହିଥାନ୍ତି । ଯାହା ଏଯାଏ କହିପାରି ନଥିଲି । ଅଜୟ ଆସିଛି, ସେ ଗୋଟାଏ ପେଖନା । ସେ କେବଳ ଜୟ ବିଜୟ ରୂପରେ, କିନ୍ତୁ ଦେବନିଗ୍ରହ ଭିତରେ ରହିଛି । ଆପଣଙ୍କ ପାଇଁ ଏତେ ଆୟୋଜନ କରିଥିଲି, ଏତେ ଉତ୍ସବ ଆରମ୍ଭ କରିଥିଲି–ଆପଣ କଲେ କ’ଣ ?

 

ଅଜୟ ଆସିବ ଜାଣି ଆପଣ ବୋଧହୁଏ ଭାବିଲେ ଆପଣଙ୍କର ପ୍ରାପ୍ୟ ଆଉ କିଛି ନାହିଁ-। ନାରୀ ଜାଣେ କାହାକୁ କି ଭାବରେ କେତେ ପ୍ରାପ୍ୟ ସେ ଦେବ । ସେ ବିଚାର ମୁଁ କରିଥାନ୍ତି, ସିନେମାରୁ ଫେରି ଆପଣ ଅନୁଭବ କରିଥାନ୍ତେ ଆପଣ ନୂଆ ମଣିଷ ହୋଇଛନ୍ତି ।

 

କଙ୍କାଳରେ ରକ୍ତ ଝରିଥାନ୍ତା, ରକ୍ତ ଦେଇଥାନ୍ତା ଜୀବନର ସ୍ପୃହା । ଆପଣ ଯେ ସବୁବେଳେ କହନ୍ତି ଆପଣ ଝରାପତ୍ର, ଆପଣ ଅସ୍ତମିତ ଭାନୁ, ଆପଣ ଅଥର୍ବ ସ୍ଥାବର । ଦେଖିଥାନ୍ତେ ମୋର ଆବେଦନ ଓ ସ୍ପର୍ଶରେ ଆପଣ ଫେରି ପାଆନ୍ତେ ଜୀବନର ରୂପଶ୍ରୀ–

 

ମୋ କାମନାରେ ପାପ ନାହିଁ । ଠିକ୍‌ ସେଇ ଗୁରୁ ଭାବରେ ମୁଁ ଆଜି ବି ଆପଣଙ୍କୁ ପୂଜା କରୁଛି । ତେବେ ତଫାତ୍‌ ରହିଛି । ଆପଣଙ୍କ ଜୀବନରେ ଶିକ୍ଷକତ୍ୱ ବେଶୀ ହୋଇଯାଇଛି, ସରସ ମଣିଷର ଅଭାବ ଆପଣଙ୍କଠି ଦେଖୁଛି ।

 

ଏ ପୀଡ଼ନ ଓ ବ୍ୟର୍ଥତା ମତେ ଆଘାତ ଦେଇଛି; ତେଣୁ ମୋର ନିମନ୍ତ୍ରଣରେ ଏତେ କାକୁତି ଥିଲା ।

 

ଆପଣ ବୁଝିଲେ ନାହିଁ । ଅଳକାର କଣ୍ଠ ଆହୁରି ମୋହମୟ ଓ ଅଶ୍ରୁସିକ୍ତ ଶୁଣାଗଲା...

 

ଆସନ୍ତୁ, ଥରେ ଦେଖିଯାନ୍ତୁ ମୋ ପାଖ ସିଟ୍‌ ଏବେ ବି ଖାଲି–ଶୂନ୍ୟ–ସେଠି ଅଜୟର ସାହସ ଅଛି ସେ ବସିବ ? ଆଗରେ ଚିରାଚରିତ ପଦ୍ଧତିରେ ସିନେମା ନାୟକ ତା’ର ନାୟିକା ଆଗରେ ପ୍ରେମ ନିବେଦନ କରୁଛି । କେଉଁଠି ଜାଣନ୍ତି ? ନଦୀ ଧାର, ଭଗ୍ନ ଦେଉଳ, ପ୍ରପାତ ତୀର ଓ ଆମ୍ରକୁଞ୍ଜ ଭିତରେ ସେମାନେ ଟଣାଓଟରା ହେଉଛନ୍ତି ?

 

ହା ରେ ଦୈବ ? ଏ କ’ଣ ପ୍ରେମ ? ଏ ଦଉଡ଼ା ଦଉଡ଼ିରେ କ୍ଳାନ୍ତି ଆସେ, ପ୍ରେମ ଜନ୍ମେ ନାହିଁ କି ତାହାର ବିସ୍ତାର ନାହିଁ ।

 

ଆପଣ ଜୀବନରେ କ୍ଷତ, ବିକ୍ଷତ, ଖୁବ୍‌ ଛୁଟା ଛୁଟି କରିଛନ୍ତି–ଛାଡ଼ନ୍ତୁ, ପାଖ ସିଟ୍‌ଟା ଏବେ ବି ବିରହବିଧୂର । ଅଜୟ ସେପଟେ ବସିଛି । ମୋ ପାଖକୁ ଆସିବାକୁ ତା’ର ସ୍ପୃହା । କିନ୍ତୁ ମୁଁ ସହଜରେ ଛାଡ଼ୁ ନାହିଁ ।

 

ସେ ମୁହଁ ବଢ଼ାଇ କ’ଣ ଗୁଡ଼ାଏ କହୁଛି । ବୋଧହୁଏ ସିନେମା ନାୟକର ଉତ୍ତାପରୁ ଗୁଡ଼ାଏ ମାଗି ଆଣିଲା । ଅଥଚ ନିରୁତ୍ତାପ ଆପଣ ସହଜରେ ଅନ୍ୟକୁ ଉତ୍ତାପ ଦିଅନ୍ତି । ଆସିଲେ ନାହିଁ ? ଶେଷରେ ଆସିଲେ ନାହିଁ ? ସିଟ୍‌ ଏ ପର୍ଯ୍ୟନ୍ତ ଖାଲି–ଆସିଲେ ନାହିଁ ।

 

–‘ଏ ରିକ୍‌ସା ରଖ’

 

ମୋ ନିଜ କଣ୍ଠ ମୋତେ ଅଚିହ୍ନା ଲାଗିଲା । କହିଲି ଚଲା, ‘ରଙ୍ଗ-ତୂରି’ ସିନେମା ହଲକୁ–

 

ନିଝୁମ ହୋଇଯାଇଛି ସିନେମା ହଲ । ବାହାରେ ଦର୍ଶକ ନାହାନ୍ତି । ସମସ୍ତେ ଭିତରେ । ଦ୍ୱାରରକ୍ଷକ ଗୁଡ଼ିଏ ଦ୍ୱାର ପାଖରେ ରୁଣ୍ଡ ହୋଇଛନ୍ତି ।

 

ମୁଁ ବିନା ଟିକଟରେ ସବୁ ଶ୍ରେଣୀକୁ ଉଁକି ମାରିଲି । ଖାଲି ସିଟ୍‌ କାହିଁ ? ଅସ୍ପଷ୍ଟ ଆଲୋକରେ କିଛି ଦିଶୁ ନଥାଏ । ଖୋଳରୁ ଚଷମା ଫିଟାଇ ଆଖିରେ ଦେଲି । କିନ୍ତୁ ଖାଲି ସିଟ୍‌ କାହିଁ ?

 

ଅଗଣିତ ଜନସମୁଦ୍ର । ତା’ ଭିତରେ ଅଳକା ଆଉ ଅଜୟ କେଉଁଠି ?

 

ମୋର ଉତ୍କଣ୍ଠ ବୁଲାବୁଲିରେ ସିନେମା ଟିକେଟରେ କଳାବଜାରୀ କରୁଥିବା କେତୁଟା ଗୁଣ୍ଡା ପ୍ରକୃତି ଲୋକ ମୋ ଆଡ଼କୁ ମୁଲାୟମ ଆଖି ଢାଳି ଚାହିଁଲେ–

 

–ଆପଣ କାହାକୁ ଖୋଜୁଛନ୍ତି ? ଜଣେ କହିଲା–

 

–ଉଁ ।

 

–ଚୋରାରେ ଟିକଟ ନେବେ ? ମୋଟେ ଚାରିଅଣା ପଇସା ବେଶି ପଡ଼ିବ । କେଉଁ କ୍ଳାସରେ ବସିବେ ?

 

ମୁଁ ମୁହଁ ଫେରାଇ ଚାଲି ଆସିବାକୁ ବସିଲି–

 

ଆଉ ଜଣେ କାନ ପାଖରେ କହିଲା–ଫେରିଯିବେ କାହିଁକି ? ସିଟ୍‌ ଅଛି, କେବଳ ଚାରିଅଣା ପଇସା ତଫାତ୍‌ । ଭଲ ଛବି ।

 

ମୁଁ ଭାବିଲି ଅଜୟ ଆଉ ଅଳକା ଉପର କ୍ଳାସର ଟିକଟ କାଟିଥିବେ, ବୋଧହୁଏ ବାଲ୍‌କନି । ସେଠି ଚେଷ୍ଟା କରେ–

 

ଉପରକୁ ଉଠିଲି–ସିଡ଼ିର ମୋଡ଼ ଘୂରି ଉଠି ଆସିଲି ଉପର ବାଲକନିକୁ । ଗେଟ୍‌ର ଲୋକ ମୋ ପଛେ ପଛେ ଆସିଲା । ଏତେ ବିଳମ୍ୱରେ ଏଭଳି ଦର୍ଶକ ସିନେମାକୁ ଆସିବା ବୋଧହୁଏ ତା’ ଜୀବନରେ ପ୍ରଥମ ସେ ଦେଖିଲା ।

 

ମୁଁ ଚଷମାର କାଚତଳେ ଆଖି ଦୁଇଟାକୁ ବଡ଼ ବଡ଼ କରି ଚାହିଁଗଲି । ନାରୀ ପୁରୁଷ ... ନାରୀ ... ପୁରୁଷ, ପରୁଷ ନାରୀ...

 

ସାର୍‌ !

 

ଏଇ ଯେ ଅଜୟ ।

 

ଆସନ୍ତୁ ସାର୍‌ ।

 

ଛୁଟି ଆସିଲା ସିଟ୍‌ ଛାଡ଼ି ଅଜୟ ଏଇ ତରୁଣ । ଅଳକା ମୁଖ ଭାର କରି ବସି ରହିବାର ଦେଖିଲି ।

 

କିନ୍ତୁ ସିଟ୍‌ କାହିଁ ? ଖାଲି ସିଟ୍‌ କାହିଁ ? ଅଜୟ କହିଲା, ଆପଣ ଯାଆନ୍ତୁ ମୋରି ସିଟ୍‌ରେ ବସିବେ । ଅଳକା ପାଖରେ–ସେଇ ଅଳକା ବସିଛି । ଆପଣ ଏତେ ଡେରି କଲେ ? ହଉ ଯାଆନ୍ତୁ-। ମୁଁ ମେସ୍‌କୁ ଯାଉଛି, ନା, ନା, ଦୁଃଖ କରିବେ ନାହିଁ । ମୁଁ କାଲି ଆସି ବାକିତକ ଦେଖିନେବି-। ଏ ଛବି ବହୁତ ଦିନ ରହିବ–

 

ଅଜୟ ମୁହଁକୁ ତଳକୁ କରି ମୋ ପାଖ ଦେଇ ଦଉଡ଼ି ଚାଲିଗଲା । ମୁଁ ଧୀରେ ସେଇ ଶୂନ୍ୟ ସିଟ୍‌କୁ ଉଠି ଆସିଲି ।

 

ଗେଟ୍‌ ରକ୍ଷକ ସମ୍ୱାଦ ଦେଲା–ପାଖ ସିଟ୍‌ ଖାଲି ଥିଲା, ସେମାନେ ବିକ୍ରି କରିଦେଲେ–

 

ମୁଁ–‘‘ଓଃ’’ କହି ସିଟ୍‌ ଉପରେ ବସିଲି ।

 

ଠିକ୍‌ ସେହି ସମୟରେ ଏକ ଜଳାଶୟ ଭିତରେ ନାୟିକା ବୁଡ଼ିଯାଇ ଉଠି ଭାସିଆସୁଥିଲା ତୀର ଉପରେ ଛିଡ଼ା ହୋଇଥିବା ନାୟକ ଆଡ଼କୁ ଗୀତ ଗାଇ ଗାଇ–

 

ଅଳକା ପାଖ ସିଟ୍‌ରେ ମୁଁ । ନିଜକୁ ବିଜିତ ମନେକଲି ।

 

ଅଳକା ଗମ୍ଭୀର ଥିଲା । କହିଲା–ଏତେ ଡେରି କଲେ ? କିଏ ଆପଣଙ୍କୁ ଅଟକାଇଲା ?

 

ମୁଁ ଏ ପ୍ରଶ୍ନର ଉତ୍ତର ନ ଦେଇ ପଚାରିଲି–

 

ଅଜୟ ଗଲା କୁଆଡ଼େ ?

 

-ସେ ମେସ୍‌କୁ ଚାଲି ଯାଇଥିବେ ।

 

–ଓଃ

 

ପନ୍ଦର ମିନିଟ ନୀରବରେ କଟିଗଲା ମୁଁ କହିଲି–

 

–ମୋର ଅନ୍ୟାୟ ହେଲା ।

 

–କିପରି ?

 

–ଅଜୟକୁ ଆସନଚ୍ୟୁତ କରି...

 

–ନା ନା ସେପରି କିଛି ନୁହେଁ ।

 

–ବରଂ ମୋର ଆଉ ଆସିବାର ଉଚିତ ନଥିଲା ।

 

–ନା, ନା, ସେମିତି କିଛି ନୁହେଁ, ଛବି ଦେଖନ୍ତୁ–

 

–ଓଃ...

 

କିଛି ସମୟ ପରେ ପଚାରିଲି–

 

–ମୁଁ ପାଖରେ ବସିବାରୁ ବୋଧହୁଏ ଭଲ ଲାଗୁନାହିଁ...

 

-ନା, ନା, ସେପରି କିଛି ନୁହେଁ ଆପଣ ଛବି ଦେଖନ୍ତୁ...

 

–ଓ, ହଁ–

 

ବଡ଼ ଅସ୍ୱସ୍ତି ଲାଗିଲା–ପଙ୍ଖା ପବନ ଅତି ଗରମ ବୋଧ ହେଉଥାଏ । ଏ ଛବିଟା କଅଣ ଶୀଘ୍ର ସରିବ ନାହିଁ ? ମଲା ଯାଃ, ଇଣ୍ଟରଭାଲ୍‌ ହୋଇ ନାହିଁ ଯେ...

 

ଅଳକାକୁ ଆଡ଼ଆଖିରେ ଚାହିଁଲି । ତା’ର ନେତ୍ର ତୀରରେ ଆଜି ମୋଟା କଜଳଗାର ଦେଖିଲି । ନୀଳ ବକ୍ଷବାସ, ନୀଳଶାଢ଼ି, ମୁହଁଟି ପୂର୍ଣ୍ଣତମ ଚନ୍ଦ୍ରୋଦୟ ଭଳି ଝର ଝର କରୁଛି–

 

ମୁହଁ ବୁଲାଇ ପଚାରିଲି–ଅଜୟ ବଡ଼ ମନ ଦୁଃଖରେ ଯାଇଥିବ । କେବଳ ସୌଜନ୍ୟ ଦେଖାଇ ସେ ମତେ ସିଟ୍‌ ଦେଇ ଚାଲିଗଲା ।

 

-ନା, ନା, ସେପରି କିଛି ନାହିଁ । ତା’ ଛଡ଼ା ପୁଅ ପିଲା କେତେ ଥର ସିନେମା ଦେଖିବାକୁ ଆସିବେ, ଆମ କଥା ଅଲଗା, ଥରକର ସୁବିଧା ସବୁବେଳେ ମିଳେନି–ଛବି ଦେଖନ୍ତୁ–

 

–ଓଃ, ହଁ

 

ଇଙ୍ଗିତଟା ବୁଝିଲି । ଆମ ଟୁପ୍‌ଟାପ୍‌ କଥାବାର୍ତ୍ତାକୁ ରସିକ ଦର୍ଶକ କେହି କେହି ବୋଧହୁଏ ବୁଝିଲେ ଭିନ୍ନ ପ୍ରକାର...ମୁଁ ଦେଖିଲି କେହି କେହି ଖସ୍‌ଖାସ୍‌ ହେଉଥିଲେ ।

 

ଫାଶୀଖୁଣ୍ଟରେ ନାୟକ । ଏତେ ଶୀଘ୍ର ଏମିତି କାରଣ ଘଟିଗଲା ଛବିରେ ? ମୁଁ ତ ଗଳ୍ପଟାକୁ ଅନୁସରଣ କରିବାରେ ଅଯତ୍ନ କରିଛି ବୋଲି ମନେ ହେଉ ନାହିଁ ।

 

ତା’ପରେ ଫାଶୀଖୁଣ୍ଟକୁ ନାୟକ ଯାଉ ଯାଉ ଆସିଗଲା ଇଣ୍ଟରଭାଲ୍‌, ରକ୍ଷା !!!

 

ନାରୀମାନେ ବସନ ସମ୍ଭାଳିଲେ । ପୁରୁଷମାନେ ସିଧା ବସିଲେ । ଆଲୋକମାଳା ଜଳିବା ପୂର୍ବରୁ ମୁଁ ବାଲ୍‌କନି ଛାଡ଼ି ଦଉଡ଼ି ଆସିଲି ବାହାରକୁ...

 

ବାହାରେ ଜନଗହଳି । କେହି ପରିଚିତ ବନ୍ଧୁ ପଚାରିଲେ–କେମିତି ଲାଗୁଛି ଆପଣଙ୍କୁ ?

 

–ଛବି ?

 

–ହଁ ଛବି, ବେଶ୍‌ ରୋମାଣ୍ଟିକ ଆଉ କରୁଣ ନୁହେଁ କି ?

 

ମୁଁ କହିଲି–ହଁ ହଁ ।

 

ନା, ନା, ସେପରି କିଛି ନୁହେଁ, ଛବି ଦେଖନ୍ତୁ...

 

ଭଦ୍ରଲୋକ ମୋ କଥାରେ ବିସ୍ମିତ ହୋଇ ମତେ କଟାକ୍ଷ ଢାଳି ଚାଲିଗଲେ ।

 

ଛବି ଦେଖନ୍ତୁ...ଛବି ଦେଖନ୍ତୁ । ଏ କଥା ଅଳକାନନ୍ଦାର ମୋ ପ୍ରତି ପ୍ରତିକ୍ରିୟା । ସେ ମୋ ସାଙ୍ଗରେ ମୋ ପାଖରେ ବସି ଏଇ କେତୋଟି ମାତ୍ର କଥା କହିଛି ।

 

ସ୍ଥିର କଲି ଇଣ୍ଟରଭାଲ୍‌ ପରେ ତାକୁ ସହଜ ଭାବରେ ସରସ କଥା କହି ତା’ର ଗାମ୍ଭୀର୍ଯ୍ୟକୁ ଭାଙ୍ଗିବି । ମୋର ଦୋଷ ସ୍ୱୀକାର କରିନେବି । ତା’ ଛଡ଼ା ସେ ଯାହା ଚାହୁଁଛି ସେ ଭୁଲିବାରେ କେତୋଟି ମୁହୂର୍ତ୍ତ–ମୁଁ ଅଭିନୟ କରିବି ।

 

ସାର୍‌

 

ଆରେ ଅଜୟ...

 

ତମେ ଯାଇନାହଁ ?

 

ନାଇଁ ସାର୍‌

 

ଓହୋ–

 

ଅଜୟ ବିଷଣ୍ଣ ବଦନରେ ମତେ କହିଲା–ସାର୍‌ ଆସନ୍ତୁ ମୋ ସିଟ୍‌ ମୁଁ ଦେଖାଇଦେବି । ମୁଁ ଗୋଟାଏ ସିଟ୍‌ ପାଇଗଲି–ଥାର୍ଡ କ୍ଳାସରେ । ହଉ ଥାର୍ଡକ୍ଳାସ ପଛକେ ମୁଁ ଭାବିଲି ବାକିତକ ଛବି ଦେଖିନେବି...

 

ମୁଁ ଉତ୍ତର ଦେଲି–ବେଶ୍‍ କଲ ।

 

ଅଜୟ ଡାକିଲା–ସାର୍‌ ଆସନ୍ତୁ, ମୋ ସିଟ୍‍ଟା ମୁଁ ଦେଖାଇ ଦେବି...

 

ମୁଁ ଏ କଥାର ଅର୍ଥ କିଛି ବୁଝିପାରିଲି ନାହିଁ ।

 

ଆସନ୍ତୁ ସାର୍‌, ଇଣ୍ଟରଭାଲ ଶେଷ ହୋଇଯିବା ଉପରେ...

 

ମୁଁ ସବୁକଥା ବୁଝିଗଲି । ମୋର ବୟସ, ମୋର ଅସ୍ତଗାମୀ ମନ, ମୋର ଅତଳ ବେଦନାବୋଧ ମତେ ଜଣାଇଗଲା ଯେ ମୋର ଏହାହିଁ ପ୍ରାପ୍ୟ ।

 

ସେ ପ୍ରାପ୍ୟକୁ ମୁଁ ନତଶିରେ ଗ୍ରହଣ କରି ଚାଲିଲି ଅଜୟର ଆସନ ଆଡ଼େ ।

 

ସିଟ୍‌ ଏକାବେଳକେ କଣରେ–ତା’ ପାଖକୁ ଏକଜିଟ୍‌ ଦୁଆର...ରକ୍ତ ବର୍ଣ୍ଣରେ ରଙ୍ଗିତ ତିନୋଟି ଅକ୍ଷର ଏ...ଗଜି...ଟ୍‌... । ଫ୍ୟାନ ନାହିଁ ଉପରେ । ମୋର ସାଥି ଦର୍ଶକ ମାନେ ରିକ୍‌ସାବାଲା, କଚୁଆନ, ଖିଲିପାନ ଦୋକାନି, ଛୋଟ ଯବନ ହୋଟେଲର ପାଚକ, ବାବୁଙ୍କ ପୁଝାରୀ, ଏମାନଙ୍କର କ୍ଷଣିକ ଆନନ୍ଦ, ଭୋଜ୍ୟରସିକା ବାରାଙ୍ଗନା...

 

ଏକଜିଟ୍‌–ବାହାରିବା ରାସ୍ତା–ଛବି ଆରମ୍ଭ ହୋଇଯାଇଛି । ରକ୍ତ ବର୍ଣ୍ଣର ଉଜ୍ଜ୍ୱଳ ରେଖା–

 

ବାହାରିବାର ରାସ୍ତା...

 

ମୋ ଜୀବନର ବାହାରିବା ରାସ୍ତାକୁ ମୁଁ ଶ୍ରୀମାନ ଅଜୟ ଓ ଶ୍ରୀମିତୀ ଅଳକାନନ୍ଦାର ଅଶେଷ କୃପାରୁ ଆବିଷ୍କାର କଲି...

 

ବାଲକୁନି ଉପରକୁ ଅନାଇଲି । କିଛି ଦିଶିଲା ନାହିଁ । କାହିଁ ବାଲକୁନି ଆଉ କାହି ଛାରପୋକମଣ୍ଡିତ କାଷ୍ଠାସନ, ଭାବିଲ–

ଏତେବେଳେ ଅଳକା ପାଖରେ ବସି ଅଜୟ କ’ଣ କରୁଥିବ ? କ’ଣ କହୁଥିବ ?

କହୁଥିବ–ତୋ ସାର୍‌, ମଣିଷ ହୃଦୟର କଥା କିଛି ଜାଣନ୍ତି ନାହିଁ । ମନସ୍ତତ୍ତ୍ୱ ବିଷୟରେ ନିହାତି ଅଜ୍ଞ । ଦେଖିଲୁ ପ୍ରେୟସୀ ! କିପରି ଖେଳ ଖେଳିଲି ? କିପରି ବାଜିମାତ୍‌ ହୋଇଗଲା ?

ଏକ୍‌ଜିଟ୍‌–ହଁ ବାହାରକୁ ଯିବାର ରାସ୍ତା–ରକ୍ତବର୍ଣ୍ଣରେ ଉଜ୍ଜ୍ୱଳ ରେଖା–

ଆରେ ବାଃ–ନାୟକ ଫାଶୀଖୁଣ୍ଟରୁ ଉଦ୍ଧାର ପାଇ ନାୟିକାକୁ ଆଲିଙ୍ଗନ କରୁଛି ? ଡ୍ରାମାଟିକ୍‌...ଚାରିଆଡ଼େ କରତାଳି–ଉଚ୍ଛ୍ୱସିତ ହସ ଓ ବାଃ...ବାଃ...

ମୋର ପରମ ଶ୍ରଦ୍ଧାର ସେଇ ବାହାରକୁ ଯିବା ରାସ୍ତାଟି ମତେ ଘନ ଘନ ହୋଇ ଦେଖାଗଲା । ମତେ ତାହା ଯେପରି କହୁଥାଏ–

ଆଉ କାହିଁକି ? ଏବେ ବାହାରି ଆସନ୍ତୁ–ଜୀବନର ଉତ୍ସବ ଆପଣଙ୍କ ପାଇଁ ନୁହେଁ, ଅଳକାନନ୍ଦାର ଅନ୍ତର ଆପଣଙ୍କ ପାଇଁ ସଜ୍ଜିତ ନୁହେଁ ।

ବାହାରିଯିବା ହିଁ ଆପଣଙ୍କର ଧର୍ମ । ଏଇ ବାହାରକୁ ରାସ୍ତା ପଡ଼ିଛି । ଛବି ଚାଲିଛି, କେହି ବିଚଳିତ ହେବେ ନାହିଁ । ଆପଣ ଆବେଗବିହୀନ ଭାବରେ ବାହାରକୁ ବାହାରି ଆସନ୍ତୁ । ତା’ଛଡ଼ା ସିଟ୍‌ରୁ ଉଠିଲେ ତ ପାଇବେ ବାହାରକୁ ଯିବା ଦ୍ୱାର...ଆସନ୍ତୁ...ଉଠି ଆସନ୍ତୁ.....

 

ମୁଁ ଧୀରେ ଅତି ସନ୍ତର୍ପଣରେ ରିକ୍‌ସା ଚାଳକ, ପାନବାଲା, ମେହେନ୍ତ୍ରାଣୀ ଯୁବତୀ, ବାରାଙ୍ଗନାମାନଙ୍କୁ ପଛରେ ପକାଇ ‘ବାହାରିବା ରାସ୍ତା’ ଦେଇ ବାହାରିଆସିଲି ।

 

ଆସିଲାବେଳେ ଆଖି ଦୁଇଟି ବୁଲି ଆସିଲା ବାଲ୍‌କନି ଆଡ଼େ ... କିନ୍ତୁ କେଡ଼େ ବଡ଼ ସେ ବାଲ୍‌କନି, କେତେ ଆରାମ...କେତେ ସୁଖ... !!!

 

ଶକ୍ତ ଭୂଇଁ ଉପରେ ଗୋଡ଼ ଦେଲି । କିନ୍ତୁ ସେ ଭୂଇଁ ଶକ୍ତ ନଥିଲା ।

 

ୟା’ ଭିତରେ ଅସରାଏ ବର୍ଷା ହୋଇଯାଇଛି । କାଦୁଅ ପଙ୍କ–ଘୃଣିତ ଜଳଧାରାରେ ମୁଁ ଗୋଡ଼ ଦେଲି–

 

ବର୍ଷା ହେଉଥାଏ...ମୋର ଜୀର୍ଣ୍ଣଶୀର୍ଣ୍ଣ ହୃଦୟରୁ ବାହାର ବର୍ଷାର ଦମକାଏ ପାଣିଦିଆ ପବନ ସହିତ ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସିଲା । ମୁଁ ଯେପରି ଅନୁଭବ କଲି । ଅୟୁତ କୋଟି; ଯୁଗରୁ ମୁଁ କ୍ଳାନ୍ତ–ମୁଁ ପରିଶ୍ରାନ୍ତ–ମୁଁ ବ୍ୟର୍ଥ......

Image

 

ମଙ୍ଗଳ ଆଲୋକ

 

ରୁଦ୍ରାକ୍ଷମାଳାକୁ ଦୁଇ ଥର ମୁଣ୍ଡରେ ଛୁଆଁଇ ଭଗବାନଙ୍କୁ ଶେଷ ପ୍ରଣତି ଜଣାଇ ସଦାଶିବ କୋଥଳିରେ ମାଳାଟାକୁ ଯତ୍ନର ସହିତ ରଖିଲେ । ଦୁଇ ଆଣ୍ଠୁ ଭୂମିସଂଲଗ୍ନ କରାଇ ଅଦୃଶ୍ୟ ଶକ୍ତିକୁ ମୁଣ୍ଡିଆ ମାରିଲେ ।

 

ଦିନାନ୍ତର ମଙ୍ଗଳ-ଲୋହିତ ସ୍ରୋତ ସେତେବେଳେ ଦିଗ୍‌ପ୍ରାଙ୍ଗଣରେ ଝରିପଡ଼ୁଥାଏ । ବିଭୁକଲ୍ୟାଣ ପାଇଁ କେତେ ପ୍ରାଣୀଙ୍କର ପ୍ରଣତ ପ୍ରାର୍ଥନା ସନ୍ଧ୍ୟାର ଶାନ୍ତସ୍ନିଗ୍‌ଧ ପରିବେଶରେ ପରିସ୍ଫୁରିତ ହୋଇଯାଉଥାଏ ।

 

ଗୋଟିଏ ଦିବସର ଅବସାନ ପରେ ସ୍ଥିର ନିଶ୍ଚଳ ଭାବରେ ବସିରହି କେତୋଟି ମୁହୂର୍ତ୍ତ ସଦାଶିବ ଆତ୍ମ-ଚିନ୍ତନ କରୁଥିଲେ । ଏହା ତାଙ୍କର ପ୍ରାତ୍ୟହିକ ଅଭ୍ୟାସ । ଗୋଟିଏ ଦରିଦ୍ର ବୃଦ୍ଧ ବ୍ରାହ୍ମଣ–ଯାହାଙ୍କର ଜୀବନ-ପ୍ରଦୀପ ନିର୍ବାପିତ ହୋଇଯିବାର ସମସ୍ତ ଆୟୋଜନ କ୍ଷଣମାତ୍ରକେ ସମ୍ପନ୍ନ ହୋଇଯିବ–ସେହିଭଳି ଏକ ବ୍ରାହ୍ମଣଙ୍କର ଆତ୍ମଚିନ୍ତା ଓ ତାହାକୁ କେନ୍ଦ୍ରକରି ବିଶ୍ୱଚିନ୍ତାର କି ବା ସାର୍ଥକତା ଅଛି ?

 

ସାର୍ଥକ ବା ଅସାର୍ଥକ ବିଷୟ ସେ ଚିନ୍ତାକରୁ ନ ଥିଲେ । ସେ କେବଳ ଭାବୁଥିଲେ ପ୍ରଗତି-ପଥରେ ପୃଥିବୀର ଜନସଙ୍ଘ କିପରି ଗତି କରୁଛି–ନୂତନ ବର୍ତ୍ତମାନ ଓ ନୂତନ ଭବିଷ୍ୟତ ପାଇଁ ତା’ର ପ୍ରାଣସିକ୍ତ ଆୟୋଜନ ଏବଂ ପ୍ରଜ୍ଞା ଓ ବିଚାରରେ ଏ ଦେଶର ଜନନାୟକ କିପରି ତାହାକୁ ବିଶ୍ୱମଣ୍ଡଳ ଭିତରେ ପ୍ରତିଷ୍ଠିତ କରିବାକୁ ଯାଉଛନ୍ତି । ଏସବୁ ସଦାଶିବ ଚକ୍ଷୁ ମୁଦ୍ରିତ କରି ଧ୍ୟାନ କରୁଥିଲେ ।

 

ଶେଷରେ ଗୋଟିଏ ଅଶାନ୍ତ ଓ ବ୍ୟଥାତୁର ଦୀର୍ଘଶ୍ୱାସ ତାଙ୍କର ଜୀର୍ଣ୍ଣବକ୍ଷରୁ ବାହାରିଯାଉଥିଲା । ସେ ବିମର୍ଷ ଦେଖାଯାଉଥିଲେ ।

 

ସଦାଶିବ ଦୁଇଟି କାଳ ଓ ଦୁଇଟି ଜଗତ ସହିତ ନିଜ ଜୀବନକୁ ଉପଲବ୍‌ଧି କରିଥିଲେ । ବୟସ ତାଙ୍କର ଅତି ବେଶି ହେଲେ ବି ଚିନ୍ତା କରିବାର ଶକ୍ତି ତାଙ୍କର ତୀକ୍ଷ୍‌ଣ ରହିଛି । ଶରୀର ଉପରେ କାଳର ଅବକ୍ଷୟ ସ୍ପଷ୍ଟ । ଚକ୍ଷୁ ଜ୍ୟୋତିହୀନ । କର ସ୍ଥିର ରହିପାରୁ ନାହିଁ; ସେଠାରେ ପ୍ରକମ୍ପ ଜାତ ହୋଇଛି । ପାଦ ଧରିତ୍ରୀ ସ୍ପର୍ଶ କରେ, କଷ୍ଟରେ ଚାଳିତ ହୁଏ ।

 

ଯେଉଁ ଦୁଇଟି କାଳ ସହିତ ସେ ଜୀବନର ପଦଧ୍ୱନିକୁ ମିଶାଇ ଆଜି କେଉଁ ଦୁର୍ବାର ପରିଣତିର ପଦ-ସଞ୍ଚାରକୁ ଉତ୍‌କର୍ଣ୍ଣ ହୋଇ ରହିଛନ୍ତି, ସେ ଦୁଇଟି କାଳର ମୂଲ୍ୟବୋଧ, ଆଚାର, ରୀତିନୀତିରେ ଏତେ ପ୍ରଭେଦ ? ଏତେ ବିଭେଦ ?

 

ସେ ଯୁଗରେ ବିଦେଶୀ ଶାସନର ସମସ୍ତ ବିଜାତୀୟ ନିର୍ଦ୍ଦେଶକୁ ରୋମନ୍ଥନ କରି ଲୋକେ ଆଚାର ଓ ସଂସ୍କୃତିର ଭ୍ରଷ୍ଟତା ଦେଖାଇ କେବଳ ବଞ୍ଚିରହିବା ପାଇଁ ଏକ ପ୍ରକାର ଆପୋଷ ମୀମାଂସା କରୁଥିଲେ । ସେ ବଞ୍ଚିବା ଭିତରେ ଶବଦେହର ପାର୍ଶ୍ୱ ଫେରାଇବା ଅବା ଖଣ୍ଡେ ଶିଳାକୁ କେହି ଜଣେ ଏପଟ ସେପଟ କରାଇବାର ବ୍ୟବସ୍ଥା ଥିଲା । କିନ୍ତୁ ଶବ ଶବ, ଶିଳା ଶିଳା । ଅଚେତନ ଜଡ଼ ପଦାର୍ଥ ଭିତରେ ପ୍ରାଣର ମହିମା, ତା’ର ସର୍ବପ୍ରକାର ଗୁଞ୍ଜିତ ସମାରୋହ ନ ଥାଏ ।

 

ସଦାଶିବ ସେତେବେଳେ ଯୁବକ ଥିଲେ । ଶରୀରରେ ଶକ୍ତି ଥିଲା । ହୃଦୟ ଭିତରେ କିଛି କରିପାରିବାର ମୋହ ଥିଲା । କିନ୍ତୁ କେଉଁଠାରେ କିଛି ଶକ୍ତିଦାୟୀ ବୀର୍ଯ୍ୟବାହୀ ଭାବ ସଞ୍ଚାରିତ ହେଉ ନ ଥିଲା । କେଉଁ ଶିଳାଗାତ୍ରରୁ କିଭଳି ଅମୃତଉତ୍ସ କିପରି ଝରି ଆସିବ, ତାହାର ଅପେକ୍ଷାରେ ସମଗ୍ର ଦେଶ ଉନ୍ମୁଖ ହୋଇ ବସି ନ ଥିଲା ।

 

ତେଣୁ ସଦାଶିବଙ୍କର ମର୍ମକୋଷରୁ ମହା ଅତୃପ୍ତିରୁ ଗୋଟାଏ ଝଞ୍ଜା ଉଦ୍‌ଗତ ହୋଇ ଶୂନ୍ୟକୁ ସଞ୍ଚାରି ଯାଉଥିଲା । କିନ୍ତୁ କଅଣ କଲେ, କି ପନ୍ଥା ଧରିଲେ, ତାଙ୍କର ଅତୃପ୍ତ ପ୍ରାଣ ଶାନ୍ତ ହେବ; କିଏ ସେହି କାଣ୍ଡାରୀ, ଯେ ବାତ୍ୟାବିକ୍ଷୁବ୍‌ଧ ତରୀକୁ ନିର୍ଭୟରେ ଘେନିଯାଇ କୂଳରେ ଲଗାଇପାରିବ, ସେକଥା ସେ ଭାବି ବ୍ୟାକୁଳ ହେଉଥିଲେ ।

 

ଆଉ ଏ ଯୁଗ ! ମହାତମିସ୍ରା ଓ ଦୁଃସ୍ୱପ୍ନରୁ ଯେପରି ମଣିଷ ତ୍ରାଣ ପାଇଛି । ଚାରିଆଡ଼େ ଅଗ୍ରଗତିର ଗୁଞ୍ଜନ । ଚାରିଆଡ଼େ କର୍ମସ୍ଫୁରଣ । ଦେଶରୁ ଦାରିଦ୍ର୍ୟ, ରୋଗ, ଅଭାବ, ଅନଟନ ଦୂର କରିବା ପାଇଁ ବହୁ ଯୋଜନା ଓ ବିଚାର ।

 

ବ୍ରାହ୍ମଣଶାସନ ନଡ଼ିଆବଗିଚା ଭିତରୁ ଗୋଟିଏ ଯୁବକ ହାତରେ ହାତକଡ଼ି ଓ ଅଣ୍ଟାରେ ଦଉଡ଼ି ସହିତ ଟାଣି ହୋଇ ଆସିଥିଲା, ପୁରୀର କାରାକକ୍ଷ ଭିତରକୁ । ବର୍ଷଣ ରାତ୍ର । ନିରନ୍ଧ୍ର ଉଦ୍ୟାନ ଭିତରେ କେବଳ ଅଜସ୍ର ଜ୍ୟୋତିରିଙ୍ଗଣ ବ୍ୟତୀତ ଆଉ କିଛି ଆଲୋକ ନ ଥିଲା । ଏ ତ ବାହାରର ଆଲୋକ ଥିଲା । ନଭୋମଣ୍ଡଳ ତଳେ ଦୟନୀୟ କେତେଗୁଡ଼ିଏ ଜ୍ୟୋତିରିଙ୍ଗଣ । ତାଙ୍କର ଆଲୋକ ସ୍ରାବ ଭିତରେ ଯୁବକ ଜ୍ୟୋତିଃ ଦେଖି ନ ଥିଲେ । ଯେ ଜ୍ୟୋତିର୍ମୟ ପୁରୁଷ ତାଙ୍କୁ ଦିବ୍ୟତେଜର ସଙ୍କେତ ଦେଖାଇ ଆଗକୁ ଘେନିଯାଇଥିଲେ, ସେ ପୁରୁଷ ପାଖ ଆଖରେ କେଉଁଠି ନ ଥିଲେ । ତଥାପି ଏକ ମହାଆକର୍ଷଣରେ ବ୍ରାହ୍ମଣ ଶାସନର ଏହି ଯୁବକ ସେଦିନ ଚାଲିଯାଇଥିଲେ କାରାକକ୍ଷକୁ–ଯେଉଁଠି ପ୍ରଥମ ଥର ପାଇଁ ଭଗବଦ୍‌ଗୀତା ପଠନ ସହିତ ଆତ୍ମଚିନ୍ତନ କରିବାକୁ ସେ ଦୀକ୍ଷା ଗ୍ରହଣ କରିଥିଲେ ।

 

ପୁଲିସ ଚିତ୍କାର କଲା–ଏଇ ଲୋକଟାକୁ ଧରିବାପାଇଁ ବଡ଼ କଷ୍ଟ ପାଇବାକୁ ହେଲା । ଲଗାଅ ହ୍ୱିପ୍‌, ଲଗାଅ ଚାବୁକ୍‌...ଆଗ ସର୍ଚ୍ଚ କର ।

 

ଅଣ୍ଟା ଚାରିପଟ ମଳିନ ବସ୍ତ୍ର ଭିତରେ ମୋଡ଼ା ମୋଡ଼ି ହୋଇ ହାତ ଲେଖା ପ୍ରଚାରପତ୍ର ରହିଥିଲା । ପାହାନ୍ତାରେ ସେଗୁଡ଼ିକ ହସ୍ତାନ୍ତରିତ ହୋଇଥାନ୍ତା । ଯାହା ହାତକୁ ଯାଇଥାଆନ୍ତା, ସେ ପଢ଼ିଥାଆନ୍ତା, ଅହିଂସ ରହି ଅସହଯୋଗ ଆନ୍ଦୋଳନରେ ମାତିଉଠ; ପୁଲିସ୍‌ ଧରିବା ବେଳେ ଅହିଂସ ରୁହ, ବିରୋଧ କର ନାହିଁ, କିନ୍ତୁ ଧରାପଡ଼ିବା ପୂର୍ବରୁ ଆନ୍ଦୋଳନର ବାର୍ତ୍ତା ପଠାଅ ।

 

ଘରେ ଘରେ ମୁକ୍ତିର ସମାଚାର ପହଞ୍ଚୁ । ବିଦେଶୀ କବଳରୁ ମୁକ୍ତ ହେବା ପାଇଁ ଜୀବନକୁ ପାଣି ଛଡ଼ାଇ ମୁକ୍ତି-ସଂଗ୍ରାମରେ ଯୋଗଦିଅ ।

 

ଯୁବକ ଉପରେ ଚାବୁକ ବସିଥିଲା । ଶାରୀରିକ ପୀଡ଼ା ଭିତରେ ଯୁବକ ଦେଖିପାରିଥିଲେ ଗୋଟିଏ ତେଜସ୍ୱୀ ଓଡ଼ିଆର ଜ୍ୟୋତିପିହିତ ମୁଖ, ଅଶ୍ରୁ-ସିକ୍ତ ଚକ୍ଷୁଯୁଗଳ ଏବଂ ଗୋଟିଏ ସର୍ବଂସହ ବକ୍ଷରୁ ଝରି ଆସୁଥିବା କେତେଗୁଡ଼ିଏ ବୀର୍ଯ୍ୟବାହୀ ଉଦ୍‌ବେଳ ତରଙ୍ଗ ।

 

ଜେଲ ହାଜତକୁ ଗଲାବେଳେ ଶରଧାବାଲି ଉପରର ସଭାମଞ୍ଚରୁ ସେହି ଓଡ଼ିଆର ବଜ୍ରକଣ୍ଠରୁ ଉଦାତ୍ତ ବାଣୀ ଶୁଣାଯାଇଥିଲା–ଦେଶସେବା ଓ ଜନସେବାରେ ଆତ୍ମୋତ୍ସର୍ଗ କରି ମୁକ୍ତି-ସଂଗ୍ରାମର ସୈନିକ ହୁଅ । ଓଡ଼ିଶାର ଅତୀତ ଗରୀୟାନ୍‌; ତା’ର ବର୍ତ୍ତମାନ ଓ ଭବିଷ୍ୟତକୁ ଆହୁରି ଗରୀୟାନ କର ।

 

ସଦାଶିବ ମଥା ପୋତି ସେଦିନ ଜାତିର ସେହି ନିର୍ଦ୍ଦେଶକୁ ମାନି ନେଇ କାରାଗାରକୁ ଚାଲିଯାଇଥିଲେ ।

 

ସଦାଶିବଙ୍କ ଭଳି ବହୁ ଯୁବକ ସେତେବେଳେ ଜାତୀୟଯଜ୍ଞରେ ହବିଃ ସଦୃଶ ନିଃଶେଷ ହୋଇଯାଇଛନ୍ତି । ଏକ ରୌଦ୍ର ଆହ୍ୱାନ ଏବଂ ତାହା ଯେଉଁ ବକ୍ଷରୁ ଉଦ୍‌ଗତ ହୋଇଥିଲା ସେ ବକ୍ଷ ଉପରେ ଦେଶବାସୀ ଗୋଡ଼ ଦେଇ ଚାଲିଯାଆନ୍ତୁ ବୋଲି ମହାବାଣୀ ପ୍ରଚାରିତ ହୋଇଥିଲା ।

 

ସ୍ୱପ୍ନଭଳି ଏ ସମସ୍ତ କାହାଣୀ ରୂପ ଘେନି ସଦାଶିବଙ୍କର ମନପ୍ରାଣକୁ ଉଦ୍‌ବେଳିତ କରୁଥିଲା । ପ୍ରାୟାନ୍ଧକାରରେ ତିନୋଟି ଅଣନାତି–ତିନିଗୋଟି ସବଳ ବ୍ରାହ୍ମଣ ଶିଶୁ ପଦ୍ମାସନରେ ବସି ବିଭୁପ୍ରାର୍ଥନା, କରୁଥିଲେ । ସେମାନେ ଗାଉଥିଲେ–

 

ଓ ସମସ୍ତେ ସତେତେ ଜଗତ୍କାରଣାୟ....ନମସ୍ତେ ଚିତ୍ତେ ସର୍ବଲୋକାଶ୍ରୟାୟ....

 

ସଦାଶିବ ଆକାଶର ଏକ ପ୍ରାନ୍ତକୁ ଅବଲୋକନ କରିଥିଲେ । ସେହି ପୁରାତନ ଆକାଶ-। ଗ୍ରହନକ୍ଷତ୍ର ଭରା ଏଇ ଶାଶ୍ୱତ ନଭୋମଣ୍ଡଳ କେତେ ରାଜ୍ୟ, କେତେ ରାଜା, କେତେ ସିଦ୍ଧ ସାଧକ ଦେଖିଛି । ଏହାରି ବାରିବାହ ନବ ଆଷାଢ଼ ଆଗମନରେ ଧାରାସ୍ରାବ ଦେଇ ଅଗଣିତ ଅଙ୍କୁର ଉତ୍ପାଦନରେ ଅମୃତୋପମ ହୁଏ । ଏହି ଅଙ୍କୁରରୁ ଉତ୍ପନ୍ନ ହୁଏ ବର୍ଣ୍ଣୋତ୍ସବ ମଣ୍ଡିତ କେତେ କିଶଳୟ । ତାଆରି ଚାରିପଟେ ଫୁଟିପଡ଼େ କେତେ ପୁଷ୍ପ । ପୁଣି ସେହି ପୁଷ୍ପର ଶୋଭା ଓ ସୁରଭି ଦିନେ ମହାକାଳର କୁକ୍ଷି ଭିତରେ ଲୁଚିଯାଏ । ବିଶ୍ୱର ସହସ୍ର ଭଙ୍ଗିମାର ଆୟୋଜନ ଭିତରେ ମୃତ୍ୟୁ ସର୍ବପ୍ରକାର ଅବଲୁପ୍ତି ଘଟାଏ ।

 

କିନ୍ତୁ ରହିଯାଏ କୀର୍ତ୍ତି । ମଣିଷର କୀର୍ତ୍ତି । ସଦାଶିବ ସ୍ମରଣ କଲେ ସେହି ଯୁଗକୁ, ଯେତେବେଳେ ଗୁରୁଙ୍କର ଚାରିପଟେ ଶିଷ୍ୟମାନେ ଉପବେଶନ କରି ତାଙ୍କର ଏଇ ତିନୋଟି ଅଣନାତି ଶିଶୁ ସ୍ତୋତ୍ର ବୋଲିଲା ଭଳି ବ୍ରହ୍ମସ୍ତୁତି ଗାୟନ କରୁଥିଲେ–ହେ ପ୍ରଭୁ ଆମକୁ ବଳ ଦିଅ, ଆମକୁ ବୀର୍ଯ୍ୟ ଦିଅ, ଆମ ପ୍ରାଣରେ ସ୍ନେହ ମମତା ଦିଅ, ପରଦୁଃଖକାତର ଚକ୍ଷୁ ଦେଇ ବିଶ୍ୱଜନର ଦୁଃଖଶୋକକୁ ଉପଲବ୍‌ଧି କରି ଦରିଦ୍ରନାରାୟଣ ସେବାରେ ଆମେ ବ୍ରତୀ ହେଉ ।

 

ଶ୍ୟାମ ଛୁରିଅନା ବକୁଳ ବନ ଭିତରୁ ଭାରତୀୟ ତପୋବନର ଆଚାରନିଷ୍ଠ ବହୁ ଶିଷ୍ୟଙ୍କର କଣ୍ଠରୁ ସେତେବେଳେ ଝରିପଡ଼ୁଥିଲା ଐକ୍ୟର ବନ୍ଦନା । ସେହିଠାରୁ ସମଗ୍ର ଉତ୍କଳକୁ ପ୍ରଭାବିତ କରିବା ପାଇଁ ହୋମଶିଖା ଜଳି ଉଠିଥିଲା । ସ୍ୱାଧୀନତା ଆମର ଜନ୍ମଗତ ଅଧିକାର । ଓଡ଼ିଆଜାତିର ଅତୀତର ଉଦ୍‌ବୋଧନ, କୋଣାର୍କ, ଭୁବନେଶ୍ୱରର ସ୍ଥାପତ୍ୟଭାସ୍କର୍ଯ୍ୟର ବିଶ୍ୱବନ୍ଦିତ ରୂପଛଟା, ଦେଶସେବା, ଜାତିସେବା, ଭାଇ ଭାଇ ଭିତରେ ଅସ୍ପୃଶ୍ୟ କେହି ନାହିଁ–ଏକ ସଂହତି-ରଜ୍ଜୁରେ ସମଗ୍ର ଭାରତୀୟ ଜନତା ଆବଦ୍ଧ–ଏଇ ସବୁ ଚିନ୍ତା, ଏଇ ସବୁ ଭାବନା ଜାତୀୟ ବିଦ୍ୟାଳୟରୁ ସଞ୍ଚାରିତ ହୋଇ ଯୁବକ ଯୁବତୀଙ୍କର ପ୍ରାଣକୁ ଆଲୋଡ଼ିତ କରିଥିଲା ।

 

ଇତିହାସ ପୁନର୍ଲିଖିତ ହେଲା । ଭୂଗୋଳ କେବଳ କେତୁଟା ଜନପଦ ନଦନଦୀର ଉତ୍ପତ୍ତି ବା ଅବଲୁପ୍ତିର କଥା ନୁହେଁ; ସାହିତ୍ୟ କେବଳ ମନୋରଞ୍ଜକ ବିନୋଦନ ବାଣୀବ୍ୟଞ୍ଜନା ମାତ୍ର ରହିଲା ନାହିଁ । ଦର୍ଶନ କେବଳ ଶଙ୍କର, ରାମାନୁଜ, କପିଳ ମହର୍ଷିଙ୍କର ଭାଷ୍ୟରୂପରେ ରହିଲା ନାହିଁ । ସଂସ୍କୃତି କେବଳ କତିପୟ ପୂଜା ପାର୍ବଣ ତଥା ମନ୍ଦିର-ଅଧିଗତ ବ୍ୟବସ୍ଥା ଭିତରେ ଲୀନ ହେଲା ନାହିଁ ।

 

ସର୍ବଜ୍ଞାନ ଓ ଚିନ୍ତାଧାରାରେ ଜାତିର ଜାତିପ୍ରେମ, ବିଶ୍ୱୈକ୍ୟ ଭାବ ଓ ଆତ୍ମୋତ୍ସର୍ଗ ମହାଦର୍ଶନ, ମହାସାହିତ୍ୟ ଓ ମହତ୍‌ ଇତିହାସ ରୂପରେ ଗଣହୃଦୟରେ ସ୍ଥାନ ପାଇଲା ।

 

ସଦାଶିବ ଏସବୁ ଚିନ୍ତା କଲାବେଳେ ଅତିକ୍ରାନ୍ତ କାଳସିନ୍ଧୁ ତରଙ୍ଗ ଉପର ଘନପିନନ୍ଧ କୁଜ୍‌ଝଟିକା ଭିତରେ ଦେଖିପାରୁଥିଲେ ସେଇ ଅନଶ୍ୱର ମହିମାମୟ ବ୍ୟକ୍ତିଟିକୁ–ଯାହାଙ୍କର ବାଣୀ, ଲେଖନ, କର୍ମସାଧନ ମହୋଦଧିର ବିଶାଳତା ଭଳି ଏବେ ବି ବିଶାଳ ରହିଛି ।

 

ଚକ୍ଷୁ ତାଙ୍କର ଅଶ୍ରୁସିକ୍ତ ହେଲା । ସେ ଜାଣନ୍ତି ନାହିଁ, ଏଇ ତିନୋଟି ଶିଶୁ ଯାହାଙ୍କ କଣ୍ଠରେ ଈଶ୍ୱର-ସ୍ତବ ଏତେ ମଧୁର ଓ ସୁଶ୍ରାବ୍ୟ; ସେମାନେ କିଭଳି ମଣିଷ ହେବେ । ଯୁଗ ଅତିବାହିତ ହୋଇଯାଇଛି । ସେ ଯୁଗ ଥିଲା ଧର୍ମର ଯୁଗ, ଈଶ୍ୱର-ବିଶ୍ୱାସର ଯୁଗ, ନୀତିର ଯୁଗ । ଦୁର୍ନୀତି କଲେ ଧର୍ମ ଦଣ୍ଡ ଦେବ, ଆଚାରଭ୍ରଷ୍ଟ ହେଲେ ସମାଜ ଭର୍ତ୍ସନା କରିବ । ଅସଂସ୍କୃତ ହେଲେ ନିଜର ବଂଶଧରମାନେ ବିପନ୍ନ ହେବେ । କିନ୍ତୁ ଆଜି ଯୁଗ ଭିନ୍ନ ହୋଇଛି ।

 

ବଡ଼ବୋହୂ ଚନ୍ଦ୍ରାବତୀ ତୁଳସୀ ମୂଳରେ ପ୍ରଦୀପ ଥୋଇ ସଦାଶିବଙ୍କୁ ଜଣାଇଲେ–ସାନ ବୋହୂର ଦେହ ଭଲ ନାହିଁ, ଔଷଧ ଦିଅନ୍ତୁ ।

 

ସଦାଶିବ ପଚାରିଲେ–କଅଣ ହୋଇଛି ? ଚନ୍ଦ୍ରାବତୀ କହିଲେ ଦେହରେ ତାତି ଭର୍ତ୍ତି, ମୁଣ୍ଡବ୍ୟଥା ।

 

ସଦାଶିବ କହିଲେ–ମାଆ, ଆଖିକୁ ତ ଦିଶୁ ନାହିଁ । ଔଷଧ ନାଁ କହିଦେଉଛି । ତମେ ଦେଇଦିଅ ।

 

ସଦାଶିବ ଆଜୀବନ ହୋମିଓପାଥି ଔଷଧ ପ୍ରୟୋଗ କରି ଆସିଛନ୍ତି । ସେତେବେଳେ ଏତେ ଡାକ୍ତରଖାନା ନ ଥିଲା । ଗାଁରେ ବୈଦ୍ୟ ଥାଆନ୍ତି । ପ୍ରଥମେ ସତ୍ୟବାଦୀ ବିଦ୍ୟାଳୟରେ ହୋମିଓପାଥି ଔଷଧ ପ୍ରୟୋଗ ଶିକ୍ଷା କଲେ ଶିକ୍ଷକମାନେ । ଛାତ୍ରମାନଙ୍କର ଦେହ ଖରାପ ହେଲେ ଏହି ଔଷଧ ଦିଆଯାଉଥିଲା ।

 

କ୍ରମେ ହଇଜା, ଆମାଶୟ, ଜ୍ୱର-ରୋଗରେ ଯେତେବେଳେ ଓଡ଼ିଶାର ପୁରପଲ୍ଲୀର ଲୋକେ ଆକ୍ରାନ୍ତ ହେଲେ, ଜାତୀୟ ବନବିଦ୍ୟାଳୟର ଶିକ୍ଷକ ଓ ଛାତ୍ରମାନେ ଗାଁ ଗାଁ ବୁଲି ଔଷଧ ବିତରଣ କଲେ ।

 

ସଦାଶିବଙ୍କର ମନେପଡ଼େ ବହୁ କାଳରାତ୍ରିର କଥା । ଘନବର୍ଷଣ ଭିତରେ ହଇଜା ରୋଗୀର ପାଖରେ ବସି ସେବା କରି ତା’ର ମଳମୂତ୍ର ପରିଷ୍କାର କରି ଅପାର ସେବାନନ୍ଦରେ ମାତି ଉଠୁଥିଲେ ଛାତ୍ର ଓ ଶିକ୍ଷକବୃନ୍ଦ । ଏସବୁ ସେଇ ଜନନାୟକଙ୍କର ପ୍ରେରଣା, ତାଙ୍କର ନିର୍ଦ୍ଦେଶ ।

 

ନିଜ ଜୀବନକୁ ବିପନ୍ନ କରି ଦରିଦ୍ର ବୁଭୁକ୍ଷିତ ଓଡ଼ିଆର ସେବା କରୁଥିଲେ ନିଜେ ସେହି ମହାନାୟକ । ଆଖିରେ ବାରିଧାରା, ହୃଦୟରେ ପୁଞ୍ଜିଭୂତ ବେଦନା, ସର୍ବମଙ୍ଗଳବିଧାୟକ ଭଗବାନଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ଘେନି ସେ ଉତ୍କଳର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ଘୂରିବୁଲୁଥିଲେ ଜନତାର ସେବା ଉଦ୍ଦେଶ୍ୟରେ । ଆତ୍ମଶୁଦ୍ଧି ପାଇଁ ଶାସ୍ତ୍ରାଲୋଚନା ଓ ଉପବାସ ତାଙ୍କର ନିତ୍ୟ ସହଚର ଥିଲା ।

 

ସଦାଶିବ ଚନ୍ଦ୍ରାବତୀର ଔଷଧ ମାଗିବା କଥା ଶୁଣି ଭାବିବିହ୍ୱଳ ହୋଇ ଅଶ୍ରୁ ବିସର୍ଜନ କଲେ । କରାଳ-ବନ୍ୟା ପରେ ନଦୀର ଦୁଇପଟର ଗ୍ରାମମାନଙ୍କରେ ମୃତ୍ୟୁର ସେ କି ତାଣ୍ଡବ ଲୀଳା-! ମରଣ ଯେପରି ନିଜେ କ୍ଷୁଧିତ । ତାରି ଅଗ୍ନି-ଗର୍ଭରେ ଦରିଦ୍ର ଓଡ଼ିଆ ଭୋଜ୍ୟବସ୍ତୁରେ ପରିଣତ ହେଉଥିଲା ।

 

ସେଇ ତେଜସ୍ୱୀ ମହାପ୍ରାଣ ବ୍ୟକ୍ତିଟି ମୃତ୍ୟୁର ବିକଟ ଲୀଳା ଭିତରେ ଗ୍ରାମ ଗ୍ରାମାଞ୍ଚଳରେ ମୁମୂର୍ଷୁର ନେତ୍ରପ୍ରାନ୍ତରୁ ଲୁହ ପୋଛି ଦେଉଥିଲା । ସଦାଶିବ ପାଖରେ ଛିଡ଼ାହୋଇ ବିଶ୍ୱାତ୍ମା ଏହି ମାନବର କରଣୀ ସନ୍ଦର୍ଶନ କରୁଥିଲେ । ସେ ଏକା ନୁହନ୍ତି, ବହୁ ଶିଷ୍ୟ, ବହୁ ବନ୍ଧୁ ତାଙ୍କର ଏ ମହିମାକୁ ହୃଦୟର ସମସ୍ତ ପ୍ରେମ ଦେଇ ପ୍ରଣତି ଜଣାଇଥିଲେ ।

 

ଆଜି ଓଡ଼ିଆ ହୁଏତ ଗଣ୍ଡିଏ ଖାଇବାକୁ ପାଇଛି, ଦେଶରେ ଶିଳ୍ପସମୃଦ୍ଧି ଘଟୁଛି, ଦେଶ ସ୍ୱାଧୀନ ହୋଇଛି । ଜାତିର ସଂସ୍କୃତିକୁ ଆକ୍ରମଣ କରି ପରମ୍ପରାକୁ ନଷ୍ଟ କରିଦେବା ଭଳି ମନୋବୃତ୍ତି ନାହିଁ କିନ୍ତୁ ଲୋକଚରିତ୍ର ଗଠନରେ ଯେ ଶୀଥିଳତା ଆସିଛି, ଯେ ଭ୍ରାନ୍ତିକର ବାତାବରଣ ଦେଖାଦେଇଛି, ଯୁବକ ଛାତ୍ର ଓ ନାଗରିକର ସାଧାରଣ ଜୀବନରେ ଯେ ବିଶୃଙ୍ଖଳା ଓ ଦେଶପ୍ରୀତିକର ଅଭାବ ଦେଖାଦେଇଛି ତାହା ଚିନ୍ତାକରି ସଦାଶିବ କାକୁସ୍ଥ ହୋଇଯାଇଥିଲେ ।

 

କେତେ କଷ୍ଟ କଷଣ ରକ୍ତ ଲେପନ ପରେ ଏଭଳି ଐକ୍ୟ, ଏଭଳି ସଂହତି ଓ ସ୍ୱାଧୀନତା ଆସିଛି । ଦେଶର ଖାଲି; ଗାତ ଭୂଇଁରେ ସେଇ ଲୋକଟାର ହାଡ଼, ମେଦ, ମାଂସ ପଡ଼ି ଗଳିତ ହୋଇଯାଇଛି–ଆଉ ଦେଶବାସୀ ତାଆରି ଉପରେ ଚାଲିଯାଇ ସ୍ୱର୍ଣ୍ଣପ୍ରଭାତକୁ ଅବଲୋକନ କରନ୍ତୁ–ଏକର ପ୍ରୟାଣ ଓ ଆତ୍ମୋତ୍ସର୍ଗରେ ବହୁର ମଙ୍ଗଳ ହେଉ ... ଏଇ ପ୍ରାର୍ଥନା ଯେଉଁ କଣ୍ଠରୁ ବାହାରିଥିଲା ତାହା ଆଜି ସ୍ତବ୍‌ଧ ହୋଇଯାଇଛି ।

 

ମୃଣ୍ମୟ ରୂପ ବସାଇ ତାଙ୍କରି ଦାୟାଦ ତାଙ୍କୁ ଓ ତାଙ୍କର କୀର୍ତ୍ତିକୁ ଆକରିତ କରୁଛି । ଆଦର୍ଶ ଚାଲିଯାଇଛି, ଆଡ଼ମ୍ୱର ରହିଛି ।

 

ସଦାଶିବ ଧୀରେ ଉଠି ଛିଡ଼ାହେଲେ । କେତେଦିନର କଥା ଆଜି ମନେପଡ଼ିଛି । ବୋହୂ ଆସି ତାଙ୍କର ହାତ ଧରି ଘେନିଗଲେ ।

 

ସଦାଶିବ ଶୋଇଲା ଘର ଭିତରେ ଦେଖିଲେ–ଆଜି ଯେପରି ଟିକିଏ ପରିପାଟୀରେ ବୋହୂ ଛବିଟି ଉପରେ ଚନ୍ଦନ ତିଳକ ଦେଇ ଖଣ୍ଡିଏ ଚମ୍ପାଫୁଲର ମାଳା ଲମ୍ୱେଇ ଦେଇଛି ।

 

ପୁରପଲ୍ଳୀର ବହୁ ଆବାସରେ ଏଇ ଛବିଟିକୁ ଆଜି ଏମିତି ପରିପାଟୀ କରି ଲୋକେ ସଜାଇଥିବେ । ଶ୍ରୀ ଜଗନ୍ନାଥ ଆଜି ନବଯୁବକ । ନବଯୌବନର ଜ୍ୟୋତିରେ ଦେବତା ବି ଆଜି ହସ ହସ ମୁଖ ।

 

କିନ୍ତୁ ତିରୋଧାନର ବହୁବର୍ଷ ପରେ ବି ସେଇ ପ୍ରଶାନ୍ତ ମୁଖମଣ୍ଡଳଟି ବ୍ୟଥାଶୀର୍ଣ୍ଣ । ସଦାଶିବ ଯୋଡ଼ହସ୍ତରେ ଥରି ଥରି ଛିଡ଼ାହେଲେ । ଚନ୍ଦ୍ରାବତୀ ହାତ ଯୋଡ଼ିଲେ ।

 

ଗୃହାଙ୍ଗନ ନିସ୍ତବ୍‌ଧ ।

 

ସଦାଶିବ ପ୍ରାର୍ଥନା କଲେ । ମୁନିଋଷିମୟ ଭାରତରେ ତୁମେ ଥିଲ ବ୍ରହ୍ମର୍ଷି । ଘନ-ତିମିର ଭିତରେ ତୁମେ ଅଜସ୍ର ରଶ୍ମିଧାରୀ ମଙ୍ଗଳ ପ୍ରଦୀପ...ତୁମରି ଆଲୋକରେ ସର୍ବ-ପାପ-ତାପ ଦୂରୀଭୂତ ହେଉ–ଶୁଭ ବୁଦ୍ଧିର ଉଦୟ ହେଉ । ତୁମର ତ୍ୟାଗ ଆଜି ସାର୍ଥକ ରୂପ ଧରିଛି । ତୁମର ଅଶ୍ରୁ ଆଜି ବ୍ୟଥା, ବେଦନା, ହୀନମନ୍ୟତାର ଅଶ୍ରୁ ହୋଇ ନାହିଁ । ଏ ଅଶ୍ରୁ-ତର୍ପଣରେ ଗୋଟାଏ ଜାତି ମୁକ୍ତିସ୍ନାନ କରିଛି ।

 

ତଥାପି ପଥ ଦୁର୍ଜ୍ଞେୟ, ଅଜାନିତ । କାହିଁ କେତେ ବାଟ ଅଛି; ଚାଲିବାକୁ ହେବ । ତୁମର ସହକର୍ମୀ ଆଜି ବଞ୍ଚିଛନ୍ତି । ତୁମକୁ ଯେଉଁମାନେ ଦେଖି ନାହାନ୍ତି, ସେମାନେ ଉତ୍ତର ପୁରୁଷ ଭାବରେ ତୁମ ଉପରେ ଦେବତ୍ୱ ଆରୋପ କରୁଛନ୍ତି ।

 

ତୁମେ କିନ୍ତୁ ମଣିଷ ଥିଲ । ସର୍ବକାଳ ସର୍ବଦେଶ ଊର୍ଦ୍ଧ୍ୱରେ ତୁମେ ଜ୍ୟୋତିଷ୍ମାନ୍‌ ହୋଇ ରହିଛି ।

 

ତୁମର ଆଶୀର୍ବାଦ ଝରିପଡ଼ୁଛି । ଏ ଜାତି ସଂଗ୍ରାମରୁ ଉଠ ମହାଜୀବନ ଗଢ଼ିବାରେ ତତ୍ପର ଅଛି ।

 

ତୁମେ ତା’ର କଣ୍ଠରେ ଓଜଃର ବାଣୀ ଦିଅ, ହୃଦୟରେ କର୍ମପ୍ରଚୋଦନାର ଭାବ ଦିଅ । ମୁଁ ଅସ୍ତମିତ ହୋଇଯିବା ପୂର୍ବରୁ ଏତିକି ପ୍ରାର୍ଥନା କରିଯାଉଛି । ଶାନ୍ତିଃ...ଶାନ୍ତିଃ...ଶାନ୍ତିଃ... ।

Image

 

Unknown

ଉଲଗ୍ନ ରାକା

 

ଜୀବନର ସ୍ୱର ବହୁଛନ୍ଦରେ ବନ୍ଧା । ସେଥିପାଇଁ ଏ ଜୀବନ ଏତେ ବିଚିତ୍ର ! କି ଅପରିସୀମ କ୍ଳାନ୍ତି, ପୁଣି କି ଅଭାବନୀୟ ସ୍ଫୂର୍ତ୍ତି !

 

ଥରେ ଥରେ ମଣିଷ ଜୀବନର ସୁଖ ଦୁଃଖର ଶୋଭାଯାତ୍ରାକୁ ଭାବି ବସିଲେ ଥଳ କୂଳ କିଛି ମିଳେ ନାହିଁ । କେତେ ବର୍ଣ୍ଣୋତ୍ସବରେ ଏଥିର ଚିତ୍ରପଟ ଅଙ୍କାଯାଇଛି । ପୁଣି କେତେ ବିବର୍ଣ୍ଣ ଶବର ପାଣ୍ଡୁରତା ଘେନି ଏହାରି ଉପରେ ବସିଛନ୍ତି କୁତ୍ସିତ ଗୃଧ୍ର ଦଳ ।

 

ଚାରିଆଡ଼େ ଶରଦ ଶ୍ୟାମଳିମା । ଧାନଗଛ ଉପରେ ବହିଯାଉଛି ପବନର ଢେଉ । ମଥା ନତ କରି ସେମାନେ ଧୀରେ ରହିଯାଇ ପୁଣି ଉଠୁଛନ୍ତି । ଏଇ ଉଠା-ପଡ଼ା ରୀତି ଭିତରେ ଖେଳି ଯାଉଛି ଶ୍ୟାମ ତରଙ୍ଗ ।

 

ଆକାଶ ପରିଚ୍ଛନ୍ନ ! ଦିଗ ଦିଗନ୍ତସ୍ୱଚ୍ଛ । ଚାରିଆଡ଼େ ଚାହିଁଦେଲେ ପ୍ରାଣ ପୂରି ଉଠେ । ଆଘ୍ରାଣରେ ଖେଳିଯାଏ ଶରଦର ନୀଳ-ବନ୍ୟା ।

 

ମୁଁ ପଳାୟନ କରୁଥାଏ ଏଇ ସୁଷମା ଭିତରକୁ । ଜୀବନସଂଗ୍ରାମରେ ତିଳ ତିଳ ହୋଇ ଅଶ୍ରୁ ଓ ରକ୍ତ ମୁଁ ଝରାଇଛି । ବିମୁକ୍ତି ପାଇଁ ପ୍ରାଣ ହାହାକାର କରୁଛି । କିନ୍ତୁ କାହିଁ ମୁକ୍ତି ?

 

ସତେଜ ଶୋଭାବନ ଏଇ ଦୃଶ୍ୟପଟ । ନୀଳ ନିର୍ଝର ତଳେ ମଣିଷ ପ୍ରାଣ ଉଦାସ ରାଗିଣୀରେ କାହାକୁ ଯେପରି ସଙ୍ଖୋଳିବାକୁ ଖୋଜି ବୁଲୁଛି । ଚଲାପଥରୁ ଟିକିଏ ଅମଡ଼ା ବାଟର ସ୍ୱାଦପାଇଁ ସେସବୁ ଦେଇଦେବାପାଇଁ ପ୍ରସ୍ତୁତ । ସେଇ ଘର, ସଂସାର । ସଭ୍ୟ ହେବାପାଇଁ ଧରାବନ୍ଧା ଆୟୋଜନ, ଦଶଟା ଲୋକ ସଙ୍ଗେ ଚଳିବାପାଇଁ ଆଗରୁ ଅଲିଖିତ ନିୟମ ପାଳନ–ଏ ସବୁଥିରେ ପ୍ରାଣ ଅତିଷ୍ଠ ହୋଇଉଠୁଛି । ସ୍ତ୍ରୀ ଚାହେଁ କେତେ କଥା, ତା’ର ଦାବୀ ପୂରଣ ପାଇଁ ଅଭିମାନର ଅନ୍ତ ନାହିଁ । ଶିଶୁ ସନ୍ତାନଙ୍କର ଅଧିକାର, ନ ଦେଲେ ସେମାନଙ୍କର ଅଷ୍ଟପ୍ରହରୀ ଚିତ୍‌କାର, ଏପରି କିଏ କେତେ ପ୍ରକାର ଦାବୀ ସାବ୍ୟସ୍ତ କରିବାରେ ଲାଗି ପଡ଼ିଛନ୍ତି ।

 

ବଡ଼ ଅପରିଚ୍ଛନ୍ନ ଜୀବନ । ଗୋଟାଏ ମୁହୂର୍ତ୍ତ ନାହିଁ ନିରୋଳାରେ ବସି ଧ୍ୟାନ କରିବାକୁ । ଧ୍ୟାନର ବସ୍ତୁ କେତେପ୍ରକାର; ଇନ୍ଦ୍ରଧନୁର ରଙ୍ଗ ବୈଭବ ଘେନି ଏମାନଙ୍କର ସୁକୁମାର କଳା ଫୁଟିଉଠେ ।

 

ନାରୀ ଓ ପୁରୁଷ–ସେମାନଙ୍କର କେତେ ପ୍ରାର୍ଥନା, କେତେ ବ୍ୟର୍ଥତା, କେତେ ଆନନ୍ଦ କେତେ ବିଷାଦ–ସବୁର ପ୍ରଦର୍ଶନୀ ଏଇ ଜୀବନର ସ୍ୱରରେ ମୁର୍ଚ୍ଛିତ । ଅଥଚ ଏମାନଙ୍କୁ ଧ୍ୟାନ କରିବାକୁ ସମୟ ନାହିଁ । ଜୀବନର କାନ୍ତି ତୁଟିଯାଉଛି ।

 

ମୁଁ ଏଇସବୁ ଭାବନାରେ ବିହ୍ୱଳ ଥାଏ । ଧରିତ୍ରୀ ଥରାଇ ଗାଡ଼ି ଛୁଟିଥାଏ ଦୁଇପାଖରେ; ନୀଳ ସ୍ରୋତ । ମୋ କୋଠରୀର ମୁଁ ଏକା । ପଳାଇ ଆସିଛି ମୁଁ–ଦୁର୍ଗତ, ଟିକିଏ ଶାନ୍ତି ପାଇବା ପାଇଁ ।

 

ଟ୍ରେନ ଚାଲିଛି । ମନରେ ମୋର ପ୍ରଶାନ୍ତି । ଆଉ କିଛି ନ ହେଲେ ବି ମୋର ଗୋଟାଏ ଗତି ମୁଁ ପାଇପାରିଛି । ଯେ ଅର୍ଥବ ଜୀବନ ମତେ ପଙ୍ଗୁ କରିଦେଇଛି । ତାହାରି ଠାରୁ ଏ ବିମୁକ୍ତି ।

 

ମୋ ଆସନରେ ମୁଁ ବସିଛି । ଭରା ଆଖିରେ ଦେଖିଯାଉଛି ନୀଳ ଧାନକ୍ଷେତ, ଭାଦ୍ରର ଶାନ୍ତ ପରିମଳ । ଅଦୂରେ ଧେନୁପଲ । ମଥା ଉପରେ ଲୁଗା ଗୁଡ଼େଇ ଚାଲିଛି ପାଳକ ।

ଗୋଟିଏ ଛୋଟ ପାହାଡ଼ ପାରିହୋଇ ଟ୍ରେନ ଚାଲିଛି । ଝରଝର କମ୍ପନରେ ମୁଁ ସାମାନ୍ୟ ଥରି ଯାଉଛି । ମନ ଉଡ଼ିଯାଇଛି ଅତୀତର କେତେ ସ୍ମୃତିକୁ । କେତେ ଘଟଣା ଘଟିଯାଇଛି, ତା’ର କାରଣ ଅକାରଣର ସୂତାଖିଅ ମୁଁ ଏଯାଏ ସଜାଡ଼ିପାରୁ ନାହିଁ ।

ମଧୁମତୀ ?

ହଁ ମଧୁମତୀ; ଶ୍ୟାମାଙ୍ଗୀ, ପଲକେ ପଲକେ ତା’ର ଆଖିରୁ ଝରିପଡ଼େ ନିମନ୍ତ୍ରଣର ଜ୍ୟୋତିରେଖା । ଭାବିଥିଲି ସେ ସତକଥା କହିଥିଲା । କେବେ ମତେ ଭୁଲିବ ନାହିଁ । କେଉଁ ଲଗ୍ନରେ କିପରି ଭାବରେ ତା’ ସହିତ ଦେଖା ହୋଇଥିଲା କହି ଲାଭ ନାହିଁ । ତେବେ ସବୁ ସମର୍ପଣ କରିଦେବାର ଭଙ୍ଗୀ ଦେଖାଇ ମତେ ସେ ପ୍ରଲୁବ୍‌ଧ କରିଥିଲା ।

ଆଜି ସେ ଦେଖିଲେ କଥା କୁହେ ନାହିଁ । ତା’ର ସେ ଜ୍ୟୋତି ଆଉ ନାହିଁ । ସେ ଧାଇଁଛି ଅନ୍ୟ ପଥରେ, ବରଣ କରିଛି ଜଣକୁ, ବଡ଼ ନିର୍ଲଜ ବରଣ । ମୋ ପାଖରେ ସେ ସଂଯମ ଦେଖି ସେ ପଛକୁ ଫେରିଲା । ତା’ର ଆଜିର ପ୍ରିୟତମ ପାଖେ ସେତିକିରେ ଅଭାବ ଦେଖି ସେ ମାତିଉଠିଲା ।

ତଥାପି ସେ ବନ୍ଦନୀୟା । ଜୀବନ-ଜାହ୍ନବୀରେ ତା’ର ପୁଷ୍ପଭସାଣ ଥରେ ଅଧେ ମୋ ପ୍ରାଣକୁ ଶ୍ୟାମଳ କରିଥିଲା । ସେ ତୀର୍ଥପଦ୍ମ ଏବେ ବି ସୁବାସିତ ରହିଛି । ଏ ଜୀବନରେ କଅଣ ଯାଏ କଅଣ ଆସେ, ତା’ର ଚିହ୍ନବର୍ଣ୍ଣ ରହେ ନାହିଁ । କିନ୍ତୁ ସ୍ମୃତିର ଚିହ୍ନ ପାଷାଣ ଉପର ଖୋଦିତ ସଙ୍କେତ । ତାହା ଲିଭେ ନାହିଁ । କାଳ ଯେତିକି ତା’ ଉପରେ ଅନ୍ଧାର ଆଲୁଅ ଢାଳେ, ତାହା ସେତିକି ଉଜ୍ଜ୍ୱଳ ରହୁଥାଏ ।

ସବିତା ? ହଁ ସବିତା ଶିକ୍ଷିତା, ରୁଚିସମ୍ପନ୍ନା ସବିତା ଦେବୀ । ଆଭିଜାତ୍ୟ ଓ ପ୍ରକାର ଆକାରରେ ଅତି ସାମାଜିକା । କିନ୍ତୁ ଛନ୍ଦହରା ଏଇ ନାରୀ ମାତ୍ର ଦୁଇଟି ମୁହୂର୍ତ୍ତର ସାନ୍ନିଧ୍ୟରେ ମତେ ପ୍ରାଣ ପ୍ରତିମା କରି ନେଇଥିଲା ।

କାରଣ ?

ଆଃ ପାଗଳ ? କାରଣ ଅକାରଣର ପ୍ରଶ୍ନ ନାହିଁ, ଏ ଯେପରି ପ୍ରବାହିତ ନଦୀର ସ୍ୱାଭାବିକ ଭାବରେ ସାଗର ପ୍ରତି ଜଳ ଉନ୍‌ମୋଚନ । କଥା କହିଥିଲି ଦୁଇ ମୁହୂର୍ତ୍ତ । ଆଖିରୁ ଲୁହ ପୋଛିଦେଇଥିଲି ଗୋଟିଏ ମୁହୂର୍ତ୍ତ । ସେ ମୋର ହାତ ଛୁଇଁ ଶପଥ କରିଥିଲା । ଆଉ ଏକ ମୁହୂର୍ତ୍ତ ଯେ ସେ ମତେ କେବେ ଭୁଲି ନାହିଁ ।

ସେ ଥିଲା ଏଇ ଭଳି ଏକ ସରସ ଶାନ୍ତ ଭାଦ୍ରର ତିଥି । ଦେଖା ହେଲା ଗୋଟିଏ ଉତ୍ସବ-ମୁଖର ସନ୍ଧ୍ୟାରେ । ସର୍ବଦିଗରେ ଆଲୋକମାଳା ଭିତରେ ଏଇ ନାରୀର ହୃଦୟ ଘନ-ତମିସ୍ରାରେ ଆଚ୍ଛନ୍ନ ଥିଲା ବୋଲି ମୋର ମନେ ଥିଲା ।

ଗୋଟିଏ ମାତ୍ର ଲକ୍ଷଣ–ଥରେ ଭ୍ରୂକୁଞ୍ଚନ । ମୋରିଆଡ଼ୁ ମୁଁ ଧରା ଦେଇଥିଲି ଏଇ ନାରୀର ସର୍ବ ବିଭବ ଭିତରେ, ଯେଉଁ ଅଙ୍ଗାର ଖଣ୍ଡିକ କୁତ୍ସିତ କଳା ରୂପରେ ରହିଛି ତାକୁ ବାହାର ବହ୍ନିଦେଇ ସ୍ଫୁଲିଙ୍ଗ ଜାଳିବି ବୋଲି ।

ସେ ଜଳିଥିଲା । ସବିତା ଜଳିଥିଲା, ତା’ର ଦୁଃଖରେ ମୋର ଆଶ୍ୱାସ, ତା’ର ନିସ୍ପ୍ରାଣ ଜୀବନରେ ମୋ ଘେନି ପ୍ରାଣ ସ୍ପନ୍ଦନ, ଉପରକୁ ତା’ର ନାରୀତ୍ୱର ଝଲକ ଭିତରେ ଭିତରର ଶୂନ୍ୟବୋଧକୁ ପରିପୂର୍ଣ୍ଣତାରେ ରୂପାନ୍ତରିତ–ଏସବୁ ମୁଁ କରିଥିଲି ।

ସବିତା କଇଁ କଇଁ କାନ୍ଦିଥିଲା । ମୁଁ ନିଶ୍ଚଳ ଥିଲି । ତା’ର ସ୍ପନ୍ଦନ ବକ୍ଷର ଢେଉ ଭିତରେ ମୁଁ ଦେଖିଥିଲି ଶୂନ୍ୟ-ଚାରିଣୀ ନାରୀର ଖଣ୍ଡେ ତୁଠ-ପଥରର ସନ୍ଧାନ ।

ଏବେ ସେ ସିଧା ଛିଡ଼ାହେବା ଶକ୍ତି ତା’ର ରହିଛି । ଅଭାବ ଥିଲା ପ୍ରେମ, ଅଭାବ ଥିଲା ସମ୍ବେଦନା । ତାକୁ ସବୁ ଦେଇଥିଲି ଏବଂ ମନେ କରିଥିଲି ସେ ରହିଯିବ ମୋ ଜୀବନର ଦିଗନ୍ତ ସ୍ତମ୍ଭ ଯାହାକୁ ଭାର ଦେଇ ମୁଁ ଲେଉଟି ଚାହିଁବି ଅସ୍ତାୟମାନ ସୂର୍ଯ୍ୟର ଭାତିକୁ ।

କିନ୍ତୁ ହେଲା ନାହିଁ । ବହୁ ଜଳପଥ ଉପରେ ସନ୍ତରଣଶୀଳା ଏଇ ନାରୀର ମନକୁ ମୁଁ ଧରିରଖି ପାରିଲି ନାହିଁ । ତଥାପି ନଧରି ରଖିପାରିବାର ଯେ ଅସାର୍ଥକତା ସେଥିରେ ମୋର ଗ୍ଳାନି ନାହିଁ ।

ତା’ର ଅଶ୍ରୁଧାର ବହିଆସିଥିଲା । ସେତେବେଳେ ସେ ଭାବିଥିଲା ଜଗତରେ ମୁଁ ଏକମାତ୍ର ତା’ର ସଖା, ମିତ୍ର ଏବଂ ଚକ୍ଷୁମୁଦ୍ରିତ କରି ବିଶ୍ୱର ସମସ୍ତ ପ୍ରଶାନ୍ତିରୁ ମର୍ମକୋଷ ଭିତରେ ସଞ୍ଚୟ କରି ସେ ମୋରି ଉପରେ ଆଶ୍ରୟ କରି ରହିଯାଇଥିଲା ।

ଘରେ ସ୍ୱାମୀ, ପ୍ରତିଷ୍ଠାବାନ ଓ ଯଶସ୍ୱୀ । ସ୍ୱାମୀର ଆଲୋକରେ ସବିତାର ଉଦ୍‌ଭାସିତ ହେବା କଥା । ମାତ୍ର ସେ ହୋଇପାରୁ ନଥିଲା । ନାରୀ ଯେଉଁ ଅବସର ଟିକକ ସ୍ୱାମୀଠାରୁ ପାଇବାପାଇଁ ଅଳି କରେ, ତାହା ତା’ର ଜୀବନରେ ମିଳୁ ନଥିଲା ।

ନାରୀ ସୋହାଗପୂର୍ଣ୍ଣତମ କଳା । ଏତକ କିଏ ବୁଝେ ? ଟଙ୍କା ପଇସାର କ୍ଷମତାର ଦୁନିଆ ଭିତରେ ସମସ୍ତେ ଧାଇଁଛନ୍ତି । ପୁରୁଷର ପୌରୁଷ ଏତିକିରେ ସୀମିତ, ମାତ୍ର ନାରୀ ମନରେ ଝଙ୍କାର ସୃଷ୍ଟିର ପ୍ରକ୍ରିୟା ଭିନ୍ନ ପ୍ରକାରର ।

 

ଏଇସବୁ ବୁଝେଇଥିଲି ତାକୁ ସେଇ ସନ୍ଧ୍ୟାରେ । ବିଦାୟବେଳେ ମୋ ପଥ-ପୁଷ୍ପ ଉପରେ ସବିତାର ଚରଣ ଏଇଥର କି ବହୁବାର ପଡ଼ିବ ଜାଣିବାକୁ ଚାହିଁଥିଲି ।

 

ସେ ସଲ୍ଲଜ କଣ୍ଠ ବାଣୀରେ ଆଶ୍ୱାସ ଦେଇ କହିଥିଲା–ସେ ଭୁଲିବ ନାହିଁ, ଜୀବନର ସୁରଭି ଯେ ଦେଇପାରିଲା ସେ ବାହାରେ ପରିଚିତ ନହେଲେ ବି ଅନ୍ତରର ବିମୁଗ୍‌ଧ ଭାବାବେଶ ଭିତରେ ତା’ର ସତ୍ତା ରହିଥିବ । ଅରୂପର ମୋହ ରୂପଠାରେ ଥାଏ କି ?

 

ସତ ମଣିଥିଲି । ପ୍ରତ୍ୟେକଟି କଥା ମତେ ବିଚଳିତ କରିଥିଲା । ଭାବିଥିଲି ଏ ଜଗତ ସ୍ୱାଦୁହୀନ କି ବର୍ଣ୍ଣହୀନ ନୁହେଁ ।

 

ସବିତା ମୋ ଠାରୁ ବିଦାୟ ଘେନି ମିଶିଗଲା ରୂପ ଓ ବିଭବଡ଼ୌଲ ଜନତା ସହିତ । ତା’ର ମିଶିବା ଭଙ୍ଗୀ ଦେଖି ମୋ ମନ ଧନୁର୍ଗୁଣ ଆକର୍ଷି ଉଠିଥିଲା । ତାହା ଜଣେଇଥିଲା–‘ଏ ତୋର ନୁହଁ, ଏକାନ୍ତ ତୋର ନୁହଁ’ ।

 

ଆଜି ସବିତା ମତେ ଦେଖିଲେ ମୁହଁ ଫେରାଇ ଚାଲିଯାଏ । ସେ ସନ୍ଧ୍ୟାର ଅଶ୍ରୁଧାର ଚିରକାଳ ପାଇଁ ତା’ର ଶୁଖିଯାଇଛି । ତା’ ଉପରେ ଆଜି ସଭ୍ୟତାର ଚରମ ପ୍ରସାଧନର ପ୍ରଲେପ ଲାଖିଛି । ସେଠାରେ ନାରୀ ରହିଛି, ନାରୀତ୍ୱ ଲୁଚିଯାଇଛି ।

 

ଟ୍ରେନର ଗତି ବଢ଼ିଛି । ମୋ ସ୍ମୃତିର ଗତି ବି ବଢ଼ିଛି । ଏକ ଅପୂର୍ବ ଶିହରଣ ମୋ ଅଙ୍ଗେ ଅଙ୍ଗେ ଝରିଯାଉଥିଲା ।

 

ଆଉ ଚନ୍ଦ୍ରା ? ହସ ମାଡ଼ିଲା । ଏ ନାରୀ ରହସ୍ୟମୟୀ । ମୁଁ ଦିନେ ପଚାରିଥିଲି–‘ଚନ୍ଦ୍ରା, ତୁମର ମୋ ପ୍ରତି ଆକର୍ଷଣର କାରଣ ?’

 

କହି ରଖେଁ, ଚନ୍ଦ୍ରା କିଶୋରୀ, ଏବେ ବିବାହିତା । ଚନ୍ଦ୍ରା ପ୍ରଥମେ କିଛି କହିପାରି ନଥିଲା-। ଏଇ ପ୍ରଶ୍ନଟି ମୁଁ ପ୍ରାୟ ପଚାରିଥାଏ । ଆକର୍ଷଣର ହେତୁ ବିଶ୍ଳେଷିତ ହୋଇ ପାରେନି, ମୁଁ ଜାଣେ; ତଥାପି ପଚାରେ ତାକୁ ଟିକିଏ ବିବ୍ରତ କରିବାପାଇଁ । ଏଇ ବିବ୍ରତ ବୋଧ ଭିତରେ ନାରୀ ମନର ଚିରନ୍ତନ ରହସ୍ୟ ଖେଳିଯାଉଥିବାର ମୁଁ ଲକ୍ଷ୍ୟ କରେ ।

 

ହଁ ମୋ ପ୍ରଶ୍ନର ଉତ୍ତର ଚନ୍ଦ୍ରା ଅନେକ ସମୟ ପରେ ଦେଇଥିଲା ଗୋଟିଏ ଶବ୍ଦରେ–‘ପ୍ରତିଭା’ ।

 

ମୁଁ ଖୁବ୍‌ ହସିଥିଲି, ହସି ହସି ବେଦମ୍‌ ହୋଇଗଲି । ଚନ୍ଦ୍ରାର ମୁହଁ ଶୁଖିଗଲା । ବୋଧହୁଏ ଭାବିଲା ସେ ଗୋଟାଏ ଅଘଟନ କଥା କହି ପକାଇଛି ।

 

ମୁଁ କେତେବେଳକୁ ଶାନ୍ତ ହେଲି । କହିଲି–ପ୍ରତିଭା ! ମୋର ସାଧାରଣ ଜୀବନ ଓ ରୂପ, ପ୍ରବୃତ୍ତି ଓ ବ୍ୟକ୍ତିତ୍ୱ ଊର୍ଦ୍ଧ୍ୱରେ ଯେ ପ୍ରତିଭା ଟିକକ ଅଛି ତା’ର ଉପାସିକା ତୁମେ ?

 

ଚନ୍ଦ୍ରା ଅସ୍ଥିର ହେଲା–କହିଲା ମୁଁ ଆଉ ବିଶେଷ କିଛି କହି ପାରିବି ନାହିଁ । ଆପଣଙ୍କଠାରେ କଅଣ ଗୋଟାଏ ମିଳେ, କଅଣ ଗୋଟାଏ ରହିଛି, ଯାହା ହୃଦୟକୁ ପ୍ରୀତିପୂର୍ଣ୍ଣ କରିଦିଏ । ଏତିକି ସବୁ ।’

 

ଆଜି ଜୀବନର ଅର୍ଦ୍ଧାଧିକ ପଥ ଅତିକ୍ରମ କରି ଭାବୁଛି ଏମାନେ କଅଣ ମୋ ଜୀବନ ସଙ୍ଗେ କେବଳ ଖେଳ ଖେଳି ଚାଲିଗଲେ ? ତାଙ୍କର ଅଲକ୍ତକ ଚରଣ ଚିହ୍ନ କେଉଁଠି ଶାଶ୍ୱତ ଦୀପ୍ତିରେ ମୋ ଜୀବନ ଭୂମିରେ ପଡ଼ିଲା ନାହିଁ ?

 

ଚନ୍ଦ୍ରା ଆଜି ଅର୍ଥ, ଆଭିଜାତ୍ୟରେ ଗରବିଣୀ । ବହୁ ମଧୁପର ଗୁଞ୍ଜନ ଭିତରେ ତା’ର ଅସ୍ତିତ୍ୱ ଆଜି ପୁଷ୍ପମୟ । କେହି ତା’ର ଘରକୁ ଗଲେ ସେ ଦେଖାଇ ଦିଏ ତା’ର ମୂଲ୍ୟବାନ ଚେୟାର ଉପରକୁ, ଆଖିରେ ଚପଳ ନୃତ୍ୟ ଖେଳାଇ ସେ ପଚାରେ–ହାଉ ବିଉଟିଫୁଲ୍‌ ? (କି ସୁନ୍ଦର ?), ଦେଖାଏ ରେଡ଼ିଓ ସେଟକୁ, କହେ ‘ଇଜ୍‌ ନଟ୍‌ ଇଟ୍‌ ଓଣ୍ଡରଫୁଲ ? ଏହା କଅଣ ଅଦ୍ଭୁତ ନୁହେଁ କି ?

 

ଉଠିଲେ ବସିଲେ ଅବିରାମ ତା’ କାନରେ ପଡ଼େ ତା’ ଭଳି ମହୀମଣ୍ଡଳରେ ସୁନ୍ଦରୀ କେହି ନାହାନ୍ତି । ତା’ର ସୁବର୍ଣ୍ଣ କଙ୍କଣ, ବକ୍ଷ, ବାସ ଓ ପାଦ ଜୋତା ଅସହ୍ୟ ।

 

ଏ ନାରୀର ଭ୍ରୂଭଙ୍ଗୀ ମୁଁ ଦେଖିଛି । ଆନତ ତା’ର ଚକ୍ଷୁ ପତା ତଳେ ଦେଖିଥିଲି ଦେଶର ମୋ ଭଳି ଏକ ନଗଣ୍ୟ ଶିଳ୍ପୀ ପ୍ରତି ପ୍ରଣତ ସମ୍ଭାର । ଦେଖିଥିଲି ପ୍ରତିଭା ପ୍ରତି ତା’ର ନମସ୍କାର ଭଙ୍ଗୀ ।

 

ଆଜି ସେ ବିବାହିତା । ସମାଜର ଉପର ସ୍ତରର ଶୋଭିତା ତରୁଣୀମାନଙ୍କର ଲଲାମ-ଭୂତା । ରବିବାର ସକାଳେ ସେ ଯାଏ ପ୍ରସାଧିତ ତନୁକୁ ସମ୍ମୁଜ୍ଜ୍ୱଳ କରି ଇଂରାଜୀ ଛବି ଦେଖିବାପାଇଁ-। ଭାରତୀୟ ଛବି ଦେଖିବାରେ ତା’ର ବିତୃଷ୍ଣା । ଭାରତୀୟ ସଂସ୍କୃତି ପ୍ରତି ତା’ର ବିରୂପ ମନୋଭାବ-

 

ଚନ୍ଦ୍ରା ବଦଳିଛି ଆଉ ଯେପରି ଦଶ ଜଣ ବଦଳିଛନ୍ତି । ତା’ର ପୋତ ଆଜି ବିକ୍ଷିପ୍ତ ବେଗରେ ସମଗ୍ର ସାଗରଟାକୁ ପଇଁତରା ଦେଉଚି । କେଉଁଠି କେଉଁ ଜଳବେଣୀ ଉପରେ ତା’ର ପୋତ ନୀରବ ଗତି କରୁଛି କି ବିଶେଷ ଆନ୍ଦୋଳିତ, ସେ ତାହା ପରୀକ୍ଷା କରୁଛି ।

 

ଆସନ ଉପରେ ସଜାଡ଼ି ହୋଇ ବସିଲା । ବୋଧହୁଏ ଷ୍ଟେସନଟିଏ ଆସିଲା । କଳରବ-। ଆଶ୍ଚର୍ଯ୍ୟ ହେଲି ମୁଁ, ଏକା ଏଇ ଡବାଟିରେ ବସିଛି । ଭଲ ହୋଇଛି । ପୁଣି ମୁହଁ ଫେରାଇ ଚାହିଁଲି ଦୂର ଦିଗନ୍ତକୁ ।

 

–ନମସ୍କାର

 

–ଏଁ

 

–ମୁଁ ଦୀପ୍ତି ।

 

–ଦୀପ୍ତି ?

 

–ହଁ, ଆପଣ ବୋଧହୁଏ ଚିହ୍ନିପାରୁ ନାହାନ୍ତି । ଆଇ. ଏସ୍‌. ସି. କ୍ଳାସରେ ଆପଣଙ୍କ ଛାତ୍ରୀ ଥିଲି । ଜୀବନରେ ଅନେକ ଆଶା ଥିଲା । କ୍ଳାସରେ ଆପଣଙ୍କ ଉଦ୍‌ବୋଧନ ଏବେ ବି ମନେ ଅଛି । କିନ୍ତୁ ସବୁ କୁଆଡ଼େ ଲିଭିଗଲା । ଆପଣ କିମିତି ଅଛନ୍ତି ? ଶୁଣିଲି, ଆପଣ ଗୋଟାଏ ବଡ଼ ଚାକିରି ଛାଡ଼ି ପୁଣି ପୂର୍ବ ଧାରାକୁ ଫେରି ଆସିଛନ୍ତି । ଭଲ ହେଲା । ଏବେ ମତେ ଚିହ୍ନିଲେ ?

 

ଦୀପ୍ତି ? ସେଇ ସଦା ହାସ୍ୟମୟୀ ଦୀପ୍ତି ? କିନ୍ତୁ ତା’ର ଏ ବେଶ କାହିଁକି ? ସମସ୍ତଙ୍କୁ ମୁଁ ଉଦ୍‌ବୋଧନ ଦିଏ । ନିଜର ଅନିୟନ୍ତ୍ରିତ ଜୀବନକୁ ଦୃଷ୍ଟି ନଦେଇ ସମସ୍ତଙ୍କୁ ଉତ୍ସାହିତ କରେ । ବିବେକାନନ୍ଦଙ୍କର ବାଣୀ ବୁଝାଏ । ବେଦ ଉପନିଷଦର ସ୍ତୋତ୍ର କହେ । ନିଜ ଉପରେ ବିଶ୍ୱାସ ରଖି ଚାଲିବାକୁ ଉପଦେଶ ଦିଏ । ଦୀପ୍ତିର ଏ ବେଶ କାହିଁକି ?

 

ମୋ ମନ ଭିତରେ ପଶି ଦୀପ୍ତି ମୋ ହୃଦୟର ଶଙ୍କାକୁଳ ଅବସ୍ଥାକୁ ସହଜ କରି କହିଲା–‘ମୁଁ ବିଭା କରିଥିଲି, ଅଳ୍ପଦିନରେ ସ୍ୱାମୀଙ୍କୁ ହରାଇଲି । ଶାଶୁ ଶଶୁର ଘରୁ ତଡ଼ିଦେଲେ । ଗହଣାଗଣ୍ଠି କିଛି ଦେଲେ ନାହିଁ । ମଫସଲର ଝିଅ । ବାମନ ହୋଇ ଚନ୍ଦ୍ର ଧରିବାକୁ ଚେଷ୍ଟା କରିଥିଲି । ବିଜ୍ଞାନ କ୍ଳାସ ଯାଏ ପଢ଼ି ବିଦ୍ୟାରେ ‘ଇତି’ କଲି । ମୋ ମନରେ ବିବାହ କରିବାକୁ ଯେତେ ପ୍ରବଣତା ନଥିଲା, ବାପା ବୋଉଙ୍କର ତା’ଠାରୁ ବେଶି ଥିଲା । ବହୁତ କଥା ଶୁଣିଲି । ଶେଷରେ ‘ହଁ’ କରି ବିବାହ ହେଲି ।

 

ବୋହୂପଣିଆ କଲି । ପାହାନ୍ତାରୁ ଉଠି ପୋଖରୀରେ ବୁଡ଼ାଟାଏ ଦେଇ ସୂର୍ଯ୍ୟ ବୁଡ଼ିବାଯାଏ ଘରକରଣା କଲି । ରାତିରେ ମଦ୍ୟପ ସ୍ୱାମୀର ସେବା କରୁଥାଏ; କେତେବେଳେ ଉପହାର ମିଳେ ପାଦ ପ୍ରହାର, କେତେବେଳେ ଅସହ୍ୟ ତାଡ଼ନା ।

 

ଦିନେ ସ୍ୱପ୍ନ ଦେଖିଥିଲି ଆଇ. ଏସ୍‌. ସି. ପାଶ କରି ଆଗକୁ ପଢ଼ି ଡାକ୍ତରାଣୀ ହେବି । ଜନତାର ସେବା କରିବି । କିନ୍ତୁ ଜନତାର ଗୋଟିଏ ପ୍ରତିନିଧି ମୋ ସ୍ୱାମୀଙ୍କୁ ସେବା କରୁ କରୁ ମୁଁ ଅଣନିଶ୍ୱାସୀ ହୋଇଗଲି ।

 

ଗାଁର ଟାଉଟର ମୋ ସ୍ୱାମୀ । ସବୁ ଦୁର୍ନୀତିର ଆଧାର । ଧରନ୍ତି ଖଦଡ଼ ଝୁଲା ମୁଣି, ପିନ୍ଧନ୍ତି ଖଦଡ଼ । ଏଇ ପାସ୍‌ପୋର୍ଟରେ ସେ ଦେଖା କରନ୍ତି ଛୋଟ ସାହେବଙ୍କୁ, ଆଉ ମନ୍ତ୍ରୀମାନଙ୍କ ଗହଣ କିବା କଥା ? କିନ୍ତୁ କାହାରି ଭଲ କଲେ ନାହିଁ, ବରଂ ନିଜ ଇଜ୍ଜତ ମୋ ଇଜ୍ଜତ ଦାଣ୍ଡରେ ପକାଇଲେ । ସେସବୁ ବର୍ଣ୍ଣନା କରିବା ଦରକାର ନାହିଁ । ଆପଣ ଶୁଣୁଛନ୍ତି ତ ।

 

ମୋର ସଂଜ୍ଞା ଫେରିଆସିଲା । ବୈଧବ୍ୟର ଆବରଣ ଭିତରେ ଦୀପ୍ତ ଝରାଉଛି ଲାବଣ୍ୟର ଔଜ୍ଜଲ୍ୟ । ବାଛିନେଇଛି ସେ ଏକ କର୍ମକ୍ଷେତ୍ର । ଘରୁ ବାହାରି ଆସିଛି; ସେଥିପାଇଁ କଣ୍ଠରେ ଫୁଟି ପଡ଼ିଛି ସାହସ ଓ ଆଶ୍ୱାସର ଭାଷା । ସେଥିପାଇଁ ସ୍ୱର୍ଗସ୍ଥ ସ୍ୱାମୀର ଦୁର୍ନୀତିକୁ ଜଗତ ସମକ୍ଷରେ ପରିଚିତ କରିବାପାଇଁ ତା’ର ଏତେ ଟିକିଏ ଦ୍ୱିଧା ନାହିଁ ।

ମୁଁ ଅପ୍ରସ୍ତୁତ ହୋଇ କହିଲି–‘ହଁ ଶୁଣୁଛି; କିନ୍ତୁ ତମକୁ ସାନ୍ତ୍ୱନା ଦେବି କଅଣ ? ତମେ କଠିନ ହୋଇପାରିଛ, ଦୃପ୍ତ ହୋଇପାରିଛ, ତମର ପଦକ୍ଷେପରେ ରୌଦ୍ର ଛନ୍ଦ ଶୁଣୁଛି–ଏ ଛନ୍ଦ ଓ ମନସ୍ୱିତା ଯଦି ଶେଷପର୍ଯ୍ୟନ୍ତ ରହେ, ତେବେ ବୁଝିବି ଆଉ ନଅ ଦଶ ଜଣ ଭିତରେ ତମେ ବ୍ୟତିକ୍ରମ, ଆଉ ତୁମେ ତ ଜାଣ ଦୀପ୍ତି ! ପ୍ରତ୍ୟେକଟି ବ୍ୟତିକ୍ରମ ମତେ ଭଲ ଲାଗେ । ସେଠାରେ ପାଏ ମୁଁ ଅମଡ଼ା ବାଟର ବାଟୋଇକୁ । ତା’ର ପଥଚଲାକୁ ମୁଁ ସାବାସ ଜଣାଏ ।

ଦୀପ୍ତି ଉତ୍‌କର୍ଣ୍ଣ ହୋଇ ଶୁଣୁଥାଏ ମୋ କଥା । ପୂର୍ବର ସେଇ ଅଧ୍ୟାପକ ଢଙ୍ଗର ଉଦ୍‌ବୋଧନ ବଚନ । ସୁଶ୍ରୀ ଏଇ ରମଣୀର ଅଙ୍ଗ ଲତିକାରେ ବିଧବାର ବସନ ଜଡ଼ିରହିଥାଏ । ଗୋଟାଏ ସ୍ନିଗ୍‌ଧ ଶୁଭ୍ରତାର ପରିଚ୍ଛାୟମାନ ସ୍ୱପ୍ତି ଦୀପ୍ତିର ବାହାର ଓ ଭିତରେ ସୃଷ୍ଟି କରିଥାଏ ଅନବଦ୍ୟ ରୁଚିତା ।

ଦୀପ୍ତି କହିଲା–‘ଆପଣଙ୍କୁ ଏକାକୀ ଏଇ ଡବା ଭିତରେ ଦେଖି ଉଠିଆସିଲି । ମୋ ପଛରେ ଶତଚକ୍ଷୁ ଚଲାଫେରା କରୁଛି । ଅଗ୍ନିମୟ ଏଇ ଚକ୍ଷୁରୁ ବଞ୍ଚିବାକୁ ହେଲେ ଆପଣଙ୍କର ଆଶିଷ ମୁଁ ଭିକ୍ଷା କରେ । ସଂଗ୍ରାମକରି କିପରି ଦିନ କଟାଇବି, ଚିନ୍ତାର ବିଷୟ । ନିଜ ଘର ଓ ଶାଶୁଘରର କୌଣସି ବନ୍ଧନ ନାହିଁ । କୋଳରେ ପିଲାଟିଏ ନାହିଁ ଯେ ତା’ର ମୁହଁକୁ ଚାହିଁ ବାନ୍ଧି ହୋଇଯାନ୍ତି । ସେ ଦିଗରୁ ଦୟାଳୁ ଦେବତା ମତେ ମୁକ୍ତି ଦେଇଛନ୍ତି ।’

ଆକାଶରେ ଖେଳୁଥିଲା ସୁନେଲି ରଙ୍ଗର ଢେଉ । ମନରେ ଉଙ୍କି ଦେଇଥିଲା ନାରୀ-ଚରିତ୍ରର ଆଉ ଗୋଟାଏ ଧବଳ ଦିଗ । ଯେ ମନ ଉପରେ ଚନ୍ଦ୍ରା, ସବିତା, ମଧୁମତୀ ବଡ଼ ନୃଶଂସ ଭାବରେ କଳା ପରଦା ଟାଣି ଦେଇଗଲେ, ସେ ମନ ବହୁଦିନୁ ଚାହୁଁଥିଲା ସ୍ୱଚ୍ଛତା, ଅବିନଶ ସ୍ୱଚ୍ଛତା-

ଦିଗନ୍ତ ଭରିଯାଇଛି ସମାପ୍ତ ସୂର୍ଯ୍ୟର କିରଣମାଳାରେ । ଏଇ ଏଇ ଶସ୍ୟଶାମଳ ଦିଗନ୍ତ ଶୋଭା । ମଣିଷର ମନ ଏଠି ପାଏ ଅଜ୍ଞେୟର ସ୍ପର୍ଶ, ପାଏ ସ୍ନିଗ୍‌ଧ ବିସ୍ତୃତି ।

ଉଠି ଛିଡ଼ାହେଲି । କହିଲି–‘ଦୀପ୍ତି, କିଛି ଟିକିଏ ମୁହଁରେ ଦିଅ, ସାଙ୍ଗରେ ଫଳ ଆଉ କିଛି ମିଠା ଅଛି । ଦେଉଛି ।’

ଦୀପ୍ତି ବାରଣ କଲା । କହିଲା, ‘କ୍ଷୁଧା ତୃଷା ମୋର ଅଛି, କିନ୍ତୁ ଏକ୍ଷଣି ନୁହେଁ । ଆପଣଙ୍କ ସଙ୍ଗେ ଦି’ପଦ କଥା କହେଁ । ସେଇ ମୋର ପରିତୃପ୍ତି ।’

ଏଇ ନାରୀକୁ ଚାହିଁଲି । ସବୁ ଶେଷ କରି ଏ ଆସିଛି ଯାତ୍ରାପଥ ଉପରକୁ । ପଥର ସଂଗୀତ ବା ନିଜର କାକଳି ଏହା ଭାଗ୍ୟରେ କିଛି ନାହିଁ । କହିଲି–‘ଜୀବନରେ କଅଣ କରିବାକୁ ସ୍ଥିର କରିଛ, ଆଉ ଯାଉଚ କୁଆଡ଼େ ?’

ଦୀପ୍ତ ଉତ୍ତର ଦେଲା–ମୁଁ କହିଥିଲି ଯେ ଡାକ୍ତରାଣୀ ହେବା ପାଇଁ ମୋର ଭାରି ଇଚ୍ଛା ଥିଲା । ତାହା ସଫଳ ହେଲା ନାହିଁ । ଓଢ଼ଣା ତଳେ ମୁଁ ସବୁ ପାସୋରି ଦେଲି, ଏବେ ଆଲୋକକୁ ଆସିଛି ସେଇ ସେବାବ୍ରତ ମନରେ ରହିଛି । ସେ ମୋର ଏକପ୍ରକାର ଆକାଙ୍‌କ୍ଷା । ନର୍ସିଂ ଟ୍ରେନିଂ ନେବି । ସେଥିପାଇଁ ଯାଉଛି ।

ମୁଁ କହିଲି–କିନ୍ତୁ–

–‘ମୁଁ ଜାଣେ ଆପଣ ପସନ୍ଦ କରିବେ ନାହିଁ । ମାତ୍ର କରିବି କଅଣ ? ନିଜ ଗୋଡ଼ରେ ମତେ ଛିଡ଼ାହେବାକୁ ପଡ଼ିବ, ଏଣେ ଲୋକ ସେବା ପୁଣ୍ୟବ୍ରତ ପାଳିବାପାଇଁ ଅନ୍ତର ଡାକୁଛି । ମୋର ଭୟ ନାହିଁ । ସ୍ଥିର ମନରେ ମୁଁ ସିଦ୍ଧାନ୍ତ କରିଛି ନର୍ସିଂ ଟ୍ରେନିଂ ନେବି ଓ ଅତୀତର ଜୀବନକୁ ଭୁଲିଯିବି ।’

 

‘ଭୁଲିଯିବ ?’ ମୁଁ ଏକ ପ୍ରକାର ଚିତ୍‌କାର କଲି ।

 

‘ହଁ, ଭୁଲିଯିବି । ନଭୁଲିଲେ ମୁଁ ବଞ୍ଚିପାରିବି ନାହିଁ । ସେ ସେ ଜୀବନରେ ତ କିଛି ଆଲୋକ ନ ଥିଲା । ଭାଗ୍ୟର ବିଡ଼ମ୍ୱନା, ବିଜ୍ଞାନ ଛାତ୍ରୀ ବିବାହିତ ଜୀବନର ଯାହାକିଛି ସମ୍ପଦ ଓ ବିପଦ ସବୁ ଗ୍ରହଣ କରିନେବା ପାଇଁ ପ୍ରସ୍ତୁତ ରହିଥିଲି । ମୁଁ ଜାଣିଥିଲି ସେଥିରେ ଜ୍ଞାନ ବିଜ୍ଞାନର ସତ୍ତା ନାହିଁ । ଜଣକର ଦାସୀଭାବରେ ବୟସ ଓ ସମୟ କଟାଇବାକୁ ହେବ ଓ ଗାଁର କେତୁଟା କୁସଂସ୍କାରକୁ ମୁଣ୍ଡ ପାତି ସହି ନେବାକୁ ପଡ଼ିବ । ହୁଏତ ପରେ କିଛି ଶକ୍ତି ଅର୍ଜନ କରିଥିଲେ ସ୍ୱାମୀର ସହାୟତାରେ ଗାଁର ଓ ଲୋକଚିତ୍ତର କୁସଂସ୍କାର ବିରୁଦ୍ଧରେ ଯାଇଥାନ୍ତା । ଭାଗ୍ୟ ତ ଭିନ୍ନ ପଥରେ ଗଲା । ତେଣୁ ମୁଁ ଯାଉଛି ଟ୍ରେନିଂ ନେବି । ତେଣିକି ପଥ ଉପରେ ଶକ୍ତ ଶିଳା ଅଛି କି ଆଉ କଅଣ ଅଛି, ଜଣାଯିବ ।

 

ଟ୍ରେନ୍‌ ଚାଲିଛି । ଆମେ ଦୁଇଟି ଯାତ୍ରୀ ଭାରାକ୍ରାନ୍ତ ହୃଦୟରେ ପରସ୍ପରକୁ ଅନାଇ ରହିଛୁ-

 

ଦୀପ୍ତିର ଷ୍ଟେସନ ଆସିଗଲା । ସେ ଓହ୍ଲାଇଯିବ । ଲୋକାରଣ୍ୟ ଷ୍ଟେସନରେ ତା’ର ସତ୍ତାଟିକକ ସେ ହରାଇଦେବ, ତା’ପରେ ଜୀବନ ପ୍ରବାହ ତାକୁ କେଉଁଠି କେଉଁ ତୀରରେ ଉପଳ ଖଣ୍ଡ ଭଳି ପକେଇଦେବ, କିଏ ଜାଣେ ?

 

ଦୀପ୍ତି ଉଠି ନମସ୍କାର କଲା–କହିଲା–‘କୁଆଡ଼େ ମୁଁ ଭାସି ଯାଉଛି, ଖବର ଦେବି । ଯଦି ଆପରଙ୍କର ସମୟ ଥାଏ ଦୀପ୍ତିର କଥା ଟିକିଏ ଚିନ୍ତା କରିବେ ।’

 

ସେ ଅଦୃଶ୍ୟ ହେଲା । ମୁଁ ନୀରବ ନିସ୍ପନ୍ଦ ଭାବରେ ବସି ରହିଲି । ଏ ନାରୀ ଯାହାର ସଙ୍ଗ ଧରିଛି, ବଡ଼ ଆତ୍ମବିଶ୍ୱାସରେ । ଈଶ୍ୱର ତା’ର ସହାୟ ହୁଅନ୍ତୁ ।

 

ସେହିଦିନଠାରୁ କେତେ ଗଛରେ କେତେ ଫୁଲ ଫୁଟିଲାଣି; କେତେ ଝଡ଼ିଗଲାଣି । ବିନ୍ଦୁ ବିନ୍ଦୁ ଜଳ କେତେ ବହିଯାଇଛି । ସାଗର ତାକୁ ଅଭିବାଦନ କରିନେଇଛି । ମଣିଷ ବହୁ ଆବର୍ତ୍ତରେ ଚକ୍ରତୂଲ୍ୟ ଘୂରିଗଲାଣି । କେଉଁଠି କିଛି ସ୍ଥିର ନାହିଁ । ମଧୁମତୀ, ଚନ୍ଦ୍ରା ଓ ସାବିତ୍ରୀର ଦଳ କେଉଁଆଡ଼େ ଭାସିଗଲେଣି କହିହେବ ନାହିଁ, ଆଉ ଦୀପ୍ତି ?

 

ଆଉ ଗୋଟିଏ ବର୍ଷର ଶାରଦୀୟ ପ୍ରଭାତ । ପୁଣି ସେଇ ଅସୀମ ଅର୍ଣ୍ଣବର ଅସୀମ ତରଙ୍ଗ ଧରିତ୍ରୀର ବକ୍ଷ ଉପରେ ଖେଳିଯାଇଛି । ଆଜି ମୋ ଜୀବନଯାତ୍ରା କୌଣସି ଟ୍ରେନକୁ ଧରି ସଙ୍ଗୀତମୟ ନୁହେଁ ।

 

ମୁଁ ବସିରହିଛି ଶିଳାଖଣ୍ଡର ଜଡ଼ତ୍ୱ ନେଇ । ଗୋଟାଏ ରିକ୍ତ ଭାବ ହୃଦୟ ମନକୁ ଆଚ୍ଛନ୍ନ କରି ରଖିଛି ।

 

ଖଣ୍ଡିଏ ଟେଲିଗ୍ରାମ ପାଇଲି । ହତବାକ୍‌ ଓ ନିସ୍ତବ୍‌ଧ ହୋଇଗଲି । ପୁଣି ଚାଲିଲି ସେଇ ଟ୍ରେନରେ ଯେଉଁ ଟ୍ରେନ ମତେ ଦୁଇବର୍ଷତଳେ ଦୀପ୍ତି ଆଡ଼କୁ ନେଇଯାଇଥିଲା ।

 

ନର୍ସ ଛାତ୍ରାବାସ ଲୋକାରଣ୍ୟ । ମୁଁ କଷ୍ଟରେ ଲୋକଭିଡ଼ ଠେଲି ଭିତରକୁ ଗଲି । ଯାହା ଦେଖିଲି ମୋର ଚକ୍ଷୁ ସ୍ଥିର ହୋଇଗଲା । ଜୀବନ ଏତେ ସୁନ୍ଦର ? ମୃତ୍ୟୁରେ ବି ତା’ର ବର୍ଣ୍ଣ ଏତେ ଚମତ୍କାର ?

 

ଦୀପ୍ତି ଶୋଇଛି–ଅନ୍ତିମ ନିଦ୍ରାରେ ଅଭିଭୂତା ଏଇ ନାରୀର ଉଜ୍ଜ୍ୱଳ ରୂପ ତଳେ ଉଜ୍ଜ୍ୱଳ ମନ ଆକାଶକୁ ଉଡ଼ିଯାଇଛି ।

 

ସିରିଂଜରେ କିଛି ମାତ୍ରାରେ ମର୍‌ଫିଆ ଅବଶେଷ ରହିଛି । ଛୁଞ୍ଚିର ମୁନଟା ବାହାରି ଆସିପାରି ନାହିଁ ! ବେଶ୍‌ପ୍ରଶାନ୍ତ ପ୍ରଫୁଲ୍ଲ ମୁହଁ । କେବଳ ଗୋଟାଏ ପାଖକୁ ଢଳିଯାଇଛି ।

 

ଦୁଇଖଣ୍ଡ ଚିଠି ସେ ଲେଖିଯାଇଥିଲା । ଖଣ୍ଡିଏ ପୁଲିସ୍‌ ଅଫିସରକୁ, ଆଉ ଖଣ୍ଡିଏ ମତେ-। ତା’ର ଆତ୍ମହତ୍ୟାରେ କେହି ଦାୟୀ ନୁହଁନ୍ତି । ଏଇ ବକ୍ତବ୍ୟ ଥିଲା ପୁଲିସକୁ ଚିଠିରେ ଆଉ ମୋ ପାଖକୁ ଚିଠିରେ ତା’ର ଯାହା ଶେଷ ନିବେଦନ ମୁଁ ସମସ୍ତଙ୍କ ଆଗରେ ଥୋଇ ଦେଉଛି ।

 

ମାନନୀୟ,

 

ଏ ଚିଠି ଆପଣଙ୍କ ହାତକୁ ଆସିଲାବେଳକୁ ମୁଁ ପରପାରକୁ ଚାଲିଯାଇଥିବି । ଶତ ସହସ୍ର ମୃତ୍ୟୁ ଭିତରେ ଦୀପ୍ତିର ମରଣ ଏ ସଂସାରକୁ ଅବାକ୍‌ କରିବ ନାହିଁ, କିନ୍ତୁ ଅବାକ୍ କରିବ ଆପଣଙ୍କୁ । ସେଦିନ ସେଇ ଟ୍ରେନଯାତ୍ରାରେ ମୋର ଶକ୍ତି ଉପରେ ବିଶ୍ୱାସ ଦେଖି ଆପଣଙ୍କ ଆଖିରୁ ସାଧୁବାଦ୍‌ ଉଛୁଳି ପଡ଼ିଥିବାର ମୁଁ ଲକ୍ଷ୍ୟ କରିଥିଲି । ସେଇ ଦୀପ୍ତି ଆଜି ଜୀବନକୁ ଆପଣଙ୍କୁ ପ୍ରତାରଣା କରି ଚାଲିଯିବାପାଇଁ ବସିଛି ।

 

ଗଲାବେଳେ ଅସୁନ୍ଦର କଥା କହିଯିବି ନାହିଁ । ଶେଷ ମୁହୂର୍ତ୍ତ ଆସିବା ପୂର୍ବରୁ ମୁଁ ଈଶ୍ୱରଙ୍କୁ ଧ୍ୟାନ କରୁଛି । ଏ ଜୀବନ ଯେ ଦେଇ ଥିଲେ ତାଙ୍କୁ ହିଁ ଅର୍ପଣ କରୁଛି ।

 

ନର୍ସିଂ ପଢ଼ି ଆସି ମୁଁ ଭୁଲ କରି ନ ଥିଲି । ଭୁଳ କରିଥିଲି ଏ ଦେହ ଯୌବନକୁ ସାଙ୍ଗରେ ଆଣିଥିଲି ବୋଲି । କିନ୍ତୁ କୁହନ୍ତୁ ତ, ଏ ଦୁଇଟାକୁ ଛାଡ଼ି ଆସନ୍ତି କେଉଁଠି ? ଏବେ ଛାଡ଼ି ଦେଉଛି । କାରଣ ଏ ଦୁଇଟାର କର୍କଶ ଭାର ମୋ ମନ ଓ ହୃଦୟ ସହିପାରିଲା ନାହିଁ ।

 

ଥରେ ସିନା ଡାକ୍ତରର ହାତ ଅପରେସନ ଥିଏଟରରେ ଛୁରୀ କଇଁଚି ଦେଉ ଦେଉ ମୋ ଦେହ ସହିତ ବାଜିଗଲା, ସବୁଥର ଯେତେବେଳେ ବାଜିଲା ମୁଁ ଭାବିଲି ଏ ହାତ ଆହୁରି ପ୍ରସାରିତ ହେବ, ମୋର କଣ୍ଠ କଟୀ ଉପରେ ମୋର ନାରୀତ୍ୱକୁ ବି ଗ୍ରାସ କରିଯିବ । ଡାକ୍ତର କଥା ଛାଡ଼ନ୍ତୁ, ସାଧାରଣ ରୋଗୀ ବି ଖୋଲା ମନରେ ଅଭ୍ୟର୍ଥନା କରେ ନାହିଁ ମତେ । ଚାରିଆଡ଼େ ମୋର ଯେପରି ଗୁଞ୍ଜନ ଉଠିଲା–ଦୀପ୍ତି, ଏ ଦେହ ଦେଇଦେ, ଏ ଯୌବନକୁ ବିତରଣ କର । ନର୍ସ ଜୀବନରେ ଏଭଳି ପୁଣ୍ୟରୁ ବଳି ପୁଣ୍ୟ ନାହିଁ । ଯେ ଚାହିଁବ ତାକୁ ସମର୍ପଣ କର ।

 

ଆପଣଙ୍କ ପାଖରେ ଏ ସମସ୍ତ ନିବେଦନ କରିବାରେ ମୋର ଘୋର ଲଜ୍ଜା ହେଉଛି । କିନ୍ତୁ କଅଣ କରିବି ? ଜୀବନରେ ଆପଣଙ୍କ ପ୍ରତି ଆକର୍ଷଣ ନ ଥିଲା । ଯେତିକି ଥିଲା ତାହା ନିଷ୍ପ୍ରଭ ଅବସ୍ଥାରେ ଥିଲା, ଗୁରୁ ଶିଷ୍ୟର ସମ୍ୱନ୍ଧରେ ଯେତିକି; ଆଜି କିନ୍ତୁ ଏଇ ମରଣ ମୁହୂର୍ତ୍ତରେ ଆପଣଙ୍କ ପ୍ରତି ମୋର ଆକର୍ଷଣ କେତେ ବଢ଼ିଯାଇଛି କହିହେବ ନାହିଁ । ସେଥିପାଇଁ ସମସ୍ତଙ୍କୁ ଭୁଲିଯାଇ ମୁଁ ବସି ଚିଠି ଲେଖୁଛି ଆପଣଙ୍କ ପାଖକୁ, କାଳେ ଦୀପ୍ତିର ଅନ୍ତିମ ଅବସାନ ମହାନ୍ଧକାରରେ ମିଶିଯିବା ପୂର୍ବରୁ ଫୁଟି ପଡ଼ିବ ଆପଣଙ୍କ ଲେଖନୀରେ ଦୀପ୍ତିର ଅଦୀପ୍ତ ଜୀବନାଲେଖ୍ୟ ।

 

ଦେହଟାକୁ ବଳି ଦେଇଥିଲେ ମୁଁ ବଞ୍ଚିଯାଇଥାନ୍ତି । ମାତ୍ର ସେଭଳି ବଞ୍ଚିବାରେ ମୁଁ କେବଳ କୃମି କୀଟର ଭୋଗୀ ହେବି ସିନା ଦେବତାର ତ ଭୋଗୀ ହେବି ନାହିଁ ।

 

ମୁଁ ଜାଣେ ମୋର ନର୍ସିଂ ଭଉଣୀମାନେ ମତେ ପିଲାଳିଆ କହିବେ । କାହିଁକି କହିବେ ମୁଁ ଆପଣଙ୍କ ପାଖେ ବ୍ୟକ୍ତ କରିବି ନାହିଁ ।

 

ଆଉ ସମୟ ନାହିଁ । ଲିତା ବିଲିତାରେ ସମୟ ସୂତା ଗୁନ୍ଥା ରହିଛି । ଯେ ଲୋକ ମୃତ୍ୟୁକୁ ହାତ ପାଖରେ ରଖି ଚିଠି ଲେଖୁଚି ସେ ହୁଏତ ଟିକିଏ ବିଳମ୍ୱ କରିପାରେ । ମୃତ୍ୟୁ ତା’ର ଆଜ୍ଞାବହ ହୋଇ ରହିଛି । ସେ ମୃତ୍ୟୁର ଆଜ୍ଞାବହ ନୁହେଁ ।

 

ଦଣ୍ଡେ ମାତ୍ର ଆଉ ରହିଲା । ଅଧ ରାତ୍ରିରେ ମୁଁ ଜୀବନ ଉଦ୍‌ଯାପନ କରୁଛି । ପାହାନ୍ତିଆ ହୋଇ ଆସିଲେ ମରିପାରିବି ନାହିଁ । ତେଣିକି ଦେହ ମୋ ମନର ଜୋରକୁ ଆୟତ୍ତ କରିଦେବ । ମୁଁ ବହୁ ଭୋଗୀ ହୋଇଯିବି ।

 

ଦେହକୁ ଶୀତ ଲାଗୁଛି । ମର୍ଫିଆ ସିରିଞ୍ଜରେ ରହି ସାରିଛି । ପ୍ରଚ୍ଛନ୍ନ ମୃତ୍ୟୁ ଗୋଟାଏ ସାମାନ୍ୟ କାଚନଳୀ ଭିତରେ ମୁଁ ରଖିପାରିଛି । ହାଃ-ହାଃ-ହାଃ ।

 

ଷ୍ଟାଇପେଣ୍ଡ ଟଙ୍କା ଟ୍ରଙ୍କରେ ରହିଛି–ଖୋଲା ଟ୍ରଙ୍କ । ଆପଣ ସେତକ ମୋର ଶବ ଉଠିଯିବା ପରେ ରାସ୍ତାରେ ଯେଉଁ ଗରୀବ ଦୁଃସ୍ଥ ପ୍ରାଣୀକୁ ଦେଖିବେ ଆପଣଙ୍କ ବିଚାରରେ ତାଙ୍କୁ ଦେଇ ଦେବେ ।

 

ମୋର ଶାଢୀ ବ୍ଳାଉଜ କିଛି ଅଛି । ସେଗୁଡ଼ାକ ସେହିପରି ବିତରଣ କରିଦେବେ ।

 

ଆପଣଙ୍କୁ କଷ୍ଟ ଦେଲି । ମୁଁ ଜାଣେ ଆପଣଙ୍କୁ ଅନେକ କଷ୍ଟ ଦେଇଛନ୍ତି ଓ ଦେଉଛନ୍ତି । କିନ୍ତୁ ସେମାନେ ଜୀବନରେ ଅଛନ୍ତି । ଜୀବନର ମୋହ ତାଙ୍କୁ ପରାମର୍ଶ ଦେଇଛି ଆପଣଙ୍କୁ ଆଘାତ କରିବାକୁ ।

 

ମୁଁ କିନ୍ତୁ ଆଉ କ୍ଷଣ ପରେ ଶବ ପାଲଟିବି । ଦୀପ୍ତି ଯେ କଷ୍ଟ ଦେଲା, ତାହାକୁ କଷ୍ଟ ବୋଲି ଆପଣ ଭାବିବେ ନାହିଁ ।

 

ଏଇ ଅନ୍ତିମ କ୍ଷଣରେ ଆପଣଙ୍କ ପାଇଁ ମୋର ଆକର୍ଷଣ ଖୁବ୍‌ ବଢ଼ିଯାଇଛି, ଆଉ ବଢ଼ିଛି ଜନ୍ମଦାତା ଭଗବାନଙ୍କ ପାଇଁ ।

 

ରହିଲି । ଅନ୍ତିମ ବେଳରେ ନମସ୍କାର ନିଅନ୍ତୁ । ମୋର ଅବିସ୍ମରଣୀୟ କିଛି ନାହିଁ ଯାହାକି ସ୍ମତି-ଫଳରେ ଝଲସିଉଠିବ । ମୁଁ ଆପଣଙ୍କୁ ଭୁଲି ପାରିବି ନାହିଁ । ଜୀବନରେ ଥିଲେ ମତେ ବୋଧହୁଏ ଅବିଶ୍ୱାସ କରନ୍ତେ ? ନା, ମୁଁ ମୁକ୍ତ ଓ ପରପାରରେ...ଆଃ, କି ଶାନ୍ତି....

 

ପରପାରର

 

‘‘ଦୀପ୍ତି’’

Image

 

ଗୋଟିଏ ତାରିଖ

 

ନୀଳତରଙ୍ଗ ସେବାସଦନର ପ୍ରଧାନ ସେବିକା ମଧୁମତୀ ବଡ଼ ବିମର୍ଷ ଦେଖାଯାଉଥିଲା-। ତାଙ୍କର ସ୍ୱଚ୍ଛନ୍ଦ ସ୍ୱାଭାବିକ ସ୍ଫୂର୍ତ୍ତି, ତାଙ୍କର ମୁଖମଣ୍ଡଳର ପ୍ରସନ୍ନ ଦୀପ୍ତି ଆଜି କାହିଁକି ସମ୍ପୂର୍ଣ୍ଣଭାବରେ ମଉଳିଯାଇଛି । ଯେଉଁ ମଧୁମତୀଙ୍କର ପ୍ରତିଟି କଥାରେ ଅମୃତ ଝରୁଥାଏ, ଯାହାଙ୍କର ନେତ୍ରତୀରରେ ଖେଳିବୁଲୁଥାଏ ସେବାପରାୟଣତାର ଅନନ୍ତ ପ୍ରୀତି, ସେହି ମଧୁମତୀ ଆଜି ବଡ଼ ଉଦାସ, ପ୍ରାଣହୀନ ।

 

ସମଗ୍ର ହାସପାତାଳରେ ଗୋଟାଏ ଭୟକାତର ପରିବେଶ ସୃଷ୍ଟି ହୋଇଛି । ନର୍ସମାନେ ମୁହଁକୁ ତଳକୁ ପୋତି ନିଜ ନିଜ କାର୍ଯ୍ୟରେ ତତ୍ପର ଅଛନ୍ତି ସତ ମାତ୍ର ତାଙ୍କ ପ୍ରାଣରେ ସରସ ଶାନ୍ତ ଭାବ ନାହିଁ । ରୋଗୀମାନଙ୍କର ଅଶ୍ରାନ୍ତ ଚିତ୍କାର ତଳେ ଏହି ନୀଳ-ତରଙ୍ଗ-ସେବା-ସଦନ ଯେପରି ଗୋଟାଏ ପ୍ରେତସ୍ଥଳୀଭାବରେ କମ୍ପିଯାଉଛି । ରୋଗୀମାନଙ୍କୁ ମରଣ-ପଥରୁ ଟାଣି ଆଣିବା ପ୍ରୟାସରେ ଡାକ୍ତର, ନର୍ସ ଓ ପ୍ରଧାନ ସେବିକାଙ୍କର ପ୍ରାଣରେ ଯେ ଆତ୍ମପ୍ରତ୍ୟୟ ଏତେଦିନ ସଞ୍ଜୀବିତ ରହିଥିଲା, ଆଜି ଯେପରି ତାହା ନିଃଶେଷ ହୋଇଯାଇଛି ।

 

ହାସପାତାଳର ଚତୁଃସୀମା ସ୍ପର୍ଶ କରି ଛିଡ଼ା ହୋଇଛନ୍ତି ପ୍ରକାଣ୍ଡ ବୃକ୍ଷରାଜି, ଦୀର୍ଘକାଳର ଆୟୁ ଘେନି ଏମାନେ ଉଭା ହୋଇଛନ୍ତି–ଏଇ ସ୍ଥାବର ପାଦପ । ଘନ ଅନ୍ଧକାର ରାତ୍ରିରେ ଘନୀଭୂତ ଅନ୍ଧକାରକୁ ପତ୍ରଶାଖାର ପ୍ରାନ୍ତେ ପ୍ରାନ୍ତେ ବହନ କରି ଏହି ଦ୍ରୁମଗୁଡ଼ିକ ଜୀବନ ଓ ମୃତ୍ୟୁର ଲୀଳା ଦେଖିଛନ୍ତି । ଜୀବନର ପରପାରକୁ ଯାତ୍ରା କରିବାପାଇଁ କେତେ ହତାଶ ରୋଗୀ ଏଇମାନଙ୍କର ଶାଖାରୁ ଓହଳି ପଡ଼ିଥିବେ । ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି, ତା’ପରେ ସବୁ ଶୂନ୍ୟ । ଆଜି ଏଇ ବୃକ୍ଷ ଡାଳର ରୂପ ଦୀର୍ଘାକୃତି ରାକ୍ଷସର ରୂପ ଧରିଛି । ଓଃ କି ଭୟଙ୍କର, କି ବୀଭତ୍ସ, କି ଘନକୃଷ୍ଣ ରୂପ !!

 

ନୀଳତରଙ୍ଗ-ସେବା-ସଦନ ଗୋଟିଏ ପ୍ରତିଷ୍ଠିତ ଆରୋଗ୍ୟନିକେତନ । ଦୁଇଟି ନାମ ନୀଳ ଓ ତରଙ୍ଗ । ପୁରୁଷ ଓ ନାରୀ, ସ୍ୱାମୀ ଓ ସ୍ତ୍ରୀ । ଜମିଦାର ନୀଳକାନ୍ତ ଓ ତାଙ୍କର ସହଧର୍ମିଣୀ ତରଙ୍ଗିଣୀ କେଉଁଦିନରୁ ମାଟି ଉପରେ ଶୋଇଯାଇଛନ୍ତି । ପୀଡ଼ିତ ଜନତାର କଲ୍ୟାଣପାଇଁ ଏ ଦୁଇଜଣ ସଞ୍ଚିତ ଅର୍ଥକୁ ବିନିଯୋଗ କରିଦେଲେ ସେବା-ସଦନର ନିର୍ମାଣରେ ।

 

ଏହାରି ଅଫିସ ରୁମରେ ବସିଥିଲେ ଡାକ୍ତର ସୁଧର୍ମ, ହାସପାତାଲର ସର୍ବାଧିକାରୀ ସର୍ଜନ । ଅଧର-ଧରା ସିଗାରେଟ ପୋଡ଼ି ପୋଡ଼ି ଭସ୍ମ ହୋଇଯାଉଛି । ପ୍ରଚକ୍ଷୁ ତଳେ ତାଙ୍କର ବିସ୍ଫାରିତ ନେତ୍ରଯୁଗଳ ଶୂନ୍ୟକୁ ଅବଲୋକନ କରୁଥିଲା ।

 

ସେ ଚିନ୍ତିତ । ଛୋଟ କଳା ଶୃଶ୍ରୁ ଉପରେ ହାତ ବୁଲାଇ ଆଣି ସେ ବୋଧହୁଏ କେଉଁ ଅଦୃଶ୍ୟ ଲୋକ ଭିତରେ ସନ୍ତରଣ କରୁଥିଲେ । ଏହି ସ୍ଥିତପ୍ରଜ୍ଞ ଚିକିତ୍ସକଙ୍କର ଏପରି ଭାବ ବୁଝିବାପାଇଁ ବୋଧହୁଏ କାହାର ଶକ୍ତି ନ ଥିଲା ।

 

ଥିଲା କେବଳ ମଧୁମତୀଙ୍କର ଆଉ ପୁଷ୍ପରାଣୀଙ୍କର । ଲେଡ଼ିଡକ୍ଟର ମଧୁମତୀ ଆଉ ପ୍ରଧାନ ନର୍ସ ପୁଷ୍ପରାଣୀ ଜାଣନ୍ତି ଆଧୁନିକ ଚିକିତ୍ସା ବିଦ୍ୟାରେ ଆଜି ଏକ ବିଷମ ସମସ୍ୟା ଉପସ୍ଥିତ ହୋଇଛି; ଯାହାର ସମାଧାନ କରିବା ଡକ୍ଟର ସୁଧର୍ମ କିମ୍ୱା ମଧୁମତୀ ଅବା ଆଉ କାହା ପକ୍ଷରେ ସମ୍ଭବ ନୁହେଁ । ଅଥଚ ଏହି ମୁହୂର୍ତ୍ତରେ ଏହାରି ଗୋଟାଏ ମୀମାଂସା ନ ହେଲେ ନୀଳତରଙ୍ଗ-ସେବା-ସଦନର ସୁନାମ ଉପରେ ବଜ୍ରାଘାତ ହୋଇଯିବ ।

 

ଆଗରେ ନିଶ୍ଚଳ ମୂର୍ତ୍ତି ଭଳି ବସିରହିଥିବା ସୁଧର୍ମଙ୍କ ଆଡ଼େ ପୁଷ୍ପ ଚାହିଁ କହିଲେ–

 

-’ସାର୍‌’

 

ସୁଧର୍ମ ଧୀରେ ସଂବିତ୍‌ ଫେରିପାଇଲେ–କହିଲେ–‘କଅଣ ସିଷ୍ଟର ? ରୋଗୀମାନେ କିପରି ଅଛନ୍ତି ?’ ପୁଷ୍ପ ଉତ୍ତର ଦେଲେ–‘ସାର୍‌, ରୋଗୀମାନେ ପୂର୍ବ ଭଳି ରହିଛନ୍ତି, ଠିକ୍‌ ପୂର୍ବର ଅବସ୍ଥା ।

 

ଏହି ଉତ୍ତରରେ ଡାକ୍ତରଙ୍କର ଚକ୍ଷୁ ଦୁଇଟି ଆହୁରି ନିଷ୍ପ୍ରଭ ହୋଇଗଲା । ସେ ପ୍ରଶ୍ନ କଲେ–‘ଠିକ୍‌ ପୂର୍ବର ଅବସ୍ଥା ?’

 

ଘରର ଗୋଟାଏ କୋଣରେ ସେବାସଦନର କଲ୍ୟାଣମୟୀ ଛିଡ଼ାହୋଇଥିଲେ । ଯେପରି ଖଣ୍ଡେ ପଥର । ସେ ଚଞ୍ଚଳ ହୋଇ କହିଲେ–‘ହଁ ସାର୍‌, ମନେହେଉଛି ପୃଥିବୀର ଚିକିତ୍ସା ଇତିହାସରେ ଏଭଳି ଅଭିନବ ପ୍ରବ୍‌ଲେମ୍‌, ଏପରି ସମସ୍ୟା କୌଣସି ଚିକିତ୍ସକକୁ କେବେ ହେଲେ ବିବ୍ରତ କରିନଥିଲା ।’

 

ଡାକ୍ତର ସୁଧର୍ମ ଅନ୍ତରମୁକୁଳା ଦୀର୍ଘଶ୍ୱାସ ପକାଇ କହିଲେ–‘ହଁ ମଧୁ, ରୋଗ ହୋଇଥିଲେ ମୁଁ ଚିକିତ୍ସା କରନ୍ତି । ସେ ଚିକିତ୍ସାରେ କିଛି ତ୍ରୁଟି କାଢ଼ିବାକୁ କେହି ସାହସ କରନ୍ତେ ନାହିଁ-। ସେ ହୁଅନ୍ତା ଅବ୍ୟଥ । ଗଳା, ନାକ, ଚକ୍ଷୁ, କଣ୍ଠ, ହୃତ୍‌ପିଣ୍ଡ ଏପରିକି ବ୍ରେନ୍‌, ଯକୃତ, ମସ୍ତିଷ୍କ-ବିକାର, ମନୋବିକଳନ ଯେ ପ୍ରକାର ବ୍ୟାଧି ହେଉନା କାହିଁକି ମୁଁ ଦୃଢ଼ବିଶ୍ୱାସ ସହିତ ଚିକିତ୍ସା କରନ୍ତି-। କିନ୍ତୁ ନାଃ, ଏ ବ୍ୟାଧି ମତେ ଅଜ୍ଞାତ, ସମୁଦାୟ ଚିକିତ୍ସା ଶାସ୍ତ୍ରର ଅନୁଶୀଳନରେ ଏହାର ପ୍ରମାଣ ନାହିଁ । ମଣିଷର କୌଣସି ଅଙ୍ଗକୁ ବ୍ୟାପୃତ କରି ଏ ବ୍ୟାଧି ଜନ୍ମ ନେଇ ନାହିଁ–ଏ ଯେପରି ଏକ ମହାକାଳ, କାଳମୃତ୍ୟୁ....’

 

ହଠାତ୍‌ ସେବାସଦନକୁ ପ୍ରକମ୍ପିତ କରି ଚିତ୍‌କାର ଉଠିଲା–‘‘ଆମେ ସୁସ୍ଥ ହୋଇଯାଇଛୁ, ଆମକୁ ହାସପାତାଲ୍‌ରୁ ଡିସ୍‌ଚାର୍ଯ କର, ଆମକୁ ସେଇ ତାରିଖରେ ସେଠାରେ ପହଞ୍ଚିବାକୁ ହେବ, ସେ ତାରିଖ, ସେଦିନ ଗଡ଼ିଗଲେ, ଆମେ ନିରାଶ ହୋଇଯିବୁ; ଆମକୁ ଛାଡ଼...ଆମକୁ ଛାଡ଼...ଏ ଡାକ୍ତର ନର୍ସଗୁଡ଼ାଙ୍କୁ ଆମ ଆଖି ଆଗରୁ ହଟାଅ...

 

ଜଡ଼ୀଭୂତ ପ୍ରସ୍ତର ମୂର୍ତ୍ତି ଭଳି ତିନୋଟି ପ୍ରାଣୀ ସେଠାରେ ରୁଦ୍ଧଶ୍ୱାସରେ ଛିଡ଼ା ହୋଇଥିଲେ-। ହାସ୍‌ପାତାଲରେ ସବୁ ଓ୍ୟାର୍ଡ଼ରୁ ଏକା ଚିତ୍‌କାର...ଏକା ସ୍ୱର ଭାସିଆସୁଛି । ଜର, ଯକ୍ଷ୍ମା, ବିସୂଚିକା, ବସନ୍ତ ଆଉ ନାନା ଅଙ୍ଗବ୍ୟବଚ୍ଛେଦର ବହୁ ରୋଗୀ ଏକତ୍ର ଚିତ୍‌କାର କରୁଛନ୍ତି–‘ଆମେ ସୁସ୍ଥ, ଆମକୁ ଡିସ୍‌ଚାର୍ଯ କର, ଆମେ ସେଇ ନିର୍ଦ୍ଦିଷ୍ଟ ତାରିଖରେ ସେଠାରେ ପହଞ୍ଚିବୁ । କେତେ ସୁନ୍ଦର ସେଇ ତାରିଖଟି... ।

 

ସୁଧର୍ମଙ୍କର ବଦନମଣ୍ଡଳରେ ହଠାତ୍‌ ଏକ ମହା ନିଷ୍ପତ୍ତିର ଜ୍ୟୋତି ବିକୀର୍ଣ୍ଣ ହୋଇଗଲା-। ସେ ଅବନତ ହୃଦୟକୁ ଶକ୍ତ କରି ଛିଡ଼ା ହୋଇପଡ଼ି କହିଲେ–ମଧୁ, ଆଉ ସିଷ୍ଟର, ଆସ ପଚାରିବା-। ସେହି ଦୁରାରୋଗ୍ୟ ବ୍ୟାଧିଗ୍ରସ୍ତ ଲୋକଙ୍କୁ ପଚାରିବା ଏ ଚିତ୍‌କାରର ତାତ୍ପର୍ଯ୍ୟ କଅଣ ? ସେ ତାରିଖର ରହସ୍ୟ କଅଣ ? ଆସ ।

 

ପ୍ରଥମେ ପଡ଼ିଲା ସର୍ଜିକାଲ ଓ୍ୟାର୍ଡ଼ । ସେହି ପ୍ରକୋଷ୍ଠକୁ ପଶିବାମାତ୍ରେ ଜଣେ ରୋଗୀ, ଯାହାର ଆପାଦ ମସ୍ତକ ପ୍ଳାଷ୍ଟରରେ ବନ୍ଧା, ସେ ଚିତ୍କାର କରି ଉଠିବାକୁ ଚେଷ୍ଟାକଲା । ସୁଧର୍ମ ଦଉଡ଼ି ଯାଇ ତାକୁ ଧରି କହିଲେ–‘ତୁମେ ଉଠ ନାହିଁ, ତୁମକୁ ଡିସ୍‌ଚାର୍ଯ କରିବା ମୋର ପାପ ହେବ, ତୁମର ହାତ ନାହିଁ, ଗୋଡ଼ ନାହିଁ, କେବଳ ଆଖି ଦୁଇଟି ରହିଛି, ତୁମେ ଯିବ କୁଆଡ଼େ ?’

 

ରୋଗୀଟି ଘର ଫଟାଇ ହସି ହସି କହିଲା–ମୋର ଅଙ୍ଗ ନାହିଁ, ମୁଁ ଚାଲିପାରିବି ନାହିଁ; କିନ୍ତୁ ମୋର ଇଚ୍ଛା ? ସେଇ ଯେ ଅଭିଳାଷ ? ସେଇ ଯେ ଦୁର୍ଦ୍ଦମ ଲାଳସା ଦିନେ ଆଲେକଜାଣ୍ଡରକୁ ଭାରତବକ୍ଷକୁ ଟାଣି ଆଣିଥିଲା, ସେଇ ଯେ ଦୂରତିକ୍ରମ୍ୟ ବିଜୟୀ ଭାବ ହର ହିଟ୍‌ଲର ଆଉ ମୁସୋଲିନୀଙ୍କୁ ବିଶ୍ୱବିଜୟ କରିବାକୁ ବଳ ଯୋଗାଇଥିଲା, ସେଇ ଇଚ୍ଛାଶକ୍ତି ମୋ ହୃଦୟରେ ମହାତରଙ୍ଗ ପିଟୁଛି । ସେ ହୁଏତ ଏଇ ନୀଳତରଙ୍ଗ-ସେବା-ସଦନକୁ ବୁଡ଼ାଇ ପକାଇବ । ତୁମେ ଡାକ୍ତର କାହୁଁ ବୁଝିବ ଅଭିଳାଷର କଥା ? ଲାଳସାର କଥା । ଆଃ–ଗୋଟାଏ ତାରିଖ ଆସୁଛି, ଏଇ ଦେଖ ସିଷ୍ଟର ସେଇ କାଲେଣ୍ଡରରେ ସେଇ ଲାଲ ଗୋଲ ଗାର । ମୁଁ ଦେଇ ନାହିଁ, କାରଣ ମୋର ଅଙ୍ଗ ନାହିଁ । ତେବେ କିଏ ଦେଇଛି, ମୁଁ ଜାଣେ ନାହିଁ । ସେଇ ତାରିଖ ଆସୁଛି ଆମକୁ ଛାଡ଼–ସେଇ ସୁନ୍ଦର ତାରିଖଟି–

 

ମଧୁମତୀ, ପୁଷ୍ପ ଆଉ ସୁଧର୍ମ ପରସ୍ପରକୁ ଚାହିଁଲେ । ନିର୍ବାକ ତିନୋଟି ବ୍ୟକ୍ତି ଗଲେ ମେଡ଼ିକାଲ ଓ୍ୱାର୍ଡ଼କୁ । ସେ ଘରେ ପଶୁ ପଶୁ ସେମାନେ ରୋଗୀମାନଙ୍କ ଚିତ୍କାର ଶୁଣିଲେ–କେହି ଜଣେ କହୁଥିଲା–

 

‘‘ମୁଁ ଦିନେ ନେତୃତ୍ୱ ଦେଉଥିଲି । ମୋରି ଚାରିପଟେ ଘୂରି ବସୁଥିଲେ ଅଜସ୍ର ତୋଷାମୋଦକାରୀ । ମୋର ଆହାରରୁ ତଣ୍ଡୁଳଟିଏ ଖସିଲେ କୋଣାର୍କର ଶୀର୍ଷ ପଥର ଖସିଲା ବୋଲି ସମସ୍ତେ ଭୟଚକିତ ହୋଇଯାଉଥିଲେ । ମୁଁ ଯେଉଁଠି ବସେ, ସେ ସ୍ଥାନ ଉପରେ ଆଖି ପଡ଼ୁଥିଲା ହଜାର ଅନ୍ଧଙ୍କର । ଅନ୍ଧ ପୁଣି ଆଖି ? କଥାଟାକୁ ବୁଝି ପାରୁନ; ନୁହେଁ ଡାକ୍ତର । ଏବେ ମତେ ୧୦୫ ଡିଗ୍ରୀ ଜର । କିନ୍ତୁ ମୋର ଇଚ୍ଛା ? ମୋର ଅଭିଳାଷ ? ସେ ତ ଲକ୍ଷେ ଡିଗ୍ରୀ ଉପରେ-? ତାକୁ ପ୍ରଶମିତ କରିପାରିବ ? ଆମକୁ ଛାଡ଼ ଡାକ୍ତର, ସେଇ ସୁନ୍ଦର ତାରିଖଟି ପ୍ରାୟ ଆସିଗଲା-। ସେ ଆସୁଛି ଶୂନ୍ୟ ଘଣ୍ଟା ଉପରେ ଦୋହଲି ଦୋହଲି–ସେ ଆସୁଛି ।

ଓ୍ୱାର୍ଡ଼ ପରେ ଓ୍ୱାର୍ଡ଼–ଏକା କଥା; ଆମର ଇଚ୍ଛା, ଅଭିଳାଷ, ଆମକୁ ଡିସଚାର୍ଯ କର । କଥା ବୁଝିହେଉ ନାହିଁ । ସବୁ ରୋଗୀ କଅଣ ପାଗଳ ହୋଇଗଲେ ? ଚିନ୍ତା, ବିସ୍ମୟ ଓ ଅଶାନ୍ତ ଘେନି ତିନି ଚିକିତ୍ସକ କେବଳ ଶୂନ୍ୟକୁ ଚାହିଁ ରହିଲେ କିଛି ଗୋଟାଏ ଭୟାବହ ଦୁର୍ଘଟଣାର ପ୍ରତୀକ୍ଷାରେ–

ସେହି ରାତ୍ରିର ଅନ୍ଧକାର ଭେଦିଉଠିଲା ଗଗନମଣ୍ଡଳରେ ଭୋଜବାଜି ଭଳି ଆତସବାଜିର ସମାରୋହ । ଦିଗଦିଗନ୍ତ ଜ୍ୟୋତିର୍ମୟ ହେଲା । କେତେ ପ୍ରକାର ଆତସବାଜି ! କେତେ ସୁନ୍ଦର ଚକ୍ର, ହାବେଳି, ଚମ୍ପା, ସବୁ ଉପରକୁ ଉଠିଲେ, ରଶ୍ମି ଝରେଇଲେ, ଶେଷରେ ପ୍ରକମ୍ପ ତୋଳି ଶୂନ୍ୟ ମାର୍ଗରେ ଫାଟି ପଡ଼ିଲେ । ସେଇ ଜ୍ୟୋତିରେଖାର ଝୁଲ କ୍ରମେ ଅନ୍ତରୀକ୍ଷରୁ ଖସି ଆସି ଝରିପଡ଼ିଲା ନୀଳ-ତରଙ୍ଗ-ସେବାସଦନ ଉପରେ ।

ଚାହୁଁ ଚାହୁଁ ବସନ୍ତ ରାଗରେ ବାଜିଉଠିଲା ସାହାନାଇର ସପ୍ତସ୍ୱର । ସଙ୍ଗୀତର ଊର୍ମିମାଳା ଛନ୍ଦେ ଛନ୍ଦେ ସଞ୍ଚରିଗଲା, ସେବାସଦନର ପ୍ରତି ରନ୍ଧ୍ର ଭିତରେ ପ୍ରତିଧ୍ୱନିତ ହେଲା, ବସନ୍ତ, ବେହାଗ କେତେ ରାଗ-ରାଗିଣୀ ।

 

ମହୋଜ୍ଜ୍ୱଳ ପଟୁଆର । ବିବାହର ଶୋଭାଯାତ୍ରା । ଲୋକେ ଚାଲିଛନ୍ତି, ବାଜା ବାଜୁଛି; ଆନନ୍ଦ, ଅପ୍ରମତ୍ତ ଆନନ୍ଦ ।

 

ହଠାତ୍‌ ସେବାସଦନର ଭିତ୍ତିମୂଳକ ଦୋହଲାଇ ଦେଇ ଘନ ପ୍ରକମ୍ପିତ ହେଲା ଚିତ୍କାର, ଆମେ ସୁସ୍ଥ, ଆମର ଲାଳସା ବହ୍ନିମୟ, ଆମକୁ ଛାଡ଼, ସେଇ ପ୍ରତୀକ୍ଷିତ ତାରିଖ ଆସିଗଲା । ଆମକୁ କେହି ରଖିପାରିବେ ନାହିଁ ।

 

ଗୋଟାଏ ହାବେଳୀର ବିଦୀର୍ଣ୍ଣ ବଜ୍ରନାଦରେ ସମଗ୍ର ହାସପାତାଲ୍‍ର ଆଲୋକମାଳା ନିଶ୍ଚିହ୍ନ ହୋଇଗଲା । ଅନ୍ଧକାର–ବିସ୍ତୃତ ମସୀପଟଳର ଭୟଙ୍କର ରୂପ ।

 

ଆମର ନିତିଦିନିଆ ସୁନ୍ଦର ସୂର୍ଯ୍ୟଟି ଉଇଁଆସିଲା । ଦେଖୁ ଦେଖୁ ଗୋଟିଏ ନୂଆ ଦିନର ନବଜନ୍ମ ହେଲା ।

 

ସେହି ପ୍ରଭାତର ଅସ୍ପଷ୍ଟ ଆଲୋକରେ ବିବ୍ରତ ଭୟଚକିତ ଡାକ୍ତର ସୁଧର୍ମଙ୍କର ଦୁଇଗଣ୍ଡ ଦେଇ ଅଶ୍ରୁ ପ୍ରବାହିତ ହେଉଥିଲା । ମଧୁମତୀ ଓ ପୁଷ୍ପ ବସି ରହିଥିଲେ ସ୍ଥାଣୁ ଓ ପ୍ରସ୍ତରଖୋଦିତ ମୂର୍ତ୍ତି ଭଳି ।

 

ଆଗରେ ଛିଡ଼ାହୋଇଥିଲେ ଜଣେ ଜୀର୍ଣ୍ଣବାସ ପରିହିତ ଭିକ୍ଷୁକ । ସେ କହିଥିଲେ–

 

‘ମହାଶୟ ମୁଁ ଦେଖିଲାବେଳକୁ ଆପଣଙ୍କ ରୋଗୀମାନେ ଖାଦ୍ୟ ଖାଇ ସାରିଥିଲେ । ସେମାନେ ତ ମଣିଷ ଭଳି ଖାଉ ନ ଥିଲେ । ଶହେବର୍ଷର ବୁଭୁକ୍ଷା ଘେନି ସେମାନେ ପତ୍ର ଅଣ୍ଡାଳୁଥିଲେ ।

 

ସୁଧର୍ମ ଜଡ଼ିତ କଣ୍ଠରେ କହିଲେ–ଖାଦ୍ୟ ?

 

‘ହଁ ମହାଶୟ, ଭୋଜି ! ଦେଶର ଜଣେ କୋଟିପତିଙ୍କର ପୁଅର ବିବାହରେ ଆପଣଙ୍କ ରୋଗୀମାନେ ଯୋଗ ଦେଇଥିଲେ । ଯୋଗ ତ ନୁହେଁ, ସେ ଯେ କି ଉପଭୋଗ କଥାରେ କହିହେବ ନାହିଁ ।

 

ମଧୁମତୀ ଆତଙ୍କିତ ହୋଇ ପଚାରିଲେ–ଏମାନେ ଗଲେ କିପରି ? ଅନ୍ଧ, ପଙ୍ଗୁ, ଅର୍ଥବ ଦେହରେ ୧୦୫ ଡିଗ୍ରୀ ଉତ୍ତାପ ଧରି ? କାହାର ଗୋଡ଼ କଟିଛି, କାହାର ଅନ୍ତନାଡ଼ିରେ କ୍ଷତ ? କାହାର ହାଡ଼ ଭାଙ୍ଗିଛି, କିଏ କ୍ଷୟକାଶର ବୀଜାଣୁରେ ଅର୍ଦ୍ଧମୃତ । ଏକାନେ ଚାଲିବା ଶକ୍ତି ପାଇଲେ କିପରି ? ଆଉ ଭୋଜି ! ହାୟ, ପ୍ରଭୁ !

 

ଭିକ୍ଷୁକ ସ୍ମିତ ହାସ୍ୟ କରି କହିଲେ–ଆପଣ କଅଣ ବିଶ୍ୱାସ କରୁଛନ୍ତି ସେମାନେ ସତେ ଯାଇଥିଲେ ? ସେମାନଙ୍କର ଅତୃପ୍ତ ଆତ୍ମା ଯାଇଥିଲା । ଏବେ ଦେଖନ୍ତୁ, ହାସପାତାଲ୍‍ର ପ୍ରତ୍ୟେକ ବିଛଣାରେ ରୋଗୀ ନିଦ୍ରିତ । ତାଙ୍କର ବାସନା ଯେପରି ଶାନ୍ତ ହେଲା ଭଳି ମନେ ହେଉଛି । କିନ୍ତୁ ଏ ଶାନ୍ତି ଶ୍ମଶାନର ଶାନ୍ତି ହୋଇପାରେ । ସାବଧାନ ଥିବେ ।

 

ସୁଧର୍ମ ପଚାରିଲେ–ଆପଣ କିଏ ?

 

‘ମୁଁ କାଳଭିକ୍ଷୁ, ଏହି କାଳକୁ ମୁଁ ଅପେକ୍ଷା କରିଥିଲି’–ଏତିକି କହି ଭିକାରିଟି ଆଗକୁ ପାଦ ବଢ଼ାଇଲେ–

 

ସହସା ଏକ ପ୍ରଖର ପବନ ସ୍ରୋତର ବେଗ ଛିଣ୍ଡେଇ ଆଣିଲା କାନ୍ଥ ଉପର ସେଇ କାଲେଣ୍ଡରକୁ ଯେଉଁଠି ଗୋଟାଏ ତାରିଖ ଉପରେ ପଡ଼ିଥିଲା ବର୍ତ୍ତୁଳ ଲାଲ ଚିହ୍ନ–ସେଇ ଗୋଟିଏ ତାରିଖ....ସେଇ ଗୋଟିଏ ତାରିଖ...

Image

 

ବିବାହୋତ୍ସବ

 

ବିବାହ !

 

ଅଧରାର ବିବାହ !

 

ହାତରେ ଶୁଭ କାଚ, ମଥାରେ ସିନ୍ଦୂର, ପାଦରେ ଅଳତାଗାର–ଏ ଦୃଶ୍ୟ କଅଣ ସତେ ପାପଚକ୍ଷୁ ଦେଖିବ ?

 

ଦେଖିବ କି ନାହିଁ ରୁଦ୍ରସୁନ୍ଦରବାବୁ ବୁଝିପାରିଲେ ନାହିଁ । ତାଙ୍କର ଦୁଇଟିଯାକ ପାପ-ଚକ୍ଷୁରୁ ପୁଣ୍ୟ ଅଶ୍ରୁ ପ୍ରବାହ ବୋହିଯାଏ । ଆଗରେ ଉଭା ହୋଇଯାଏ ଅଧରା । ବିପୁଳ ରୂପ ସମ୍ପତ୍ତି ମଧ୍ୟବିତ୍ତ ଗୃହସ୍ଥର କନ୍ୟାର ଅଙ୍ଗ ଆଶ୍ରୟ କରି ସୃଷ୍ଟି କରିଥାଏ ମହୋତ୍ସବ ।

 

ରୁଦ୍ରସୁନ୍ଦର ସେଉଁଆଡ଼େ ଯାଆନ୍ତି, ଯାହା କରନ୍ତି ସବୁର ମଝିରେ ଛିଡ଼ାହୋଇଥାଏ ଅଧରା । ସେ ତାଙ୍କର ପଥ ରୋଧ କରେ, ତାଙ୍କର ଚିନ୍ତା-ସରଣୀରେ ଅଚିନ୍ତନୀୟ ବିପ୍ଳବ ଆଣେ । ପ୍ରେତାତ୍ମାର ଶ୍ମଶାନ ନୃତ୍ୟ ଭଳି ଅଧରାର ରୂପ; ତା’ର ଅସହଣିକ ଉଦ୍ଦାମ ଗତି, ତା’ର ଭାରା ଧାରଣରେ ଧରିତ୍ରୀର ଉଲ୍ଲାସ–ସବୁ ଯେପରି ରୁଦ୍ରସୁନ୍ଦରଙ୍କୁ ଉପହାସ କରେ–କହେ, ‘ଏ କନ୍ୟାର ପିତା ହୋଇ ରୁଦ୍ରସୁନ୍ଦର ଛନ୍ଦପତନ ଘଟାଇଛନ୍ତି । ବଣର କୁରଙ୍ଗୀକୁ ଗୃହାଙ୍ଗନାରେ ସମ୍ପାଦିଲେ ଗୃହ ତା’ ପକ୍ଷରେ କାରା ହୋଇଯିବ । ଅଧରାର ବିଚରଣ ଭୂମି ଗୃହର ଆବଦ୍ଧ ଦେହଳି ନୁହେଁ । ଉନ୍ମୁକ୍ତ ବନପ୍ରଦେଶ ।’

 

ଅଧରା କିଛି ବୁଝେ ନାହିଁ । ମନର ଚମକକୁ ଥରେ ଥରେ ଉପଲବ୍‌ଧ କରେ । ସେତିକି ମାତ୍ର । ବାପା, ମାଆ, ଛୋଟ ଭାଇ, ଭଉଣୀର ସଂସାର । ଆନନ୍ଦ କୋଳାହଳ ମୁଖରିତ ଏଇ ଛୋଟ ନୀଡ଼ଟିରେ ସେ ନିର୍ଲିପ୍ତ ଭାବରେ ରହିଥାଏ ।

 

ଦିନେ ଆସିଲା ତା’ର ଜୀବନରେ ଏକ ଦୁର୍ଘଟଣା । ସେ ଦୁର୍ଘଟ ଚୋର ଆଉ କେହି ନୁହେଁ । କାଳ–ସମୟ । ପନ୍ଦର ପାରି ହୋଇ ଷୋହଳର ରସ-ମାଧୁରୀରେ ମନ ଆନମନା ହେବା ବେଳକୁ କେଉଁ ସାଥୀର ଗହଣରେ ତରଙ୍ଗ ଉପରେ ଭାସି ଭାସି ଶୂନ୍ୟମଣ୍ଡଳରେ ଚାନ୍ଦକୁ ହାତ ବଢ଼ାଇ କାମନା କରିବା ସମୟରେ ଅଧରା ଅନୁଭବ କଲା ସମୟ ବହିଚାଲିଛି । ପନ୍ଦର ଓ ଅଠର ଭିତରେ କାଳ ତା’ର ତନୁ ଆଉ ମନ ଉପରେ କେତେ ବିଭ୍ରାଟ ସୃଷ୍ଟିକଲାଣି । ସାଥୀ କେହି ନୁହେଁ । ଚାନ୍ଦ ତ ଧରିବାର ଚାନ୍ଦ ନୁହେଁ । କେଉଁଠି ବଂଶୀ ବାଜୁଛି ତ ତାହା କର୍କଶ ଶୁଣାଗଲାଣି । ମନ-କାନନରେ ଝଡ଼ ଝଞ୍ଜାର ପ୍ରସାର ଧ୍ୱନି ।

 

କେବଳ ଅଧରାର ମନ-କାନନରେ ଯେ ଆକାଶ ଧରଣୀର ଏକାକାର ଭାବ ତା’ ନୁହେଁ, ରୁଦ୍ରସୁନ୍ଦରଙ୍କର ମନରେ ବି ଆସନ୍ନ ମେଘାଡ଼ମ୍ୱର, ସଚିତ୍ର କାଳିମାର ବିଲୋପ, କେଉଁଠି ହେଲେ କ୍ଷୀଣ ଜ୍ୟୋତିରେଖା ନାହିଁ ।

 

ବନ୍ଧୁ ସ୍ୱଜନମାନେ ଆସନ୍ତି । ମଧ୍ୟବିତ୍ତ ଗୃହସ୍ଥର ଚା’ ପାନ ପର୍ବପରେ ଅଧରା ଯେ ପାତ୍ରସ୍ଥା ହୋଇ ପାରୁନାହିଁ, ସେଥିପାଇଁ ଦୁଃଖ କରନ୍ତି । ପରାମର୍ଶ ଦିଅନ୍ତି ଆଉ କିଛି ପାଠ ପଢ଼ାଇଥିଲେ ଏତେ ମନସ୍ତାପ କରିବାକୁ ପଡ଼ି ନ ଥାନ୍ତା । ବିହଙ୍ଗୀ ନିଜେ ଉଡ଼ିବାକୁ ଇଚ୍ଛା କରିଥାନ୍ତା-

 

ଅଧରାର ସୌନ୍ଦର୍ଯ୍ୟରେ ଅନିନ୍ଦ୍ୟ ଭାବ ନ ଥିଲେ ବି ଚଳନୀୟ ସୁଷମା ଅତି ସ୍ପଷ୍ଟ । ତେବେ ବାଧା ଆସେ । ଆସିବାର କଥା । ଯୁବକମାନେ ବିଶ୍ୱବିଦ୍ୟାଳୟ ଛାତ୍ରୀକୁ ପ୍ରଣୟିନୀବେଶରେ ଯେପରି କାମନା କରନ୍ତି, ଅଧରା ଭଳି ଅତି ସଂଯତ ଲଜ୍ଜାବତୀ ବାଳିକାକୁ ସେତେ ପସନ୍ଦ କରନ୍ତି ନାହିଁ ।

 

କ୍ରମେ ଆରମ୍ଭ ହେଲା ଅଧରାର ଦୁର୍ବିସହ ଜୀବନ । ବୟସ ବଢ଼ିଲା । ସ୍ନେହ ପ୍ରୀତିର ଧାରା କ୍ରମେ ଶୁଷ୍କ ହୋଇଆସିଲା । ବାପା ମାଆ ତାକୁ ଅନାବଶ୍ୟକୀୟ ଏକ ସାମଗ୍ରୀ ବୋଲି ଭାବିଲେ । ଆଖି ଆଗରେ ଦେଖିଲେ ବିଶ୍ୱବିଦ୍ୟାଳୟ ଛାତ୍ରୀ ହାତ ଛନ୍ଦାଛନ୍ଦି ହୋଇ ଯାଉଛି ବିବାହକୁ ରେଜିଷ୍ଟ୍ରି କରିବାକୁ । ଦଲିଲ୍‌ ନଥିପତ୍ରରେ ଦରଜ୍‌ କରିଦିଆଗଲା–ପୁରୁଣା ସେଇ ପ୍ରଥା ଯଥା ରାବଣସ୍ୟ ମନ୍ଦୋନ୍ଦରୀ । ଖରଚ ନାହିଁ, ବିଚାର ନାହିଁ, କାହାର ସମ୍ମତି ଅସମ୍ମତିକୁ ଅପେକ୍ଷା ନାହିଁ । ନବ-ତରୁଣ-ତରୁଣୀର ଶୋଭାଯାତ୍ରାରେ ତାଙ୍କ ନଖତଳ ଦୁର୍ବା ମଳିନ ପଡ଼ିଯାଇଛି । ଯାଉ, ସେଥିରୁ ତିଆରି ହୋଇଯିବ ପ୍ରଶସ୍ତ ରାଜପଥ । ନାନା ସ୍ୱପ୍ନ, ନାନା କର୍ମଯୋଜନାର ରାଜମାର୍ଗ ।

 

ରୁଦ୍ରସୁନ୍ଦର ସ୍ଥିର କଲେ ଅଧରାକୁ ବିଶ୍ୱବିଦ୍ୟାଳୟକୁ ପଠାଇବେ । ସମସ୍ତେ ସମର୍ଥନ କଲେ । ହାଣ୍ଡିକଳା-ଧୂଆ ହାତ ଏତେଦିନେ ଧୋଇ ଶିଖିବ ଟେଷ୍ଟଟ୍ୟୁବ୍‌ । ଚୂଲି ଭିତରେ କାଠ ମୁହୋଁଉଥିବା କର ଏତେଦିନେ କଙ୍କଣ ଧ୍ୱନିରେ ରଙ୍ଗପୀଠ ଧ୍ୱନିତ କରିବ । ଯେ ପାଦ ଦୁଇଟି ମାଟିରେ ସଂସ୍ପର୍ଶରେ ଆସି ମଳିନ ହୋଇଯାଇଥିଲା, ତାହା ଏବେ ଗତିକରି ଆସିବ ବିଶ୍ୱବିଦ୍ୟାଳୟର ମର୍ମର ମସୃଣ ଶିଳା ଉପରେ । କେତେ ଯେ ସମ୍ଭାବନା ? ତା’ ସଙ୍ଗେ ଆଉ ଏକ କଳ୍ପନା, ରହିଛି । ଅହରହ ରୁଦ୍ରସୁନ୍ଦର ସେଇ କଥା ଚିନ୍ତା କରନ୍ତି । ଅଯାନିତ ଅପ୍ରାର୍ଥିତଭାବରେ ଆସିବ ବରଣମାଳା । ଅଧରା ସୀମାନ୍ତିନୀ ହେବ, ହେବ ଜାୟା ।

 

ବିଶ୍ୱବିଦ୍ୟାଳୟର ବହୁ କୁସୁମ ଭିତରେ ନବପ୍ରସ୍ଫୁଟିତ ଗୋଟିଏ କୁସୁମର ସଦ୍ୟ ବିକାଶ ଅଳିକୁଳକୁ ମୁଗ୍‌ଧ କରିଥିଲା । ଚିର ପ୍ରଚଳିତ ମାର୍ଗରେ ନାନା ଉପଚାର ପରେ ଦେଖାଗଲା କେତୋଟି ଦୃଶ୍ୟ !

 

‘‘-ମିସ୍‌ ଅଧରା, ଆପଣଙ୍କୁ କଥା ଦେବାକୁ ପଡ଼ିବ । ଆଜି ସେକେଣ୍ଡ ସୋ’ରେ ନିଶ୍ଚୟ; ଏଇ ସାର୍‌ ଆସୁଛନ୍ତି । ବାଇ....ବାଇ....’’

 

‘‘ମିସ୍‌, ଲିପ୍‌ସ, ନୋଟ ଖାତା ଦିଅନ୍ତୁ ତ ! କି ଚମତ୍କାର ଆପଣ ନୋଟିସ୍‌ ଲେଖନ୍ତି ! ବଡ଼ ଭାଇକୁ ଏମିତି ଲାଜ କରନ୍ତି ? ଏଇ ପିଅନ୍‌ଟା ଆସୁଛି । କିଛି ଭୟ ନାହିଁ, କାଲି ତାକୁ ଟଙ୍କାଟାଏ ବକ୍‌ସିସ୍‌ ଦେଇଛି । ତୁମେ ମତେ ଭଲ ପାଅ ତ । ଜୀବନର ଶେଷ ମୁହୂର୍ତ୍ତଯାଏ, ନା ନା, ଦର୍ଶନ ଅଧ୍ୟାପକ କହୁଥିଲେ ମରଣ ପରେ ଆଉ କେତେ କେତେ ଜୀବନ ଅଛି । ସେ ସବୁ ଜୀବନରେ ତୁମେ ହିଁ.....’’

 

‘‘–ଦେଖନ୍ତୁ ଅଧରା ଦେବୀ, ସମସ୍ତେ ଶ୍ରେଣୀରେ ବସିସାରିଲା ପରେ ମୁଁ ଜାଣି ଶୁଣି ଡେରିକରି ଆସେ । ତାହାହେଲେ ତୁମେ ତମର ମୀନନୟନକୁ ଉଠାଇ ମତେ ଚାହିଁପାରିବ, ଆଉ ମୁଁ ବି ଛାଡ଼.....’’

 

‘‘ଦେଖନ୍ତୁ–ଆପଣ ଭାବୁଥିବେ ମୁଁ ଇତର ଛାତ୍ରଙ୍କ ଭଳି ଆପଣଙ୍କୁ ପ୍ରେମ ନିବେଦନ କରୁଛି । ନା, ତାହା ନୁହେଁ । ମୁଁ ଭାରତର ସନ୍ତାନ । ମୋର ପ୍ରେମ ତ୍ୟାଗ ଉପରେ ପ୍ରତିଷ୍ଠିତ । ଆପଣ ମତେ ଅପମାନ କରନ୍ତୁ ପଛକେ ମୁଁ ଆପଣଙ୍କୁ ଧ୍ୟାନ କରୁଥିବି । ମୋ ମନୋରାଜ୍ୟରେ ମୁଁ ରାଜା । ମୋର ଇଚ୍ଛା ମୁଁ ଯାହା ଭାବିପାରିବି; ଆପଣଙ୍କ ଶରୀର ଭିତରେ ମୁଁ ଦେଖେ କୀଟ କୃମିର ଖେଳା । କିନ୍ତୁ ହୃଦୟ ଭିତରେ ଦେଖେ ଜବାପୁଷ୍ପର ସିଂହାସନ ଉପରେ ମୋରି ପ୍ରତିମୂର୍ତ୍ତି ଶୋଭାପାଇଛି । ବାସ୍‌, ସେତିକି କାମନା–ଏଣିକି ଆପଣ ଯୁଆଡ଼େ ଯାଆନ୍ତୁ, ଚିନ୍ତା ନାହିଁ । କାରଣ ଆପଣ ସଚଳ, ପୁଣି ଅଚଳ, ଆପଣ ବିସ୍ତୃତ ପୁଣି ସଙ୍କୁଚିତ, ଆପଣ–‘‘

 

ଅଧରା ସବୁ ଶୁଣେ । ଅଧର ଦଂଶନ କରେ । ଚକ୍ଷୁରୁ ସ୍ଫୁଲିଙ୍ଗ ଝରାଏ । କିନ୍ତୁ ପରେ ଫିସ୍‌ କରି ହସିପକାଏ ।

 

ସୁଯୋଗ ଖୋଜୁଥାଏ । ପ୍ରତ୍ୟେକଙ୍କ ପାଖରେ ସେ ଆତ୍ମସମର୍ପଣ କରିଦେବ । ହଁ, ହଁ, ତାହା ହିଁ ସେ କରିବ ।

 

ଯେଉଁ ପତଳା ଛାତି ଯୁବକଟି ତାକୁ ମିସ୍‌ ଅଧରା ବୋଲି ସମ୍ଭାଷଣ କରେ, ତାକୁ ଦିନେ ପୋର୍ଟିକ୍‌ର ଖୁମ୍ୱ ପାଖରେ ନିଭୃତରେ ପାଇ ଅଧରା କହିଲା–

 

‘‘ରଜତ ବାବୁ, ଆଜି ଆମ ଘରକୁ ଆସନ୍ତୁ, ବାପାଙ୍କ ସାମ୍ନାସାମ୍ନି କଥାଟା ପଡ଼ିଯାଉ ।’’

 

ରଜତ ବାବୁ ଯୁବକଟିର ଓଠ ଦୁଇଟି ଓହଳିଗଲା । ଘରେ ପୁଣି ବାପାଙ୍କ ସାମ୍ନାସାମ୍ନି । କଅଣ କହିଦେଇଛି କି ?

 

ଅଧରା ବୁଝିଲା ପାଠ ପଢ଼ିବାସ୍ଥଳ ବିଦ୍ୟାଳୟଟା ବିଶ୍ୱ ହୋଇ ଯାଇଛି ସିନା, ବୀରତ୍ୱ ଦେଖାଇବାରେ ଏଇ ସଦା ପ୍ରକମ୍ପିତ ଜାନୁ ଯୁବକଙ୍କର ସ୍ଥାନ ବିଶ୍ୱରେ ନାହିଁ, ଅଛି ଅନ୍ୟତ୍ର ।

ହସ ସମ୍ଭାଳି ନେଇ ଅଧରା କହିଲା–‘‘ସତେ ରଜତ ବାବୁ, ଆଜି ଆସନ୍ତୁ ଠିକ୍‌ ସାତଟାରେ ବାପା ଥିବେ, ବୋଉ ଥିବେ, ଆଉ ମୁଁ, ସେ ତ ଆପଣଙ୍କର ଭାବୀ ଶାଶୁ ଶ୍ୱଶୁର, ଆଉ ମୁଁ ତ ଭାବୀ ପତ୍ନୀ । ମାତ୍ର ଏସବୁ ଭବିତବ୍ୟତା ଆୟତ୍ତ କରିବାକୁ ହେଲେ ବାସ୍ତବତାର ଆୟୋଜନ କରିବାକୁ ହେବ । ଆପଣଙ୍କ ସଙ୍ଗେ ମୁଁ ବିବାହ କରିବାକୁ ପ୍ରସ୍ତୁତ ।’’

‘–ବିବାହ ?’ ଯୁବକଟିର ଶୁଷ୍କ କଣ୍ଠନଳୀ ଭିତରେ ଆବାଦ୍‌ ବେଶ୍‌ ଉପଭୋଗ୍ୟ । ଭୟାର୍ତ୍ତର ଶବ୍ଦ ।

‘–ତେବେ କଅଣ କେବଳ ମୁକ୍ତପ୍ରେମ ? ବାଟ, ଘାଟ, ରଙ୍ଗ ପୀଠ ? ସର୍ବତ୍ର ?’

ରଜତ ବାବୁ ତଳକୁ ଚାହିଁ କହିଲେ– । ‘‘ବିବାହ ତ ବଡ଼ ଦାୟିତ୍ୱ କଥା । ତା’ ଛଡ଼ା ମୁଁ ତ ଜଣକୁ ବିବାହ କରିବି ।’’

‘–ଅର୍ଥାତ୍‌, ଅନ୍ୟମାନଙ୍କ ସହିତ ମୁକ୍ତ ପ୍ରଣୟ ? ଲୀଳା ଖେଳା ? ବାଃ ଚମତ୍କାର–’ କଣ୍ଠରେ ଝନତ୍‌କାର ଶୁଣାଇ ଅଧରା ସେତେବେଳେ କମ୍ପିଉଠିଥିଲା ।

ଗୋଟିକ ପରେ ଗୋଟିଏ ଯୁବକକୁ ଅଧରା ଏଇ ଏକ ପ୍ରଶ୍ନ ପଚାରିଛି । ଉତ୍ତର ପାଇଛି–‘ମୁଁ ତ ଜଣକୁ ବିବାହ କରିବି, ବିବାହ ବଡ଼ ଦାୟିତ୍ୱ’ । ଅଧରା ବୁଝିଲା ତା’ର ବିବାହ ହୋଇ ପାରିବ ନାହିଁ । ଉତ୍ସବର ହୁଳୁଧ୍ୱନି ତା’ କାନରେ ବାଜିବ ନାହିଁ । ଛାଡ଼–ଜୀବନଟାର ବହୁ ଦିଗ ଅଛି । ଏଇ ଗୋଟିଏ ମାତ୍ର ଦିଗରେ ସେ ଅବାଞ୍ଛିତା ହୋଇଗଲେ ବି କିଏ ଜାଣେ ଅନ୍ୟ ଦିଗରେ ତାହାର କେହି ବାଞ୍ଛିତ ହାତ ଧରି ତାକୁ ନେଇଯିବ ।

 

ସେଦିନ ସକାଳେ ଅଧରାର ସମସ୍ତ ସ୍ଫୂର୍ତ୍ତି ଚାଲି ଯାଇଛି । ଦେହ ବି କିମିତି ଅବଶ ଲାଗୁଛି । କି ଅର୍ଥ ଅଛି ଏମିତି କୃତିତ୍ୱର ! ବର୍ଷ ବର୍ଷ ହଜାର ହଜାର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ହାର ଦେଇ ଦୁଇ ପଦ-ଲେଖା କାଗଜ ଖଣ୍ଡିଏ ଧରି ବାହାରି ଆସୁଛନ୍ତି । ତା’ପରେ ସେ କାଗଜର ମୂଲ୍ୟ କିଛି ରହୁ ନାହିଁ । ଜୀବନ-ସଂଗ୍ରାମ କଠୋର । ତା’ର ଚାରିପଟ ପ୍ରାଚୀର ଭିତରେ ମଥା ପିଟି ହୋଇ ଯାଇଛି ।

 

ରୁଦ୍ରସୁନ୍ଦର ଦେଖିଲେ ଝିଅ ଏତେବେଳଯାଏ ପୋଷାକ ପିନ୍ଧି ନାହିଁ । ପ୍ରସାଧନ କରି ନାହିଁ । ଆଜି ତାଙ୍କର ପିତୃଜୀବନର ସାର୍ଥକ ଦିବସ । ଆଜି ଅଧରା ଶିକ୍ଷିତା ବୋଲି ପରିଚୟ ପତ୍ର ପାଇବ । ଜୀବନରେ ସେ ପରିଚୟ-ପତ୍ର ଆଉ କିଛି ଆଣୁ ବା ନ ଆଣୁ ଅଧରାକୁ ଦେବ ଏକ ନିର୍ଦ୍ଦିଷ୍ଟ ଆସନ । ସେହି ଆସନରେ ଆସୀନା ହୋଇ ଝିଅ ବହୁତ କିଛି ଆକର୍ଷଣ କରିପାରିବ ।

 

ଅଧରାର ଯେପରି ମନେହେଉଛି ସେ ଯାଉଛି ବଧ୍ୟ-ଭୂମିକୁ । କି ଆଶ୍ଚର୍ଯ୍ୟ ! କେତେ ଆନନ୍ଦରେ କେତେ କଳ୍ପନାରେ ବିଶ୍ୱବିଦ୍ୟାଳୟର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଗଣ ଆଜିର ଉତ୍ସବରେ ଯୋଗ ଦେବାକୁ ଯାଉଛନ୍ତି ଅଥଚ ଅଧରାର ମନ ପ୍ରସନ୍ନ ନୁହେଁ । ନାରୀର ବିଚିତ୍ର ରୀତି ଭାବି ରୁଦ୍ରସୁନ୍ଦର ନିଜ କନ୍ୟାଙ୍କୁ ସହସା ଏକ ପୂର୍ଣ୍ଣତମା ନାରୀ ଭାବରେ କଳ୍ପନା କରିବସିଲେ ।

 

ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । ସ୍ନାତକମାନେ ପ୍ରଣତ ହୃଦୟରେ ଆଚାର୍ଯ୍ୟଙ୍କର ଶପଥବାଣୀକୁ ସ୍ୱୀକାର କରିନେଉଛନ୍ତି । ଆଚରଣ ସ୍ୱଭାବରେ ଆମେ ଯୋଗ୍ୟ ନାଗରିକ ହେବୁ । କାର୍ଯ୍ୟରେ ହେବୁ ନିଷ୍ଠାପର କର୍ମୀ, ଆମର ଜ୍ଞାନ ଓ ମନୀଷା ଆମେ ପ୍ରୟୋଗ କରିବୁ ଜୀବକୁଳର କଲ୍ୟାଣପାଇଁ–ଏମିତି କେତେ କଥା ସେମାନେ ଆବୃତ୍ତି କରୁଛନ୍ତି ।

 

କଥାଗୁଡ଼ାକ ମୁହଁରେ ବାହାରି ଆସୁଛି ସିନା ହୃଦୟରେ ବିଶ୍ୱାସସ୍ତରକୁ ସ୍ୱର୍ଶ କଲାଭଳି ମନେହେଉ ନାହିଁ । ରୁଦ୍ରସୁନ୍ଦର ସୁସଜ୍ଜିତ ଚନ୍ଦ୍ରାତପ ତଳେ ବସିଛନ୍ତି । ପିତୃ-ହୃଦୟ ପ୍ରତିକ୍ଷଣରେ ଆନନ୍ଦ ଓ ଆକାଙ୍‌କ୍ଷାରେ ସ୍ପନ୍ଦିତ ହେଉଛି ।

 

ମଥା ଉପରେ ବିଶ୍ୱବିଦ୍ୟାଳୟର କୃଷ୍ଣ ଶିରସ୍ତ୍ରାଣ, ଅଙ୍ଗ ଉପରେ କୋମଳ କଳାବସନର ସୁନ୍ଦର ବେହରଣ ସଜାଇ ଅଧରା ବସି ରହିଛି । ଏଇ, ସାମାନ୍ୟ ଦୂରରେ ରଜତ ବାବୁ । ବିଚରା ଏବର୍ଷ ଫେଲ ହୋଇଯାଇଛନ୍ତି । ନଇଲେ ଅଧରା ସଙ୍ଗରେ ଏହିପରି କଜ୍ଜ୍ୱଳବାନ୍‌ ହୋଇ ବସିଥାନ୍ତେ । ଦୂରରେ ସିନିଅର ଓ ଜୁନିଅର ଛାତ୍ର । ପୋର୍ଟିକୋ ପାଖରେ, ରାସ୍ତାରେ, ପ୍ରୟୋଗାଗାରରେ ନିଭୃତରେ ଯେଉଁମାନେ ଅଧରାକୁ ସର୍ବସ୍ୱ ସମ୍ପିଦେବା ପାଇଁ ଇଙ୍ଗିତ ଦେଇ ସମଗ୍ର ଅଙ୍ଗ ଉପରେ ଆଖି ବୁଲାଇ ଆଣୁଥିଲେ, ସେମାନେ ସମସ୍ତେ ଛିଡ଼ାହୋଇଛନ୍ତି ।

 

ଦେଶର ଭବିଷ୍ୟତ ନାଗରିକ ଗୋଟିଏ ଗୋଟିଏ ଆଗେଇ ଆସିଲେ ଆଚାର୍ଯ୍ୟଙ୍କର କୃତିତ୍ୱ ସହିତ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଶଂସା ପତ୍ର ନେବାପାଇଁ । କିନ୍ତୁ ପ୍ରତି ପାଦକ୍ଷେପରେ ଜଡ଼ତା, ଚଳନରେ ଭୀରୁତା । ପ୍ରଶଂସାପତ୍ର ଗ୍ରହଣ କଲାବେଳେ ଭୟ ଓ ଆତ୍ମ ଅବିଶ୍ୱାସ ଯେପରି ପ୍ରତ୍ୟେକଙ୍କୁ ଶିଥିଳ କରିଦେଇଛି ।

 

ଏଇ ଯେ ଛାତ୍ରଟି ସ୍ୱର୍ଣ୍ଣ ପଦକ ଗ୍ରହଣ କଲା ସେ ବ୍ରଜବିଧୂ ପଟ୍ଟନାୟକ । ଖାଲି ପଢ଼ିପଢ଼ି ସେ ଅନ୍ୟ ଅନେକ ଆଡ଼େ ଅଚେତନ ହୋଇପଡ଼ିଛି । ତେଣୁ ଯୁବକ ଶରୀରରେ ବାର୍ଦ୍ଧକ୍ୟ ଏତିକିବେଳୁ ଆଶ୍ରୟ କରି ରହିଲାଣି । ଫ୍ଳାଶ, ଫ୍ଳାଶ, ଫଟୋ ଉଠୁଛି ।

 

ରୁଦ୍ରସୁନ୍ଦର ନିଜ ଡାଇରିରେ ଲେଖିଲେ–ବ୍ରଜବିଧୂ ପଟ୍ଟନାୟକ । ତା’ପରେ ଲେଖିଲେ–ଶରୀର ଟିକିଏ ରୋଗା–ଆଖି କୋଟରଗତ, ସ୍ୱର୍ଣ୍ଣ ପଦକ । ମନେ ହେଉଛି ମଧ୍ୟବିତ୍ତ । ଜାମାତା ହେବାପାଇଁ ଉପଯୁକ୍ତ ଯଦି ପଣ ନ ନିଅନ୍ତି । ଦଶମିନିଟ ପରେ ଦେଖାଗଲା ରୁଦ୍ରସୁନ୍ଦର ଅନେକ ଗୁଡ଼ିଏ ନାଁ ଲେଖିଛନ୍ତି । କେବଳ ପୁରୁଷର ନାମ । ଈଶ୍ୱର ଜାଣନ୍ତି ରୁଦ୍ରସୁନ୍ଦରଙ୍କର ଏ କି ଖିଆଲ । କେବଳ ନାଁ ନୁହେଁ ରୂପର ସମ୍ୟକ ପରିଚୟ । ଗୁଣର ପରିଚୟ ବିଶ୍ୱବିଦ୍ୟାଳୟ ଦେଇଛି ।

 

ଅଧ୍ୟକ୍ଷ ଡାକିଲେ–ଅଧରା ପଟ୍ଟନାୟକ । ସବୁଆଡ଼େ ଗୁଞ୍ଜନ ଖେଳିଗଲା । ରୁଦ୍ରସୁନ୍ଦରଙ୍କର ଚକ୍ଷୁରୁ ଆନନ୍ଦାଶ୍ରୁ ବୋହିବାକୁ ଆରମ୍ଭ କଲା । ସେ ଭାବିଲେ ଏଣିକି ସବୁ ସମସ୍ୟାର ସମାଧାନ ହୋଇଯିବ । ଅଧରା ଆସନରୁ ଉଠିଛି କି ନାହିଁ ଚାରିଆଡ଼ୁ ହୁଳୁ ହୁଳୁ ଧ୍ୱନି ଭାସି ଆସିଲା । ଠିକ୍‍ ବିବାହୋତ୍ସବରେ ବହୁ କଣ୍ଠରୁ ହୁଳୁଧ୍ୱନି ବାହାରିବା ଭଳି ଜାତିର ଏକ ସାଂସ୍କୃତିକ ମହାପୀଠର ସମସ୍ତ ଗାମ୍ଭୀର୍ଯ୍ୟକୁ ଭାଙ୍ଗି ତରଙ୍ଗାୟିତ ଏବଂ ଅପୂର୍ବ ପୁରୁଷ କଣ୍ଠ ନିର୍ଗତ ହୁଳହୁଳିରେ ସମଗ୍ର ସଭାସ୍ଥଳ ଶବ୍ଦାୟିତ ।

 

ଆଚାର୍ଯ୍ୟ ମଥା ନୁଆଁଇଲେ । ବିଶିଷ୍ଟ ଅତିଥି ଚକ୍ଷୁ ନତ କଲେ । ଦେଶର ବିଶିଷ୍ଟ ବ୍ୟକ୍ତି ବିସ୍ମୟ ପ୍ରକାଶ କଲେ । ନାରୀମାନେ ତାଙ୍କ କାମକୁ ପୁରୁଷମାନେ ଗ୍ରହଣ କରିଛନ୍ତି ଭାବି ଅଧିକାରକୁ ସାବ୍ୟସ୍ତ କରିବାପାଇଁ କେହି କେହି ଉଠି ଛିଡ଼ାହେଲେ ।

 

ଲଜ୍ଜାର ଗୋଟାଏ ପ୍ରକାଣ୍ଡ ପର୍ବତ ସମସ୍ତଙ୍କର କାନ୍ଧ ଉପରେ ନଦି ହୋଇଗଲା । ସବୁ ଦିଗ ସବୁ କୋଣରୁ ବହି ଆସିଲା ହୁଳୁଧ୍ୱନି, କୁତ୍ସିତ ହସ ଓ ଅସୁଜନ ଆଚରଣ ।

 

ଅଧରା କ୍ଷଣେ ମାତ୍ର ନିଷ୍ପନ୍ଦ ରହି ତୀର୍ଯ୍ୟକ ଭଙ୍ଗୀରେ ଦେଖିନେଲା କିଏ ଏହି ହୁଳୁକାରୀ ଦଳ । ହଁ, ରଜତ, ଗୋପବନ୍ଧୁ, ଡାଭିଡ୍‌, ସରିଫ–ଯେଉଁମାନେ ଦିନେ ତାକୁ ପ୍ରଣୟିନୀ ଓ ସୋହାଗିନୀ କରିବାପାଇଁ ଗୋଲାପ ଶଯ୍ୟା ପାତିବାରେ ପୁରୁଷାର୍ଥର ଅପୂର୍ବ ବିନିଯୋଗ କରିବାକୁ ବସିଥିଲେ । ଏଇମାନଙ୍କୁ ସେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ନାରୀର ସ୍ୱାଭାବିକ ଲଜ୍ଜାର ମୁଣ୍ଡ ଖାଇ ସେ ବାହାରି ଆସିଥିଲା ପରୀକ୍ଷା କରିବାକୁ କେତେ ଶକ୍ତିଧର ପୁରୁଷ ବିଶ୍ୱବିଦ୍ୟାଳୟର ଜ୍ଞାନ-ପ୍ରକୋଷ୍ଠରେ ରହିଛନ୍ତି ।

 

କିନ୍ତୁ ସେ ଦେଖିଲା ଏମାନେ ସମସ୍ତେ ନିର୍ବୀର୍ଯ୍ୟ ଭଗ୍ନଜାନୁ ପୁରୁଷ ରୂପଧାରୀ ନାରୀ ମାତ୍ର । ଯେଉଁମାନେ ଏପରି କଦର୍ଯ୍ୟ ବ୍ୟବହାର ଦେଖାଇ ସମଗ୍ର ଜାତିର ମୁଖକୁ କାଳିମାଲିପ୍ତ କଲେ, ସେମାନଙ୍କୁ ଈଶ୍ୱର କ୍ଷମା କରନ୍ତୁ–ଏତିକି ମନେ ମନେ ଭାବି ଅଧରା ଉଠିଆସିଲା ମଞ୍ଚ ଉପରକୁ ।

 

ବୃଦ୍ଧ ରୁଦ୍ରସୁନ୍ଦର ଦେଖିଲେ ତାଙ୍କର ସ୍ତିମିତ ନୟନ ଜ୍ୟୋତି ଭିତରେ ଝିଅର ବିବାହ ହୋଇଗଲା । ମଙ୍ଗଳ ହୁଳୁଧ୍ୱନି ପକାଇ ହଜାର ହଜାର ଲୋକଙ୍କ ଗହଣରେ କାର୍ଯ୍ୟଟି ସମ୍ପନ୍ନ ହେଲା ।

 

ଶେଷରେ ‘ଜନଗଣ ମନ ଅଧିନାୟକ’ ସଙ୍ଗୀତର ଉଦାର ବାଣୀ ।

 

ଅଧରା ଉଠି ଆସିଲା ବାପାଙ୍କ ପାଖକୁ–କହିଲା–‘ଚାଲ, ଉତ୍ସବ ଶେଷ ହେଲା ।’ ରୁଦ୍ରସୁନ୍ଦର ଜଡ଼ୀଭୁତ ପ୍ରସ୍ତର ଖଣ୍ଡ ଭଳି ଶରୀରକୁ ଉଠାଇ କହିଲେ–‘ଚାଲ, ମାଆ, ଦେଶ ଓ ଜାତି ଯେ ଏତେ ଅଗ୍ରଗତି କରିଛି, ମୁଁ ବୁଝିପାରିନଥିଲି ମାଆ । ମରିବାପୂର୍ବରୁ ଖୁବ ସୁନ୍ଦର ଦୃଶ୍ୟ ଦେଖିଗଲି ।

Image

 

ନିହାରୀକାର ନୀଳସ୍ରୋତ

 

ନିତିଦିନିଆ ଜୀବନରେ ଅନେକ କଥା ଦେଖେଁ; ଅନେକ କଥା ଶୁଣେ । ଶିଳ୍ପୀମନ ମୋର ତାହା ପ୍ରକାଶ କରିବାକୁ ଚାହେଁ । କିନ୍ତୁ କାହିଁକି କେଜାଣି ସବୁ କଥା ସବୁଲୋକଙ୍କ ଆଗରେ ପରଶି ଦେବାପାଇଁ ମନ ଡାକେ ନାଇଁ ।

 

କେତେ ଲୋକ ଅଛନ୍ତି ଅର୍ଥରେ ଅନର୍ଥ କାଢ଼ିବେ । କେତେ କହିବେ ଦେଖାଶୁଣା କଥା, ସେଇଆକୁ ବନେଇ ଚୂନେଇ କହିବାରେ ଲାଭ କଅଣ ?

 

ମନ ମାରି ବସି ରହେ । ଭାବେ, ନାଃ ଲେଖି ଜଣାଇବାର ଦରକାର ନାହିଁ । ଶିଳ୍ପୀ ଭିତରେ ତାକୁ ଖଞ୍ଜି ପ୍ରକାଶ କରିବାରେ ମୋର ଶକ୍ତି ଥିଲେ ବି ନାନା ଲୋକଙ୍କର ନାନା କଥାକୁ ମୋର କିଏ ପାରେ ?

 

ଯେଉଁମାନେ ନୀରବ ଅଛନ୍ତି, କଥାରେ ଲେଖାରେ ଗୁମ୍‍ ମାରି ବସିଛନ୍ତି, ଜୀବନକୁ ଚଉଛକ ଉପରେ ଚାଲି ଯାଉଥିବାର ଦେଖିଲେ ବି ଯାହାଙ୍କର କୁକୁର ଚକି ଖୋଲେ ନାଇଁ, ସେମାନେ ତ ବେଶ୍‍ ଆରାମରେ ଅଛନ୍ତି । ନିର୍ବିଘ୍ନରେ ଜୀବନ ସୁଅ ତାଙ୍କର ବହି ଚାଲିଛି । କେଉଁଠି କେତେବେଳେ ଅନ୍ୟ ଜୀବନର ସୁଅ ସଙ୍ଗେ ନିଜ ସୁଅର କଟାକଟି ହେଲେ ବି ତାଙ୍କ ପ୍ରାଣକୁ ତାହା ଆଲୋଡ଼ନ କରେ ନାଇଁ । ବେଶ ନିରାଲମ୍ବ ଆତ୍ମ-ତୃପ୍ତି । ଥରେ ଥରେ ଭାବେ ଏଇଆ କଅଣ ମଣିଷ ଜୀବନ ? ଏଇଥିପାଇଁ କ’ଣ ମଣିଷର ଜନ୍ମ-? କି ଉବ୍ଦେଶ୍ୟ ଏଇଭଳି ଆତଯାତର ? ହୃଦୟଟାକୁ ଶିଳାଖଣ୍ଡ କରିପକାଇ ଆକାଶର ବାଦଲ ମେଳାରେ ବିଜୁଳି ଝଲକକୁ ଚାହିଁ ଚାହିଁ ବୁଜିଦେବା କ’ଣ ଜୀବଧର୍ମ ?

 

ପୁଣି ମୁଁ ହସେ । ମୋର ଜୀବନଧର୍ମଟା ଟିକିଏ ବେଶୀ ହୋଇଯାଇଛି ବୋଧହୁଏ । କାହିଁକିନା ପତର ଗୋଟାଏ ହଲିଲେ, ତାରାଟିଏ ଉଙ୍କି ମାରିଲେ, ନଦୀ ବକ୍ଷରେ ନୌକା ଚାଲିଲେ, କାହାର ଆଖିପତାରେ ଆନନ୍ଦ ଝରିଲେ, ମୋର ମନ-କାନନରେ ଫୁଲ ଫୁଟେ । ଗୋଟିଏ କି ଯୋଡ଼ିଏ ନୁହେଁ, ଅଜସ୍ର । ସବୁଗୁଡ଼ିକ ବାସନା ଫୁଲ । ଚଉଦିଗ ମହକିଉଠେ । ଏ’ ମହକରେ ମୁଁ ମରେ । ମରିଯାଉଥିଲା ବେଳେ କେଉଁ ନୀଦାନ ଯୋଗୁଁ ମୁଁ ମରିଲି ତାରି କାହାଣୀ ଅନ୍ୟ ପାଖରେ ବାଢ଼ି ଦେଇଯିବାପାଇଁ ଇଚ୍ଛା ହୁଏ । ସେଇଟା ଅନ୍ତିମ ଇଚ୍ଛା ବୋଧହୁଏ ।

 

ସେଦିନ ଜଣେ କିଏ ମତେ କହିଲେ ଆପଣଙ୍କ ଭାଗ୍ୟରେ ଅଶେଷ ଦହଗଞ୍ଜ ଅଛି । ଲେଖାରେ ଯେଉଁ ଶାଣ ଦେଉଛନ୍ତି, ସେଥିପାଇଁ କେତେ ଲୋକ ଅସନ୍ତୁଷ୍ଟ ହୋଇ ବିପକ୍ଷ ହେଲେଣି-। ଜୀବନରେ ଯାହା କାମ୍ୟ-ଯଶ, ଅର୍ଥ, ସେସବୁ ଆପଣଙ୍କ ଭାଗ୍ୟରେ ନାହିଁ ।

 

ସହାନୁଭୂତିକ ବନ୍ଧୁ । ତାଙ୍କର ନିର୍ମଳ ମନଟି ମତେ ବେଶ୍‍ ଭଲ ଲାଗିଲା । କହିଲି-ଲେଖକ ଦରିଦ୍ର, ଯଶକୁ ସେ ଖୋଜି ଯାଏନାହିଁ । ତାହା କ୍ରମେ ତା’ର ଅନ୍ତରଙ୍ଗ ହୋଇ ପଛେ ପଛେ ଆସେ । ଆଉ ଲେଖିଲି ବା କଅଣ ? ଜୀବନର ପ୍ରତ୍ୟେକଟି ଅନ୍ଧ ସନ୍ଧି ଖୋଲି ଦେଉଛି । ଏଇ ତ ଅପରାଧ ? କିନ୍ତୁ ଖୋଲିବାକୁ ମତେ ଅବସର ଦେଉଛନ୍ତି କେଉଁଠି ?

 

ସେ ବନ୍ଧୁ ନୁହଁନ୍ତି, ବହୁତ ଦିନ ଆଗରୁ ଆଉ ଜଣେ ତଥା କଥିତ ଶୁଭାକାଂକ୍ଷୀ କହିଥିଲେ ଲେଖା ଛାଡ଼ିଦିଅନ୍ତୁ । ମୁଁ କେବଳ ହସି କରି କହିଥିଲି–ମୁଁ ତାହାହେଲେ ବଞ୍ଚିବି ନାଇଁ ।

 

ସେ ଏଡ଼େ ଢିମା ଢିମା ଆଖି ଡୋଳା ମେଳାଇ କହିଲେ-ଲେଖା ଲେଖି କଲେ ମଣିଷ ବଞ୍ଚେ, ଆଉ ନ କଲେ ମଣିଷ ମରିଯାଏ ? ଅଦ୍ଭୁତ କଥା ପୁଣି ଅଣାଏ ପଇସାରେ ତ ଆପଣଙ୍କ ଲେଖାକୁ କେହି କିଣୁନାଇଁ । ଏଥିରେ କହୁଛନ୍ତି ନଲେଖିଲେ ଆପଣ ମରିଯିବେ ?

 

ମୁଁ ତାଙ୍କ କଥାକୁ ସାମାନ୍ୟ ସଂଶୋଧନ କରି ସେତେବେଳେ କହିଥିଲି-କେବଳ ଲେଖା ନୁହେଁ, କୌଣସି ଉପାୟରେ କିଛି ପ୍ରକାଶ ନ କଲେ, ଜୀବନଟା ମରଣ ସଙ୍ଗେ ସରି ହୋଇଯିବ ।

 

ସେ ମୋ କଥା ବୁଝିଲେ ନାଇଁ । କେତେ ଜଣ ବା ବୁଝିବେ ? ଏତେ କଥା କାହିଁକି କହିଲ, ସେଇ ବିଷୟ ଆରମ୍ଭ କଲେ । ଟିକିଏ ବୁଝିବାକୁ ଚେଷ୍ଟା କରନ୍ତୁ । ଅଳସ ଦେହରେ ଦିନେ ବସି ରହିଥିଲି । ପ୍ରାଣ ବି ଅଳସ । ଭାବିବାକୁ କିଛି ନିର୍ବ୍ଦିଷ୍ଟ ଭାବନା ନ ଥିଲା, କି କରିବାକୁ କିଛି କାମ ନ ଥିଲା ।

 

ସୁନ୍ଦର ସକାଳଟିଏ । ସୂର୍ଯ୍ୟ ଉପରେ କୁହୁଡ଼ି ନାଇଁ । ରକ୍ତ ପିଣ୍ଡ, ଉପରକୁ ଉଠି ଆସୁଛି । ମାନବ ମନର କେତେ ନିରାଶା, କେତେ ଦୁଃଖ କେତେ ତାପ ସେଇ ମୁହୂର୍ତ୍ତରେ ଭୁଲି ହୋଇ ଯାଉଛି ।

 

ବସିଥିଲି । ଏଇ ଶୋଭାଟିକୁ ନିରୀକ୍ଷଣ କରୁଥିଲି । କେହି ଜଣେ ଖବର ଦେଲେ ଯେ ମୋ ସାଙ୍ଗରେ ଦେଖା କରିବାକୁ ଜଣେ ଅପେକ୍ଷା କରିଛନ୍ତି ।

 

ସତ କହୁଛି–ସେତେବେଳେ କେଉଁଆଡ଼େ ଉଠିଯିବାପାଇଁ ଇଚ୍ଛା ନ ଥିଲା । ରକ୍ତ ପିଣ୍ଡୁଳାଟି କ୍ରମେ ମଧ୍ୟାହ୍ନ ମାର୍ତ୍ତଣ୍ଡରେ ପରିଣତ ହେବାଯାଏ ମୁଁ ସେମିତି ବସିଥାନ୍ତି । ଗୋଟାଏ ଜ୍ୟୋତିଗ୍ରହର ଶୂନ୍ୟସାରଣୀ ଉପରେ ବିଚରଣ-କେତେ ରହସ୍ୟମୟ ଆଉ କେତେ ଚମତ୍କାର ।

 

ନାଃ, ହେଲା ନାଇଁ । ସଂସାର ଡାକିଲାଣି, ଜୀବନ ଡାକିଲାଣି । ପଦ୍ମଭୁକର ଜୀବନ ନୁହେଁ । ଗୋଡ଼ିମାଟିର ଜୀବନ । କେହି ଡାକୁଛି ମୋହାରା ତା’ର ସ୍ୱାର୍ଥ ସିଦ୍ଧି ହେବ । ଅବା କିଏ ମତେ ଦାନ ଦେବାପାଇଁ ବାଧ୍ୟ କରାଇ ମୋର ସ୍ୱର୍ଗବାସୀର ପଥ ପରିଷ୍କାର କରିବ–ସେଥିପାଇଁ ଡାକୁଛି । ସବୁଆଡ଼େ କେବଳ ଡାକ-ଆହ୍ୱାନ, ପୃଥିବୀଟା ଚହଳମୟ । କେଉଁଠି ଟିକିଏ ସ୍ଥିର ହୋଇ ବସି ରହି ଆତ୍ମଚିନ୍ତା କରିବାକୁ ଅବସର ନାହିଁ ।

 

ଆଉ ଦଣ୍ଡେ ଚୁପ ହୋଇ ବସି ରହିଲି । ଦୁଇଟି ପକ୍ଷୀ ଉଡ଼ିଗଲେ । କେଉଁଠି ଗୋଟିଏ ଶିଶୁ କାନ୍ଦୁଥିଲା । ଅଦୂରେ ଗୋଟାଏ ମଟର ଇଞ୍ଜିନର ଚିତ୍କାର । ଥୋଡ଼ାଏ ଲୋକ ରାଜପଥରେ ଅକଥ୍ୟ ଭାଷାରେ କାହାର କିଏ ଯାତ୍ରୀ ନେଇଗଲା ବୋଲି ଗାଳି ଦିଆ ଦେଇ ହୋଇ ଯାଉଥିଲେ ।

 

ଦେଖିଲି, ଶୁଣିଲି । ଦିନ ଗୋଟିଏ ଜନ୍ମ ପାଇଛି । ପ୍ରସବ ବେଦନାର ସ୍ୱର ବେଶ ଚାରିଆଡ଼େ ମୂର୍ଚ୍ଛିତ ହେଲାଣି । ଆସିଲି, ଜୀବନର କେତୋଟି ବାର୍ତ୍ତା ସଂଗ୍ରହ କରିଥିଲି, ତାକୁ ଏ କାହାଣୀଟିର ପ୍ରଧାନ ଚରିତ୍ର କରି ତାଆରି କଥାକୁ ସଜାଇ ଦେବାକୁ ବସିଛି ।

 

ସେ ଅଗଣିତ ଜନତା ଭିତରେ କେଉଁଆଡ଼େ ବିଲୀନ ହୋଇଯାଇଛି । ମାତ୍ର ମତେ କଅଣ ଦେଇଯାଇଛି ସେ କଥା ମୁଁ ପରିଷ୍କାର ଭାବରେ କହିପାରିବି ନାହିଁ । ହୁଏତ ସେ କିଛି ଦେଇ ନାଇଁ, ମୁଁ ନେଇଯାଇଛି ଠିକ୍ ଯେମିତି ନିଦ୍ରିତ ଶିଶୁର ମୁଠାରୁ ଜନନୀ ବସ୍ତ୍ରାଞ୍ଚଳ ଖସାଇ ନେଇ ପୁଣି ଘରଧନ୍ଦାରେ ଲାଗିଯାଏ, ଠିକ୍‍ ସେମିତି ।

 

ଆମେ ସମସ୍ତେ ଘୁମନ୍ତ ଶିଶୁ । କଥାଟି କହିବାକୁ ବେଶ୍‍ ଭଲ ଲାଗିଲା । ନୁହେଁ କି ? ‘ଦୁଃଖିଧନ, ଉଠିଲୁ ଏଡ଼େ ବେଗି କାହିଁକି’ ବୋଲି ମାଆ ତ ପୁଣି ଦୁଃଖ କରେ । ଆମେ ଉଠି ବସିଲେ, ଆମର ପଶୁତ୍ୱ ବାହାରେ, ଶୋଇ ପଡ଼ିଥିଲେ ପୃଥିବୀ ଶାନ୍ତିରେ ଥାଏ । କି କଥା କହୁ କହୁ କଅଣ କହୁଛି । ସେଇ ଲୋକ...ହଁ...

 

–ଶୁଣୁଚ ?

 

–ହଁ ଶୁଣୁଚି ।

 

–ଶୁଣିବାର ତ ଶେଷ ହୋଇଗଲା ।

 

–ହଁ ଶେଷ ହୋଇଗଲା ।

 

ଉପରେ ଗୋଟିଏ ଦୀର୍ଘଶ୍ୱାସ । ଘରଟି ଅନ୍ଧାର । ସେଇ ବେଦନା–ସିକ୍ତ ଶ୍ୱାସଟି ଘର ଭିତରେ ସଞ୍ଚରି ଯାଉଥାଏ ।

 

–ତେବେ ମୁଁ ଉଠେ ।

 

–ହଁ ଉଠ ।

 

ଆହୁରି ନିବିଡ଼ ଅନ୍ଧକାର । ବାହାରେ ଦୁଇବୁନ୍ଦା ବର୍ଷା ପଡ଼ିଲାଣି । ଯେଉଁ ଛୋଟ ଝରକାଟିଏ ମେଲା ଥିଲା, ତାହାରି ଭିତରେ ଦୂରକୁ ଲମ୍ବିଯାଇଥିବା ଆକାଶ ପଥରେ କେତେଥର ବିଜୁଳି ଝଟକି ଗଲାଣି ।

 

ବିଜୁଳି । ବର୍ଷା ! ଆରପାଖେ ତରୁଣ ଓ ତରୁଣୀ !

 

କିନ୍ତୁ, ମୁଁ ଆଉ କଅଣ କରିବି ? ତୁମର ଜୀବନ ନଷ୍ଟ କରି ଦେଲି । ମୋତେ କ୍ଷମା କର-

 

–ଛିଃ ତୁମେ ସ୍ୱାମୀ, ମୋର ଦୁର୍ଭାଗ୍ୟ ।

 

–ହଁ, ସ୍ୱାମୀ, ରାକ୍ଷସ । ଭାଉଜଙ୍କୁ କହିଥିଲି, ସେ ବିଶ୍ୱାସ କଲେ ନାହିଁ । କହିଲେ ଆଉ କେତେଦିନ ବାହାରେ ବାହାରେ ବୁଲିବା ପାଇଁ ଯୋଗାଡ଼ କରୁଛ । ସେ କଥା ହବ ନାହିଁ । ତୁମକୁ ଚାରିହାତ ନକଲେ, ତୁମେ ଜବତ ହବ ନାହିଁ ।

 

–ଛାଡ଼; ସେ କଥାରୁ କ’ଣ ମିଳିବ ।

 

–ତୁମେ କିନ୍ତୁ ସରିଗଲ, ମୁଁ ତୁମକୁ ଜାଣିଶୁଣି ହତ୍ୟା କଲି । ମାଟ୍ରିକୁଲେସନ୍ ଯାଏ ପଢ଼ିଛି । ମୁଁ ପେଟ ପୋଷି ପାରିବି । ତୁମେ ଅକ୍ଷତ । ଯେଉଁ ଶପଥ କରିବାକୁ ଲୋକେ ମତେ କହିବେ, ମୁଁ ସେଇ ଶପଥ ନେବି, ତୁମକୁ ମୁକ୍ତି ଦେଇଛି । ତୁମେ ବାପ ଘରକୁ ଯାଅ । ଅନ୍ୟତ୍ର ବିବାହ କର । ସୁଖରେ ରହ । ତୁମେ ଯେ ମତେ ବାହା ହୋଇ କୁମାରୀ, ସେ କଥା ମୁଁ ଦେବତାଙ୍କ ପାଖରେ ଶପଥ କରି କହିବି । ଯେତିକି ମାତ୍ର ମୋର ଶିକ୍ଷା ଅଛି, ସେତିକି ମତେ ଶିଖେଇଛି ସ୍ପଷ୍ଟବାଦୀ ହେବାପାଇଁ । ଇଶ୍ୱର ତୁମର ମଙ୍ଗଳ କରନ୍ତୁ ।

 

ଓଡ଼ିଶାର ଏକ ପଲ୍ଲୀର ଏକ ନିଭୃତ କକ୍ଷରେ ଜୀବନର ସୋହାଗ ସମ୍ପଦକୁ ବିସର୍ଜନ କରି ଭବିଷ୍ୟତର ଅନ୍ଧକାରକୁ ସ୍ୱାଗତ କରିନେଲେ-ଏଇ ଦୁଇଟି ତରୁଣ ତରୁଣୀ । କେତେ ଏହିପରି ବେଦନାତପ୍ତ ମରୁଭୂମିରେ ପଥଚାରୀ ହେଉଥିବେ । ଜଣଙ୍କର କଥା ଆଜି କହିବାକୁ ବସିଛି । ସେଇ ମୋର ଆଜିପାଇଁ ଲେଖନୀର ସାର୍ଥକ ପୁରୁଷ ।

 

ଝିଅଟି ଆଗ ଉଠିଯାଇ କବାଟ ଖୋଲିଦେଲା । ବାହାରେ ଝଡ଼ । ଆକାଶ ଭାଙ୍ଗିପଡ଼ୁଛି-। ରତ୍ନାକର ଦୁଇ ହାତରେ ମୁଣ୍ଡଧରି କଇଁ କଇଁ ହୋଇ କାନ୍ଦିଉଠିଲା ।

 

ଝିଅଟି ଫେରିଆସି ରତ୍ନାକରକୁ ଛାତିକୁ ଆଉଜାଇ ଆଣିଲା । କହିଲା– । ତୁମେ କାନ୍ଦନାଇଁ, ମୁଁ ଭାବୁଛି ଏଥିରେ କିଛି ଗୋଟାଏ ଗଣ୍ଡଗୋଳ ରହିଛି । ମୁଁ ବାପଘର ଯିବିନାଇଁ ।

 

ରତ୍ନ ମୁଣ୍ଡ ଉଠାଇଲା । ଆଖିରେ ତା’ର ଧାରା ଶ୍ରାବଣର ପ୍ରବାହ । କଥା କହିବାକୁ ଆରମ୍ଭ କଲେ କଣ୍ଠରୋଧ ହୋଇଯାଉଛି । ତୁହାଇ ତୁହାଇ କୋହମିଶା ଅଶ୍ରୁଧାର ତାକୁ ନିର୍ବାକ୍ କରିଦେଇଛି । ତା’ର ନିଷ୍ଫଳ ପୌରୁଷ ତାକୁ ଧିକ୍‍କାର ଦେଇଛି ।

 

‘‘ତୁମ ବାପା ତୁମକୁ ବାଧ୍ୟ କରି ନେଇଯିବେ ।’’

 

‘‘ମୁଁ ଯିବି ନାଇଁ ।’’

 

‘‘ପାଗଳ ନା କଅଣ ? ପୁରୁଷ ଧର୍ମ ତ ମୁଁ ରକ୍ଷା କରି ପାରିବି ନାଇଁ । ତୁମ ସୁଖରେ ମୁଁ କଣ୍ଟା ଛାଟିବି କିଆଁ ? ତୁମ; ଯାଅ, ଅନ୍ୟଠି ବିବାହ କର ।’’

 

ବାହାରେ ପ୍ରଳୟ ଘଟିଛି ।

 

‘ମତେ ସବୁ ଖୋଲି କରି କହ, କିଛି ଉପାୟ ଅଛି କି ନାହିଁ ?’

 

‘ଆଉ ଉପାୟ ?’ ରତ୍ନାକରର ହୃଦଫଟା ଦୀର୍ଘ ନିଃଶ୍ୱାସରେ ଆଉ ଥରେ ଘରଟି ଥରିଗଲା ।

 

ବାସ୍ତବରେ ଉପାୟ ନ ଥିଲା । ଆଜି ଓଡ଼ିଶାର ଗାଁ ଗଣ୍ଡାରେ ବିନା ପାଠ ଓ ସାଧନାରେ ଚିକିତ୍ସକ ଚିକିତ୍ସା ଆରମ୍ଭ କରିଛି । ସାମାନ୍ୟ ଏକ ଅସ୍ତ୍ରୋପଚାର କରିବାକୁ ଯାଇ କେହି ଜଣେ ଡାକ୍ତର ରତ୍ନାକରର ପୌରୁଷକୁ ଚିରଦିନପାଇଁ ଆହତ କରିଯାଇଛି । ରତ୍ନାକର କହେ ଡାକ୍ତରର ଅର୍ଥ ଲାଳସାକୁ ସେ ଶାନ୍ତ କରିପାରି ନ ଥିଲା । ଫଳରେ ଏଇ ଦୁର୍ବ୍ଦଶା । ମୁଁ ବିଶ୍ୱାସ କଲିନାହିଁ । ମୁଁ କଳ୍ପନା କରିପାରିଲି ନାଇଁ ଯେ ସମାଜରେ ସେବାବ୍ରତଧାରୀ ନରପିଶାଚ ଅଛନ୍ତି ଯାହାଙ୍କ ପାଖରେ ଅର୍ଥ ହିଁ ଏକମାତ୍ର କାମନା ।

 

ଆଶ୍ଚର୍ଯ୍ୟ !

 

ରତ୍ନାକରର ସ୍ତ୍ରୀ ସୁରେଖା ସେହି ରାତ୍ରିରେ ଏଇକଥା ଶୁଣି ମୁର୍ଚ୍ଛା ଯାଇଥିଲା ।

 

‘‘ଆପଣଙ୍କର ଟିଉସନ୍ ମାଷ୍ଟର ଦରକାର ଥିଲା ବୋଲି ଶୁଣିଲି । ମୁଁ ମାଟ୍ରିକୁଲେସନ୍ ପାସ୍ କରିଛି । ଉଚ୍ଚ ଶିକ୍ଷାପାଇଁ ଇଚ୍ଛା କରିଛି । ମତେ ସାହାଯ୍ୟ କଲେ ମୁଁ କୃତଜ୍ଞ ରହିବି ।

 

ଗୃହିଣୀ ଆଗ ମାଷ୍ଟରଙ୍କୁ ଦେଖିବାକୁ ଆସିଲେ, ଆଉ ରତ୍ନାକର କଥା ଶୁଣିଲେ । ବାବୁ ପଛରେ ଦାନ୍ତ ନିକୁଟି ଉଭା ହେଲେ ।

 

ଗୃହିଣୀ ଆରମ୍ଭ କଲେ–

 

‘ତୁମେ ଗରିବ ?’

 

‘ହଁ, ଘର ଖଣ୍ଡିଏ ଅଛି, ଜମିବାଡ଼ି ହସ୍ତାନ୍ତର ହୋଇ ଯାଇଚି । କିଛି ସାହାଯ୍ୟ ପାଇଲେ ଆଉ ପଢ଼ନ୍ତି ।’

 

‘ଓଃ, ପଢ଼ିବ, ପଢ଼େଇବ, ସେ କି ପଢ଼େଇବ ? ତା’ ହେବ ନାଇଁ । ତୁମ ବୟସ ?’

 

ରତ୍ନାକର ନୀରବ ରହିଲା ।

 

‘ହୋ, ମାଷ୍ଟ୍ରେ ଶୁଣ, ମୋ ଘରେ ଦୁଇଟି ବଢ଼ିଲା ଝିଅ, ସେଇମାନେ ପଢ଼ିବେ । ଆଉ ତୁମ ଭଳିଆ ଯୁବକ ମାଷ୍ଟ୍ରଙ୍କୁ ରଖିଲେ ମୋ ଝିଅକୁ ନେଇ ଏକାବେଳକେ ହାବଡ଼ା ଟିକଟ...ସେ କଥା ପଟେଙ୍ଗା ନେଇଁ-କଅଣ ଦାନ୍ତନିକୁଟି ପଛରେ ଛିଡ଼ା ହୋଇଛ ମ ? କହୁନ ! ମୁଁ ମାଇପି ଲୋକ ଏଇସବୁ କଥା କହିବି ନା ?’

 

ବାବୁ ଆଗକୁ ଆସିଲେ–

 

‘‘ଶୁଣ ମାଷ୍ଟ୍ରେ, ଆମର ବୁଢ଼ା ଲୋକ ଦରକାର । କିନ୍ତୁ ହଇଏ ଶୁଣୁଚ, ବୁଢ଼ାଲୋକ ଯେ ନିରାପଦ, ଏକଥା କିଏ କହିବ ?’’

 

ଗୃହିଣୀ କହିଲେ–

 

‘‘ମୁଁ ଦେଖିବା ମାତ୍ରେ କହିଦେବି । ଏ ମାଷ୍ଟ୍ର ହବନାଇଁ, ହଇଲୋ ସରଳା, ବିମଳା, ଦେଖତ ଆସି ଏ ମାଷ୍ଟ୍ର ତମ ମନକୁ ପାଉଛି କି ନାହିଁ ?

 

ରତ୍ନାକର ଆଉ ଛିଡ଼ାହୋଇପାରିଲା ନାଇଁ । କେବଳ ଏତିକି କହିଲା–ଭଗବାନ ଶାସ୍ତି ଦେଇଛନ୍ତି । ନିର୍ଭୟରେ ମତେ ଆପଣ ରଖି ପାରନ୍ତି, ମାତ୍ର ଯେପରି ବ୍ୟବହାର ଦେଖାଇଲେ, ତାହାଠାରୁ ଭିକ ମାଗିବା ବରଂ ଭଲ ।

 

ସେହିଦିନଠାରୁ ରତ୍ନାକର ଘୂରି ବୁଲୁଛି ।

 

‘‘ଆପଣଙ୍କୁ କାହିଁକି ସବୁ କହିଦେବାକୁ ଇଚ୍ଛାକଲି । ଲଜ୍ଜା ସଙ୍କୋଚ ହେଲା ନାହିଁ । ଯେତେଆଡ଼େ ଟିଉସନ୍ ଖୋଜି ପାଇଛି ଓ ଯେଉଁଠି ଛାତ୍ରୀର ଅଭିଭାବକ ମତେ ଯୁବକ କହି ଫେରାଇ ଦେଇଛନ୍ତି, ସେଠି ମୁଁ ମୁହଁ ଫିଟାଇ କହିପାରିଲି ନାଇଁ ମୁଁ ପୌରୁଷହୀନ ଜୀବ । ମୋ ଜୀବନରେ ସେଭଳି ସୁଖ ସଂଭୋଗ ନାହିଁ । ଆପଣଙ୍କ ଆଖିରେ କି କରୁଣା ଦେଖିଲି କେଜାଣି ଅକପଟ ଚିତ୍ତରେ ସବୁ କହିଦେଲି ।’’

 

ରତ୍ନାକର ମୋ ପାଖରେ ବସିଛି । ମୁଁ ତାକୁ ଚାହିଁ ରହିଛି । ତାଆରି ସ୍ଥୂଳ ଶରୀର ଭିତରେ ମୁଁ ଦେଖୁଛି ଏ ଜୀବନର କେତେ ବିଭିନ୍ନ ରୂପ । ଆଶା ନାହିଁ, ଆଶ୍ୱାସନା ନାହିଁ, ଯୌବନ ନାହିଁ, ଇନ୍ଦ୍ରିୟ ନାହିଁ; ଅଥଚ ଏଇ ରତ୍ନାକର ଉଚ୍ଚଶିକ୍ଷା ପାଇଁ ଅର୍ଥ ନିମନ୍ତେ ଘରେ ଘରେ ଆବେଦନ ଜଣାଉଛି । ତା’ର ନିଷ୍ଫଳ ଜୀବନକୁ ନିଷ୍ଫଳ କହିବାପାଇଁ ସେ ପ୍ରସ୍ତୁତ ନୁହେଁ ।

 

ରତ୍ନାକର ମତେ ବିଷଣ୍ଣ ଦେଖି କହିଲା–

 

‘‘ଆପଣଙ୍କର କେହି ପଢ଼ିବାପାଇଁ ନାହାନ୍ତି ମୁଁ ଜାଣେ । ତଥାପି ମୁଁ କେଉଁ ଅଜଣା ଶକ୍ତିବଳରେ ଆପଣଙ୍କ ପାଖକୁ ଟାଣି ହୋଇ ଆସିଲି, କହି ପାରୁନାଇଁ । ମୁଁ କିନ୍ତୁ ଆଗକୁ ଯିବି । ମାଟ୍ରିକୁଲେସନ୍ ସାହିତ୍ୟ ବହିରେ ପଢ଼ିଥିଲି ରୂପରସଗନ୍ଧମୟ ଏଇ ପୃଥିବୀ । ମାତ୍ର ମୋ ଭାଗ୍ୟକୁ ଅନେକ କଥା ମତେ ଅବିଦିତ ରହିଯିବ । ତଥାପି ଚକ୍ଷୁ ଅଛି ଦେଖିବ, କାନ ଅଛି ଶୁଣିବି, ଭଗବାନ ମତେ ଏକାବେଳକେ ବିକଳ କରି ନାହାନ୍ତି ତ ।’’

 

ଏ ଲୋକକୁ କି ଦାନ ଦେବି, ମୁଁ ସ୍ଥିର କରିପାରିଲି ନାହିଁ । କି ସାନ୍ତ୍ୱନା ଦେବି, ତାହା ବି ଜାଣିପାରିଲି ନାହିଁ । କେଉଁ ଆଶାରେ ଏ ଲୋକ ଏତେ ଅଳ୍ପ ବୟସରେ ଆଗକୁ ଗତି କରି ଯାଉଛି-?

 

ତେବେ ବୁଝିଲି ଭାରତର ଆତ୍ମା ସଜୀବ ରହିଛି । ସବୁ ନିଃଶେଷ ହୋଇଗଲେ ବି ହତାଶା ଆସୁନାହିଁ । ଧନ୍ୟ ଏ ଲୋକ । ଅର୍ଦ୍ଧ ଶିକ୍ଷିତ ପଲ୍ଲୀ ଯୁବକ । ଧନ୍ୟ ତୁମେ ।

 

ରତ୍ନାକର ଛିଡ଼ାହେଲା–‘‘ତେବେ ମୁଁ ଆସୁଛି । ଜିଲା କଂଗ୍ରେସ କମିଟି ସଭାପତି ତାଙ୍କର ଇଟାଭାଟିରେ ଖଣ୍ଡିଏ କିରାନି କାମ କରିଦେବାପାଇଁ କହିଛନ୍ତି । ସେତକ ହେଲେ ଶ୍ରୀକ୍ଷେତ୍ର ଛାଡ଼ି ଆଉ କୁଆଡ଼େ ଯିବିନାଇଁ ।’’

 

ରତ୍ନାକର ଦୁଇହାତ ତୋଳି ନମସ୍କାର କରିବାକୁ ଉଦ୍ୟତ ହେଲାବେଳେ ମୁଁ କହିଲି–

 

‘ସୁରେଖା ? ତୁମ ସ୍ତ୍ରୀ ସୁରେଖା ?’’ ଏତିକିରେ ଶୀର୍ଣ୍ଣକାୟ ବୁକ୍ଷୁଭୁ ରତ୍ନାକରର ଆଖିରୁ ବାରି ବହିଆସିଲା । ମୁହଁକୁ ତଳକୁ କରି ସେ ଯାଉଁ ଯାଉଁ କହିଲା–

 

‘‘ସେ ଅନ୍ୟକୁ ବାହା କରି ସୁଖରେ ଘର ସଂସାର କରୁଛି ।’’

 

ହଠାତ୍ ମନେହେଲା ଅଣୁ ପରମାଣୁ ଭେଦକରି ଗୋଟାଏ ବିପୁଳ ନିହାରିକାର ନୀଳ ସ୍ରୋତ ବହିଆସୁଛି । ବେଗମୟ ଏଇ ନୀଳ ହିମ ଶୀତଳ ସ୍ରୋତ ଭିତରେ ରତ୍ନାକର ଭଳି ସଂଖ୍ୟାହୀନ ମଣିଷ ଅବଗାହନ କରୁଛନ୍ତି । ନୀହାରିକାର ନୀଳ ସ୍ରୋତକୁ ଜୟଧ୍ୱନି କରିବାକୁ ଇଚ୍ଛା ହେଲା । ତାହା ହିଁ କଲି ।

 

ରତ୍ନାକର କ୍ରମେ ଅଦୃଶ୍ୟ ହୋଇଗଲା ।

Image

 

ପଛ ପଲକ

 

ଦୀପାବଳୀ ଦଶହରା ପରେ ଓଡ଼ିଶାର କେତୋଟି ଅଞ୍ଚଳର ବନ ବନାନ୍ତର, ଶ୍ୟାମ କେଦାର, ନଦୀ ପର୍ବତ ବୁଲି ବୁଲି ଯେତେବେଳେ କର୍ମକ୍ଷେତ୍ରକୁ ଫେରି ଆସେ, ଅନୁଭବ କଲି ରାଜରାସ୍ତା ଉପର ବହମାନ ପବନ ସ୍ରୋତରେ ମୋ ପ୍ରତି କିପରି ଗୋଟାଏ ବିରୋଧ ଭାବ ଖେଳି ବୁଲୁଛି । ଅତି ସଗୋପନରେ ଲକ୍ଷ୍ୟ କଲି ତାହା ଆଉ କିଛି ନୁହେଁ; ଲେଖକ ଜୀବନରେ ସଚରାଚର ଯାହା ଘଟିଥାଏ; ଅତି ସ୍ୱାଭାବିକ ପରିଣତ ।

ଗୋଟିଏ ଶ୍ରାବଣ ସଞ୍ଜରେ କେଉଁଠି ବିଲୋଳ ବିଦ୍ୟୁତର ଆଭା ତଳେ ନିଃଶଙ୍କ ଜୀବନ ମୋର ଥରେ ଶବ୍ଦାୟିତ ହୋଇଯାଇଥିଲା । ଅନାହୂତ ସେ ଅନୁଭବ । ସେଥିରେ ନଥିଲା ଅନ୍ୱେଷଣ ବା ଅନଧିକାର ଆକୁତି । ଦୁନିଆର କୋଟି କୋଟି ଜୀବନର ଚଳମାଳ ଜୀବନଧାରାରେ କାହା ସଙ୍ଗରେ କାହାର କ୍ଷଣିକ ତୀର୍ଯ୍ୟକ୍ ଭ୍ରୁଅଙ୍କନ ଯଦି ଅଙ୍କିତ ହୋଇଯାଏ ଓ ସେହି ଅଙ୍କନ ଢାଳରେ ଗୋଟିଏ ଅପୂର୍ବ ମୁହୂର୍ତ୍ତ ଯଦି ସୃଷ୍ଟି ହୁଏ, ତାହା କଅଣ ଏତେ ବିଡ଼ମ୍ବନାର ବିଷୟ ? ଏତେ ଇଙ୍ଗିତ, ଏତେ ଅପହାସର କାରଣ ?

ଲେଖାଟି ବାହାରିଥିଲା; ନିର୍ବ୍ଦୋଷ, ନିର୍ମଳ । ଶେଷ ଜୀବନରେ ଲେଖକର ଜ୍ୟୋତିହୀନ ଚକ୍ଷୁ ଦୁଇଟିରେ ଶାଳ ବନ ତଳେ କାହିଁ କେତେ ପଛରେ ଯେଉଁ ଦୁଇଟି ବିହଗୀ ଅସ୍ପଷ୍ଟ ଭାବରେ ଦେଖାଯାଇଥିଲେ, ତାହାରି ମାତ୍ର ଅନୁଚିନ୍ତନ । ବିସ୍ତାରିତ ଦୃଶ୍ୟପଟ କ୍ଷୀଣ ଅନୁଭୂତି । ତାହାର ପକ୍ଷ-ବିସ୍ତାର ନାହିଁ; ତାହା ଅବଲୁପ୍ତପ୍ରାୟ, କ୍ରମ ସ୍ତୀମିତ । ତଥାପି ଜରାଜୀର୍ଣ୍ଣ ଲେଖକର ଏଇ ଟିକକ ମାୟିକ ସଂଭୋଗ-ଯାହା ଥିଲା ଆଜି ନାହିଁ । ତାରି ଉପରେ ସାମାନ୍ୟ ସୁଧାସେଚନ ଦୁନିଆର ସହସ୍ର ପଥଯାତ୍ରୀଙ୍କୁ ଯେପରି ସହସା ଚମକ ଦେଇପାରିଛି । ଲୁଣ୍ଠନକାରୀ ଦସ୍ୟୁକୁ ଯେପରି ହାତ ଉଠାଇ ଲୋକେ ଦେଖାନ୍ତି...ଏଇ ପଳାଇଗଲା, ଧର...ଧର-ଧନଦ୍ରବ୍ୟ ନେଇ ଚାଲିଗଲା....

ମୁଁ ଚାଲିଯାଏ ନାହିଁ । ଯେଉଁଠି ଥିଲି, ସେଇଠି ଅଛି । କେବଳ ମୋରି ପାଖ ଦେଇ ଆଉ ସଭିଏଁ ଚାଲିଯାଉଥିଲେ । ହାତ ହଲେଇ, ବାଡ଼ି ବୁଲେଇ, ହୋ...ହୋ କରି ସେଇମାନେ ଆଗକୁ ଧାଉଁଥିଲେ । ପାଣ୍ଡୁଶ୍ରୀ ଅଙ୍ଗରେ ଧାରଣ କରି, ହୃଦୟରେ ଜୀର୍ଣ୍ଣତାର ଶୁଷ୍କ ଅବଲେପ ରଖି ଏଇ ପଳାତକମାନଙ୍କୁ ମୁଁ ନିରୀକ୍ଷଣ କରି ବେଶ ଆମୋଦ ଅନୁଭବ କରୁଥିଲି । ନିଜକୁ ଚାହିଁବାରେ ବେଳ ନାହିଁ; ନିଜର ରନ୍ଧ୍ରମୟ ଜୀବନକୁ ନିରନ୍ଧ୍ର କରିବାର ପ୍ରୟୋଜନ ନାହିଁ; ଅଥଚ ଅପର ଜୀବନକୁ ଗୋଳା ବାରୁଦରେ ବିକ୍ଷତ କରିବାର ଅସୀମ ଆକାଂକ୍ଷା ଅପ୍ରତିହତ ଭାବରେ ଏଇ ପଥଚାରୀମାନଙ୍କର ପେଷା ହୋଇଛି ଦେଖି ମୁଁ ସ୍ତବ୍ଧ ହୋଇଥିଲି ।

ସେ ସ୍ତବ୍‍ଧଭାବ କ୍ଷଣକ ପରେ କଟିଗଲା । ପଥରଉପରେ ଦେଖିଲି ଝାଉଁଗଛର ଶୀତଳ ଛାୟାତଳେ ଛିଡ଼ା ହୋଇଛନ୍ତି ଆଉ ଜଣେ ସୁହୃତ ଓ ସହଯାତ୍ରୀ, ମାତ୍ର ବୟସ୍କ-ଛନ୍ଦସିକ-ମୋ ଦେଶର କବି । ମୋର ଶ୍ରାବଣ ସଞ୍ଜର ଦାମିନୀ ଥରେ ସିନା କେବେ ଝରାଇଥିଲା ଝଲକ, କିନ୍ତୁ ଏଇ ବିଶ୍ରୁତକବିଙ୍କର ଜୀବନ-କାବ୍ୟ ଉପରେ ବହୁ ଶ୍ରାବଣ ବହୁ ବସନ୍ତର ବିଚିତ୍ର ସମାରୋହ ଯୁଗାନ୍ତରର ଆଲେଖ୍ୟ ବହନ କରି ଅପସରି ଯାଇଛି ।

ଆଜି ସେ ବର୍ଦ୍ଧିଷ୍ଣୁ । ଶରତର କ୍ଷୀଣା ନଦୀ । ଯଷ୍ଟି ନ ଧରିଲେ ଚଳି ହେଉ ନାହିଁ । ସଂସାରକୁ ଚାହିଁବାରେ ଭଙ୍ଗୀ ଭିନ୍ନ ହୋଇଗଲାଣି । ପରପାରକୁ ଯିବାପାଇଁ ପାଥେୟ ଖୋଜୁଛନ୍ତି । ସହଜରେ ହାତମୁଠାରେ କିଛି ଧରି ହେଉନାହିଁ । ସେଇ ଛିଡ଼ା ହୋଇଥିଲେ ।

 

ମୋ ଦେଶର କବି । ଅଭୁକ୍ତ ଓ ଅସମ୍ମାନିତ । ଜୀବନ ସନ୍ଧ୍ୟାର ସମାଧି ଘଣ୍ଟା ବାଜିଉଠିବ । ଗୋଟିଏ ଫୁଲ କି ଟୋପିଏ ଚନ୍ଦନ ତାଙ୍କର ପାଟି ମଣ୍ଡନ କରିବନାହିଁ । ସନ୍ଧ୍ୟା ଦୀପଟିଏ ବି କେହି ଜଳେଇବେ ନାହିଁ । କହିବେ, ବେକାର ଜୀବନରେ ଗୁଡ଼ାଏ କଅଣ ଲେଖୁଥିଲା-କବିତା ଛନ୍ଦପକାଇ, ମିଥ୍ୟାକୁ ସତ୍ୟ କହି ମନ ଭୁଲାଣିଆ କେତୁଟା କଥା । ଜୀବନ ସଂଗ୍ରାମର ଭୀରୁ ପଳାତକ; କେଉଁଠି ଲଢ଼ିବାକୁ ସାମର୍ଥ୍ୟ ହେଲା ନାହିଁ । ଅଗତ୍ୟା ହେଲା କବି ବାବଦୁକ, ବାଉଲ, ପଥଚାରୀ ଗାୟକ !!

 

ସେଇ ବାଟେ ରାଜନୀତିଜ୍ଞ ମଟର ଛୁଟାଇ ଚାଲିଗଲା । ମଟର ଉପରେ ତ୍ରିରଙ୍ଗା ପତାକା । ସରୁ କାଠି ଉପରେ ଫର ଫର ଉଡ଼ୁଛି । ବହୁତ କାମ । ଉଚ୍ଛନ୍ନ ଗତି । ଦେଶର ରକ୍ଷକ ।

 

ମୁଁ ପାଖକୁ ଆସିଲି ।

 

ସେ ଚିହ୍ନିଲେ–କହିଲେ–‘କେବେ ଆସିଲେ ?’

 

ମୁଁ କହିଲି–‘ଆସିଲିଣି ଦୁଇଦିନ ହେଲା, ଅନେକ ସ୍ଥାନ ବୁଲି ଆସିଛି ।’

 

‘କଅଣ ଶରତ କାଳଟା ଆପଣ ସମଗ୍ର ଭାବରେ ଉପଭୋଗ କଲେ ?’

 

ମୁଁ କହିଲି–‘ଗଦ୍ୟରେ ଯେତିକି ସମ୍ଭବ ସେତିକି, ଆପଣ ପଦ୍ୟରେ କେତେ ଉପଭୋଗ କଲେ କହନ୍ତୁ ତ ?’’

 

ସେ କହିଲେ–‘ଆପଣ ଗଦ୍ୟରେ ଯାହା କରି ପାରୁଛନ୍ତି, ମୁଁ ତ ତା’ ପାରୁନାହିଁ । ଲଳିତ ଛନ୍ଦ ମୋର ନାହିଁ, କୋରଡ଼ା ଧରି ଏ’ ସମାଜଟାକୁ ପଟାସ ପଟାସ ପିଟିବାକୁ ଇଚ୍ଛା ହେଉଛି । କୋରଡ଼ା ଅଛି, ମାତ୍ର ହାତ ଥରୁଛି–ଆପଣ ପିଟନ୍ତୁ ।’

 

ସତରେ ତାଙ୍କ ମୁଖମଣ୍ଡଳରେ ଦେଖିଲି ନିର୍ମମ ଭାବ । ପିଟିଲାଭଳି ତାଙ୍କ ହାତଟା ଯଷ୍ଟି ସହିତ ଉପରକୁ ଉଠିଗଲା । ତା’ପରେ ସେ ଶାନ୍ତ ହୋଇଗଲେ । କହିଲେ–

 

‘ଆପଣ ଯାହା ଲେଖିଛନ୍ତି, ତାହା ପଢ଼ିଛି । ଆପଣଙ୍କର ନମନୀୟ ବ୍ୟକ୍ତିତ୍ୱକୁ ଯଦି କେହି ନାରୀ ଶ୍ରଦ୍ଧା କରେ, ତେବେ ସେଇଟା କଅଣ ଅପରାଧ ? ଅଥଚ ଚାରିଆଡ଼େ ପାଟିଗୋଳ ହେଉଛି ଯେ ଆପଣ କଅଣ ବୋଲି କଅଣ କରିଦେଲେ ?’

 

ମୁଁ ସାମାନ୍ୟ ହସିଲି । କ୍ରମ ଅସ୍ତମିତ ସୂର୍ଯ୍ୟରେଖା ଆମ ଦୁହିଁଙ୍କ ଉପରେ ସିନ୍ଦୂର ଝରାଉଥାଏ । ସେ ଉତ୍ତ୍ୟକ୍ତ ।

 

ମୁଁ ଧୀରେ କହିଲି–‘‘ଅବଶ୍ୟ କିଛି କରିଛି, ଅନ୍ୟ ହୃଦୟରେ ତରଙ୍ଗ ତୋଳିଛି । ଆନନ୍ଦ ଦେଇଛି । ଏଇମାତ୍ର ଅପରାଧ ।’’

 

କବି ଆନମନା ହୋଇଗଲେ । ତାଙ୍କର ଭ୍ରୂକୁଞ୍ଚିତ ହେଲା । କହିଲେ–‘‘ସେତେବେଳେ ସବୁଜ ସାହିତ୍ୟର ଭିତ୍ତି ପଡ଼ୁଥାଏ । ଏବେ ସବୁ ସ୍ୱଚ୍ଛ ମନେ ପଡ଼ୁଛି । କେତେକାଳର କଥା ହେଲାଣି-। ମୁଁ ଲେଖୁଥାଏ । ପ୍ରଣୟ, ମଳୟ, ବାଂଶରୀ–ଏମିତି କେତେ ଶବ୍ଦର ବ୍ୟଞ୍ଜନା । ଆମର ସମିତି ମତେ ସାବାସ କରୁଥାନ୍ତି । ସେତେବେଳେ ମୋର ସୁନ୍ଦର ଚେହେରା ଥିଲା । ଏବେ ପଚାଶ ବର୍ଷରେ ଅଶୀ ବର୍ଷର ରୂପ, ଆଖିର ଜ୍ୟୋତି ବିଶେଷ ନାହିଁ । ଥକି ଥକି ଚାଲୁଛି । କେତେବେଳେ ରହିଯିବ, କହି ପାରୁନାହିଁ । ମୁଁ ନିଜେ ଉପଯାଚକ ହୋଇଯାଇ ନ ଥିଲି । ନାରୀ ଆଗରେ ସେ ବୟସରେ ବଡ଼ ଲାଜ ପାଇଥିଲି । କିନ୍ତୁ କେଉଁ ଗୋଟାଏ ସଭାରେ କୁନ୍ତଳା ମତେ ଦେଖିଥିଲା-। ମୋର ଗୋଟାଏ କବିତା ମୁଁ ସେଇ ସଭାରେ ପଢ଼ିଥିଲି । ସାହିତ୍ୟ ସଭା ହେବ କି କଅଣ ହେବ-। ମନେ ନାହିଁ ।’’

 

ମୁଁ ବେଶ୍‍ ଉଦ୍‍‍ବେଗ ଦେଖାଇ ପଚାରିଲି, କୁନ୍ତଳା ? କେଉଁ କୁନ୍ତଳା ?

 

‘‘ପରିଚୟଟା କ’ଣ ନିହାତି ଦରକାର ?’’ କବି ପଚାରିଲେ । ମୁଁ କହିଲି-‘ଆପଣଙ୍କ ଯୌବନ ସମୟରେ କୁନ୍ତଳା ନିଶ୍ଚୟ ସାବତ ହୋଇଥିବେ ।’

 

ସେ ଏଥିପାଇଁ ପ୍ରସ୍ତୁତ ନଥିଲେ । ଚମକି ପଡ଼ିଲେ ।

 

ହାତ ମୁଠାର ବାଡ଼ିଟା ହଲିଗଲା । ବିକୃତ ହସ ହସିଲେ । ଆକାଶ ସୁରଙ୍ଗ ହୋଇଥିଲା, ତାହା କ୍ରମେ ମଉଳିଯାଇଛି, ଆସୁଛି ସନ୍ଧ୍ୟା । ଅଦୂର ଷ୍ଟେସନରେ ଲୁହାଚକ ଗଡ଼ିଯାଇଛି । ସଶବ୍ଦ...

 

ସେ ମତେ ଭୁଲାଇବାପାଇଁ କହିଲେ-‘କିଛିନାହିଁ, ସ୍ମୃତିମାତ୍ର’ ।

 

ମୁଁ କହିଲି–ସେ ସ୍ମୃତିକୁ ସାର୍ବଜନୀନ କରି ନାହାନ୍ତି କି ?’

 

‘କରିଛି, କବିତାରେ ।’ ଏତିକି କହି ସେ ମତେ ଚାହିଁ ରହିଲେ ।

 

ସେ ଦୃଷ୍ଟି ରୋମାଞ୍ଚ ଓ ବିଷାଦର ଯୁଗପତ୍‍ ଦୃଷ୍ଟି । ସେଇ ଅବଲୋକନ ପଛରେ କେତେକାଳର କାରୁକଳା ରହିଛି । ମୁଁ ବିରତ ହେଲି ନାହିଁ–ପଚାରିଲି–ଜୀବନରେ କିନ୍ତୁ ପାରିଲେ ନାଇଁ ନା ?

 

ସେ କ୍ଷୀଣ ହସିଲେ–‘ନା, ଜୀବନଠାରୁ କାବ୍ୟ ସତ୍ୟ ହୋଇଗଲା । ଆଚ୍ଛା, ଚାଲ ଷ୍ଟେସନ ଆଡ଼େ ଆପଣଙ୍କୁ ଗୋଟାଏ ଦୃଶ୍ୟ ଦେଖାଇବି, କିନ୍ତୁ ଗୋଟାଏ ସର୍ତ୍ତ ରହିଲା, ସେଇ ଉପାଦାନ ଉପରେ ଗୋଟିଏ ଗଳ୍ପ ଲେଖିବେ । ମୁଁ ସେଇଆଡ଼ୁ ଏକ୍ଷଣି ଫେରି ଆସିଛି । ମନଟା ତିକ୍ତ-। ଆଚ୍ଛା ଚାଲନ୍ତୁ ।’

 

ପ୍ଳାଟଫର୍ମ ଉପରେ ଛିଡ଼ାହୋଇ ଦେଖିଲେ ଦୁରସ୍ତ ସିଗନାଲ ପାଖରେ କେତେଗୁଡ଼ାଏ ଲୋକ । ଲୁହା ଲାଇନ ଧାର ଦୁଇପଟରେ ଲୋକ ଛିଡ଼ା ହୋଇଛନ୍ତି ।

 

କବି ଓ ମୁଁ ସେଇଆଡ଼େ ଗତି କଲୁ ।

 

ଦୃଶ୍ୟଟି ଚମତ୍କାର ! ଗୋଟିଏ ଜୀବନର ଅବସାନର ଚିତ୍ର । ନିରୁପଦ୍ରବ ମରଣ । ମସ୍ତିଷ୍କରେ ଦଧିଭାଣ୍ଡଟି ଗଳିତ ହୋଇ ଉପଳ ଛିନ୍ନ ଭିନ୍ନ ହୋଇପଡ଼ିଛି, ମୁଣ୍ଡ ନାହିଁ । କାନ ପାଖରୁ ଚକ୍ର ଚିରି ନେଇଛି ସମଗ୍ର ମଥାଟିକୁ । ମାଆ ବସୁନ୍ଧରାକୁ ବର ମାଗିବା ଭଳି ଭଙ୍ଗୀରେ ଯୋଡ଼ ହସ୍ତରେ ତଳକୁ ଶୋଇ ରହିଛି ଶିରହୀନ ଗୋଟିଏ ମହାପ୍ରାଣୀର ତରୁଣ ଅଙ୍ଗ ।

 

ସ୍ମୃତି, କବିତା, ଶ୍ରାବଣ ସଞ୍ଜର ଅପୂର୍ବ ପରିଣତି !!

 

ଏଇ ମଣିଷ ତ ?

 

କାନ ପାଖରେ କବି କହିଲେ–‘ଆତ୍ମହତ୍ୟା’ ।

 

ମୁଁ ମାନିଲି ନାହିଁ–‘ନା, ଦୁର୍ଘଟଣା’ ।

 

ସେ ହସିଲେ, ବଡ଼ ଅପରିଚ୍ଛନ୍ନ ହସ, ବିଶ୍ୱପ୍ରତି ରସହୀନ ହସ ।

 

କହିଲେ–‘ଷ୍ଟେସନକୁ ଗାଡ଼ି ଖୁବ୍ ଧୀରବେଗରେ ଆସୁଥିବାବେଳେ ଦୁର୍ଘଟଣା ଘଟେ ନାହିଁ । ଏ ଆତ୍ମହତ୍ୟା; ହୁଏତ କୌଣସି ନାରୀପାଇଁ ।’

 

ମୁଁ କହିଲି–‘‘ମୂର୍ଖ, ୟା କାହିଁକି କଲା ?’’

 

ସେ ଥରିଗଲେ । ମୁଁ ଚାହିଁ ରହିଥିଲି । ସ୍ଥବିର ଶରୀରରେ ସେଭଳି ଶିହରଣ ବେଶ୍‍ ସ୍ପଷ୍ଟ-। ମୁଁ ସଙ୍ଗେ ସଙ୍ଗେ କହିଲି–

 

‘ଚାଲନ୍ତୁ ଯିବା, ଆପଣ ଅସୁସ୍ଥ ଜଣାପଡ଼ୁଛନ୍ତି ।’

 

ସେ ଆଉ ଦଣ୍ଡେ ଛିଡ଼ାହେଲେ । ପୋଲିସ ତାଙ୍କୁ ସାକ୍ଷୀ ହେବାପାଇଁ ଅନୁରୋଧ କରୁଥାଏ । ସୁଇସାଇଡ଼ କେଶ, ଆପଣଙ୍କୁ କୋର୍ଟ ଯିବାକୁ ହେବ ନାହିଁ, କେବଳ ଦସ୍ତଖତ କରିଦିଅନ୍ତୁ ।

ସେ ମନା କଲେ । ମତେ ଫେରି ଚାହିଁ କହିଲେ-‘କାବ୍ୟକୁ ଜୀବନଠାରୁ ସତ୍ୟ ବୋଲି କହି ମୁଁ କଅଣ ଭୁଲ କରିଛି ? ତା’ ନ ହେଲେ ଆଜି ମୋର ଉତ୍ତର-ପୁରୁଷ ଆପଣମାନେ ଏଇ ଭାଗ୍ୟହୀନ ଯୁବକଟିକୁ କହିବାଭଳି ମତେ ବି କହିଥାନ୍ତେ...ମୁର୍ଖ... !!’

ମୁଁ ହଠାତ୍ ଅଭିଭୂତ ହୋଇ କହିଲି–

‘ଆପଣ ?’

ସେ ନୀରବ

‘ତାଙ୍କ ପାଇଁ ?’

‘ସେ ନୀରବ ।’

‘ଓଃ...

ସେ ନିରୁତ୍ତର ।

‘‘ଯୌବନର ସେଇ... !’’

ଷ୍ଟେସନର ପ୍ରଦୀପମାଳା ଜଳି ଉଠିଲା । ଆଉ ଗୋଟିଏ ସଞ୍ଜର ଅଭିସାର...ସେ ଥିଲା ଶ୍ରାବଣ–ଏ’ ଶୀତ ସନ୍ଧ୍ୟା ।

Image

 

Unknown

ଗରଳ ଗ୍ରାସ

 

ବନମାୟା ଆତଙ୍କରେ ଶିହରିଉଠି ଚିତ୍କାର କଲେ–ଓଃ, ଏ’ କଅଣ ହେଲା ? ଧୀର ସ୍ଥିର ହୋଇ ଯାଉନ ? ଚଉକାଠଟା ଏତେ ଜୋରରେ ବାଜିଗଲା ?

 

ଚଉକାଠ କେବଳ ଆକସ୍ମିକ ଭାବରେ ବାଜି ନ ଥିଲା । ବଳରାମଙ୍କର ମୁଣ୍ଡରୁ ଲହୁଧାରେ ବୋହି ଆସିଲା । ସେ ‘ଉଃ’ କହି ହାତରେ ମୁଣ୍ଡକୁ ଚିପି ଧରି ବସି ପଡ଼ିଲେ ।

 

ସକାଳ ସୂର୍ଯ୍ୟ ଉଠି ଆସୁଛନ୍ତି । ବୈଶାଖର ପ୍ରଭାତ । ସେତିକିବେଳକୁ ରାଜପଥ ଉପରେ ରାସ୍ତା ପିଚ୍ କରିବାର ସାମଗ୍ରୀ ସ୍ତୂପ ପ୍ରମାଣେ ଜମା ହୋଇଛି । କଳା ରାଳ ମିଶ୍ରିତ କଙ୍କରଗୁଡ଼ାକ ଯନ୍ତ୍ର ଗର୍ଭରୁ ତଳକୁ ଖସିପଡ଼ୁଛି । କୁଲି ଆଉ କୁଲିଆଣୀମାନେ ବୋହି ଆଣୁଛନ୍ତି ସେଗୁଡ଼ାକୁ ଟୋକେଇ ଭର୍ତ୍ତିକରି । ଯନ୍ତ୍ରଟା ଗର୍ଜନ କରୁଛି । ଉପରକୁ ଉଠିଯାଉଛି ମୋଟା କଳାଧୂଆଁର ଘନ ଭଉଁରୀ ।

 

ଗୋଟିଏ ସୁନ୍ଦର ପ୍ରଭାତରେ ଏ ଦୃଶ୍ୟଟି ଶୋଭନୀୟ ନ ଥିଲା । ଯନ୍ତ୍ରଦାନବ ସଙ୍ଗେ ମାନବର କର୍ମ ସଂଘର୍ଷର ଚିତ୍ର । ଟିକିଏ ଦୂରରେ ଚା’ ହୋଟେଲ । ସେଠି ଲୋକେ ଜମା ହେଲେଣି-। ଦୁଇଟା କାଉ, ଆଉ ଗୋଟାଏ ଖଣ୍ଡିଆ ଲାଞ୍ଜିଆ ମାଇ କୁତୀ ଦୋକାନ ସାମ୍ନା ଭୂଇଁ ଉପରେ ଚାହିଁ ରହିଛନ୍ତି । ସକାଳଟା ଉଦାସ ଓ ବିବର୍ଣ୍ଣ: ତଥାପି ସୂର୍ଯ୍ୟ ଉତ୍ତପ୍ତ ହୋଇଥିଲେ ।

 

ବନମାୟା ପଣତରେ ରକ୍ତଧାରାକୁ ପୋଛି ଆଣିଲେ । ସ୍ୱାମୀଙ୍କୁ ସଂଗ୍ରାମମୁଖୀ ଗୋଟିଏ ନିରାଶ୍ରୟ ଅସହାୟ ଜୀବ ଛଡ଼ା ସେ କେବେ ତାଙ୍କ ଚରିତ୍ରରେ ବୈଶିଷ୍ଟ୍ୟ ଦେଖି ନାହାନ୍ତି । ବନମାୟାଙ୍କ ଜୀବନରେ ପୂର୍ବରାଗ ବା ମାନ ଅଭିମାନ କିଛି ନ ଥିଲା । ପଲ୍ଲୀଝିଅ ପଲ୍ଲୀବଧୂରେ ରୂପାନ୍ତରିତ ହେବାକୁ କେତେ ବା ଆୟୋଜନ ? କିଛି ନୁହେଁ । ଦୁଇଟା ଢୋଲ, ଗୋଟାଏ ମହୁରୀ ବାଜଣା ଭିତରେ ବନର ମାୟା ତୁଟାଇ ବନମାୟା ସହରକୁ ଆସିଲେ । ସହରରେ ସେଇ ଅପ୍ରଶସ୍ତ ଅନ୍ଧକାର ଗଳିରେ ଆରମ୍ଭ ହେଲା ବନମାୟା ଓ ବଳରାମଙ୍କର ଜୀବନଯାତ୍ରା । ଦୂର ପ୍ରସାରିତ ପିଲାଦିନର କେତୋଟି ସ୍ମୃତି ମନେ ପକାଇ ଥରେ ଥରେ ସେ ଶିହରିଉଠନ୍ତି ।

 

–କାହିଁକି ଏମିତି ଦଉଡ଼ି ଯାଉଥିଲା ? ଦାଣ୍ଡରେ କିଏ କଅଣ ଡାକିଲା ? ସ୍ତ୍ରୀଙ୍କର ଏଇ ପ୍ରଶ୍ନର ବଳରାମ କି ଉତ୍ତର ଦେବେ ଠିକ୍ କରିପାରିଲେ ନାହିଁ । ହଁ...ଗୋଟାଏ ଡାକ...ଗୋଟାଏ ମର୍ମଫଟା ଚିତ୍କାର...କିଏ ଯେପରି ଶିଶୁକଣ୍ଠର କାକଳି ତୋଳି ଡାକିଲା...ବାପା, ମତେ ମଟର ମାଡ଼ିଗଲା...ମତେ ରଖ...ମତେ ରଖ...

 

କିନ୍ତୁ ମଟର କାହିଁ ? ସେ ପିଲା ବି କାହିଁ ? କେଉଁ ପିଲା ? ଗୋଲ ଆଖି; ଗୋରା ମୁହଁ, ତିନିବର୍ଷର କୁମାର ? ସେଇ ତ... କୁମାରକୁ ମଟର ମାଡ଼ିଗଲା...ତା’ ମୁଣ୍ଡ ଫାଟି ଯାଇଛି...ରକ୍ତ...ରକ୍ତ...

 

ହାସପାତାଲ୍‍ରେ ବଳରାମଙ୍କର ସମ୍ପର୍ଣ୍ଣ ଭାବରେ ସବୁ ପରୀକ୍ଷା କରାଗଲା । ଦୋଷ ଭିତରେ କେବଳ ମସ୍ତିଷ୍କ ବିକାର । ଅତ୍ୟଧିକ ଚିନ୍ତା...ଅତ୍ୟଧିକ ପରିଶ୍ରମ...ଅତ୍ୟଧିକ ଜୀବନ ସଂଗ୍ରାମରେ ମାନସିକ ଉଦବେଗ...

 

କୁମାର, ବନ ଓ ବଳରାମଙ୍କର ତିନିବର୍ଷର ପୁଅ । ଗୋଟିଏ ମାତ୍ର ସନ୍ତାନ । ସ୍ୱପ୍ନରେ ବିଭୋର ବଳରାମ ଭାବି ବସନ୍ତି କୁମାରକୁ ସେ ମଣିଷ କରିବେ । ତାକୁ ଦେବେ ଜ୍ଞାନ ଚକ୍ଷୁ; ତା’ର ହୃଦୟରେ ଆରୋପିବେ ବିଶ୍ୱମାୟା; ତା’ର ମନରେ ଆଙ୍କିବେ ଅକଳଙ୍କ ଦେବ-ଚରିତ୍ର । ତା’ର ଅବୟବରେ ଝରାଇବେ ପୌରୁଷର ଆଭା; ତା’ର ନେତ୍ରରେ ଝରାଇବେ ଶାନ୍ତି ଓ ମୈତ୍ରୀର ନିର୍ଝର-

 

ବଳରାମ ସ୍ୱପ୍ନ ଦେଖନ୍ତି । ନିଜ ଜୀବନ-ନାଟକରେ ମଞ୍ଚମାୟା ସୃଷ୍ଟି କରନ୍ତି । ନୀଳ ପୀତ ଆଲୋକପାତରେ ଜୀବନ-ଦୃଶ୍ୟଗୁଡ଼ିକୁ ଆଲୋକିତ କରନ୍ତି । ପୁଅକୁ ଦେଖନ୍ତି, ଅଜସ୍ର ବାର....ତା’ର ଆଖି ମୁହଁ, ହାତକୁ ଚୁମ୍ବନ ଦିଅନ୍ତି । ପ୍ରାର୍ଥନାରେ ବିଶ୍ୱପିତାଙ୍କ ଚରଣରେ ବଳରାମ କୁମାରକୁ ସମର୍ପଣ କରନ୍ତି ।

 

ସେଇ କୁମାରକୁ ସବୁଆଡ଼ୁ ସର୍ବପ୍ରକାର ଯାନବାହନ ଆକ୍ରମଣ କରୁଛନ୍ତି ବୋଲି ବଳରାମଙ୍କର ବିଶ୍ୱାସ ହୋଇଛି ।

 

ତିନିବର୍ଷର ଶିଶୁ ଧାଇଁଯାଏ ଠୁକୁ ଠୁକୁ ପାଦ ଛନ୍ଦରେ । ଘର ଅଗଣାରେ ଚକାଭଉଁରୀ ଖେଳେ । ବେଳେ ବେଳେ ସେ ଦାଣ୍ତଆଡ଼େ ଗୋଡ଼ ବଢ଼ାଏ ।

 

ସେଠି ସେ ଦେଖୁ ନ ଦେଖୁ ବଳରାମ ଦେଖନ୍ତି ଶାଗୁଣାପଲ ପକ୍ଷ ମେଲାଇ ବସି ରହିଛନ୍ତି । ଭୂଇଁ ଖଣ୍ତକ ଶୋଣିତ ଲିପ୍ତ । କର୍କଶ ଗୈରିକ ବୈଶାଖୀ ଭୂଇଁ ଉପରେ ହନ୍ତାରମାନେ କଟାର ଧରି ଉଭା ହୋଇଛନ୍ତି । ଯାହାକୁ ଆଗରେ ଦେଖିବେ, ଦେବେ ବସାଇ ଶାଣିତ ଛୁରିକା ।

 

ଏଇ ଭୂତ ପ୍ରେତର ଦଳ, ସଦା ମଣିଷ ମାଂସ ଆଗ୍ରହୀ ଏଇ ନର୍ତ୍ତନକାରୀ ନରଖାଦକ ବେଶ ହୋଇ ଯାଆନ୍ତି ଶିଶୁ ମାଂସପାଇଁ ।

 

କାରଣ ଶତାଦ୍ଦୀର ଶିଶୁ ଜନ୍ମ ନେଇଛି । ନେଉଛି ବଡ଼ କୃଚ୍ଛ୍ର ସାଧନପରେ । ବଡ଼ ଅବାଞ୍ଛିତ ଭ୍ରୂଣ ଜନନୀ ଝଠରରେ ତପ୍ତ ଲୌହପିଣ୍ତ ଭଳି ଘୂରି ବୁଲୁଛି ଦଶମାସ । ସେଠି ତାହା ଜନନୀର ଅମୃତ-ସ୍ନେହଧାରାରେ ସଞ୍ଜୀବିତ ହେଉନାହିଁ ।

 

ସେ ଉଦିତ ହେଉଛି ଅପ୍ରୟୋଜନୀୟ ଓ ଅବାଞ୍ଛିତ ବାତାବରଣରେ । ସେଗୁଡ଼ିକୁ ସଂସାରକୁ ନ ଆଣିବାପାଇଁ ଲକ୍ଷ ଲକ୍ଷ ଅର୍ଥ ବ୍ୟୟ, ସୌଧମାଳାର ସମାରୋହ, ଯାବତୀୟ ଯନ୍ତ୍ର ଆଉ ଜରାୟୁର ବିଶ୍ଳେଷଣ ଓ ପରୀକ୍ଷା ।

 

ହାସପାତାଲ୍‍ରୁ ଆସିଛନ୍ତି ବଳରାମ । କୁମାରକୁ ସେ ଭାରି ସୁଖ ପାଆନ୍ତି । ଗୋଟାଏ ଅହେତୁକ ଆଶଙ୍କା ବଳରାମଙ୍କୁ ଗ୍ରାସ କରିଛି । ଶେଷ ପର୍ଯ୍ୟନ୍ତ, କୁମାର ମଣିଷ ହେବାଯାଏ, ସେ ବଞ୍ଚିବେ ତ ?

 

ସାଇଁକିନା ମୋଟର ଛୁଟୁଛି । ଗର୍ଜନ କରି ଧାଇଁଯାଏ ଟ୍ରକ୍‌, ଟ୍ରାକ୍ଟର । ଇଞ୍ଜିନ୍‌ ଚାଲେ କ୍ଷିପ୍ରଗତିରେ । ଆକାଶରେ ଧାଏଁ ବିମାନପୋତ ଶହ ଶହ ମାଇଲ ବେଗରେ । ଏତେ ବେଗ, ଏତେ ଉଚ୍ଛନ୍ନ ଗତି ଭିତରେ କୁମାର ବଞ୍ଚିବ କିପରି ? ନା, ସେ ମରିଯିବ । ତା’ର ଠୁକୁ ଠୁକୁ ପାଦ ଚାଲି ସହିତ ଏମାନଙ୍କର ଗତିର ତୁଳନା ହେବ କି ?

 

ଗୋଟିଏ ସନ୍ଧ୍ୟାର କରୁଣ ପରିବେଶ ଭିତରେ ଦୁହେଁ ମନ ବଳାଇଲେ ଚଳଚ୍ଚିତ୍ର ଦେଖିବେ । ଟିକିଏ ଖୋଲା ମନରେ, ହୃଦୟର ପାତଳା ପରଦା ଭିତରେ ଖୋଜି ବସିବେ ଏ ଜୀବନର ସ୍ୱାଦ କେଉଁଠି ?

 

ଗଲେ ସହରର ପ୍ରଖ୍ୟାତ ସିନେମା ହଲ୍‌କୁ । ବନମାୟା ନିଜକୁ ସଜାଇଲେ । ଖଣ୍ତିଏ ଧଳା ଶାଢ଼ି, ଅଞ୍ଚଳରେ ଥିଲା ରୁଚିକର ଡିଜାଇନ୍‌ । ତାଙ୍କ କୁନ୍ତଳ ଝରାକଳା ବାଦଲ ଭଳି ଝରି ନ ଯାଇ ଆସନ୍ନ ବର୍ଷଣାର ଛମ୍‌ ଛମ୍‌ ଭାବ ଧରିଥିଲା । ପାଦରେ ଅଳତାରେଖା । ଅଳଙ୍କାରର ଅଭାବ ହିଁ ସମଗ୍ର ତନୁସୁଷମାକୁ ଭରିଥିଲା ସଙ୍ଗତି ।

 

କୁମାରକୁ କୋଳରେ କରି ଦୁହେଁ ଅଭିନୟ ଦେଖୁଥିଲେ ।

 

ଅଭାଗିନୀ ମା’ର ନୟନ ପିତୁଳା ଜୋତା ପଲିସ୍‌ କରି ପଇସା ଆଣେ । ବାବୁଙ୍କର ଗୋଡ଼ ଧରି ଭିକ୍ଷା ମାଗେ ତା’ର କୋଳ ଉପରକୁ ପାଦ ବଢ଼ାଇ ଦେବାପାଇଁ ।

 

ଶୋଷ କଲେ ପାଣି ପିଏ ଟ୍ୟାପ୍‌ରୁ । ଦୋକାନରୁ ପିଆଜି ପକୁଡ଼ି ଦୁଇ ପଇସାର ଖାଏ-। ଆଉ ଦିନଯାକ ଜୋତା ପଲିସ୍‌ କରେ ।

 

ଘରେ ରୋଗିଣୀ ମାଆ । ଦିନେ ରୋଗ ବଢ଼ିଲା । ସଞ୍ଚିତ ଅର୍ଥରେ ପିଲାଟି କିଣି ଆଣିଲା ଔଷଧ । ଦଉଡ଼ି ଆସୁ ଆସୁ ହତଭାଗା ଦାମୀ ମଟର ଚକ ତଳେ....ଓଃ

 

‘....କୁମାର, କୁମାର, ତାକୁ ମଟର ମାଡ଼ିଗଲା.....ରଖ...ରଖ’ । ସେଇ ସିନେମାହଲ୍‌ରୁ ଅଜ୍ଞାନ ଅବସ୍ଥାରେ ବଳରାମ ଆସିଲେ ହାସପାତାଲ୍‍କୁ ।

 

ପୁଣି ଦୁଇମାସ ପରେ ସେ ବିଛିଣାରୁ ଉଠି ଛିଡ଼ାହେଲେ । ଦେଖିଲେ ପୃଥିବୀ ପୂର୍ବଭଳି ରହିଛି । ଆଗରେ ବନମାୟା ହସି ହସି ହାତ ବଢ଼ାଇ ଦେଇଛନ୍ତି । ଏ’ ଆମନ୍ତ୍ରଣର ଅର୍ଥ...ଆସ ।

 

ସଂସାର ଫେରିଯିବ । କିନ୍ତୁ ଶାନ୍ତି ସୁଖ ବିହୀନ ସଂସାର କଥା ଶୁଣି ବଳରାମ ଚମକିଉଠିଲେ । ନାଃ, ଏଇ ଭଲ...ଏଇ ଡାକ୍ତରଖାନା । ଅବସନ୍ନ ପ୍ରାଣରେ ରୋଗର ପୀଡ଼ାକୁ ସର୍ବାଙ୍ଗେ ଅନୁଭବ କରି ଈଶ୍ୱର ଚିନ୍ତା କରିବାକୁ ସମୟ ମିଳେ । କାହିଁକି ସେ ମଣିଷକୁ ଜନ୍ମ ଦେଇଛନ୍ତି । କାହିଁକି ସେ କୁଆଡ଼େ ନେଇ ଯାଆନ୍ତି ସେଇ ଜାଣନ୍ତି ।

 

କୁମାର ଡାକିଲା–ବାପା, ଆସ; ଘରକୁ ଆସ । ବଡ଼ ହୋଇଛି କୁମାର । ତାକୁଇ ମଣିଷ କରିବାକୁ ଏତେ ସ୍ନେହର ପ୍ଳାବନ...ଏବେ କଠୋର ପରିଶ୍ରମ କରୁଛନ୍ତି ବଳରାମ ।

 

ପୁଣି ଫେରିଆସିଲେ ବଳରାମ । ବନମାୟାର ମାୟା ଧରି ରଖିଲା ତାଙ୍କୁ ।

 

ଅଫିସର ବିଦ୍ୟୁତ୍‌ ପଙ୍ଖାଟା ମୁଣ୍ତ ଉପରେ ଘୂରୁଛି । ବଳରାମ ଫାଇଲ ଧରି ବଡ଼ ବାବୁଙ୍କ ଟେବୁଲ ପାଖକୁ ଗଲେ । ଉପରକୁ ଚାହିଁଲେ-ପଙ୍ଖାଟା ଘୂରୁଛି । ତା’ର ପତ୍ର ତିନିରୁ ବେଶି ସଂଖ୍ୟକ ବୋଲି ମନେ ହେଲା ।

 

ଘୂରିଲା ବଳରାମଙ୍କର ଚାରିପଟ । ଫାଇଲ୍‌ଗୁଡ଼ାକ ଘୂରି ଘୂରି ଶୂନ୍ୟକୁ ଉଡ଼ିଗଲା । ଅଫିସ୍‌ର ଆସବାବ୍‌, ମଣିଷ, ଟେବୁଲ୍‌, ଚୌକି ସବୁ ଘୂରିଗଲା । ଏହି ମହା ଘୂର୍ଣ୍ଣନ ଭିତରେ କାହାର ସ୍ଥିତି ଆଉ ଦୃଢ଼ ରହିଲା ନାହିଁ । ମହେନ୍ଦ୍ରଶୈଳକୁ ମନ୍ଥନଦଣ୍ତ କରି ଦେବତା ସାଗର ମନ୍ଥନ କରୁଛନ୍ତି-। ବିକ୍ଷୁବ୍‌ଧ ଜଳରାଶି ଭିତରେ ବଳରାମ ଦେଖିଲେ ତାଙ୍କ ପୁଅ କୁମାର ଛିନ୍ନ ଭିନ୍ନ ହୋଇ ରକ୍ତାକ୍ତ ମାଂସ କଣିକାରେ ପରିଣତ ହେଉଛି । କେବଳ ଘୂର୍ଣ୍ଣନ...ଘୂର୍ଣ୍ଣନ...ପ୍ରଚଣ୍ଡ ବେଗ...ମହାଚାଞ୍ଚଲ୍ୟ......

 

ବଳରାମ ଚିତ୍କାର କଲେ...ପଙ୍ଖା ଖସିପଡ଼ିଲା; ମୋ କୁମାର ଉପରେ ଖସିପଡ଼ିଲା, ତାକୁ ରଖ...ରଖ.....

 

ତା’ପରେ ସବୁ ନୀରବ । ହାସପାତାଲ୍‍ର ଚିକିତ୍ସକ ବନମାୟାକୁ କହିଲେ–କିଛିଦିନ ଜଳବାୟୁର ପରିବର୍ତ୍ତନ ଦରକାର । କେବଳ ଜୀବନସଂଗ୍ରାମ ଭିତରେ ରହି ନୈଶ୍ଚିନ୍ତ୍ୟ ଓ ଶାନ୍ତିର ଅଭାବରୁ ମସ୍ତିଷ୍କବିକାର ଘଟିଛି । ଯଦି ପାରନ୍ତି ସୁଦୂର ଶୈଳ ନିବାସ କିମ୍ବା ସବୁଜପଲ୍ଲୀ ଯେଉଁଠି ପିଚ୍‌ ଢଳା ରାସ୍ତାର ଅଜଗର ସାପ ଲମ୍ବି ଯାଇ ନ ଥିବ, ଯେଉଠିଁ ଯନ୍ତ୍ରର ଗର୍ଜନ କିମ୍ବା ପ୍ରତି ଧୂଳିକଣା ଭିତରେ ନ ଥିବ ମହାବ୍ୟାଧିର ଜୀବନ୍ତ ଜୀବନବାହୀ ଜୀବାଣୁ; ସେଇ ସୁସ୍ଥ ଶାନ୍ତ ପରିବେଶରେ ଅନ୍ତତଃ ଛମାସ ରଖନ୍ତୁ; ଦେଖିବେ ଅଭାବନୀୟ ପରିବର୍ତ୍ତନ ଘଟିବ ।

 

ଶୈଳ ନିବାସ ! ସୁଦୂରପଲ୍ଲୀ, ଯେଉଁଠି ଅଜଗର ସାପ ଲମ୍ବି ଯାଇ ନଥିବ !! କିରାଣୀର ଦରମାରେ ଜଳ ଓ ବାୟୁ ଉଭୟର ପରିବର୍ତ୍ତନ ! ! କହିଲ ଭଲା କେଉଁ ଭୂମିକୁ ଗାଁ କରି ରଖିଛ ? ଯେଉଁଠି ଖୋଲା ଜାଗା ଦେଖିଲ ଗୋଟାଏ ଦି’ଟା ମେସିନ ଥୋଇ ଗୁଡ଼ାଏ ଲୋକଙ୍କୁ କଳାଭୂତ କରି ଦେଖରେ ଆର୍ଥିକ ପ୍ରଗତି ଆରମ୍ଭ କରିଦେଲ । ଇଞ୍ଚେ ଜାଗାରେ ଦୁବଟିଏ ଜନ୍ମ ପାଉନାହିଁ । କଳା ବାଦଲ ବର୍ଷି ଗଲେ ବି ଭୂଇଁ ଭିତର ଦୁବବୀଜ ଉପରକୁ ଉଠୁନାହିଁ । କାରଣ ତା’ ଉପରେ ପ୍ରଗତିର ମହାକାଳ କେବଳ କଳାଆଲକାତରା, ସିମେଣ୍ଟ, ଚୂନ, ଇଟା, ପଥର, କଂକ୍ରିଟ-ଟନ ଟନ ଲୁହା ଢାଳୁଛି । ପ୍ରକୃତି ଆଜି ସିମେଣ୍ଟ–ଲୁହା–କଂକ୍ରିଟମୟୀ; ତା’ର ଶ୍ୟାମସ୍ନି ଗ୍‌ଧ ରୂପ ଫୁଟିବାପାଇଁ ସ୍ଥାନ ଅଛି କି ?

 

ଆଉ ଶୈଳ ନିବାସ ? ସେ ତ ଅମରାବତୀ ! ପାପୀ ତାପୀ ଦୁଃଖୀଙ୍କପାଇଁ ତାହା ରହିନାହିଁ ।

 

ବନମାୟାଙ୍କ ଆଖିରୁ ଦୁଇ ଠୋପା ଲୁହ ଝରିଆସିଲା । ଖଣ୍ଡିଏ ମାତ୍ର କୋଟରେ ବଳରାମ ଏକମୁଖୀ ରାସ୍ତା ଧରି ଅଫିସକୁ ଯାଆନ୍ତି, ଆଉ ଫେରନ୍ତି । କୁମାରକୁ କୋଳରେ ଧରି ଘଡ଼ିଏ ବସିଗଲେ ତାଙ୍କ ପ୍ରାଣ ଶାନ୍ତ ହୁଏ । ସଂସାରରେ ପୁଞ୍ଜି କାହିଁ ଯେ ଜଳବାୟୁ ପରିବର୍ତ୍ତନ ପାଇଁ ମନ ବଳାଇବେ ? ନ ଗଲେ ବିପତ୍ତି ବେଶି । ବନମାୟା କଅଣ କରିବେ କିଛି ସ୍ଥିର କରିପାରିଲେ ନାହିଁ ।

 

ଅଫିସର ବଡ଼ବାବୁ ପଚାରିଲେ–‘ବଳରାମ, ତୁମେ ମଝିରେ ମଝିରେ ଏପରି କାହିଁକି ହୁଅ ?

 

ବଳରାମ ଉତ୍ତର କଲେ–‘ମୋ ପୁଅର ନିରାପତ୍ତା ବିଷୟରେ ମୁଁ ଆତଙ୍କିତ ।’

 

–ଅର୍ଥାତ ।

 

–ମୁଁ ଭାବେ ଯେପରି ପ୍ରତି ମୁହୂର୍ତ୍ତରେ ତାକୁ କିଏ ମାରି ଦେଉଛି ।

 

–ଛୋଟ ଶିଶୁକୁ କିଏ କାହିଁକି ମାରିବ ?

 

–ଛୋଟ ଶିଶୁ ବୋଇଲେ ମୁଁ ଭାବେ ଭାବୀ କାଳର ଅନନ୍ତ ସମ୍ଭାବନା, ସେଇ ସମ୍ଭାବନାକୁ ହତ୍ୟା କରାଯାଉଛି ।

 

ହସିଲେ ବଡ଼ବାବୁ । ସୁସ୍ଥ ଶରୀର । ମୁଣ୍ତ ଉପରେ ବିରଳ କେଶ ଉପରେ ହାତ ବୁଲାଇ ଆଣିଲେ । କାନ୍ଥ ଟଙ୍ଗା ଦର୍ପଣଟାକୁ ଚାହିଁଲେ । ନାଃ, କିଛି ଅଢ଼ଙ୍ଗ ହୋଇନାହିଁ । ଆଉ କେତେଦିନ ବେଶ୍‌ ଚାଲିଯିବ ।

 

ବଡ଼ବାବୁ ମୁହଁ ଟେକି ଚାହିଁଲେ । ବଳରାମ ଛିଡ଼ାହୋଇଛନ୍ତି । ପଚାରିଲେ ।

 

–ପୁଅକୁ ପାଠପଢ଼ଉଛ ?

 

–ଚାହାଳୀରେ ଦେଇଛି ।

 

–ଚାହାଳୀ ?

 

–ଆଜ୍ଞା ହଁ ।

 

–ଛିଃ ଛିଃ, ଚାହାଳୀରେ ମାନେ ପ୍ରାଥମିକ ସ୍କୁଲ ମାନଙ୍କରେ ? ସେଠି ପାଠପଢ଼ା ହୁଏ ? ସେଠାରେ ପଢ଼ିଲେ ପିଲାଏ ଚାଲାଖ ଚତୁର ମାନେ ସ୍ମାଟ ହୋଇପାରିବେ ? ଖାଉଡ଼େ ଖାଉଡ଼େ ଜନ୍ତୁ, ଚିତ୍କାର ଭିତରେ ପଢ଼ୁଛନ୍ତି; ଏମାନେ ଭବିଷ୍ୟତର ନାଗରିକ ହୋଇ ଦେଶର କର୍ଣ୍ଣଧାର ହୋଇପାରିବେ ତ ?

 

ବଳରାମ ପଚାରିଲେ–

 

ଆପଣଙ୍କ ପୁଅ ?

 

–ପବ୍ଳିକ ସ୍କୁଲରେ; ସିମିଳା ଶୈଳ ନିବାସ !

 

–ଓଃ ହୋ ।

 

–ଶୁଣ ବଳରାମ, ବୁଦ୍ଧି ଥିଲେ ସବୁ ହୋଇପାରେ; ଅସାଧ୍ୟ ସାଧନ । ପବ୍ଳିକ ସ୍କୁଲରେ ବହୁତ ଖର୍ଚ୍ଚ; ଏ ଖର୍ଚ୍ଚରୁ ରିହାତି ପାଇବାପାଇଁ ଉପାୟ ଖଞ୍ଜିଲି ଆଉ ପାଇଲି ବି । ଏବେ ବିନା ଦରମାରେ ବିନା ଖର୍ଚ୍ଚରେ ପୁଅ ପବ୍ଳିକ ସ୍କୁଲରେ ପଢ଼ୁଛି । ସରକାରୀ ବୃତ୍ତିରେ ।

 

ବଳରାମ ବିସ୍ମିତ ହୋଇ କହିଲେ–ସେ ତ ଆପଣଙ୍କ ଭଳି ଉଚ୍ଚ କର୍ମଚାରୀଙ୍କ ପୁଅମାନଙ୍କପାଇଁ ବ୍ୟବସ୍ଥା ହୋଇନାହିଁ; ସାଧାରଣ ମଧ୍ୟବିତ୍ତ ପରିବାରର ପିଲାମାନଙ୍କପାଇଁ ସରକାର ସୁବିଧା ଦେଇଛନ୍ତି ।

 

ବଡ଼ବାବୁଙ୍କ ସିଗାରେଟହଲା ଓଠ ଉପରେ ହସ ଉକୁଟି ଉଠିଲା । କହିଲେ-‘‘ବଳରାମ, ତମେ ଅଜବ ମୂର୍ଖ । ମୋର ନା ଦିଗମ୍ଭର ଜାଣ ତ ? ଆଚ୍ଛା ଟିକିଏ ବ୍ୟାକରଣଗତ ପ୍ରମାଦ ଫୁଟେଇ ଦେଇ ମୁଁ ମୋ ନାଁକୁ ଦିଗାମ୍ବର କରିଦେଲି । ଦିଗାମ୍ବରର ପୁଅ ଯେଉଁ ସରୋଜ, ଦିଗମ୍ବରର ପୁଅ ସେହି ସରୋଜକୁମାର । ଅଫିସ୍‌ ଠିକଣା ବା ମୋର ଡେଜିଗ୍‌ନେସନ କିଛି ଦେଲି ନାହିଁ । ବଣରେ ବୁଲୁଥିଲେ ବି ରାଜାଙ୍କ ହାତୀ ରାଜହାତୀ । ଏବେ ଦିଗାମ୍ବର ପଟ୍ଟନାୟକଙ୍କ ପୁଅ ବିନା ଖର୍ଚ୍ଚରେ ପବ୍ଳିକ୍‌ ସ୍କୁଲରେ ପଢ଼ୁଛି ।

 

–ଆଜ୍ଞା, କଥାଟା ଧରା ପଡ଼ିଲେ ?

 

–ହସେଇଲ ବଳରାମ, କିଏ କାହାକୁ ଧରୁଛି ? ଯେ ଧରିବ ସେ ଏହାଠାରୁ ଭୟଙ୍କର ଠକାମିରେ ଲିପ୍ତ ରହିଛି । ଯେ ଠକାମି କରୁଛି ସେ ଚିତ୍ରଗୁପ୍ତ ପାଞ୍ଜି ରଖିଛି । ସବୁ ଠକ, ଶଠଙ୍କର ଦୁର୍ନୀତିର ଇତିବୃତ୍ତ, ତା’ପାଖରେ ରହିଛି । ସେ ଓଷ୍ଠ କୁଞ୍ଚନ କଲେ, ଅପରପକ୍ଷ ନିଶକୁଞ୍ଜନ କରିବ, ସେ ହସ୍ତମୃଷ୍ଟି ଉଠାଇଲେ, ଏ ପାଦ ଉଠାଇବ । ଏ ଭଳି ପରମ ଭ୍ରାତୃତ୍ୱ ପୃଥିବୀରେ କେବେ ସମ୍ଭର ହୋଇ ନ ଥିଲା; ଏବେ ହୋଇଛି ।

 

–ତେବେ ମୋ ପୁଅର ଭାଗ୍ୟ ?

 

ବଡ଼ାବାବୁ ସିଗାରେଟ ଖଣ୍ତିଏ ଲଗେଇ କହିଲେ ନିଜକୁ ଗଢ଼ିବାକୁ ହେବ ।

 

–ଏଇଭଳି ଉପାୟରେ ?

 

–ଏଇଭଳି କଅଣ ? ଏଇ ତ ଗୋଟାଏ ମାତ୍ର ଉପାୟ ।

 

ବଳରାମ ବାବୁ ଆତଙ୍କିତ ହୋଇ କହିଲେ–ନା-ନା ମୁଁ ପାରିବି ନାହିଁ ।

 

–ଦେନ୍‌ ଗୋ ଟୁ ହେଲ୍‌ । ହାଃ-ହାଃ-ହାଃ ବେଚାରା–

 

ଦଶ ନମ୍ବର ପ୍ଳାଟଫର୍ମ ଉପରକୁ ଗୋଡ଼ ଦେଲେ ବଳରାମ, ବନମାୟା ଓ କୁମାର । କିଛି ସମୟ ହାବଡ଼ା ଷ୍ଟେସନରେ ବିଶ୍ରାମ କରି ସେମାନେ ଟ୍ରେନ୍‌ ଧରିବେ ଦାର୍ଜିଲିଂକୁ ।

 

ରାତ୍ରିଟାଯାକ ଅସ୍ୱସ୍ତିରେ କଟିଛି । ବନମାୟାଙ୍କ ଆଖିରେ ନିଦ ନ ଥିଲା । ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ କରିଦେବେ କେବଳ ଗୋଟିଏ ଉଚ୍ଚ ଜାଗାରେ କିଛିଦିନ ରହଣୀରେ ।

 

ତାଙ୍କ ଗାଁମୁଣ୍ତ ବାଲି ଝୋପ କଥା ମନେ ପଡ଼ିଗଲା । ତିନିପୁରୁଷା ଉଚ୍ଚା ସେହି ବାଲି ସ୍ତୂପ । ଅତି କଷ୍ଟରେ କୁଆଁରୀ ଝିଅମାନେ ଚଢ଼ିଯାଆନ୍ତି, ଆଉ ଖସିଆସନ୍ତି ସଡ୍‌କରି–ଭାରି ମଜା ଲାଗେ । ଖସି ଆସିଲା ବେଳେ ବସନ ଠିକ୍‌ ରହେ ନାହିଁ । ସେପାଇଁ ନଜର ନ ଥାଏ । ପାଖ ଆଖରେ କେହି ନ ଥାନ୍ତି । ବାଲି ସ୍ତୂପର ଶୀର୍ଷ ଉପରେ ଶିରି ଶିରି ପବନ ବହୁଥାଏ । ଆମ୍ବକଷି ବନ୍ଧରେ ନାକ ଫାଟିପଡ଼ୁଥାଏ ଫୁଟି ଆସୁଥିବା ଯୌବନର ମହୋତ୍ସବ ଭିତରେ….. ।

 

-ଟିକିଟ୍‌

 

ବଳରାମ ମନିବ୍ୟାଗ୍‌ ଖୋଜୁ ଖୋଜୁ କହିଲେ-ତମେ ସବୁ ଆଗରେ ଯାଅ ।

 

ଆଗକୁ ଯିବାକୁ ଛାଡ଼ିଲା ନାହିଁ । ଦାର୍ଜିଲିଂ ବହୁତ ଦୂରରେ । ଏମାନେ କି ତପସ୍ୟା କରିଛନ୍ତି ଯେ ଆଗକୁ ଯିବେ ? ଆଗକୁ ଯିବାବାଲା ଯାଇଛନ୍ତି । ଅଫିସ୍‌ ବଡ଼ ବାବୁଙ୍କଭଳି ଲୋକେ ଅଗ୍ରସର କରିବାର କୌଶଳ ଜାଣନ୍ତି । ଏଇ ଦରିଦ୍ର କିରାଣୀ ପରିବାର–ଏମାନେ ଜାଣିବେ କୁଆଡ଼ୁ-?

 

ବଳରାମଙ୍କର ମସ୍ତିଷ୍କ ବିକୃତି ବଢ଼ିଲା, ପକେଟମାରୁର ଦୟାରୁ ଏମାନେ ଫେରିଆସିଲେ-। କୁମାର କେବଳ ଖୋଜିଲା ଦାର୍ଜିଲିଂର ଘୋଡ଼ାଦୌଡ଼ ଆଉ ଶୈଳ ପ୍ରାନ୍ତରକୁ । ବହିରେ ସେ ପଢ଼ିଥିଲା ଦାର୍ଜିଲିଂ ଗୋଟିଏ ଅତି ରମଣୀୟ ସ୍ଥାନ । ବହିର ତଥ୍ୟ ବହିରେ ରହିଗଲା-

 

ସବୁ କାବୁଲି ରବୀନ୍ଦ୍ରଙ୍କର କାବୁଲିଓ୍ୟାଲା ନୁହଁନ୍ତି କି ସବୁ ଝିଅ ମିନି ନୁହନ୍ତି । ଗୋଟାଏ ଦୀର୍ଘକାୟ ପଗଡ଼ିବାଲା ନିଶୁଆ କାବୁଲି ଭଲ ପାଇଥିଲା ଆଫଗାନିସ୍ଥାନକୁ ଆଉ ଭଲ ପାଇଥିଲା ତା’ର ଝିଅକୁ । ସେଇ ଝିଅ ରୂପ ନେଲା ମିନିର ତନୁ ଆଉ ମନଭିତରେ–

 

ସମସ୍ତେ ତ ଏପରି ନୁହଁନ୍ତି ଯେ କାବୁଲି ଦେଖିବାମାତ୍ରେ ରବୀନ୍ଦ୍ର ସୃଷ୍ଟିକୁ ସ୍ମରଣ କରି ଡାକଦେବେ…..ଆଇ ଏ…..ମେରା ଘର୍‌ମେ ଏକ୍‌ଠୋ ମିନି ହୈ ଆଇ ଏ–

 

ଯେଉଁ କାବୁଲିବାଲା ବଳରାମଙ୍କ ଦାଣ୍ତଦୁଆରେ ଛିଡ଼ା ହୋଇ ହଲ୍ଲା କଲା, ସେ ତା’ର ହସ୍ତଭୂଷଣପାଇଁ ଧରିଥିଲା ଗୋଟାଏ ଉଚ୍ଚା ଦଣ୍ତା । ତାକୁ ଏପଟୁ ସେପଟୁ ଦି’ଥର ଝୁଲାଇ ପାଟିକଲା-ହୋ ବଳରାମ ବାବୁ, ମେରା ପାଂଶୋ ରୂପୟା ଦେନେକୋ ତୈରି ହୋଯାଓ…..

 

ବଳରାମ ବାବୁ ଅବଶ୍ୟ ତୈରୀ ହେଉଥିଲେ ତାହାର ଦେଣା ପାଉଣା ନିକାଶ କରିବାପାଇଁ ନୁହେଁ ନିଜର ହାଟ ସଉଦା କିଣା ଶେଷ ହୋଇ ଆସୁଛି । ଏଣିକି ଯାତ୍ରା !

ବନମାୟା କେବଳ କାନ୍ଦୁଛନ୍ତି । ବନ୍ଧୁ ବାନ୍ଧବରେ ଏପରି କେହି ନାହିଁ ଯେ ଆସି ରକ୍ଷା କରିବ । ଚିକିତ୍ସାପାଇଁ ଅର୍ଥ ଦରକାର । ସାମାନ୍ୟ ବ୍ୟାଧି ତ ନୁହଁ । ମସ୍ତିଷ୍କ ବିକୃତି । ଭୟଚକିତ ଏଇ ବଳରାମ ସବୁବେଳେ ଆତଙ୍କର ଚିତ୍ର ଦେଖୁଛନ୍ତି ।

ସେ ଦେଖୁଛନ୍ତି ସବୁ ଭାଙ୍ଗିପଡ଼ୁଛି । ଆଗାମୀ କାଳର ସନ୍ତାନର ସ୍ୱାସ୍ଥ୍ୟ ଭାଙ୍ଗିଯାଉଛି, କାରଣ ଦୁଧବାଲା ଆଖି ବୁଜିଦେଇ ଘଡ଼ିରେ ରାସ୍ତାକରର ପାଣି ଟ୍ୟାପ୍‌ ଖୋଲି ଦେଉଛି ।

ଆଖି ବୁଜି ଲୋକେ ପ୍ରାର୍ଥନା କରନ୍ତି । ଗଉଡ଼ ପ୍ରାତଃକାଳରୁ ପ୍ରାର୍ଥନା ଆରମ୍ଭ କରି ଦେଇଛି । ଯେତିକି ଭାଣ୍ତରୁ କ୍ଷୀର ବିକା ହେଉଥିବ ସେତିକି ମ୍ୟୁନିସପାଲିଟି ପ୍ରତିଷ୍ଠିତ ପାଣି ଟ୍ୟାପରୁ ସ୍ୱଚ୍ଛ ଜଳ ବାହାରି ତା’ର ଭାଣ୍ତ ପୂର୍ଣ୍ଣ କରୁଥିବ ।

ଏ ତ ଶ୍ରୀକୃଷ୍ଣଙ୍କ ସାମାନ୍ୟତମ ଲୀଳା । ଯଶୋଦାଙ୍କର ଭାଣ୍ତ କେବେ ଶୂନ୍ୟ ପଡ଼େ ନାହିଁ, ଦୁଧଲହୁଣୀ ଯେତିକି ଭଗବାନଙ୍କର ଉଦରକୁ ଯାଇଥାଏ ସେତିକି ଘଡ଼ାରେ ସଞ୍ଚିତ ଥାଏ ।

ଆଭୀର ବଂଶର ମହୁଡ଼ମଣି କୃଷ୍ଣଚନ୍ଦ୍ର ଯେତେବେଳେ ଏଇଭଳି ଲୀଳା ରଚନାକରି ଅମର ହୋଇଗଲେ, ନଗର-ଆଭୀରକୁଳ ଏବେ ସେଇ ସୁଆଙ୍ଗ ଦେଖାଉଛନ୍ତି ।

ଅଟା ବୋଲି ତେନ୍ତୁଳିମଞ୍ଜିର ଚୂନା, ଘିଅ ବୋଲି ବନସ୍ପତି ରସ…..ଆଉ କେତେ କଅଣ-। ଏଇ ତ ପେଟକୁ ଗଲେ ସ୍ୱାସ୍ଥ୍ୟ ରଖିବ ନାହିଁ, ରଖୁନାହିଁ ।

 

ସବୁ ଭାଙ୍ଗିପଡ଼ିବାର ଚିତ୍ର ଦେଖୁ ଦେଖୁ ବଳରାମ ପୂରାପୂରି ଗଢ଼ିବାର ଚିତ୍ର ବି ଦେଖୁଛନ୍ତି । ଅଫିସର ବଡ଼ବାବୁଙ୍କ କୀର୍ତ୍ତି ତ ସଙ୍ଗଠନ । ଆଜି ନିଜ ତନୟପାଇଁ କରିଛନ୍ତି । କାଲିକି ପର ପୁଅପାଇଁ କରିବେ । ଏ’ ବିଶ୍ୱାସ ଅଛି । ସନ୍ଧ୍ୟାରେ ସଞ୍ଜବତୀକୁ ହାତ ଯୋଡ଼ି ନମସ୍କାର କରୁଥିବା ଓ ଠିଆହୋଇ ଜନ୍ତୁଙ୍କ ଭଳି ମୂତ୍ରତ୍ୟାଗ କରୁନଥିବା ସଂସ୍କାରଯୁକ୍ତ ବଳରାମଙ୍କୁ ସଭ୍ୟ ମାନବର କାମଗୁଡ଼ାକ କଷ୍ଟ ଦେଉଥିଲା ସତ, କିନ୍ତୁ ସେ ସ୍ଥିରମନରେ ବହୁତ ସମୟ କିଛି ଭାବିପାରୁ ନଥିଲେ ।

 

ଶୈଳ ନିବାସରେ ରହଣୀପାଇଁ ଅର୍ଥ ଦେଇଥିଲା ଆଫଗାନ୍‌ । ସେ ଆଦାୟ କରିବ କଡ଼ାକ୍ରାନ୍ତିରେ । ବନମାୟା କେବଳ ଅଶ୍ରୁ ଢାଳୁଥିଲେ, ଆଉ କୁମାର ତା’ର କୈଶୋର ଜୀବନରେ ହିଁ ଆଘାତ ପରେ ଆଘାତ ପାଇଗଲା । ଫୁଟିଲା ଫୁଲ ଦେଖିଲା ଏତେ ବଡ଼ ଆକାଶରୁ ବାରିକ୍ଷରଣ ହେଉନାହିଁ ଯେଉଁଥିରୁ ତାହା ପାଇପାରନ୍ତା ପ୍ରାଣରସ । କେବଳ ସେ ଫୁଲଟି ପାଇଛି ବୈଶାଖୀ ପ୍ରଚଣ୍ତ ତାପ–ଅଗ୍ନିର ଝଲକ ।

 

ସ୍କୁଲରେ ପଢ଼ୁ ପଢ଼ୁ କୁମାର ଶିଖିଲା ଏକା ରାତିକେ ବଡ଼ ହୋଇଯିବାର ଆଉ ନେତା ବନିବାର କୌଶଳ । ବଳରାମ ଶଯ୍ୟାଗତ । ପୁଅର ପଢ଼ାପଢ଼ିରେ ସେ ଆଖି ଦେଇ ପାରୁନାହାନ୍ତି ।

 

ଧ୍ୱନି କଲା କୁମାର । ଦାବୀ ଓ ଅଧିକାର ନେଇ ବ୍ୟସ୍ତ ରହିଲା । ଆଗରେ ତା’ର ପିତାର ଦୟନୀୟ ଚିତ୍ର । ମାଆ ଗୃହ-ପ୍ରାଙ୍ଗଣର ତୁଳସୀ ବୃକ୍ଷ । ସବୁ ଦୁଃଖକୁ ଦୈବ ଉଦ୍ଦେଶ୍ୟରେ ବାଢ଼ିଦେବାର ନିର୍ଲିପ୍ତ ଭଙ୍ଗୀ ମାଆ ଅର୍ଜନ କରିଛି । ତେଣୁ ଘରେ ମନ ଲାଗିଲା ନାହିଁ । କୁମାର ଖୋଜିଲା ବାହାର ବିଶ୍ୱକୁ ।

 

ସେ ବିଶ୍ୱ ସହଜ ଓ ସୁନ୍ଦର ନୁହେଁ । ମାଳ ମାଳ ସରୀସୃପରେ ଭରା ଏଇ ବିଶ୍ୱଟାକୁ କୁମାରକୁ ଚିହ୍ନିବାକୁ ସମୟ ଲାଗିଲା ନାହିଁ ।

 

–ସତ କହୁଛନ୍ତି ମତେ ଖୁବ୍‌ ଭଲ ପାଆନ୍ତି ?

 

–ବିବାହ କରିବେ ?

 

–ହଠାତ୍‌ ବିବାହ କଥା ଉଠାଇଲ ଯେ….

 

–ନାଃ, ଭାରି ଚାଲାଖ ତ ଆପଣ ? ତେବେ କଅଣ ପୂର୍ବରାଗ ? ମୁଁ ସେସବୁରେ ବିଶ୍ୱାସ କରେନି । ଆଉ ପୂର୍ବରୁ ଅସ୍ତାଚଳ ଯିବାକୁ ବହୁତ ଡେରିହୁଏ । ସୂର୍ଯ୍ୟ ଦେବତାଙ୍କୁ ତ ଲାଗେ ପୂରା ଗୋଟାଏ ଦିନ । ଆଉ ଆମ ଭଳି ଲୋକଙ୍କ....

 

କୁମାର ଶୁଣୁଥିଲା ଝିଅଟିର କଥା ମୁଗ୍‌ଧ ହୋଇ । ତା’ର ବୀଣାରେ ସଂଜୀବନୀ ଅଛି । ମଲାଜହ୍ନକୁ ଏ ଝିଅ ପୂର୍ଣ୍ଣଚନ୍ଦ୍ର କରିପାରେ ।

 

କୁମାର ଅଙ୍ଗରେ ଯୌବନଶ୍ରୀ । ସେ ସାଥୀ ଚାହେଁ । ଅବଶ୍ୟ ବାପା ବୋଉ ଖୋଜିବେ ବଧୂ । ତାଙ୍କ ଖୋଜିବାଯାଏ ଅପେକ୍ଷା କରିହେବ ନାହିଁ । ନିଆଁ ଜଳୁଛି ତା’ର ପ୍ରତ୍ୟେକଟି ଲୋମକୂପରେ ।

 

ସେ ଚାହେଁ ହଠାତ୍‌ ଗୋଟାଏ କିଛି ଅନୁଭୂତି । ସ୍ୱପ୍ନ ନୁହେଁ, ବାସ୍ତବ ଅଙ୍ଗସ୍ପର୍ଶ ।

 

କୁମାର ନିର୍ଜୀବ ଭାବରେ କହିଲା–

 

–ସେ କଥା ପରେ, ମାନେ ବିବାହ...

 

ତରୁଣୀର ବାଣୀ ଶ୍ଳେଷମିଶା–

 

–ଓଃ, ତେବେ ମିଳାମିଶା ? ମାନେ ପଙ୍କଜ ତୋଳିବାକୁ ଯାଇ ପଙ୍କିଳ ପାଣିରେ ନ ପଶିବାର ଇଚ୍ଛା ? ନାଇଁ ବାବୁ ସେ କଥା ହେବ ନାହିଁ । ମାସକର ଦେଖା ଭିତରେ ଏଇ ସାଗରବେଳା ଉପରେ ଆପଣ ଚାଲିଆସିଛନ୍ତି ଖୁବ୍‌ପାଖକୁ । ମୁଁ ବି ଚାହେଁ ଆପଣ ଆହୁରି ମୋ ପାଖକୁ ଆସନ୍ତୁ । ମାତ୍ର ବିବାହ...ମତେ ସହଧର୍ମିଣୀ କରି ନିଅନ୍ତୁ…..ତେଣିକି ଆପଣ ପଦ୍ମ ତୋଳିବେ, ପଦ୍ମତୋଳା ମୁଁ ଶୁଣିବି ।

 

କୁମାର ତଳକୁ ଚାହିଁ କହିଲା–ବାପା ବୋଉ ଅଛନ୍ତି ।

 

ବାପା ଶଯ୍ୟାଶାୟୀ, ମସ୍ତିଷ୍କ ବିକାର, ସେମାନଙ୍କର ଆଶୀର୍ବାଦ ନ ଦେଇ–

 

–ତେବେ ବେଶ୍‌ କଥା–ଏଇ ମୁହୂର୍ତ୍ତରେ ଚାଲନ୍ତୁ । ମୋର ଭାବୀ ଶ୍ୱଶୁର ଶାଶୁଙ୍କର ମୁଁ ପାଦଧୂଳି ନେବି । ମୁଁ ନିଜେ କଥା ପକେଇବି ।

 

–ତମେ

 

–ଆଶ୍ଚର୍ଯ୍ୟ ହେଉଛନ୍ତି ? ନୂଆ ଶୁଭୁଚି । ପାଠପଢ଼ା ଶିକ୍ଷିତ ଯୁବକ କାନକୁ ନୂଆ ଶୁଣାଯାଇପାରେ, କିନ୍ତୁ ମୁଁ ପରୀକ୍ଷା କରିଛି, ବିବାହ ପ୍ରସଙ୍ଗ ପକାଇବା ମାତ୍ରେ ପୂର୍ବରାଗ ତୁଟିଯାଏ-। ଭଦ୍ରଲୋକର ଆଣ୍ଠୁ ଥରେ । କାରଣ ବିବାହ ହେଉଛି ଦାୟିତ୍ୱ । ସହଜରେ ଏ ଦାୟିତ୍ୱ ନେବାକୁ ଆପଣଙ୍କ ଭଳି ଶହ ଶହ ଯୁବକ ଭୀରୁ ହୋଇଯାଆନ୍ତି । ଦାୟିତ୍ୱହୀନ ଭାବରେ ଫଳାଫଳକୁ ବିଚାର ନକରି ମିଳାମିଶାର ମୋହର ଅର୍ଥ ମୁଁ ଜାଣେ । ପ୍ରଥମ ଦେଖାରୁ ଆପଣଙ୍କୁ ଜାଣିଥିଲି ଆପଣ ସଦବଂଶଜ । ଗୋଟାଏ ରୁଚିସମ୍ମତ ସଂସ୍କାରର ଛାପ ଆପଣଙ୍କ ମୁହଁରେ ରହିଛି-। କିନ୍ତୁ କେତେଦିନ ? ମୋର ଆଶଙ୍କା….

 

ନାଃ–ଥାଉ । ଜୀବନରେ ଏଇ ବୋଧହୁଏ ଶେଷଥର ଆପଣଙ୍କ ସହିତ ଦେଖା । କାରଣ ଯେ ସିଂହଦ୍ୱାର ବାଟେ ଆପଣ ଆସିଥିଲେ, ଯିବାବେଳକୁ ସେ ବାଟେ ଆପଣ ଯିବେ ନାହିଁ, ମୁଁ ଜାଣେ । କାରଣ ସେ ପଥ ଖୋଲା ଜୀବନର ପଥ; ସାହସିକପାଇଁ ସେ ଦ୍ୱାର ଉନ୍ମୁକ୍ତ । ସିଂହ ହିଁ ସାହସର ପ୍ରତୀକ । ଆପଣ ଯିବେ ପଛ ବାଟରେ । ନାନା ପୂତି ଗନ୍ଧଭରା ଅପ୍ରଶସ୍ତ ସର୍ପିଳ ପଥ ଦେଇ ଆପଣ ଯିବେ । ଯାଆନ୍ତୁ, ବଡ଼େଇ କରି କହୁନାହିଁ, ନାରୀ ଆପଣ ଦେଖିବେ ବହୁତ, ଜୀବନକୁ ସେମାନେ ଆସିବେ । କିନ୍ତୁ ଜାହ୍ନବୀ ସହିତ ଏଇ ଶେଷ ଦେଖା, ଆପଣ ସୁସ୍ଥ ହୁଅନ୍ତୁ, ସୁନ୍ଦର ହୁଅନ୍ତୁ । ଯେତେବେଳେ ଚାରିପାଖରେ ସବୁ ଭାଙ୍ଗିଯାଇଛି, ଆପଣ ଛିଡ଼ାହୁଅନ୍ତୁ । ଛିଡ଼ାହୋଇ ଉନ୍ନତ ସ୍କନ୍ଧ ଉପରେ ସବୁ ଗ୍ରହଣ କରୁ କରୁ ଟଳିପଡ଼ିଲେ ଅବଶୋଷ କିଛି ନାହିଁ । ବରଂ ସେ ମୃତ୍ୟୁ ମଧୁର ।

 

ଝିଅଟି ଚାଲିଗଲା ଗୋଟିଏ ଲତାର ସଞ୍ଚାରିଣୀ ଭଙ୍ଗିମା ଘେନି । କୁମାର ସିଗାରେଟ ଧରିଲା । ହସିଲା-ଛାତିଫଟା ହସ…..

 

ଡାକ୍ତର ହସିଲେ, ମୃଦୁ ହସ । କହିଲେ-ଦେଖ ବନ୍ଧୁ, ଏଥିରେ ଲଜ୍ଜା କରିବାର କିଛି ନାହିଁ-ଠିକ୍‍ ସମୟରେ ପହଞ୍ଚିଛ । ଲୁଚାଇଥିଲେ ବ୍ୟାଧି ବଢ଼ିଥାନ୍ତା । ତୁମର ସତ ସାହସ ଅଛି । କିନ୍ତୁ ରକ୍ତର ତାଡ଼ନାକୁ ତୁମେ ଅସତ୍‌ ପଥରେ ନେଇଛ; ବନ୍ଧୁ ଖୋଜିଛ ବିପଦରୁ ଉଦ୍ଧରିବାପାଇଁ, ମତେ ପାଇଛ । ମୁଁ ଭଲ କରିଦେବି । ଚିନ୍ତା ନାହିଁ । ଏ ପଥ ଛାଡ଼ । ବିବାହ କର । ବାପ ମାଆ ବହୁତ ଆଶା କରିଥିବେ । କୁଳର ପ୍ରଦୀପ ବୋଲି ନିତି ଦେବତାଙ୍କୁ ନମସ୍କାର କରୁଥିବେ । ସେମାନଙ୍କୁ ଅନାଅ–

 

କୁମାର ଅନୁତପ୍ତ ହୃଦୟରେ କହିଲା–

 

-ବାପା ବିକୃତ ମସ୍ତିଷ୍କ-ମାଆ ଅବିରଳ ଲୁହ ଗଡ଼ାଉଛନ୍ତି ।

 

ଡାକ୍ତର କହିଲେ–

 

–ବୁଝିଛ, ବାପା ବିକୃତ ମସ୍ତିଷ୍କ କିନ୍ତୁ ଶଯ୍ୟାଶାୟୀ; ତୁମେ ବିକୃତ ରୁଚି, ରାଜପଥ ଉପରେ ସିଧା ଚାଲୁଛ । ତଫାତ୍‌ ଖୁବ କମ, ଆଜି କିଏ ବିକୃତ ନୁହେଁ କହିଲ ? ଅବିକୃତ ଅବସ୍ଥାରେ କେବଳ ଭଗବାନ ଥାଇପାରନ୍ତି, ତା’ ବି ସନ୍ଦେହ–

 

–କ୍ଷମା କରିବେ, ଭୁଲ ବାଟରେ ଯାଇ–

 

ଡାକ୍ତରଙ୍କ ଓଠରେ ସେଇ ମୃଦୁ ହସ ଲାଗିଥାଏ । ସେ କହିଲେ, କ୍ଷମାର ପ୍ରଶ୍ନ ନାହିଁ । ସହରର ଏମୁଣ୍ତରୁ ସେ ମୁଣ୍ତଯାଏ ଯେଉଁଠି ପାଞ୍ଚ ଦଶଟା ବିଦେଶୀ ମଦ ଦୋକାନ, ଆନୁସଙ୍ଗିକ ଅନେକ କିଛି ରହିଛି । ଚାଲ ଭିତରକୁ ମୁଁ ଇଞ୍ଜେକ୍‌ସନ ଦେଉଛି । ଜାଣ ? ମୁଁ ପାପୀକୁ ସ୍ନେହ କରେ; ପାପକୁ ଘୃଣା କରେ ।

 

ଲୋକେ ସେ ମଣିଷକୁ ଆଉ ଘୃଣା କରୁ ନାହାନ୍ତି । ସେ ଅଖାଦ୍ୟ ଖାଉଛି ସତ, ରୋଗଣା କୁକୁର ମେଳରେ ବସୁଛି ସତ, ତା’ର ହସ, କାନ୍ଦ, ଚିତ୍କାର ପଥଯାତ୍ରୀଙ୍କର ଦେହସୁହା ହୋଇଗଲାଣି ।

 

ସେଇ ଖଣ୍ତମଣ୍ତଳରେ ସେ ବୁଲେ । ଶୂନ୍ୟକୁ ଚାହିଁ କଅଣ ଲେଖେ । ଫାଇଲ ବନ୍ଦ କରିବାର ଅଭିନୟ କରେ । ଶ୍ମଶ୍ରୁଳ ମୁଖମଣ୍ତଳର ଦୁଇଟା କୋଟର ଭିତରୁ ଝରିଆସେ ଗାଙ୍ଗେୟ ବାରି । କାହାକୁ ସେ ପବିତ୍ର କରିବ, କେହି ଜାଣନ୍ତି ନାହିଁ ।

 

ପବ୍ଳିକ ସ୍କୁଲର ଛାତ୍ର ଓ ବର୍ତ୍ତମାନ ମଟରଆରୋହୀ ସରୋଜକୁମାର ସହିତ ଦେଖାହୋଇଯାଏ ମଦ୍ୟପ କୁମାରର । ରାଜପଥ ଥରିଯାଏ ଏ ଦୁଇଜଣଙ୍କର ପାଦଧ୍ୱନିରେ । ମଟରଆରୋହୀ ସରୋଜର ପାଦ ନ ଥାଏ । ଚକ୍ର ଚଳେଇ ସେ ଚକ୍ରବାକୀକୁ ସଙ୍ଗରେ ଧରି କେବଳ ଉଡ଼ୁଥାଏ ।

 

ଦିନାନ୍ତ ବିଚ୍ଛେଦର କରୁଣ ଧ୍ୱନି ତା’ପ୍ରାଣରେ ଅସହ୍ୟ ଗ୍ଳାନି ଆଣେ । କାରଣ ଦିଗାମ୍ବର ପଟ୍ଟନାୟକଙ୍କର ପୁଅ ସରୋଜ ଆଜି ମଟର ଚଳାଇଛି ସ୍ମାର୍ଟ ହୋଇ କଲିକତାର ବିଖ୍ୟାତ ବିପଣୀର ଦଲାଲ ଭାବରେ-ଅବଶ୍ୟ ଚାତୁରୀରେ ଆଣିଛି ବହୁ ନାୟିକାର ସ୍ପର୍ଶ ।

 

ଆଉ କୁମାର ? ଅତଳଗର୍ଭରେ ସେ ପଙ୍କଜ ତୋଳୁଛି । ସେଠାରେ ସେ ଫୁଲ ଆସିବ କୁଆଡ଼ୁ ?

 

ଦୁହେଁ ଯଥାରୀତିରେ ଭାଙ୍ଗିପଡ଼ୁଛନ୍ତି । କେହି କାହାକୁ ପରାଜିତ କରିପାରି ନାହାନ୍ତି ।

 

ଯନ୍ତ୍ରର କଳଙ୍କିତ ଗର୍ଭରୁ କଳାକଙ୍କର ଖସିପଡ଼ୁଛି ଖର୍‌ ଖର୍‌ ହୋଇ । ସେଗୁଡ଼ିକ ସାମଗ୍ରୀ ଭାବରେ ଲାଗିଯିବେ କଳା ପୀଚ୍‌ ରାସ୍ତା ତିଆରିରେ ତାକୁ ମସୃଣ କରିବାରେ । ତାଆରି ଉପରେ ଚାଲି ଆସବେ ଭାବୀ କାଳର ଭାଗ୍ୟଧରମାନେ । ପ୍ରଗତିଶୀଳ ଯୁବକ ଯୁବତୀ ।

 

ହତଭାଗ୍ୟ ସେଇ ପାଗଳ ଶୂନ୍ୟକୁ ହାତ ଉଠେଇ କିଛି ଲେଖିବାର ଅଭିନୟ କରୁଛି । ଫାଇଲର ମଲାଟ ସେ ବନ୍ଦ କରୁଛି ବହୁବାର ।

 

ପାଖରେ ଚା’ହୋଟେଲ । ମାଂସର କଟଲେଟ୍‌ ତିଆରି ହେଉଛି । ପୋଡ଼ା ପିଆଜର ଗନ୍ଧ ସଙ୍ଗେ ରାନ୍ଧୁଣିର ମୁହଁ-ବିଡ଼ିର ଦୁର୍ବନ୍ଧ ମିଶି–ଯାଉଥିଲା ।

 

ପାଉଁଶଗଦା ଉପରେ ବସିଥିଲା ସେଇ ଲୋକଟା । ସେଠି ଅଇଣ୍ଠାପତ୍ର ଉପରୁ ସେ ଉଠାଇଲା ଖଣ୍ତିଏ ମାଉଁଶ କଣ୍ଟା । ତାକୁ ସେ ଶୋଷି ନେଉଥିଲା ପରମତୃପ୍ତିରେ, ତା’ର ଆଖିରୁ ବହିଯାଉଥିଲା ଗାଙ୍ଗେୟ ବାରି ।

 

‘‘–ରାମ ରାମ’’ ହୋଟେଲରେ ଖାଇଥିବା ଲୋକ ଜଣକ ବୋଧହୁଏ ଏ ଦୃଶ୍ୟ ଦେଖି ଶ୍ରୀ ରାମଚନ୍ଦ୍ରଙ୍କୁ ସ୍ମରଣ କଲେ । ବିକାର ପାଇଲେ ସେ ।

 

ହଠାତ ସେ ପାଗଳ ଚାହିଁଲା ହୋଟେଲ ଭିତରକୁ–ତା’ର ଚକ୍ଷୁ କୋଟର ଭିତରେ ସତେ କି ଖେଳିଗଲା ଚଳ-ବିଦ୍ୟୁତ ।

 

ସେ ଗୋଟାଏ ପାଦ ଆଗକୁ ପକାଇ କହିଲା–

 

‘‘ମତେ ଡାକିଲ ବାବୁ ?’’

Image

 

ପାପିନୀ ସତ୍ୟଭାମା

 

ନହେବ କାହିଁକି ? ସତ୍ୟଭାମା ନିଶ୍ଚୟ ପାପିନୀ । ଲୋକ କହୁଛନ୍ତି ସତ୍ୟଭାମା ପାପିନୀ; ତେଣୁ ପାପିନୀ ହେବା ଛଡ଼ା ସେ ପୁଣ୍ୟବତୀ ହୋଇନପାରେ ।

 

ପାପ ଆଉ ପୁଣ୍ୟ ! ବିଚାର କରନ୍ତି ପୁଣ୍ୟବାନ୍‌ମାନେ । ବିଚାର ଶୁଣି ଅପରାଧୀ ରହିଯାନ୍ତି ପାପୀ ପାପିନୀମାନେ ।

 

ବିଧିବଦ୍ଧ ଦରବାର ଏଥିପାଇଁ ଦରକାର ହୁଏ ନାହିଁ । ଧର୍ମୀ-ଧିକରଣର ଆବଶ୍ୟକତା ନଥାଏ । ଗୋଟାଏ ନିର୍ଦ୍ଦିଷ୍ଟ ସ୍ଥାନରେ ନିୟମଗତ ବିଚାର ହୁଏ ନାହିଁ । କେହି ବସନ୍ତି ନାହିଁ, କେହି ଉଭା ହୁଅନ୍ତି ନାହିଁ । ପାପୀ ପାପିନୀମାନେ ବିଚାରପତିଙ୍କୁ ପ୍ରତ୍ୟକ୍ଷ କରନ୍ତି ନାହିଁ କି ଧର୍ମନିଷ୍ଠ ବିଚାରପତି ଅଭିଯୁକ୍ତ ଆସାମୀମାନଙ୍କୁ ପ୍ରତ୍ୟକ୍ଷ କରନ୍ତି ନାହିଁ ।

 

ସବୁ ଅପ୍ରତ୍ୟକ୍ଷ ଅଦୃଶ୍ୟରେ ସମାହିତ ହୁଏ । ବିଚାର ମିଳେ । ଏଥିରେ କେହି ଖଲାସ ହୁଅନ୍ତି ନାହିଁ । ସମସ୍ତେ ଦଣ୍ତ ଭୋଗନ୍ତି । ଭୋଗିବାକୁ ବାଧ୍ୟ ।

 

ରାୟ ନକଲ କାହାକୁ ମିଳେ ନାହିଁ । ସାକ୍ଷୀ ନଥାନ୍ତି । ପ୍ରମାଣର ଭାବ ବା ଅଭାବରେ କିଛି ଯାଏ ଆସେ ନାହିଁ । ଅଥଚ ବିଚାର ଚାଲେ । ସମୟେ ସମୟେ ଆସାମୀଙ୍କ ସଂଖ୍ୟା ଅପେକ୍ଷା ବିଚାରପତିଙ୍କର ସଂଖ୍ୟା ବେଶୀ ହୋଇଯାଏ, ସମୟେ ସମୟେ କାହିଁକି ପ୍ରାୟ ଏମିତି ହୋଇଥାଏ ।

 

ରାଜପଥ ଉପରେ ଚାଲୁ ଚାଲୁ ବିଚାର ଆରମ୍ଭ ହୁଏ । ଚାହା ଦୋକାନରେ ଲିପ୍‌ଟନ ମିଶା ଗରମ ଜଳ ପାନ କରୁ କରୁ ସତ୍ୟଭାମାକୁ ଅଭିଯୁକ୍ତ କରାଯାଏ । ହୋମିଓପ୍ୟାଥିକ ଔଷଧ ଦୋକାନର ଛୋଟ ଛୋଟ ଶିଶୁକୁ ଚାହୁଁ ଚାହୁଁ ବିଚାରକ ମନ୍ତବ୍ୟ କରନ୍ତି-ସତ୍ୟଭାମା ପାପିନୀ । ସେଠାରୁ ଉଠିଆସି ବଡ଼ଦାଣ୍ତ ଉପର ଷଣ୍ଢ ଲଢ଼େଇ ଦେଖୁଥିବା ବିଚାରକ ଓ ଦେଖିସାରି ଫୂର୍ତ୍ତି ମନରେ ମିଶ୍ର ଦୋକାନରୁ ଖଣ୍ତେ ଚଉଦମସଲାଦିଆ ପାନ ଚୋବାଉଥିବା ସେଇ ଏକ ବିଚାରକ ରାୟ ଦେଉଦିଏ–ସତ୍ୟଭାମା ପାପିନୀ ।

 

ଅଫିସରେ ପଙ୍ଖାତଳେ ବସି ଦୁନିଆଟାକୁ ତୁଚ୍ଛ ମନେ କରୁଥିବା ଓ ଜନପ୍ରାଣୀଗୁଡ଼ିକୁ ପୋକ ମାଛି ଭାବୁଥିବା ବିଚାରକ କହେ-ସତ୍ୟଭାମାର କଣ୍ତକ୍ଟ ଭଲ ନୁହେଁ । ତାଙ୍କ ଦେଖାଦେଖି ଆଉ ସବୁ ତୈଳାକ୍ତ ଓ ତୈଳଲେପନକାରୀ ସେଇ ଏକା ଲମ୍ବ ପଣତରେ ଓହଳା ସୂତାଗୁଡ଼ାକ ପାଟି କରନ୍ତି–ହଁ, ସାର୍‌ ଆମେ ପରା ଜାଣୁ ସତ୍ୟଭାମା ଆଦୌ ପୁଣ୍ୟବତୀ ନୁହେଁ, ଘୋର ପାପିନୀ । ଆପଣ କାଳେ କ’ଣ କହିବେ ଏଥିପାଇଁ କହୁନଥିଲୁ ନା, ଏଣିକି ସାହସ ହୋଇଗଲା, ଖୁବ୍‌ କହିବୁ....ସତ୍ୟଭାମା ପାପିନୀ…..

 

ଏ ଢେଉ ବାଜେ ସତୀ ସାଧ୍ୱୀ ସୀତା ଦମୟନ୍ତୀ କୁନ୍ତୀ ମନ୍ଦୋଦରୀ ତଥାଙ୍କ ପୁଣ୍ୟପୀଠରେ...ସେମାନଙ୍କର ସିଂହାସନ ଥରେ...ତାଙ୍କର ରୋମାଞ୍ଚ ହୁଏ....ସ୍ୱାମୀମାନଙ୍କର ଫଟ ଉପରେ ହାତ ବୁଲାଇ ଆଣି କହନ୍ତି...ହାୟରେ ଏକପତ୍ନୀ ବ୍ରତ ଧବମାନଙ୍କର ଚିତ୍ରପଟ ଉପରେ ଏତେ ଦାଣ୍ତଧୂଳି ଲାଗିଯାଇଛି । କେହି ବି ଟିକିଏ ଦେଖି ସଫା କରୁନାହାନ୍ତି ?

 

ଏଥିରେ ଅଛନ୍ତି ଲଣ୍ଡନ ଆମେରିକାରୁ ପ୍ରତ୍ୟାବର୍ତ୍ତିତ ସ୍ୱାମୀଙ୍କଠାରୁ ଭାରତୀୟ, ନଗରୀୟ, ପଲ୍ଲୀୟ ଏବଂ ଟାଇପ୍‌ ଥ୍ରି–ୟ, ଫାଇଭ ଇୟ ପର୍ଯ୍ୟନ୍ତ ସ୍ୱାମୀମାନେ । ସେମାନଙ୍କ ଛବି ଉପରେ ଧୂଳି ଜମା ହୋଇଥାଏ; ସେଗୁଡ଼ାକ ବାସ୍ତବରେ ଧୂଳି ନୁହେଁ । ସେଗୁଡ଼ାକ ଯାହା ସେତକ ନଥିଲେ ସୌଧର ସ୍କାଇଲାଇଟ୍‌ ଭିତର ରବିରଶ୍ମି ଫଟଗୁଡ଼ିକୁ ଏତେ ଉଜ୍ଜ୍ୱଳ କରିପାରନ୍ତା ନାହିଁ ।

 

ନାରୀମାନେ ସତ୍ୟଭାମାକୁ ଯେତେ ପାପିନୀ ନ କୁହନ୍ତି, ସତ୍ୟସୁନ୍ଦରମାନଙ୍କୁ ସତ୍ୟଭାମାର ପାପ ପାଇଁ ଭର୍ତ୍ସନା କରନ୍ତି । ଏମାନଙ୍କର ବିଚାର ପ୍ରସଙ୍ଗ ଅଦ୍ଭୁତ । ୟାଙ୍କ ଭିତରେ ପୂର୍ଣ୍ଣ ଯୌବନରୁ ଆରମ୍ଭ କରି ଆସନ୍ନ ପୌଢ଼ା ରହିଛନ୍ତି । ନାନା ପ୍ରକାର ଅବଦମିତ ଭୋଗେଚ୍ଛାର ଅପରିଚ୍ଛନ୍ନ କୁଟିଳମାର୍ଗଗାମିନୀ ଏଇମାନେ ସତ୍ୟଭାମାର ବିଚାର କରିବସନ୍ତି । ଗୋଟାଏ ଗୋଟାଏ ତାଳି ବଜେଇ ଦେଇ ରାୟ ଦିଅନ୍ତି–ଇହିଲୋ, ତା’ କଥା କହନେଇ,.......କହମ ତାକୁ କି ଶାସ୍ତି ଦେବା ?

 

ସମସ୍ତେ ଭାବି ବସନ୍ତି ସତ୍ୟଭାମାକୁ କି ଶାସ୍ତି ଦିଆଯିବ । ଏତିକିବେଳେ କାହାର ପିଲାଦିନ କଥା ମନେ ପଡ଼ିଯାଏ । କିଶୋରୀ ଅବସ୍ଥାର କଥା ମନେ ପଡ଼ିଯାଏ, ଅନୂଢ଼ା ଥିବା ବେଳର କଥା ମନେ ପଡ଼ିଥାଏ । କାହାର କାହାର ବି ନାସାପୁଟରୁ ଉତ୍ତପ୍ତ ନିଃଶ୍ୱାସ ବାହାରିଆସେ...ବିବାହ ପରେ ବି ସେ କଥା କଅଣ ଭୁଲି ହୋଇପାରେ ।

 

ଏଥିରେ ସେମାନଙ୍କର ପାପବୋଧ ନାହିଁ, କହିବାର କଥା । ସେମାନେ ଗୃହସ୍ଥଳୀର ତୁଳସୀ ବୃକ୍ଷତଳେ ଯେତେବେଳେ ସାୟଂ ପ୍ରଦୀପ ଥୋଇ ମୁଣ୍ତ ନୁଆଁଇ ଦିଅନ୍ତି; ସେତେବେଳେ ବିଶ୍ୱଦେବତା ତାଙ୍କୁ ଓ ତାଙ୍କ ଅର୍ଜିତ ପାପ ପୂଣ୍ୟକୁ ଗ୍ରହଣ କରିନିଅନ୍ତି । ଦେବତା ଏତକ କରିଛନ୍ତି । ଦେବତା ଏତକ କରିଛନ୍ତି ବୋଲି ଆଜି ଏଇ ପୁଣ୍ୟବତୀମାନେ ସଭ୍ୟଭାମାକୁ ପାପିନୀ ବୋଲି କହିବାକୁ ଦମ୍ଭ ପାଉଛନ୍ତି ।

 

ପର୍ବତ ଗମ୍ଭୀର । ଆକାଶ ଉଦାର । ନଦୀ ତରଳ । ପୁଷ୍ପବାଟୀ ସୁଗନ୍ଧ । ଅରଣ୍ୟ ଐଶ୍ୱର୍ଯ୍ୟମୟ । ଏମାନଙ୍କୁ ଯେ ଦେଖିବ ସେ ଆତ୍ମବିସ୍ମୃତ ହୋଇପଡ଼ିବ, ଆକୃଷ୍ଟ ହେବ, ଅତର୍କିତ ଭାବରେ ନିଜକୁ ସେମାନଙ୍କ ପାଖରେ ଥୋଇଦେବ । ପ୍ରକୃତିର ଏ ଲୀଳାରଙ୍ଗ । ଏହାର ସମାପ୍ତି ନାହିଁ । ଏହି ଲୀଳାହିଁ ମଣିଷ ଜୀବନକୁ ବର୍ଣ୍ଣବୈଭବ ଦେଇଛି ଏବଂ ଦେଉଥିବ ।

 

ଛୋଟ ଦୁର୍ବାଟିଏ ମହାନ୍‌ ଆଟୋପରେ ନଇଁପଡ଼େ । ସଞ୍ଚରଣଶୀଳା ବାୟୁବକ୍ଷକୁ । ପତ୍ରଟିଏ ଖସିଯାଏ, ନଦୀସିନ୍ଧୁ ଘେନିଯାଏ ତୀରବାଲୁକା । ମେଘ ଡାକିନିଏ ବଜ୍ରବିଦ୍ୟୁତ୍‌ । ଏମାନେ କଅଣ ପାପୀ ? ସମର୍ପିତ ଆନନ୍ଦରେ ବିମୁଗ୍‍ଧ ପ୍ରାଣୀ କଅଣ ସେହି ପ୍ରାଣିତ୍ୱରେ ରହିଥାଏ । କିଏ କାହାକୁ କାହିଁକି ଘେନିଯାଏ, କିଏ କେଉଁଠାରେ କାହିଁକି ଆତ୍ମଲୁପ୍ତି ଘଟାଏ–ଏକଥା କଅଣ ଲିପ୍‌ଟନସେବୀ, ଷଣ୍ଢ ଲଢ଼େଇ ଦର୍ଶକ, କଳାକୁ ଧଳା, ଧଳାକୁ କଳାକରିତ୍‌କର୍ମା, କଣ୍ଡକ୍ଟ ବିତରଣକାରୀ ମହାମନୁଷ୍ୟମାନଙ୍କୁ ବୁଝେଇବାକୁ ପଡ଼ିବ ?

 

ତଥାପି ସତ୍ୟଭାମା ପାପିନୀ, କାରଣ ସେ ସ୍ୱାଧୀନ ଭାବରେ ହସେ, ସ୍ୱାଭାବିକ ଭାବରେ ଚିନ୍ତା କରେ, ସିଧା ଓ ଶାଣିତ କଥା କହେ, ପ୍ରବୃତ୍ତିକୁ ସଂଭ୍ରମ ଦିଏ, ପ୍ରତିଭାକୁ ଆଦର କରେ, ତ୍ରୁଟିପାଇଁ ନିଜକୁ ଭର୍ତ୍ସନା କରେ, ଅନ୍ୟକୁ ବି କ୍ଷମା କରେ ନାହିଁ–ଗୋଟିଏ କଥାରେ ସେ ନିଜ ଭିତରେ ମଣିଷକୁ ଦେଖେ, ନିଜକୁ ଦେବତା କରିବାପାଇଁ ଅନ୍ୟମାନଙ୍କ ଭଳି ପରିଶ୍ରମ କରେ ନାହିଁ । ଶଠତାର ଆଶ୍ରୟ ନିଏ ନାହିଁ ।

 

ତେଣୁ ତା’ର ବିଚାର ହୁଏ । ତା’ର ମୁଣ୍ଡକାଟ ଆଦେଶ ହୁଏ, କିନ୍ତୁ କେହି କାଟି ପାରନ୍ତି ନାହିଁ, ଅକାଟ୍ୟ ତା’ର ଆଦର୍ଶକୁ....

 

ଏ ସତ୍ୟଭାମା କିଏ ? ହୁଏ ତ ଏପରି କେହି ନାହିଁ । କୌଣସି କ୍ୱାଟର୍‌ର ମଣିମାଣିକ-ଖଚିତ ବୈଠକଖାନାରେ ସେ ବିଭୂଷିତା ହୋଇ ରହିନାହିଁ, ଅବା ତାକୁ ଖେଳେଇ ଧରିବାର ଜାଙ୍ଗଳୀ ଏ ପର୍ଯ୍ୟନ୍ତ ଜନ୍ମ ପାଇନାହିଁ । ଅଥଚ ସେ ଅଛି ବହୁ ପୁଣ୍ୟବାନ ବିଚାରକଙ୍କର ପାପପୁଣ୍ୟ ତଉଲ ନିକିତି କଣ୍ଟାପାଖେ ।

 

ତା’ର ଜୀବନ ଦର୍ଶନକୁ ଥରେ ଥରେ ସେ ଶୁଣାଏ ଶୁଭକାନ୍ତକୁ । ତା’ର ଅବଶ୍ୟ ଜୀବନ ନାହିଁ, କିନ୍ତୁ ଦର୍ଶନ ଅଛି । ସେ କହେ ମଣିଷ ସ୍ୱାର୍ଥପର । ନୂଆ କଥା ସେ କିଛି କହେ ନାହିଁ, କିନ୍ତୁ ତା’ର କହିବା ଭଙ୍ଗୀରେ ସେ ସତ୍ୟକୁ ବି ସ୍ତବ୍‌ଧ କରିଦିଏ । ସେ କହେ ମଣିଷ ପ୍ରଚଣ୍ଡ । ନେବାପାଇଁ ସେ ବହ୍ନିମୟ ହୋଇଯାଏ । ପ୍ରଶାନ୍ତି ଭିତରେ ଧୀର ଗୁଞ୍ଜନ ଭିତରେ ଯେ ମଣିଷ ଆସିପାରେ, ନିକଟତର ହୋଇପାରେ, ଏକଥା ମଣିଷ ବିଶ୍ୱାସ କରେ ନାହିଁ ।

 

ସ୍ୱାର୍ଥରେ ରକ୍ତର ମାଆ ବାପ କି ବନ୍ଧା । ସ୍ୱାର୍ଥରେ ସମସ୍ତେ ଆବଦ୍ଧ । ସଂସାର ହଳାହଳ-। ମିଥ୍ୟା ମଧୂର ବାଣୀ ପ୍ରୟୋଗ କରିଜାଣେ ପୁରୁଷ । ଅଥଚ ମୃତ୍ୟୁଶଯ୍ୟାରେ ଯଦି ତାକୁ ଖୋଜେ ତା’ର ପରିଚିତା, ପୁରୁଷ କର୍ମବାହାନା ଦେଖାଏ, ସେ ଆସେ ନାହିଁ ।

 

ଶୁଭକାନ୍ତ ସତ୍ୟଭାମାର ଅନ୍ତମୁର୍ଖୀ ଆତ୍ମା । ଏ ସଂସାରରେ ଶୁଭକାନ୍ତର ସ୍ଥିତି ଦୁଃଖପିହିତ । କାରଣ ସେ ଅତି ମୃଦୁ, କୋମଳ ଓ କମ୍ର । ସେଥିପାଇଁ ସତ୍ୟଭାମା ଏଇ ଏକକ ଅନୁଭୂତିକୁ ପ୍ରାଣ ଦେଇ ଘୋଡ଼ାଇରଖିଛି । ତା’ର ଆତ୍ମା ପରିମଣ୍ଡଳ ଭିତରେ...ଅଥଚ ସେ ପାପିନୀ....

 

ବୋଉ କହନ୍ତି–

 

‘ଆଜି ଭଲକରି ମୁଣ୍ଡ କୁଣ୍ଡା’ ।

 

‘କାହିଁକି କିଏ ଆସିବ କି ? ସତ୍ୟଭାମା ପଚାରେ....’

 

‘ହଁ ।’

 

‘ୟା’କୁ ମିଶାଇ କେତେଥର ହେଲା ?’

 

‘ଯେତେଥର ହେଉ, ଭଲ ଲୁଗା ପିନ୍ଧ୍‌, ଆ’ ।

 

‘ମୋ ଦେହ ମନରେ ତ ଲାବଣ୍ୟ ନାହିଁ, ଏ ବସନ ଭୁଷଣ କଅଣ ମତେ ଶ୍ରୀମତୀ କରିପାରିବ ?’

 

‘ବେଶୀ କଥା କହନାହିଁ, ନିଜକୁ ଚାହାଁ’ ।

 

‘କାଇଁକି ବୋଉ ? ଅନ୍ୟ କିଏ ସିନା ଚାହିଁଲେ ମୋର ଦାମଟା ବୁଝିବ ? ମୁଁ ନିଜେ ନିଜକୁ ଚାହିଁ କେବଳ ଆତ୍ମରତିରେ ସିନା ବୁଡ଼ିଯିବି ?

 

ବୋଉ ଆତ୍ମରତି କଥା କିଛି ବୁଝିଲା ନାହିଁ । ସତ୍ୟଭାମା ଉଭାହେଲା ତା’ର ଜୀବନକୁ ସାର୍ଥକ କରିବାକୁ ସ୍ୱର୍ଣ୍ଣରଥରେ ଆସିଥିବା ଯୁବକ ନିକଟରେ....

 

ଯୁବକ ପ୍ରଶ୍ନ କଲେ–

 

‘ତମେ ସୁଗୃହିଣୀ ହୋଇପାରିବ ତ ?’

 

‘ଦେଖି କ’ଣ ଅନୁମାନ କରୁଛନ୍ତି ?’

 

‘ଦୂରରୁ ଅନୁମାନ କରିପାରୁଥିଲେ ମୁଁ ଏତେ ଜଣଙ୍କ ପାଖକୁ ଏମିତି ଆଡ଼ମ୍ବରରେ କାଇଁକି ଆସୁଥାନ୍ତି ?’

 

‘ଏ ଗୋଟାଏ ପେଷା ହୋଇଗଲାଣି ନା ?’

 

‘ପ୍ରାୟ ସେଇଆ ହୋଇଯାଇଛି ।’

 

‘ଆପଣ ସତେ ଜଣେ ସହଧର୍ମିଣୀ ଚାହାନ୍ତି ନା ଜୁଆ ଖେଳିବାକୁ ଇଚ୍ଛା କରନ୍ତି ?’

 

‘ଜୁଆ ?’

 

‘ଏ ଜୁଆଡ଼ୀଙ୍କ କାମ, କେବଳ ସେତିକି ନୁହେଁ, ମଦର ଦୁର୍ଗନ୍ଧ ଆପଣଙ୍କ ନିଃଶ୍ୱାସରୁ ପାଉଛି । ଏ ଅଭ୍ୟାସ ଅଛି ତାହାହେଲେ ?’

 

‘–ଏଁ, ନା, ନା, ତମେ–ଏ କଅଣ କହୁଛ ?’

 

‘–ଆପଣ ବୋଲି କୁହନ୍ତୁ’ । ଭାବନ୍ତୁ ନାହିଁ ମୁଁ ଆପଣଙ୍କ ପରିଣୀତା, ଏ ପର୍ଯ୍ୟନ୍ତ ସେ ଦୁର୍ଭାଗ୍ୟ ହୋଇନାହିଁ, ହେବ ବି ନାହିଁ । ଭଦ୍ରମହିଳାଙ୍କୁ କିପରି ସମ୍ବୋଧନ କରିବାକୁ ହୁଏ ଆଗ ଶିଖି ଅନ୍ୟ ପାତ୍ରୀର ସନ୍ଧାନରେ ଯିବେ । ଭଉଣୀର ଏ ଛୋଟ କଥାଟି ମାନିବେ; ଆଚ୍ଛା ନମସ୍କାର....’

 

‘ବୋଉ ଇଣ୍ଟରଭିଉ ସରିଗଲା । ଦେଲୁ, ଆଗ ବେଣୀଟା ଖୋଲି ଦେଲୁ, କେଡ଼େ ଜୋର୍‌ରେ ବାନ୍ଧି ଦେଇଛୁ । ଚଞ୍ଚଳ ମୁକୁଳେଇ ଦେ–ମୁଁ ମୁକ୍ତ ହୁଏ ।’

 

ସତ୍ୟଭାମାର ଏ ଏକ ରୂପ । ବିରୂପ ମନେହେଲା କି ? ତେବେ କିଛିଦିନପରେ ରଟନା ହୋଇଗଲା ସତ୍ୟଭାମା ଦୁଷ୍ଟା ଭ୍ରଷ୍ଟା । ପାଣିପ୍ରାର୍ଥୀ ଯୁବକ ଏଇତକ ଉପଢ଼ୌକନ ଦେଇ ଅନ୍ୟ ପାତ୍ରୀ ଖୋଜିବାରେ ବ୍ୟସ୍ତ ରହିଲେ ।

 

ସତ୍ୟଭାମା କହେ–

 

‘ଦେଖ, ଶୁଭକାନ୍ତ, ମୋର ହତଭାଗ୍ୟ ଜୀବନରେ କେତେଗୁଡ଼ିଏ ହତଭାଗ୍ୟ ପ୍ରାଣୀ ରହିଛନ୍ତି । ସେମାନେ ମତେ ଭାରି ଭଲ ପାଆନ୍ତି । ପ୍ରଭାତର ତୋରଣ ଖୋଲିଯିବା ସଙ୍ଗେ ସଙ୍ଗେ ଏମାନେ ଭାସି ଆସନ୍ତି ପ୍ରଭାତୀ ଅରୁଣିମାର ବାୟୁ ହିଲ୍ଲୋଳ ସଙ୍ଗେ ସଙ୍ଗେ । କେତେଗୁଡ଼ିଏ ନିରୀହ ପକ୍ଷୀ । ଆସନ୍ତି, କିଚିର ମିଚିରି କରି ମତେ ଉଠେଇଦିଅନ୍ତି, ମୁଁ ଯେପରି ତାଙ୍କର ସର୍ବସ୍ୱ । ହାତ ଉପରେ ବସିବେ । ମଥା ଉପରେ ଉଡ଼ି ଉଡ଼ି ବିଶ୍ୱଦେବତାର ଶୁଭାଶିଷ ଦେଇଯିବେ । ମାତ୍ର ଏତେ ଆଶିଷ ମୋର କଅଣ ହେବ ? ଇଚ୍ଛାହୁଏ ପକ୍ଷୀର ପକ୍ଷପୁଟ ଭିତରେ ଯେ ବିଶ୍ୱାସ ଓ ସରଳତା ମୋ ପାଖକୁ ଚାଲିଆସେ, ସେତକ ମୁଁ କିପରି ବାଣ୍ଟିଦିଅନ୍ତି ଏଇ ଅଗଣିତ ଜନସମୁଦ୍ରକୁ ।

 

ଆଉ ଦେଖ ଏଇ ଶିଶିର-ଭିଜା ଗୋଲାପ କଳିଗୁଡ଼ିକୁ । ସ୍ନାତସୌନ୍ଦର୍ଯ୍ୟରେ ବିଭୋର ଏଇ ଫୁଲ ଗୁଡ଼ିକୁ ଦେଖି ମଣିଷ କଅଣ କିଛି ଶିଖିପାରିବ ନାହିଁ ? ସେ କଅଣ କେବଳ ଆଘାତ ପରେ ଆଘାତ ଦେଇ ଚାଲିଥିବ ? ଅକାରଣେ ଏ ଯେଉଁ ଆଘାତ, ଏ’ ଚଣ୍ଡତା ଏହାର କଅଣ ଶେଷ ନାହିଁ ?

 

ଗୋଟାଏ ସାମାନ୍ୟ ନାରୀ ଏ କ୍ଷୁଦ୍ର ପ୍ରକୋଷ୍ଠ ଭିତରେ ବସି, ଶୁଭକାନ୍ତ, ତୁମ ପାଖରେ ଯେ କଥା ବାଢ଼ୁଛି, ସେ କଥା ଭିତରେ ଏ ନାରୀର ପାପଭାବ କେଉଁଠି ଦେଖି ପାରୁଛ ? ଏହାର ଚେତନାରେ ବିଶ୍ୱବୋଧ କଅଣ କିଛି ନାହିଁ ? ଯେ ପ୍ରାଣପଣ ନିଜକୁ ବଞ୍ଚାଇ ରଖୁଛି, ତାକୁଇ ତୁମ ସଂସାର କହୁଛି ପାପମୟୀ ?

 

ନା, ଏ ଅହମିକା ମଣିଷର ରହିବ ନାହିଁ । ଦେବତା ତା’ର ରଖାଇ ଦେବେ ନାହିଁ ।

 

ଶୁଭକାନ୍ତ ବୋଲି କେହି ନାହାନ୍ତି ସତ୍ୟଭାମାର ପାର୍ଥିବ ରୂପ ପାଖରେ...ଏ ନାରୀର ସମସ୍ତ ବାଣୀ ରହିଯାଏ ଅନୁତ୍ତରିତ ହୋଇ । ସେଥିପାଇଁ ସେ ବିକଳ ହୋଇପଡ଼େ । ସାଥୀ କାହିଁ ? କେବେ ସେ ଜନ୍ମ ନେବ ଅବା ସେ ଉଦ୍ଭବ ହୋଇଛି ତା’ର ପ୍ରାଣର ପ୍ରତିକମ୍ପନ ଭିତରେ କେତେକାଳୁ ? ସେ କେବଳ ତାକୁ ଦେଖି ପାରୁନାହିଁ, ଜାଣି ପାରୁନାହିଁ ।

 

କୃଷ୍ଣଚୁଡ଼ାରେ ଫୁଲ ଫୁଟେ । ମଧ୍ୟାହ୍ନ ଉତୁରିଯାଏ, ଆସେ ସନ୍ଧ୍ୟା । ପୁଣି ରାକା ନିଶୀଥ ସଜେଇଯାଏ କେତେ ଅଭିସାର । ଅପ୍ରାପ୍ତିର କାମନା ଶତ ଶିଖାରେ ଜଳିଉଠେ ।

 

ସତ୍ୟଭାମା ଖୋଜି ବୁଲେ ତା’ର ହଜିଲା ଦିନର ସ୍ମୃତିଗୁଡ଼ିକୁ । ଦୁନିଆରେ ସେ ଅତି ଛୋଟ ପ୍ରାଣୀ ହେଉପଛକେ, ଥିଲା ସେ ଛବିଳ । ସ୍ୱର୍ଣ୍ଣରାଗ ତା’ର ଉଡ଼ନ୍ତା ଡେଣାରେ, ମନରେ ବିପୁଳ କୁହୁକ । ସଂସାରକୁ ଦେଖିବ, ସତ୍ୟ ନ୍ୟାୟରେ ପ୍ରତିଷ୍ଠିତ କରିବ ତା’ର ପ୍ରାଣସତ୍ତାକୁ–ଏଇ ହେଲା ତା’ର ମହାନ୍‌ ଆଶା ।

 

କିନ୍ତୁ ହେଲା କଅଣ ? ଯୌବନର ଆଦ୍ୟ ଆଲିଙ୍ଗନ ତଳେ ରକ୍ତକରବୀର ସମସ୍ତ ସମ୍ଭାର ପାଖରେ ବହିଗଲା ଅପ୍ରତ୍ୟାଶିତ ଏକ ପ୍ରମତ୍ତଝଟିକା । ଏ ଝଟିକା ଆସିଥିଲା ତାକୁ ଗ୍ରାସ କରିବାକୁ, ତାକୁ କବଳିତ କରି ତା’ର ସୁକୁମାର ମନ ଉପରେ ପୁରୁଷର ନିଷ୍ଠୁର ଆତତାୟିତାକୁ ସ୍ୱାକ୍ଷରିତ କରିବାକୁ । ତାହା ହିଁ ହେଲା ।

 

ସେହିଦିନୁ ସତ୍ୟଭାମା ବୁଝିଲା–ସବୁ ମିଥ୍ୟା....ଉପରେ ଶୋଭନର ସ୍ତର, ଭିତରେ ସ୍ୱାର୍ଥ ସରୀସୃପ କୁଣ୍ଡଳୀ ପକାଇ ପଡ଼ି ରହିଛି । ତା’ର ଉଦ୍ଧାରକର୍ତ୍ତା କେହି ନାହାନ୍ତି ସେ ଜାଣେ । ତଥାପି ଏକ ଅଚିନ୍ତନୀୟ ଶକ୍ତି ଉପରେ ତା’ର ବିଶ୍ୱାସ ରହିଚି । ଭରସା ତୁଟିଛି ମଣିଷ ଉପରୁ, ରହିଛି କେବଳ ନୀଳ ଦିଗନ୍ତ ଉପରେ । ଯେଉଁଠି ଦିଗହୀନ ଅସୀମତା ହିଁ ତାକୁ ବିଶ୍ୱପ୍ରାଣତାର ଆସ୍ୱାଦ ଦିଏ ।

 

ସେ ଜାଣେ ନାରୀର ମୁକ୍ତି ବିବାହରେ । ସମାଜ ତାହାହିଁ ବିଧାନ କରିଛି । ଅଥଚ ଏ ମୁକ୍ତି ଶତ ବନ୍ଧନର କଠିନ ରଜ୍ଜୁରେ ପ୍ରାଣଭିକ୍ଷା କରେ । ନିଜକୁ ଧ୍ୱଂସ କରିବାକୁ ଟିକିଏ ମାତ୍ର ଆୟୋଜନର ଦରକାର ନାହିଁ । ସେ ଆପେ ଧ୍ୱସ୍ତ ବିଧ୍ୱସ୍ତ...ଅଥଚ ଏ ଧ୍ୱଂସ ଆସିବା ପୂର୍ବରୁ, ସତ୍ୟଭାମା ଚିହ୍ନିଛି ସେମାନଙ୍କୁ ଯେଉଁମାନେ ତାକୁ ଶେଷ କରି ଦେବା ପୂର୍ବରୁ ନିଜେ ନିଃଶେଷ ହୋଇଯାଉଛନ୍ତି ।

 

ଶୁଭକାନ୍ତ ଖୋଜେ ସତ୍ୟଭାମାକୁ । ତା’ର ସତ୍ୟ ରୂପକୁ । ଏମିତି ସ୍ୱତନ୍ତ୍ର ଅଥଚ ଅନୁପମ ବ୍ୟକ୍ତିତ୍ୱ ଶୁଭକାନ୍ତ ଦେଖି ନାହିଁ ଅନ୍ୟତ୍ର । ଜୀବନ ବହିଚାଲେ....ଘଟଣା ଘଟେ......ବିନ୍ଦୁ ବିନ୍ଦୁ ସ୍ମୃତି ସଞ୍ଚିତ ରହିଯାଏ ଦୀର୍ଘଶ୍ୱାସର ଧାରା ଭିତରେ.... ।

 

ସେଦିନ ଧର୍ମୀର୍ଥୀମାନେ.....ନାରୀ ଆଉ ପୁରୁଷ–ଚାଲିଛନ୍ତି ସିନ୍ଧୁର ବେଳା ଉପରକୁ, ମହାଯୋଗରେ ଦେହ ବୁଡ଼ାଇ ସମୁଦ୍ରତରଙ୍ଗ ଉଚ୍ଛ୍ୱାସରେ ପାଇଯିବେ ମୁକ୍ତି !

 

ଇତିହାସର ଗୋଟାଏ କାଳଜୟୀ ତାରିଖ.....ଗୋବିନ୍ଦ ଦ୍ୱାଦଶୀ–ଲେଖାହୋଇଯିବ କବିର କାବ୍ୟରେ, କଥକର କଥାରେ–

 

ମୁକ୍ତିର ବାସନାରେ ଆନ୍ଦୋଳିତ ପାପଶରୀର ଚାଲିଛି ମହାସିନ୍ଧୁର ତଟଆଡ଼େ । ଅଗଣିତ ନରନାରୀ–ସଂସାର ଜଞ୍ଜାଳରେ କୁବ୍‌ଜ ହୋଇଯାଇଥିବା ସେମାନଙ୍କ ଶରୀର, ପରଶ୍ରୀକାତରତା ଆଉ ଅସୂୟାରେ ଜଳିଯାଇଥିବା ତାଙ୍କ ମନ ଆଜି ମୁକ୍ତ ହୋଇଯିବ । ପୁଣି ପରିଷ୍କାର ଧଳା କାଗଜ ଉପରେ ମସୀ ବୋଳି ହୋଇ ଦେଖାଦେବ ଆତ୍ମକୃତ ପାପ–ଗଚ୍ଛିତ ରହିବ ଅପେକ୍ଷମାଣ ଆଉ ଏକ ଦ୍ୱାଦଶୀପାଇଁ ।

 

ଦିଗନ୍ତକୁ ଦୃଷ୍ଟି ଦେଇ ଚାହିଁଲା ସତ୍ୟଭାମା । ହାୟରେ ବିକଳ ମଣିଷ, କେତେ ସହଜରେ ତୁ ମୁକ୍ତ ହେବାକୁ ବିଶ୍ୱାସ ରଖୁ ।

 

ଘର ଭିତରୁ ଡାକ ଦେଲେ ବୋଉ–‘କଅଣ ଏତେବେଳେଯାଏ ସେଆଡ଼େ ଚାହିଁ ଛିଡ଼ାହୋଇଛୁ । ରାତି ଦୁଇଟା ବେଳେ ପୂର୍ଣ୍ଣଯୋଗ । ରାତିରୁ ଗାଧୋଇ ଆସିଲେ ଆଉ ଭିଡ଼ରେ ପଡ଼ିବା ନାହିଁ । ଚାଲ ଜଳଦି ଚାଲ–’

 

ଉତ୍ତର ଦେଲା ସତ୍ୟଭାମା । ‘ମୁଁ ତ ପାପ କିଛି କରିନି ଯେ ବୁଡ଼ ପକେଇବି, ତୁମେ ଯାଅ, ତମର ଯଦି କଅଣ ଥାଏ–’

 

ବୋଉ ଗର୍ଜିଉଠିଲେ–

 

‘ବୟସ ଗଡ଼ି ଚାଲିଛି, କେଉଁଠି କିଛି ଠିକ୍‍ ହେଲା ନାଇଁ, ବୁଡ଼ଟାଏ ପକେଇ ଦେଇଥିଲେ, ଗୋଟାଏ ବିଶ୍ୱାସ ତ, କିଛି ଯଦି ଘଟଣା ହୋଇଯାଏ, ପାପ କଥା କିଏ କହିଲା ? ତା’ ଛଡ଼ା ସମସ୍ତେ ଯାଇଛନ୍ତି, ତୁଇ ଏକା ଗୋଠଖଣ୍ଡିଆ–ଚାଲ ବୁଡ଼ିଆସିବୁ ।’

 

ସତ୍ୟଭାମା ସେତେବେଳେ ଭାବୁଥିଲା–‘ଶୁଭକାନ୍ତ, ତୁମେ ବୋଧହୁଏ ଏସବୁ ଶୁଣି ପାରୁନ, ମୁଁ ତ ଜୀବନଭରି ବୁଡ଼ିଛି, ଆଉ ଏ ବୁଡ଼ରେ–ନା, ଥାଉ, ତୁମେ କେଉଁଠି ଅଛ ଶୁଭକାନ୍ତ ? ଏଇ ବୁଡ଼ ଭିତରେ ଅଲୋଡ଼ା ଜୀବନଟାକୁ ବିସର୍ଜନ ଦେବି କି ? ତୁମର ଅନୁମତି ପାଇବି କି ?’

 

ଆଃ, ଜଳରାଶିର କି ସୁନ୍ଦର ବିସ୍ତାର ! ଶର୍ବରୀର ଏଇ ସର୍ବଶୋଭାମୟ ରୂପତକ ମହାନ୍‌ ଜଳୋଚ୍ଛ୍ୱାସର ସାର୍ଥକ ବାର୍ତ୍ତା–କେତେଜଣ ବା ଶୁଣନ୍ତି, କେତେଜଣ ବା ବୁଝନ୍ତି ?

ଏକାନ୍ତ ଏକକ ଭାବରେ ଛିଡ଼ାହେଲା ସତ୍ୟଭାମା ତରଙ୍ଗାୟିତ ସାଗରକୁ ଧ୍ୟାନ କରି । କେଉଁ ନିର୍ଦ୍ଦିଷ୍ଟ ଜଳବିନ୍ଦୁର ପରିଧିକୁ ସେ ସ୍ପର୍ଶ କରିବ ? ଏ ତ ସବୁଆଡ଼େ ପ୍ଳାବନ ! ଶୁଷ୍କ ନୀରସ ବୋଲି ଏ ମହାସିନ୍ଧୁ କଅଣ କିଛି ରଖିଛି ? ଯେଉଁଠି ବହୁଛି, ତାହା ପ୍ଳାବିତ, ଯେଉଁଠି ନ ବହୁଛି ସେ ବି ପ୍ଳାବିତ ବିଶ୍ୱପିତାର କରୁଣା ଧାରାରେ–

ନୈଶ ଆକାଶତଳେ ନୀଳ ଜଳବେଣୀ । ଏ ଦେହଟାକୁ ସେଇଠି ବୁଡ଼େଇ ଦେଇ ଆତ୍ମତୃପ୍ତିରେ ଫେରିଯିବ ମଣିଷ ନୂତନ ପାପରେ ଲିପ୍ତ ହେବାପାଇଁ–

ତା’ର ଜୀବନ–ଏଇ ସତ୍ୟଭାମାର ଜୀବନ ! ସମସ୍ତଙ୍କ ଭଳି ସେ ବି ବିକଶି ଆସିଲା ପ୍ରକୃତିର ସୁଚାରୁ ପ୍ରେମମୟ ସ୍ପର୍ଶରେ । ସତ୍ୟ ମିଥ୍ୟା କିଛି ବୁଝି ନଥିଲା । ପ୍ରକୃତିର ସୁଷମାୟିତ ଭୂମା ଉପରେ ସତ୍ୟ ଛଡ଼ା ଆଉ କିଛିର ଅସ୍ତିତ୍ୱ ଅଛି ବୋଲି ସେ ଜାଣି ନଥିଲା ।

କିନ୍ତୁ ମିଥ୍ୟା ଆସିଲା ତା’ଜୀବନକୁ । ପରମ ସନ୍ତୋଷରେ ସେ ଏଇ ଅନୃତକୁ ହାତ ବଢ଼େଇଦେଲା । ଭାବିଲା ଏଇ ବୃନ୍ତରେ ଏଇ ମନୋରମ ପୁଷ୍ପଟି ଫୁଟିପଡ଼ିବ ।

ହେଲା ନାହିଁ । ଫୁଟିଲା ସତ, ମାତ୍ର ତାହା ମନୋନୟ ବା ମନୋନୀତ ହେଲା ନାହିଁ । କିଏ ଜାଣେ ଏ ଜୀବନ ଦେଉଛି କଅଣ, ନେଉଛି କଅଣ । ମଣିଷ ଆସେ ସାଗରର ଏଇ ତୀରଭୂମିକୁ । ଅବଲୋକନ କରେ ଏଇ ବିପୁଳ ଜଳାଧାରକୁ । ଆଦିଅନ୍ତହୀନ ଏଇ ବିସ୍ତାରକୁ; ସ୍ନିଗ୍‌ଧ ଆଉ ଶୀତଳତାର ଏଇ ପ୍ରବାହକୁ ।

କିନ୍ତୁ ଫେରିଗଲେ ସେ ଧନବାନ ହୋଇପାରେ ନାହିଁ । ଯେଉଁ ଦରିଦ୍ରକୁ ସେଇ ଦରିଦ୍ର । ସମୁଦ୍ର-ହୃଦୟ ତା’ ହୃଦୟକୁ ସମୁଦ୍ରାକାର କରେ ନାଇଁ । ସ୍ନିଗଧ ସାଗର ତା’ ଅନ୍ତରକୁ ସ୍ନେହସିକ୍ତ କରେ ନାହିଁ । ତରଙ୍ଗଚ୍ଛ୍ୱାସ ତା’ର ଜୀବନକୁ ଭାବମୟ କରେ ନାହିଁ ।

ତେବେ ସେ ଆସିଥିଲା କାହିଁକି ? ବାଲୁକା ଉପରେ ହାତ ଦେଇ ଗାର କାଟିବାକୁ ? ଦୁଇଦଣ୍ଡ ଖେଳି ବୁଲି ଗୋଟାଏ ନିଶ୍ଚିତ ଭାଙ୍ଗି ଚାଲିଯିବାରେ ଆନନ୍ଦ ପାଇବାପାଇଁ ?

ମଣିଷ ଏହା ହିଁ କରି ଆସିଛି ସୃଷ୍ଟିର ଆଦ୍ୟ ମୁହୂର୍ତ୍ତରୁ । ମନର ଭାବ ନେଇ ସେ ଖେଳେ, ଭାବାନ୍ତରକୁ ଆସିଗଲେ, ସେ ଭାଙ୍ଗିଦିଏ ।

ସବୁ ମଣିଷ ଏମିତି ନୁହନ୍ତି । ଯେଉଁମାନେ ନୁହନ୍ତି ସେଇମାନେ ଏ ସଂସାରରେ ବେଶୀ ଦୁଃଖୀ । ସତ୍ୟଭାମା ଜାଣେନା ଏସବୁ ସେ କାହିଁକି ଭାବୁଛି । ବ୍ୟର୍ଥ ତା’ର ଜୀବନ ଓ ଆଦର୍ଶ, କିନ୍ତୁ ଏଇ ବ୍ୟର୍ଥତାରୁ, ଏଇ କଳ୍ପିତ ଧ୍ୱଂସମୁଖରୁ କେହି କଅଣ ନାହିଁ ତାକୁ ଉଦ୍ଧାର କରିବ ! ଶୁଭକାନ୍ତ କଥା ମନେ ପଡ଼ିଲା; କିନ୍ତୁ ସେ ତ ଅଦୃଶ୍ୟ ଏକ ସ୍ଥିତି । ସତ୍ୟଭାମାର ମନ ଯାହା ଅନ୍ୱେଷଣ କରେ, ତାରି ପ୍ରତିରୂପ ସେ–

ନିଃଶବ୍ଦ ପଦକ୍ଷେପରେ ଶୁଭକାନ୍ତ ଆସେ ତା’ର ମନର ଅଙ୍ଗନକୁ । ସେ ଅଙ୍ଗନ ତମିସ୍ରାଭରା, ସେଠି ଶୁଭକାନ୍ତ ଜାଳିଦିଏ ଗୋଟିଏ ଦୁଇଟି ପ୍ରଦୀପ । ଆଭା ଫୁଟିଯାଏ ସେଇ ସ୍ୱଳ୍ପ ସ୍ଥାନ ଭିତରେ । ଦୁହେଁ ଦୁହିଁଙ୍କୁ ଚାହାନ୍ତି–ଉଜ୍ଜ୍ୱଳ.... ।

 

ବୋଉ, ବୋଉ କୁଆଡ଼େ ଗଲା ? ଆଉ ତା’ର ସାଥୀମାନେ ? ଯିଏ ଯୁଆଡ଼େ ଯାଆନ୍ତୁ-। ଆଜି ଏଇ ଦଣ୍ଡରେ ସତ୍ୟଭାମାର କାହାକୁ ଲୋଡ଼ା ନାହିଁ । ଯେଉଁଠି ବିଶ୍ୱବ୍ରହ୍ମାଣ୍ଡ ଏଇ ସାଗର ଭିତରେ ନିମଜ୍ଜିତ ହୋଇଛି । ଯେଉଁଠି ନିଜେ ଧାତା ଏଇ କୃଷ୍ଣ ଜଳ ପ୍ରସାରକୁ ନୌକା କରି ନିଜେ କର୍ଣ୍ଣଧାର ହୋଇ ବାହି ଚାଲିଛନ୍ତି ବିଶ୍ୱତେତନାକୁ, ସେଠି ସତ୍ୟଭାମାର ପାର୍ଥିବ କାହାର ସହଯୋଗ ଆଉ ଦରକାର ନାହିଁ ।

 

ମଣ୍ଡଣି ମରିଛି ଅୟୁତ ତାରାଲୋକ, ଊର୍ଦ୍ଧ୍ୱରେ–ନୀଳ ଆକାଶ ପଟରେ....କି ଅଦ୍ଭୁତ ଏ ଦୃଶ୍ୟ । ବୋଉ, ତତେ ଶତ ଧନ୍ୟବାଦ; ଆଣିଲୁ ବୋଲି ସିନା ଦେଖିଲି ଏ ମହାର୍ଘ ରୂପ; କିନ୍ତୁ ବୋଉ କାହିଁ ? ଯାଉ ସେ ଯୁଆଡ଼େ–ଆଣିବା ତା’ର କାମ ଥିଲା, ନେଇଯିବା ତା’ର ନୁହେଁ କି ଆଉ କାହାର ନୁହେଁ ।

 

ଶୁଭକାନ୍ତ ଏମିତି କେତେ ସୁନ୍ଦର କଥା କହେ–ପ୍ରଥମେ କିଛି ବୁଝି ହୁଏନା, ପରେ ପ୍ରତ୍ୟେକଟି କଥା ଅର୍ଥସମୃଦ୍ଧ ହୋଇ ଉଠେ ।

 

ଶୁଭ, ତମେ କେଉଁଠି ଅଛ ? ତମକୁ ଏଇ ସାଗର ଉପରେ ଭସେଇଦେଲେ ତମେ କଅଣ ତଳକୁ ଚାଲିଯିବ ? ଏକାବେଳକେ ତଳକୁ; କିନ୍ତୁ ତଳେ ଯାହା ଅଛି ଉପରେ ତା’ ନାହିଁ । ଉପରଟା ସବୁବେଳେ ଠକିଦିଏ; ତଳ ତା’ ନୁହେଁ, ତଳେ ରହିଛି ମଣିମୁକ୍ତା । ଶାନ୍ତି ସ୍ଥିର ଭାବରେ ରହିଛି ସେଇଠି ବିଶ୍ୱର ଆଦିମତା । ସେଇଠିକୁ ମୁଁ ତମକୁ ପଠେଇ ଦେଇଛି । ବୃଥା ଏ ଉପରି ସ୍ତରରେ ରହି ତୁମର ଶୁଦ୍ଧ ମୂର୍ତ୍ତିକୁ ତୁମେ ଅଶୁଦ୍ଧ କର ନାହିଁ । ଲୋକେ ତୁମକୁ ରଖିଦେବେ ନାହିଁ, ତୁମେ ଉପରେ ଥିବାଯାଏ....

 

ଧୀରେ ସେ ଅଗ୍ରସର କଲା ବିଜନବେଳା ଆଡ଼େ । ଗଭୀର ରାତ୍ରି । ସ୍ନାନାର୍ଥୀ ଅତି ଅଳ୍ପ ଆସୁଛନ୍ତି । ଶୀଘ୍ର ସମାଗମ ବଢ଼ିଯିବ ।

 

କେଉଁ ଅଦୃଶ୍ୟ ଶକ୍ତି ସତ୍ୟଭାମାକୁ ଟାଣିନେଲା ଦୂର...ଦୂରକୁ....ନିବିଡ଼ ମସୀ ତଳେ ବେଳାର ନୈଶ୍ୟରୂପ । ସିକ୍ତ ବାଲୁକା ଉପରେ ସତ୍ୟଭାମାର ପଦପ୍ରାନ୍ତ ରଖି ଯାଇଥାଏ ଗୋଟାଏ ଅଭିମାନିନୀ ନରମର ରେଖାବଳୀ...

 

କେତେ ଦୂରକୁ ସେ ଚାଲିଯାଇଛି ସେ ଜାଣେ ନା–ଯିବାଟା ହିଁ ତାକୁ ଭୂତଗ୍ରସ୍ତ କରିଛି....

 

ସହସା ସ୍ତବ୍‌ଧ ହୋଇ ସେ ଛିଡ଼ାହୋଇଗଲା ଗୋଟାଏ କଅଣ ଶ୍ୱେତବସ୍ତୁ ଦେଖି....ହେଇଟି ତା’ରି ଗୋଟିଏ ମାତ୍ର ପାଦର ଦୁରତ୍ୱ ଆଗରେ ଥୁଆ ହୋଇଛି, ଏ କି ଶୁଭ୍ର ପଦାର୍ଥ-?

 

ବେଳା ନିକଟରେ ସାଇଁ ସାଇଁ ଧ୍ୱନି ଭାସି ଆସୁଛି–ଏବଂ ତାଆରି ସହିତ କ୍ଷୀଣ, କ୍ଷୀଣତର ଆଉ ଗୋଟିଏ ଶବ୍ଦଧାରା...ମନେ ହେଉଛି ସେଇ ଧବଳ ପଦାର୍ଥ ଭିତରୁ ସଞ୍ଚରି ଆସୁଛି ପରମ ବାଣୀ– ‘‘ମତେ ମାଆ ବଞ୍ଚାଅ’’–

 

ସେଇ ମୁହୂର୍ତ୍ତରେ ସତ୍ୟଭାମା ହୋଇଗଲା ବିଶ୍ୱମାତା । ତା’ର ନାରୀତ୍ୱରେ ଜୁଆର ଉଠିଲା । ଏ ନିଷ୍ପାପ ହୀରକ ଖଣ୍ଡକୁ–କେଉଁ ଜନନୀର ରକ୍ତପଦ୍ମକୁ–ଅଖ୍ୟାତ ଅଜ୍ଞାତ କେଉଁ ପ୍ରସବିନୀର ଏଇ ଶୋଣିତ ଧାରାକୁ ବକ୍ଷ ଭିତରେ ଧରିବାପାଇଁ....

 

ଶିଶୁଟିର କାନ୍ଦଣା ବନ୍ଦ ହୋଇଗଲା । ନୈଶଚାରୀ ବିହଙ୍ଗୀ ସେତିକିବେଳେ କାକଳି ଦେଇ ଶୁଭବାର୍ତ୍ତା କହିଗଲା ।

 

ସତ୍ୟଭାମା ଅନୁଭବ କଲା ଶିଶୁର ଜୀବନ ଅଛି । ଶିଶୁଟିର ସର୍ବାଙ୍ଗରେ ଖଣ୍ଡିଏ ଧଳା ବସ୍ତ୍ର–ବକ୍ଷ ଭିତରେ ଏଇ କଳିଟିକୁ ଉଷ୍ମା ଦେଇ ଦେଇ ସତ୍ୟଭାମା ଏକପ୍ରକାର ଦଉଡ଼ିଲା କେଉଁଆଡ଼େ ସେ ଜାଣେ ନା ।

 

ପାପିନୀ ସତ୍ୟଭାମା ଏଇ ମୁହୂର୍ତ୍ତରୁ ବୋଧହୁଏ ଆହୁରି ପାପିନୀ ହୋଇଗଲା; କିନ୍ତୁ ମହୋଦଧି ସବୁ ଦେଖିଛି, କେହି ଚାହିଁଲେ ସେ ସାକ୍ଷ୍ୟ ଦେବ; କିନ୍ତୁ ହାୟ, ମଣିଷର ବିଚାରରେ ଏଭଳି ସତ୍ୟ ସାକ୍ଷ୍ୟର ପ୍ରୟୋଜନ ଥାଏ କି ?

 

ସିନ୍ଦୁରା ଫାଟିବାକୁ ଆଉ କେତେ ବା ଡେରି ? ଦ୍ୱାଦଶୀର ଉଦୟ–ସତ୍ୟଭାମାର ଭାଗ୍ୟରେ କାହାର ଉଦୟ ସେ ବୁଝିଛି ।

 

ହାସପାତାଲ୍‍ରେ ଗୋଟିଏ କୋଠରୀରେ ବସି ରହିଥିଲା ସତ୍ୟଭାମା । ତା’ର ଆଖି ଦୁଇଟିରୁ ଝରି ଆସୁଥିଲା ପବିତ୍ର ଦୁଇଟି ମୁକ୍ତାବିନ୍ଦୁ । ଶିଶୁର ଗଳାରେ ଗୋଟିଏ ସୂତାରେ ବନ୍ଧାହୋଇଥିବା ଖଣ୍ଡିଏ ଚିଠିକୁ ସତ୍ୟଭାମା ଅଶ୍ରୁସିକ୍ତ ନେତ୍ରରେ ପଢ଼ୁଥିଲା–ଭାଇ ବା ଭଉଣୀ,

 

‘ଦୟାମୟ ଇଶ୍ୱର ମାହାକୁ ୟା ପାଖରେ ପହଞ୍ଚାଇ ଦେବେ, ଯଦି ସେତେବେଳକୁ ତା’ର ପ୍ରାଣ ଥାଏ, ତେବେ ଏ ଦୁଃଖିନୀର ପ୍ରାର୍ଥନା ରହିଲା; ସେ ତାକୁ ଗ୍ରହଣ କରିବେ । ମୁଁ ତାକୁ ଛାଡ଼ି ଆସିଛି ସେ ବଞ୍ଚିବ ବୋଲି । ମୋ ଅବସ୍ଥାରେ ତାକୁ ମୋ ପାଖରେ ରଖିପାରିଲି ନାହିଁ । ଯେ ଗ୍ରହଣ କରିବେ, ତାଙ୍କୁ ଆଉ କଅଣ କହିବି, ତାଙ୍କର କୋଟି କୋଟି କଲ୍ୟାଣ ହେଉ ।

 

ଦୁଃଖିନୀ–

 

ଖୋଲା ଆକାଶ ତଳେ ଏ ଯେଉଁ ରତ୍ନକୁ ସତ୍ୟଭାମା ସାଉଁଟି ଆଣି ପାପିନୀ ସ୍ତରରୁ ମହାପାପିନୀ ଆଡ଼କୁ ଗତି କରିଯାଉଛି, ସେ ରତ୍ନ କଅଣ ଭବିଷ୍ୟତରେ ଏ ଦୁନିଆର ନ୍ୟାୟବାନ୍‌ ବିଚାରକଦଳ ଭିତରୁ ଜଣେ ହୋଇଯିବ ? ସେ କଅଣ ରାୟ ଦେବ ଯେ ତା’ର ମାଆ....

 

ମାଆ ? ବିସ୍ମୟାଭିଭୂତ ହୋଇ ବିଶୁଷ୍କା ବ୍ରତତୀ ଭଳି ଝାଉଁଳି ପଡ଼ିଲା ସତ୍ୟଭାମା । ତା’ର ଏ ନିଜ କଣ୍ଠସ୍ୱର ତ ? ଏଇ ମାଂସପିଣ୍ଡ ଅବୋଧ ଶିଶୁ ତାକୁ ଡାକିବ ମାଆ ବୋଲି ? ହଁ ସେ ତା’ର ମା, ଡାକୁ ପଛକେ କିନ୍ତୁ ସେ ଯେପରି ବିଚାର ମଧ୍ୟରେ–ଭବିଷ୍ୟତର ଏଇ ଜ୍ୟୋତିକୁ ସେ ମିଶାଇବ ନାହିଁ କାହାର ବିଚାର କରିବାକୁ । ସବୁର ଏକମାତ୍ର ବିଚାରକ ।

 

‘‘ଉପରେ’’

 

ପ୍ରୀତିର ଆଶାଦଣ୍ଡ ଭଳି ଅତି କୋମଳ ହାତଟିକୁ ଉଠାଇ ଯେ ପରମନିୟନ୍ତା ଈଶ୍ୱରଙ୍କ ଆଡ଼କୁ ଊର୍ଦ୍ଧ୍ୱକୁ ଦେଖାଦେଲା ସେ ଶୁଭକାନ୍ତ ।

 

ସତ୍ୟଭାମା ହତବାକ୍‌ ହୋଇ କେବଳ ଚାହିଁ ରହିଲା । ପରେ ପ୍ରାକୃତିସ୍ଥା ହୋଇ କହିଲା–ତୁମେ କିମିତି ମୋ ମନ କଥା ଜାଣିଲ ?

 

ଶୁଭକାନ୍ତ ହସି ହସି ଉତ୍ତର ଦେଲା–‘ଶୁଭ ସତ୍ୟକୁ ଜାଣିପାରେ ଯିମିତି ସତ୍ୟ ଶୁଭକୁ ବୁଝିପାରେ ଆଉ ମଝିରେ ସୌନ୍ଦର୍ଯ୍ୟ–ଏଇ ନବଜାତ ଶିଶୁ, ସେ ଯାହାର ହେଉନା କାହିଁକି, କେଡ଼େ ନିଷ୍ପାପ, ଶାନ୍ତ ଓ ସରଳ ଦେଖିଲ । ଜାଣ ସତ୍ୟ ? ତୁମେ ଦୁଃଖ କର ନାହିଁ । ଯେ ଦୁନିଆ ସହସ୍ର ଶଠତା, ଅସତ୍ୟ, ଅସୂୟା ଓ ହିଂସାରେ ଏଯାଏ ପ୍ରତିପାଳିତ ଥିଲା, ସେ ଦୁନିଆ ଧୀରେ ଅପସୃତ ହୋଇଯାଇଛି । ଆସୁଛି ଆଉ ଏକ ଜଗତ୍‌ ଯାହା କାହାକୁ ବିଚାର କରିବ ନାହିଁ । ଅବିଚାର ବି ଦେବ ନାହିଁ । ସେ କେବଳ ମଣିଷକୁ ମଣିଷ ଭାବରେ ସହି ନେବାକୁ ଶିଖାଇବ । ସହନ ଓ କରୁଣା ଆଗାମୀ ଦୁନିଆର ବୀଜମନ୍ତ୍ର ହେବ । ଆଉ ମଣିଷ ବିଶ୍ୱବୋଧରେ ଅନୁରଞ୍ଜିତ ଥିବ । ଏଇ ନର୍ସ ଆସୁଛନ୍ତି ।

 

ସେବିକା କହିଲେ–ପିଲାଟି ସୁସ୍ଥ ଅଛି । ଭୟର କାରଣ କିଛି ନାହିଁ । ନିୟମ ଅନୁସାରେ ବାପାର ନାମ ଲେଖିବାକୁ ପଡ଼ିବ । କିନ୍ତୁ...ଏ ଅବସ୍ଥାରେ....

 

ଶୁଭକାନ୍ତ ଉଚ୍ଛ୍ୱସିତ ହର୍ଷରେ କହିଲା–ସିଷ୍ଟର, ତା’ ବେଶ୍‌, ମୁଁ, ମାନେ ମୋ ନାଁ ଲେଖିଦିଅ–ମୁଁ ଶୁଭକାନ୍ତ ।

 

ନର୍ସ ଫେରିଗଲା ।

 

ପ୍ରୀତିଚକିତ ଡୋଳାରେ ସତ୍ୟଭାମା ଜିଜ୍ଞାସୁ ହୋଇଉଠିଲା । ସେ ଚାହାଣୀକୁ ନିରସ୍ତ୍ର କରି ଶୁଭକାନ୍ତ ସତ୍ୟଭାମାର ବିଷର୍ଣ୍ଣ ମୁଖ ଉପରେ ହାତ ବୁଲାଇ ଆଣି କହିଲା–

 

‘ନା, ବିଚାର କର ନାହିଁ, ସହିନିଅ, ଭବିତବ୍ୟତାକୁ ସହିନିଅ । ଈଶ୍ୱର ତାହାହେଲେ ସନ୍ତୁଷ୍ଟ ହେବେ ।’

 

ଉଜ୍ଜ୍ୱଳ ଆଲୋକ ଓ ପରମ ଆନନ୍ଦ ଭିତରେ ସତ୍ୟଭାମା ମୁଦି ଆଣିଲା ତା’ର ତନ୍ଦ୍ରାଚ୍ଛନ୍ନ ଚକ୍ଷୁପଲ୍ଳବକୁ...

 

ବିମୁଗ୍‌ଧ ଭାବରେ ଚାହିଁ ରହିଥାଏ ଶୁଭକାନ୍ତ ସେହିଆଡ଼େ–ବାହାରେ ଜନାକୀର୍ଣ୍ଣ ରାସ୍ତା ଉପରେ ଦୃଢ଼କ୍ଷେପରେ ଚାଲୁଥାନ୍ତି ମଣିଷକୁ ବିଚାର କରୁଥିବା ବିଚାରକଦଳ, ନ୍ୟାୟ ନୀତିବଣ୍ଟନକାରୀ ଅସହିଷ୍ଣୁ ମଣିଷଦଳ–ମଣିଷ ଆଉ ମଣିଷ !!!

Image

 

ଅଖ୍ୟାତ ଶୋଣିତ ଲିପି

 

ମୋ ମାଆର ସ୍ତନରୁ ମୋ ମୁହଁକୁ ଟାଣି ନେଇ ଯେଉଁ ଲୋକଟା ମତେ କୋଳ କରି ଚାଲିଗଲା, ତା’ ଉପରେ ସେତେବେଳେ ମୋର ଭୟଙ୍କର ରାଗ ହୋଇଥିଲା । ସେ ବୟସରେ ମୋ ହୃଦୟରେ ସୂଷ୍ମ ଅନୁଭୁତି ନଥିବାର କଥା । କିନ୍ତୁ ସେହି ଲୋକଟା ମତେ ଯେତେବଳେ ମାଆର ଆରାମପ୍ରଦ ଆଶ୍ରୟରୁ ଟାଣି ନେଇ ବଡ଼ ବଡ଼ ପାଦ ପକାଇ ସହରର ରାଜପଥ ଉପରେ ଦିଗ୍‌ବିଜୟୀ ବୀର ଭାବରେ ଚାଲିଗଲା, ମୁଁ ତାକୁ କେବଳ ଶିଶୁହନ୍ତା ରାକ୍ଷସ ବୋଲି ଭାବିଥିଲି ।

 

ଶୀତ ରାତ୍ରିର ସନ୍ଧ୍ୟା । ପବନ ହେମାଳ ହୋଇ ଆସୁଥାଏ । ଲାଇଟ ତଳେ ଅଜସ୍ର ପତଙ୍ଗ । ମରିବା ପାଇଁ ଇଚ୍ଛା ଘେନି ସେମାନେ ନିଆଁ ସହିତ ଖେଳୁଥାନ୍ତି ।

 

ମାଆ ପେଟ ଉପରେ ଲୋଟିଯାଇ ତା’ର ରକ୍ତ ଓ ଚର୍ମର ଉଷ୍ମାକୁ ପ୍ରତି ଇନ୍ଦ୍ରିୟରେ ଉପଲବ୍‌ଧି କରି ମୁଁ ପଡ଼ି ରହିଥାଏ ମାଆର ସ୍ତନ ମୁହଁରେ ଦେଇ । ଜନନୀର କ୍ଷୀରଧାରା ଦେବତାର ଅମୃତ ଭଳି ଝରି ଆସୁଥାଏ ମୋର କଣ୍ଠନଳୀ ଭିତରକୁ ।

 

ମୁହଁ ଓ କଣ୍ଠ ଭରା ମାତୃସ୍ତନ ପାନୀୟ ଯେ ଗୋଟାଏ କ୍ଷଣରେ ମୋ ଦୁର୍ଭାଗ୍ୟକୁ ଶୁଷ୍କ ହୋଇଯିବ ମୁଁ ଜାଣି ନଥିଲି ।

 

ଆଃ କି ଆରାମ, କି ଶାନ୍ତିରେ ବାହାରର ଥଣ୍ଡା ପବନକୁ ଭ୍ରୁକ୍ଷେପ ନକରି ମୁଁ କାଜିଜୁକି ମାଆର ଗାଲ ଉପରେ ଗାଲ ରଖି ପଡ଼ିଥାଏ । ପୁଣି କେତେବେଳେ ତା’ର ସ୍ତନ ଉପରେ ମୁହଁ ବୁଲାଇ ଅମୃତ ପିଇ ଯାଉଥାଏ ।

 

ମୁଁ ଜାଣୁଥିଲି ମୁଁ ମାଆକୁ ବିରକ୍ତ କରୁଛି । ଯେତେବେଳେ ଇଚ୍ଛା କରୁଥିଲି ମୁଁ ଟାଣି ଆଣୁଥିଲି ତା’ଠାରୁ କ୍ଷୀର ଧାରା । ମାଆ ବି ସେଥିରେ ଆତ୍ମ ଚୈତନ୍ୟ ହରାଇ ତା’ର ସର୍ବାଙ୍ଗକୁ ମହା ପ୍ରଶାନ୍ତିରେ ଦେଇ ମୋତେ କୋଳ ଉପରେ ରଖି ଆଦର କରୁଥାଏ । ତା’ର ଘନ ଘନ ଚୁମ୍ବନ ତା’ର ଆଲିଙ୍ଗନ ମତେ ବଡ଼ ଭଲ ଲାଗୁଥାଏ । ମୁଁ କେବଳ ଜାକିଜୁକି ହୋଇ ପଡ଼ିଥାଏ ।

 

କ୍ରମେ ଶୀତ ଘନେଇ ଆସିଲା । ଦିନଟିଯାକର ଆପଦ ବିପଦରୁ ମେଲାଇ ରକ୍ଷାପାଇ ଯାଇଛୁ ବୋଲି ମାଆ ବୋଧହୁଏ କ୍ଷଣକ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲା । ମୁଁ ବି କିଛି ନବୁଝି ନଶୁଝି ମାଆର ପ୍ରାର୍ଥନାରେ ଯୋଗ ଦେଇଥିଲି । ତା’ର ସ୍ତନରୁ ମୁହଁ ଟେକି ମାଆର ମୁହଁକୁ ସେତେବେଳେ ବଲବଲ ଚାହିଁଥିଲି ।

 

କିନ୍ତୁ କେଜାଣି କାହିଁକି ମାଆ ଆଖିରୁ ଝର ଝରି ଯାଉଥାଏ । ଆମ ଜୀବନରେ ଏ’ଲୁହ ଝର ନୂଆ କଥା ନୁହେଁ । କାନ୍ଦି କାନ୍ଦି ପୁଣି ଆମେ ସକାଳ ସୂର୍ଯ୍ୟକୁ ନମସ୍କାର କରୁ । କେଉଁଦିନ ଗଛ ଛାଇତଳେ ରାତି କଟାଇ ଦେଉ; କେଉଁଦିନ ରାଜପ୍ରାସାଦ ଗବାକ୍ଷ ତଳେ କାତର ଦୃଷ୍ଟି ପକାଇ ଆମେ ମାଆ ଝିଅ ଛିଡ଼ା ହୋଇଥାଉ ।

 

ମୋର ଭାଇ ଦିଓଟି ଓ ଭଉଣୀ ତିନୋଟି । ମତେ ମିଶାଇ ଏ ଛଅ ପ୍ରାଣୀକୁ ମାଆ ଏତେ କେଉଁଠୁ ଆଣିବ ଯେ ଆମ ପେଟ ପୂରାଇବ ? ଆମେ ତ ନିରାଶ୍ରୟ ଭାବରେ ଜଳ ଜଳ ଚାହିଁବା ଛଡ଼ା ଆଉ କିଛି କରି ପାରୁନଥିଲୁ ।

 

ମାଆ କିନ୍ତୁ ଆମକୁ ହୋବ ଦେଉଥିଏ–ଆମେ ଦିନେ କୋଟିକରେ ଗୋଟିଏ ହେବୁ; ଆମ ଦେହରେ ଶକ୍ତି ଆସିବ; ଆମ ମନରେ ବଳ ଆସିବ; ଆମେ ଶତ୍ରୁ ଦେଖିବା ମାତ୍ରେ ତାକୁ ଜବତ କରିବାପାଇଁ ନଖ ଦନ୍ତ ଦେଖାଇବୁ ।

 

ମାଆ କେବେ ଦୁଃଖ କରି ନାହିଁ ତା’ର ଏତେ ସନ୍ତାନ ଜନ୍ମିଲେ । ଛୋଟ ବଡ଼ ହୋଇ ଏତେ ଭାଇ ଭଉଣୀ ମାଆକୁ ଘେରି ଆମେ ବଞ୍ଚିଥାଉ । ତା’ର କି ତ୍ୟାଗ ! ! ତା’ର ଆହାର ସେ ଆମକୁ ଦିଏ । ତା’ର ସ୍ତନ ଆମକୁ ଦିଏ । ଆମକୁ ଭୟ ବିପତ୍ତିରୁ ରକ୍ଷା କରିବାପାଇଁ ସେ ସବୁବେଳେ ସଜାଗ ଥାଏ ।

 

ଆମ ଭାଇ ଭଉଣୀ ଭିତରେ ପ୍ରଗାଢ଼ ସ୍ନେହ ଥାଏ । କିଏ ଟିକିଏ ଦୂରକୁ ଚାଲିଗଲେ, ଅନ୍ୟମାନେ ତା’ ପାଖକୁ ଦଉଡ଼ି ଯାଆନ୍ତି । ଠୁକୁ ଠୁକୁ ଚାଲିରେ ସଭିଏଁ ଭାରି ସୁନ୍ଦର ଦେଖାଯାନ୍ତି ।

 

ମୁଁ ବଡ଼ । ମତେ ମାଆ ଭାରି ଭଲ ପାଉଥାଏ, ପୁଣି ଝିଅଟିଏ ହୋଇଥିବାରୁ ତା’ର ସ୍ନେହ ମୋ ଉପରେ ବେଶୀ ବର୍ଷିଯାଇଥାଏ । ଏମିତି ସୁଖ ଦୁଃଖରେ ଆମର ଛୋଟ ପରିବାର ଏଡ଼େ ବଡ଼ ଦୁନିଆରେ ବାଟ କାଟି ଚାଲିଲା ।

 

ହଠାତ୍‌ ସେଇ କାଳରାତ୍ରି ଆସିଗଲା । ଚାରିଆଡ଼େ କଳା ମିଟି ମିଟି ଅନ୍ଧାର । ଶୀତରେ ଦେହ ଥରି ଯାଉଥାଏ । ସେହି ସନ୍ଧ୍ୟାରେ ମାଆ କାହିଁକି ବେଶୀ କାନ୍ଦିଲା ।

 

ନିଶୂନ ସେଇ ସ୍ଥାନରେ ମାଆ ମୋ ଗାଲ ଉପରେ ବୋକ ଦେଇ କହିଲା–‘ଶୋଇ ପଡ଼ରେ ମୋର ଗଳାମାଳି, କାଲି ଉଠିଲେ ଭଲ ଜିନିଷ ଖାଇବାକୁ ଦେବି ।’ ମୋ ଆଗରୁ ମୋର ଭାଇ ଭଉଣୀ ମାନେ ଶୋଇ ପଡ଼ିଥିଲେ । ମାଆର ସ୍ନେହ ସୋହାଗ କଥା ପଦକରେ ମୋର ଆଖି ବୁଜି ଆସିଲା । ମୁଁ ଶୋଇ ପଡ଼ିଲି ।

 

ମାଆର ଚିତ୍‌କାରରେ ମୋ ନିଦ ଭାଙ୍ଗିଗଲା । ମା’ କେବଳ ଚିତ୍‌କାର କରୁଥାଏ ଆଉ କହୁଥାଏ ତାକୁ ନିଅ ନାହିଁ, ତାକୁ ନେଇ ଗଲେ ମୁଁ ମରିଯିବି ।

 

ଆମ ଆଗରେ ଛିଡ଼ା ହୋଇଥାଏ କଳାପୋଷାକରେ ଗୋଟାଏ ଉଚ୍ଚା ଲୋକ । ତା’ର ବେକ ତଳକୁ ଗୋଟାଏ ନାଲି କନା ଓହଳି ପଡ଼ିଥାଏ ସେଇଟା ତା’ର କୋଟ୍‌ ମଝିରେ ଝୁଲୁଥାଏ । ତା’ର ଆଖି ଦୁଇଟାରେ ଜଳୁଥାଏ ଆନନ୍ଦ । ଆନନ୍ଦ ଯେ ଏପରି ଜଳିପାରେ ଏମିତି କେବେ ଦେଖି ନଥିଲି । ଏ ‘ଅଲୋଡ଼ା ଜୀବନରେ ମଣିଷର ଆନନ୍ଦରେ ଆଭା କି ନୃଶଂସତା କ’ଣ କହିବି, ମୁଁ ଆଉ ଥରେ ଦେଖି ନାହିଁ ।

 

ତା’ର ଓଠର ହସ ଓ ଆଖିା ଦୀପ୍ତି ଦେଖି ମୁଁ ଭାବିନେଲି ଏ ବୋଧହୁଏ ମତେ ଛୁରୀରେ ଖଣ୍ଡ ଖଣ୍ଡ କରି କାଟି ଖାଇବ । ହଁ, ମୁଁ ଟିକିଏ ହୃଷ୍ଟପୁଷ୍ଟ ଥିଲି । ମାଆର ସ୍ତନଧାରାର ଅକ୍ଷୟ ଜୀବନୀଶକ୍ତି ମୋ ଅଙ୍ଗକୁ ଲାବଣ୍ୟ ଦେଇଥିଲା । ମୋର ଶ୍ୟାମ ରୂପରେ ଯେ କେହି ମୋହି ହୋଇ ଯିବାର କଥା । କିନ୍ତୁ ଏ ନୃଶଂସ ଲୋକଟାକୁ ଦେଖି ମୁଁ ଭୟରେ ଶିହରି ଉଠିଥିଲି ।

 

ବାଟରେ ଘାଟରେ ପିଲାଚୋରର ଉପଦ୍ରବ କଥା ମୁଁ ଆଗରୁ ଜାଣିଥିଲି । କିନ୍ତୁ ଆମଭଳି ନିଉଛୁଣା ଅଲୋଡ଼ା ପିଲାଙ୍କୁ କିଏ କାହିଁକି ଚୋରି କରି ନେବ ?

 

ସେଦିନ ରାତ୍ରିରେ ଦେଖିଲି ମୋର ଆଉ ନିସ୍ତାର ନାହିଁ । ଲୋକଟା ଜୋତା ମଚ୍‌ମଚ୍‌କରି ମୋ ପାଖକୁ ପାଖେଇ ଆସିଲା । ମାଆ ଆହୁରି ବଡ଼ ପାଟିରେ ଚିତ୍‌କାର କରୁଥାଏ । ସେ ଚିତ୍କାରରେ ମୋର ଭାଇ ଭଉଣୀ ନିଦରୁ ଉଠିଲେଣି; ସେମାନେ କେବଳ ହାଉଳି ଖାଉଛନ୍ତି । କିଛି ବୁଝି ପାରୁ ନାହାନ୍ତି । କେବଳ ଏଇ ଲୋକଟାର ପ୍ରେତମୂର୍ତ୍ତି ଆମ ଆଡ଼କୁ ମାଡ଼ି ଆସୁଥାଏ ।

 

ଆସନ୍ନ ବିପଦରେ ମାଆର ଆଉ ଚିତ୍କାର ଶୁଭିଲା ନାହିଁ । ମତେ ଶେଷଥର ପାଇଁ ସେ କଣ୍ଠ, ହୃଦୟ ହାତ ପାଦରେ ଜଡ଼ାଇ ଧରି ତା’ର ଜୀବନର ଶେଷ ଲୁହ ବିନ୍ଦୁଟିକୁ ଝରାଇ ଦେଲା । ବୋଧହୁଏ ଶାନ୍ତି ସମାହିତ କଣ୍ଠରେ ବିନା ଶବ୍ଦରେ ଆମ ସମସ୍ତଙ୍କର ସୃଷ୍ଟିକର୍ତ୍ତାଙ୍କୁ ପ୍ରାର୍ଥନା କରି ସେ ତା’ର ଶରୀର ଭିତରୁ ମତେ ମୁକୁଳେଇ ଦେଲା । ଏବେ ମନେ ପଡ଼ୁଛି, ମାଆ ମୋ ଗଣ୍ଡ ଉପରେ ଶେଷ ଚୁମ୍ବନ ଆଙ୍କି ଦେଇଥିଲା । ସେଥିରେ ଝରି ପଡ଼ିଥିଲା ଏ ଅଲୋଡ଼ା ଜୀବନ ପାଇଁ ଆଶା ବିଶ୍ୱାସର ଆଶୀର୍ବାଦ ।

 

କୁହୁକ ଛୁଇଁଲା ଭଳି ମୋ ମନରୁ ଭୟ ଚାଲିଗଲା । ମା’ର କଲ୍ୟାଣ କି ଆଉ କଅଣ ମତେ ସେଇ ମୁହୂର୍ତ୍ତରେ ଶକ୍ତି ଦେଇଥିଲା । ମୁଁ ଝାଡ଼ିଝୁଡ଼ି ହୋଇ ଛିଡ଼ା ହେଲି, ଥରେ ମାଆକୁ ଆଉ ଥରେ ଏଇ ଭୀଷଣାକୃତି ରାକ୍ଷସକୁ ଅନାଇ ପୁଣି ଆଖି ବନ୍ଦ କରିଦେଲି ।

 

ସେ ସମୟରେ ଶୁଣିଲି–‘ସାବାସ ଝିଅ, ଭୟ କରନା, ତୋ କପାଳରେ ପଲାଉ, କୁର୍ମା ଅଛି, ଗଦିରେ ଶୋଇବୁ, ତୁ ଯାହା ଦୁଧ ପିଇବୁ, କୌଣସି ପୁଅ ଝିଅ ସ୍ୱପ୍ନରେ ଭାବି ନ ଥିବେ ।’ ଟିକିଏ ପୁଣି ଢୋକ ଗିଳି ସେ କହିଲା–‘ଭଗବାନ ତତେ ଏତେ ରୂପ ଦେଇଛନ୍ତି, ଏତେ କୋମଳତା–ମୁଁ କଅଣ ତତେ ଛାଡ଼ି ଦେଇପାରେ ?’

 

କଅଣ ଘଟିଲା ବୋଲି କିଛି ନିର୍ଦ୍ଦିଷ୍ଟ ଭାବରେ ଜାଣିବା ପୂର୍ବରୁ ମୁଁ ସେଇ ପାଷାଣ୍ଡର ଛାତି ପାଖରେ ମୁହଁ ଲୁଚାଇ ଦେଇଥିଲି । ସେ ତା’ର ବଜ୍ର ହସ୍ତରେ ମତେ ତଳୁ ଉଠାଇ ନେଇ ଛାତି ପାଖରେ ତା’ର ଲୌହ ପଂଜା ହାତଟାରେ ମତେ ସାଉଳେଇ ଗେଲ କରୁଥାଏ ।

 

ସେଇ ଟିକକ ସ୍ପର୍ଶରେ ମୁଁ ଭାବିନେଇଥିଲି ଏତେ କଠୋର ଓ ଭୀଷଣ ହେଲେ କଅଣ ହେବ ଏ ଲୋକର ଅନ୍ତରରେ ଦୟା ଅଛି । କିନ୍ତୁ ଏପରି ଭାବି ମୁଁ ଭୁଲ କରିଥିଲି । ଦୁଃଖିନୀ ଜୀବନର କାହାଣୀ ଶେଷ ହେଲା ବେଳକୁ ସମସ୍ତ ବୁଝିପାରିଥିବେ ତାହା ଦୟା ଥିଲା କି ସହାନୁଭୂତି ଥିଲା ନା ଆଉ କିଛି ଥିଲା–ମାତ୍ର ମୋ କଅଁଳ ମନରେ ବରାବର ଏଇ ଭାବଟି ଉଙ୍କି ମାରୁଥାଏ-ରକ୍ଷକ କଅଣ କେବେ ଭକ୍ଷକ ହୋଇପାରେ ?

 

କାରଣ ମାଆ ମୋର ଆମକୁ ରକ୍ଷା କରି ଆସିଛି ବହୁବାର ତା’ର ଜୀବନକୁ ବିପନ୍ନ କରି । ସେଇ ସ୍ନେହ ମୋ ମନକୁ ଆସୁଥାଏ ଆଉ ସେଇ କଷଟୀ ପଥରରେ ମୁଁ ଦୁନିଆର ଭଲ ପାଇବା, ସ୍ନେହ, ପ୍ରଣୟକୁ ପରୀକ୍ଷା କରୁଥାଏ-କି ବାଚାଳ ସତେ ମୁଁ ?

 

ମାଆଁ ଚାହିଁରହିଥାଏ, ଚାହିଁରହିବା ଛଡ଼ା ଏତେ ବଡ଼ ଦୁର୍ଦ୍ଧର୍ଷ ଶକ୍ତି ବିପକ୍ଷରେ ତା’ର ଆଉ କି ଅସ୍ତ୍ର ଥିଲା ? ଦୁଇ ଧାରରେ ଲୁହ ବହିଯାଇଥାଏ । ତା’ ପାଟି ଆଁ ହୋଇ ରହିଥାଏ-ଦେହ ଥରୁଥାଏ । ତା’ର ମନ ଭିତରୁ ବୋଧହୁଏ ଏତିକି ଅବ୍ୟକ୍ତ ଭାଷା ବ୍ୟକ୍ତ ହେଉଥାଏ–ନିଅ ପଛକେ ଝିଅକୁ ମୋର, ଭଲରେ ରଖ–ତାକୁ ସ୍ନେହରେ ପାଳନ କର ସେ ଯେପରି ଅଚିରେ ମାଆର ସ୍ନେହ ଭୁଲିଯିବ ।

 

ଭାଇ ଭଉଣୀଙ୍କୁ ଚାହିଁଲି ସେମାନେ ଲୁହ ଝରାଉଥାନ୍ତି । କାଳ ରାତ୍ରି ଆହୁରି ପ୍ରଚଣ୍ଡ ହେଉଥାଏ । ଶିଶିର ଖସିପଡ଼ୁଥାଏ ବୃକ୍ଷ ପଲ୍ଲବରୁ । ସେଇ ନିର୍ଜନ ନିଥର ଭୂମି ଉପରେ ମୋର ଶେଷ ପଦଚିହ୍ନ ପଡ଼ିରହିଲା, ଆଉ ମାଆକୁ ଶେଷଥର ପାଇଁ ଚାହିଁବା ଶେଷ ହୋଇଗଲା ।

ଲୋକଟା ମତେ ଛାତି ପାଖରେ ଟାଣି ରଖି ଆଗକୁ ପାଦ ବଢ଼ାଇଲା । ମୋର ବୋଧହୁଏ ଜ୍ଞାନ ନ ଥିଲା । ଚୈତନ୍ୟ ହରାଇବା ପୂର୍ବରୁ ମୁଁ କେବଳ ଶୁଣିଥିଲି–ହାୟରେ ଝିଅ ଏକାହିଁ ଆମ ଭାଗ୍ୟ । ଈଶ୍ୱର ତୋର ଭଲ କରନ୍ତୁ ।’ ଏହା କହି ମାଆ ବୋଧହୁଏ କେଉଁଆଡ଼େ ଦଉଡ଼ି ଚାଲି ଯାଇଥିଲା–ଭାଇ ଭଉଣୀ ଅଦୃଶ୍ୟ ହୋଇଗଲେ ।

ମୋର ଜ୍ଞାନ ଫେରି ଆସିବା ପରେ ମୁଁ ଦେଖିଲି ରାତ୍ରି ଆସାନସୋଲ ଗାଡ଼ିରେ ଗୋଟାଏ ଥାର୍ଡ଼ କ୍ଳାସ କାମେରାରେ ମୁଁ ବସିଛି । ମୋ ଦେହରେ କିଛି ନାହିଁ । ମୁଁ ଶୀତରେ ଫୁଲି ଫୁଲି କାନ୍ଦୁଚି ।

ଶୀତଟା ମତେ ବାଧି ନ ଥାନ୍ତା । କାରଣ, ଆମଭଳି ଜୀବ ଖରା, ବର୍ଷା, ଶୀତକୁ ସହିନେବାରେ ଅଭ୍ୟସ୍ତ । କିନ୍ତୁ ମାଆର ସେ କରୁଣ ଚାହାଣୀ, ମାଆର ସେ ବୁକୁଫଟା ଚିତ୍କାର, ମାଆର ସେ ସଜଳ ଆଖି ଦୁଇଟି, ଶେଷରେ ତା’ର ସେ ଆଶୀର୍ବାଦ ମତେ ଅସ୍ଥିର କରୁଥାଏ । ମୋ ଆଗରେ ଜନନୀର ସେ ସେବାମୟୀ ମାତୃମୂର୍ତ୍ତି ଭାସି ଆସୁଥାଏ । ମୁଁ ବହୁବାର ମୋର ରକ୍ଷକ କି ଭକ୍ଷକ ଆଡ଼କୁ ନିଷ୍ପନ୍ଦ ଚକ୍ଷୁରେ ଚାହିଁ ମିନତି ଫୁଟାଇ କହୁଥାଏ-ଏବେ ବି ବେଳ ଅଛି ମତେ ମାଆ ପାଖରେ ଛାଡ଼ି ଦେଇଆ । ଯେଉଁ ଭଗବାନ ମୋର ମାଆକୁ ମୋ ପଖକୁ ପଠାଇଛନ୍ତି, ସେଇ ଭଗବାନ ତତେ ବି ମାଆ କୋଳର ଶାନ୍ତି ଓ ସୁଖ ଦେଇଥିବେ । ତୁ କଅଣ ବୁଝିପାରୁନୁ ମୁଁ ଏଇ ମୁହୂର୍ତ୍ତରୁ ମା’ ଛେଉଣ୍ଡ ହୋଇଗଲି । ଅଥଚ ମୋ ମାଆ ବଞ୍ଚିଛି । ଏବେ ବି ସେ ଦୂର ଦିଗ୍‌ବଳୟକୁ ଚାହିଁ ଅଶ୍ରୁ ଝରାଉଥିବ । ଏବେ ବି ସେ ଝିଅ ଡାକି ପାଗଳାମୀ ଭଳି ଚାରିଆଡ଼େ ମତେ ଖୋଜୁଥିବ-

ମୋର ଯେପରି ବିଶ୍ୱାସ ଥିଲା ମାଆର ବି ସେପରି ବିଶ୍ୱାସ ଥିଲା । ମଣିଷ ମଣିଷ ଭିତରେ ସ୍ନେହ, ପ୍ରେମ ସହାନୁଭୂତିୁ ଏବେ ବି ଅତୁଟ ରହିଛି । କେବଳ ମଣିଷ ମଣିଷ ଭିତରେ ନୁହେଁ ବିଶ୍ୱର ସର୍ବ ପ୍ରାଣୀ ଭିତରେ ଏଇ ପ୍ରେମହିଁ ସାର କଥା । କିନ୍ତୁ ସେହିଦିନ ଦେଖିଲି ସବୁ ମିଛ । କେଉଁଠି କଅଁଳ ଚେହେରା ଦେଖିଲି ମଣିଷ ପ୍ରଲୁବ୍‍ଧ ହୋଇଉଠେ । କେଉଁ ପରିପୁଷ୍ଟ ଉତ୍ତମାଙ୍ଗ ଦେଖିଲେ ମଣିଷ ତାକୁ ଅଧିକାର କରିବାକୁ ବ୍ୟଗ୍ର ହୋଇଉଠେ । ଏଇ ଲାଳସା ଦିନେ ମଣିଷ ସମାଜ ଧ୍ୱସ୍ତ ବିଧ୍ୱସ୍ତ କରି ଦେବ । ଆଜି ସେ ବୁଝି ପାରୁନାହିଁ ।

ମୁଁ ଗୋଟାଏ ଧୂଳିରେ ଜୀବ । ଧୂଳିରେ ମୁଁ ଦିନ ରାତି ମିଶି ରହିଥାଏ । ମୋର ଜୀବନର ଶେଷ କ୍ଷଣ ଧୂଳିରେ ମିଶିଯିବ । ମାଆର କ୍ଷୀର ଖାଇ ଦେହରେ ଟିକିଏ କେଉଁଠି ଲାବଣ୍ୟର ସଞ୍ଚାର ଆସିଛି ସେଥିପାଇଁ ଏତେ ମୋହ ! ଏତେ ବୁଭୁକ୍ଷା !! ମଣିଷ ଏତେ ପ୍ରଲୁବ୍‍ଧ ।

ଗାଡ଼ି ଭିତରେ ମୁଁ ସମସ୍ତଙ୍କୁ ଚାହିଁଲି । ଆଖି ତ ଫାଟି ଯାଇଥାଏ ଲୁହଧାରରେ ! କ’ଣ ବା ଚାହିଁବି ? ତେବେ ଦେଖିଲି ଯାତ୍ରୀମାନେ ମୋ ଆଡ଼କୁ ସଦୟ ଚାହାଣୀ ଢାଳୁଛନ୍ତି । କିଏ କେତେ କଥା ପଚାରୁଛନ୍ତି ।

ଲୋକଟି ନିର୍ବିକାର ଭାବରେ ବସିଥାଏ । ତା’ର ଗୋଡ଼ପାଖରେ ମୁଁ ଲୋଟି ପଡ଼ିଥାଏ । କ୍ରମେ ରାତ୍ରି ଘନ ହେଲା । ଲୋକମାନେ ଯେ ଯାହାର ଆସନ ପାତି ଆରାମ କରିବାକୁ ଉଦ୍ୟତ ହେଲେ ।

 

ମାଆର କ୍ଷୀରଧାରା ମୋ ପେଟ ଭିତରେ ସଞ୍ଚିତ ରହିଥିଲା । କିନ୍ତୁ ଭୟ, ହତାଶା ଓ ନୈରାଶ୍ୟରେ ସେତକ କେତେବେଳୁ ଶୁଖି ଯାଇଥାଏ । ମତେ ଭୋକ କରୁଥାଏ । ଭୋକ ଅପେକ୍ଷା ପ୍ରବଳ ଶୋଷରେ ମୋ କଣ୍ଠନଳୀ ଶୁଖି ଯାଇଥାଏ ।

 

ଆଗରେ ଦେଖିଲି ଗୋଟିଏ ଯାତ୍ରୀ ତା’ର ରାତ୍ରି ଆହାର ଘେନି ବସିଛି । ମନେ ହେଉଥାଏ ତାକୁ କିଛି ମାଗିବି । କିନ୍ତୁ ପରକ୍ଷଣରେ ସେଇ ଲୋକଟାକୁ ଚାହିଁ ଦେଇ ମୁଁ ଶଙ୍କି ଯାଇଥାଏ ।

 

ଗାଡ଼ି ଛାଡ଼ିଦେଲା । ମୋ ଜୀବନରେ ଏଇ ପ୍ରଥମଥର ମୁଁ ଚଳନ୍ତା ଗାଡ଼ିରେ ଯାଇଥିଲି । ଏତେ ଦୁଃଖ ଏତେ ଶୋକ ଭିତରେ ଟ୍ରେନଯାତ୍ରା ମତେ ଭଲ ଲାଗୁଥାଏ । ଆମଭଳି ଜୀବ ଭାଗ୍ୟରେ ଏଭଳି ଯାତ୍ରା ସବୁ ସମୟରେ ସମ୍ଭବ ନୁହେଁ । ଏ ଲୋକଟା ମତେ ଏତିକି ସୁବିଧା ଦେଇଥିବାରୁ ମୋ ମନ କୃତଜ୍ଞ ହୋଇଗଲା । କିନ୍ତୁ ମୁଁ କୁଆଡ଼େ ଯାଉଛି ? କେଉଁଠି ରହିବି ? କିଏ ମୋ କଥା ବୁଝିବ ? ଏଇ ସବୁ କଥା ମତେ ଦୁଃଖ ଦେଉଥିଲା । ମୋ ଆଖିରୁ ଅନବରତ ଝର ବୋହୁଥିଲା ।

 

ମାଆ ଖୁବ୍ ମନେ ପଡ଼ିଲା–ସେ ଏକ୍ଷଣି କଅଣ କରୁଥିବ ? କାନ୍ଦି କାନ୍ଦି ତା’ର ଆଖି ସେ ଫୁଲାଇ ଦେଲେ ବି ମତେ ଆଉ ଫେରି ପାଇବ ନାହିଁ । ସବଳର ଦୁର୍ବଳ ଉପରେ ଏଇ ଅତ୍ୟାଚାର ଆଜିର ଘଟଣା ନୁହେଁ, ଯୁଗେ ଯୁଗେ ଏହା ଚାଲି ଆସିଛି । ମୁଁ ନିରାଶ୍ରୟ ବୋଲି ମୋ ମାଆ ଅସହାୟ ବୋଲି ସିନା ଏଇ ଶକ୍ତିମାନ ଲୋକଟା ଆମ ସଂସାରକୁ ଛିନ୍ନଭିନ୍ନ କରିଦେଲା ? ଆମର ବଳ ଥିଲେ, ଆମର ଅଧିକାର ଥିଲେ ସେ ଏକଥା କଅଣ କରିଥାନ୍ତା ?

 

ମନେ ହେଉଥାଏ ଏ ଜନ୍ମରେ ଆଉ କିଛି କରିହେବ ନାହିଁ । ଆର ଜନ୍ମରେ ଆଉ ଏ ଅତ୍ୟାଚାର ଆମେ ସହିବୁ ନାହିଁ । ଆମେ ବିପ୍ଳବୀ ହେବୁ, ଆମେ ବିକ୍ଷୋଭ ଦେଖାଇବୁ । ସବୁ ପ୍ରାଣୀ ଯେ ସମାନ ସମସ୍ତଙ୍କର ସମାନ ଅନୁଭବ ଶକ୍ତି ଅଛି–ଏସବୁ ବାଣୀ ପ୍ରଚାର କରିବୁ ।

 

–‘ଟିକିଟ୍‌’–

 

ଗୋଟିଏ କଳା ପୋଷାକର ଲୋକ ସେ ଲୋକଟାଆଡ଼େ ଚାଲି ଆସିଲା । ଟ୍ରେନ ଷ୍ଟେସନରେ ଛିଡ଼ାହୋଇଥାଏ ।

 

ଲୋକଟି ଟିକିଟ ଖଣ୍ଡିଏ ବାହାର କରି ବଢ଼ାଇଦେଲା ।

 

–‘ଆଉ ୟା ପାଇଁ ?’

 

ଏଥିରେ ମୋର ରକ୍ଷକ କି ଭକ୍ଷକ ବିବ୍ରତ ହେଲା । ସେ ଭାବିଥିଲା ମୋ ଭଳି ଜୀବପାଇଁ ଟିକିଟ ଦରକାର ହୁଏ ନାହିଁ । ତା’ ଛଡ଼ା ଏ ଗଭୀର ରାତ୍ରିରେ କିଏ ବା କାହିଁକି ଟିକିଟ ମାଗିବାକୁ ଆସିବ ।

 

–‘ପାଞ୍ଚଟଙ୍କା ଦିଅ !’

 

–‘ଏଁ ପାଞ୍ଚଟଙ୍କା ?’

 

ଇସ ଲୋକଟାର ମୁହଁ କିମିତି ଭୟରେ ସଙ୍କୁଚିତ ହୋଇଗଲା । ମୋ ମାଆର ଭୟ-କାତର ମୁହଁ ମୋ ଭାଇ ଭଉଣୀଙ୍କର ସେଇ ଯେ ରକ୍ତହୀନ ରୂପ ମୁଁ ଆଖିରେ ଦେଖିଛି ସେଇ ଭୟ ଏଇ ମୁହୂର୍ତ୍ତରେ ୟାକୁ ଗ୍ରାସ କରିଛି । କାହାର ସବୁଦିନ ସମାନ ଯାଏ ନାହିଁ । ଦେ’ରେ ବନ୍ଧୁ ପାଞ୍ଚଟି ଟଙ୍କା ଗଣି ଦେ । ମନେ ମନେ ଇମିତି ସବୁ କଅଣ କହି ମୁଁ ମଜା ଦେଖୁଥାଏ ।

 

–‘ନ ଦେଲେ ତମେ ବାହାରି ଯାଅ ।’

 

ଏତକ ଶୁଣି ମୋ ମନରେ ଆଶାର ସଞ୍ଚାର ହେଲା । ଏ ଲୋକଟା ନିଜେ ବାହାରିଗଲେ ମତେ କ’ଣ ଆଉ ସାଙ୍ଗରେ ନେବ ? ମତେ ଏଇଠି ଛାଡ଼ି ଦେଇଯିବ । ତା’ପରେ ? ଏହି ଅଜଣା ରାଜ୍ୟରେ ମୁଁ କେଉଁଆଡ଼େ ବୁଲିବି ? ନା, ନା, ସେ ମତେ ସାଙ୍ଗରେ ନେଉ, ପଲାଉ, କୁର୍ମା, ଦୁଧର ସ୍ୱପ୍ନ ସେ ମତେ ଦେଖାଇଛି ।

 

–‘ହଉ ମୁଁ ଟଙ୍କା ଦେଉଛି ଟିକିଏ ପରେ ଆସ’ କହି ଲୋକଟି ଗାଡ଼ିରୁ ଓହ୍ଲେଇଗଲା ।

 

ଅରକ୍ଷ ମୁଁ ଏତେ ବଡ଼ କଠୋରୀରେ ବସି କମ୍ପୁଥାଏ ।

 

–‘ବାବୁ’

 

–‘ବାବୁ’

 

–‘କିଏ ?’

 

ପ୍ରଥମ ଶ୍ରେଣୀ ଡବାର ଜଣେ ଭଦ୍ରବ୍ୟକ୍ତି ବିରକ୍ତିରେ କବାଟ ଖୋଲିଲେ ।

 

–‘କଅଣ ?’

 

–‘ମତେ ରକ୍ଷା କରନ୍ତୁ ।’

 

–‘ରକ୍ଷା ।’

 

–‘ହଁ ଆଜ୍ଞା, ସକାଳ ହେବାଯାଏ ମୋ ସାଙ୍ଗରେ ଆସିଥିବା ଗୋଟିଏ ଝିଅକୁ ଏଇ ଡବାରେ ରଖନ୍ତୁ । ଟିକିଟବାଲା ତା’ ପାଇଁ ଟିକିଟ ମାଗୁଛି । ମୋ ପାଖରେ ପଇସା ନାହିଁ, ମୁଁ ବିନା ଟିକିଟରେ ତାକୁ ଆଣିଛି ।

 

–‘ବୟସ ?’

 

ଖୁବ୍‌ ଛୋଟ ଝିଅ ।’

 

ଓଃ ଆଚ୍ଛା, ଏଇଠିକି ନେଇଆ, କିନ୍ତୁ ମନେରଖ ଖୁବ୍‌ ସକାଳୁ ତାକୁ ନେଇଯିବୁ ।

 

ମତେ ଧରି ଲୋକଟା ପ୍ରଥମ ଶ୍ରେଣୀର ଡବା ଭିତରକୁ ଉଠିଲା । ମତେ ସେଠାରେ ଛାଡ଼ିଦେଇ ସେ ଡବାରୁ ଓହ୍ଲେଇଗଲା । ସାଙ୍ଗେ ସାଙ୍ଗେ ସେ ଭଦ୍ରବ୍ୟକ୍ତି ମତେ ଦେଖି କହି ପକାଇଲେ–

ବାଃ ଖୁବ୍‌ ସୁନ୍ଦର ତ ?

 

ମୁଁ ଚାରିଆଡ଼େ ଚାହିଁ ଦେଖିଲି କି ସୁନ୍ଦର ଗଦି, କି ସୁନ୍ଦର ଆଲୁଅ । ମୋର ଇଚ୍ଛା ହେଲା ସେଇ ଗଦି ଉପରେ ମୁଁ ଶୋଇଯାନ୍ତି କି ଆଉ ମୋ ଉପରେ ସେ ଭଦ୍ରଲୋକର କମ୍ବଳଟା.......

 

ମୁଁ ବୋଧହୁଏ ଚେଷ୍ଟା କରୁଥିଲି ଗଦି ଉପରକୁ ଉଠିଯିବା ପାଇଁ । ମୁଁ ପୂର୍ବେ ବୁଝି ନଥିଲି ଯେ ଆମ ଭଳି ଲାଞ୍ଛିତ ହୀନମାନ ଜୀବପାଇଁ ସବୁ ଲୋକ ସମାନ । ତୃତୀୟ ଶ୍ରେଣୀ ଡବାର ଲୋକ ଅବା ପ୍ରଥମ ଶ୍ରେଣୀ ଡବାର ଲୋକ ଆମପାଇଁ ସମାନ ।

 

ସେ ଭଦ୍ରଲୋକ ଚିତ୍କାର କଲା–

 

–ଏ, ଉପରକୁ ଉଠ୍‌ଛୁ କଅଣ ? ତଳେ...ତଳେ ଶୁଅ ।

 

ଲାଜ ଅପମାନରେ ମୁଁ ମରିଗଲି । ଗୋଟିଏ ରାତ୍ରିର ଏ ନୂଆ ଖାଉନ୍ଦ ଠାରୁ ମୁଁ ଟିକିଏ ବେଶୀ ସ୍ନେହ ଆଦର ଆଶା କରିଥିଲି । ମୋ ମନ ଭାରି ଖରାପ ହୋଇଗଲା । ମା ମନେପଡ଼ି ମୋ ଅନ୍ତର ବିଦୀର୍ଣ୍ଣ ହୋଇଗଲା ।

 

ମାଇପି ଜାତି । କାନ୍ଦଣାରେ ଆମେ ଗୀତ ଗାଉଁ । ମୁଁ ବୋଧହୁଏ କାନ୍ଦି କାନ୍ଦି ଟିକିଏ ବଡ଼ ପାଟିରେ ମୋ ଦୁଃଖ ମୁଁ ଜଣାଇଥିଲି ।

 

ଉପରୁ ଚିତ୍କାର ଆସିଲା–

 

–ପାଟି ଆରମ୍ଭ କରିଦେଲା, ବାହାର...ସେ ଗାଧୁଆ ଘର ଭିତରକୁ ବାହାର....ମୋ କାନକୁ ଟାଣିନେଇ ଭଦ୍ରଲୋକ ଗାଧୁଆ ଘର ଭିତରେ ମତେ ଫିଙ୍ଗିଦେଲା । ଏ ନିର୍ମମ ବ୍ୟବହାରରେ ମୋ ଅନ୍ତରାତ୍ମା କମ୍ପିଉଠିଲା । ମୋର ପ୍ରଥମ ରକ୍ଷକ ତୁଳନାରେ ଏ ଲୋକଟାର ନିଷ୍ଠୁରତା ବଳିଗଲା ।

 

ଟ୍ରେନ ଆଉ ଗୋଟାଏ ଷ୍ଟେସନରେ ରହିଛି । ଦରଜାରେ ଧକ୍‌କା ହେଲା–

 

ଉପରୁ ଚିତ୍କାର ଆସିଲା–

 

କୋନ୍‌ ହାୟ ?

 

ହାମ, ଟିକେଟ ଇଲେକ୍ଟର, ଦରଜା ଖୋଲୋ ।

 

ଭଦ୍ରବ୍ୟକ୍ତି ଦରଜା ଖୋଲି ଚଢ଼ା ସ୍ୱରରେ ଫଁ ଫଁ ହେଲେ–‘‘ତୁମେ ଜାଣ ଫାଷ୍ଟକ୍ଳାସ ଯାତ୍ରୀଙ୍କୁ ରାତିରେ ଉଠାଇବା ନିୟମ ବିରୁଦ୍ଧ ?’’

 

ଟିକିଟ କଲେକ୍ଟର କହିଲେ–ସେ ଯଦି ବେଆଇନ କାମ କରନ୍ତି ତେବେ ଅଲବତ୍‌ ଉଠାଇବାକୁ ହେବ । ମୁଁ ଖବର ପାଇଛି–ସେ ଲୋକଟା ଝିଅଟାକୁ ତୁମରି ପାଖରେ ରଖିଯାଇଛି । ଆଉ ସେ ଝିଅ ରହିଛି ବାଥ ରୁମରେ ।

 

ମତେ ଗାଧୁଆ ଘରୁ ବାହାର କରି ନିଆଗଲା । ମୁଁ ଭୟ, ଅପମାନ, ଲଜ୍ଜାରେ ଥରୁଥାଏ-। ମୁଁ ଛୋଟ ଜୀବ ହେଲେ କ’ଣ ହେବ, ଭଗବାନ କ’ଣ ଆମ ହୃଦୟରେ ଅନୁଭବ ଶକ୍ତି ଦେଇ ନାହାନ୍ତି ?

 

ଟିକେଟବାଲା ଆଦେଶ କଲା–

 

–‘ଦଶଟଙ୍କା ଦିଅନ୍ତୁ’–

 

‘ଫାଷ୍ଟକ୍ଳାସରେ ଟ୍ରାଭଲ କରୁଚି ।’

 

ଭଦ୍ରଲୋକ ପାଣ୍ଡୁର ହୋଇଗଲେ । ଦଶଟଙ୍କା ? ପୁଣି ପରର ବୋଝ ବୁହାଇ ଏଇ ଦୁର୍ଗତି ?

 

ସେ ଅନୁମୟ କରି କହିଲେ–ଆଚ୍ଛା, ଆଗ ଷ୍ଟେସନରେ ଟଙ୍କା ମୁଁ ଦେଇ ଦେବି ।

 

ଠିକ୍‌ ତ ? ଟିକିଟ୍‌ ଚେକର ସାମଧାନ କରିଦେଇ ଚାଲିଗଲା ।

 

ମୁଁ ଅନୁଭବ କଲି ମୋ ଉପରେ ସେଇ ଲୋକଟା ଘୃଣାର ସ୍ରୋତ ଢାଳୁଛି । ତାହାର ସମଗ୍ର ଅନ୍ତରଟା ଯେପରି ମୋ ପାଇଁ ଘୃଣାରେ ପୂର୍ଣ୍ଣ ହୋଇଯାଇଛି । ଯେଉଁ ଲୋକଟା କେତେକ୍ଷଣ ଆଗରୁ ମୋ କଅଁଳ ରୂପ ଦେଖି କହିଥିଲା ବାଃ, କି ସୁନ୍ଦର; ସେଇ ଲୋକର ତୀବ୍ର ଦୃଷ୍ଟି କେବଳ ଘାତକର ଦୃଷ୍ଟି ଧରିଛି ।

 

ମୁଁ ଭଗମାନଙ୍କୁ ଡାକୁଥାଏ, ମାଆକୁ ଖୋଜୁଥାଏ । ଭୋକ ଶୋଷ ଭୁଲିଗଲିଣି; କେବଳ ମରଣକୁ ମୁଁ ଚାହୁଁଥାଏ ।

 

ଲୋକଟା ଚିତ୍କାର କରି କଅଣ ଗୁଡ଼ାଏ ମତେ କହିଲା । ଟ୍ରେନ୍‌ ଗତି କରିବାକୁ ଆରମ୍ଭ କରିଛି । ହଠାତ୍‌ କୋଠରୀର ଦରଜାକୁ ଖୋଲି ଦେଇ ସେ ଚିତ୍କାର କଲା–ବାହାର, ବଜାତ୍‌, ୟାପାଇଁ ଦଶଟଙ୍କା ଗଣିବି ? ୟାଭଳି ଜୀବ ଗଣ୍ଡା ଗଣ୍ଡା ମରୁଛନ୍ତି । ଇଏ ରେଳ ଇଞ୍ଜିନ୍‌ ତଳେ ପିଟି ହୋଇ ମରିଗଲେ କିଛି ଭାସିଯିବ ନାହିଁ । ମୁଁ ଟିକିଏ ଶାନ୍ତିରେ ଶୋଇ ପାରିଲି ନାହିଁ । ଆଉ ଏତେ ଟଙ୍କା ଦେଇ ଫାଷ୍ଟକ୍ଳାସ ଟିକିଟ କିଣିଥିଲି କିଆଁ ?

 

ଗୋଟାଏ ପ୍ରଚଣ୍ଡ ଗୋଇଠା, ମୋରୀ କ୍ଷୀଣ ଚିତ୍କାର, ତା’ପରେ.....ଆଉ ମୋର କିଛି ମନେ ନାହିଁ ।

 

ସକାଳର ସୂର୍ଯ୍ୟ ଉଠିଲା ଆକାଶକୁ ସବୁଦିନ ଭଳି ଗୋଟିଏ ଦିନ ଆରମ୍ଭ ହେଲା । ମାଆ ଏଇ ସୂର୍ଯ୍ୟକୁ ଦେଖି ନମସ୍କାର କରେ । ମୋର ଭାଇ ଭଉଣୀ ନମସ୍କାର କରନ୍ତି । ମାଆ ଏହା କରିବାକୁ ଆମକୁ ଶିଖାଇଥାଏ । କାରଣ ପ୍ରଭୁଙ୍କର ଅନୁଗ୍ରହ ନହେଲେ ଆମ ଭଳି ଜୀବଙ୍କର ନିର୍ବିଘ୍ନରେ ଗୋଟିଏ ଦିନର ଜୀବନଯାତ୍ରା ଶେଷ ହୁଏ ନାହିଁ ।

 

ସଂଜ୍ଞା ଫେରିଲା ପରେ ଅନୁଭବ କଲି ମୋ କାନ ମୁଣ୍ଡାରୁ ଗୋଟାଏ ରକ୍ତଧାର ବହି ଚାଲିଛି । ଆଉ କେତୁଟା ଲଙ୍ଗଳା ଛୁଆ ମୋ ଚାରିପଟେ ଘେରି ଛିଡ଼ା ହୋଇଛନ୍ତି । ସମସ୍ତେ ହସୁଛନ୍ତି, ସମସ୍ତେ ଚିତ୍କାର କରୁଛନ୍ତି । ଦୁଇ ତିନି ଜଣଙ୍କର ହାତରେ ଇଟା ପଥର । କେହି ଗଛର ଡାଳଖଣ୍ଡି ଭାଙ୍ଗି ମୋ ଆଡ଼କୁ ଉହୁଁକି ଆସୁଛନ୍ତି ।

 

ମୋ ଆଖି ଆଗରେ ବିଶ୍ୱ ଘୂରିଗଲା । ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କଲି ମତେ ମାରିଦିଅ । ଏ ଜନ୍ମର ସୁଖ ଦୁଃଖ ସବୁ ଭୁଞ୍ଜିଲି । ଦୟା କ୍ଷମା ବୋଲି ଏ ଜଗତରେ କିଛିନାହିଁ । ଯେଉଁ ଘାତକମାନେ ମତେ ଘେରି ଛିଡ଼ାହୋଇଛନ୍ତି ସେମାନଙ୍କ ହାତରୁ ମୁଁ ରକ୍ଷା ପାଇବି ନାହିଁ । ତେବେ ମରିବା ପୂର୍ବରୁ ତୁମକୁ ଏତିକି ପ୍ରାର୍ଥନା ଆଉ ଏ ଜନ୍ମ ଆମକୁ ଦିଅନାହିଁ । ଯଦି ନିହାତି ଦବାକୁ ଇଚ୍ଛା ଥାଏ ତେବେ ଆମକୁ ପଠାଅ ସେଇ ରାଜ୍ୟକୁ ଯେଉଁଠି ପ୍ରତ୍ୟେକ ଜୀବ ଅନ୍ତରରେ ଦୟା, କରୁଣା, କ୍ଷମାର ସ୍ରୋତ ଝରୁଥିବ । ଆଉ ସେଇ ସ୍ୱର୍ଗୀୟ ଅନୁଭବର ପ୍ରତ୍ୟେକଟି ପ୍ରାଣୀ ସୁନ୍ଦର ହୋଇଥିବ ।

 

ଆଖି ବୁଜି ପ୍ରାର୍ଥନା କରି ସାରିବା ପରେ ମୁଁ ପ୍ରସ୍ତୁତ ହୋଇଗଲି ମରିବାପାଇଁ ।

 

ଥରେ ମୋର ଆଖି ଫିଟି ଯାଇଥିଲା । ଦେଖିଲି କେତେଗୁଡ଼ିଏ ଭଦ୍ରଲୋକ ସେଇବାଟେ ଆସୁଛନ୍ତି । ଭାବିଲି ଏମାନେ ବୋଧହୁଏ ଦୟାପରବଶ ହୋଇ ମୋର ଆତତାୟୀଙ୍କ ଠାରୁ ମତେ ରକ୍ଷା କରିବେ । ବୃଥା ସେ ଭାବନା ।

 

‘ହଇରେ ପିଲାଏ, କଅଣ କରୁଛ କିରେ ?

 

‘ଦେଖ ମ ଜେଜେ ବାବା, ଏଇଟା କୁଆଡ଼ୁ ଆସିଲା ? ତମେ ଛିଡ଼ାହୋଇ ଦେଖ ଆମେ କିମିତି ଟେକା ଫୋପାଡ଼ି ୟାକୁ ଶେଷ କରିଦେବା ।

 

–ହଁରେ ନାତି, ଏଗୁଡ଼ାକ ଏତେ କୁଆଡ଼ୁ ଆସୁଛନ୍ତି ? ମାର ମାର ମୁଁ ଶୁଦ୍ଧପୂତ ହୋଇ ଏକ୍ଷଣି ଗାଧୋଇ ଆସିଛି । ଏଇଟା ଉପରେ ଆଖି ପଡ଼ିଲା, ନିର୍ମୂଳ କର, ନିର୍ମୂଳ କର ।’

 

ଦୁଇ ପାଖରୁ ଦୁଇଟି ଟେକା ସାଇଁ କରି ଛୁଟି ଆସିଲା । ବହୁଲୋକର ଚିତ୍କାର ଓ ମୋର ଯନ୍ତ୍ରଣା ଭିତରେ ମୋର ପଶୁ ଜୀବନର ଯବନିକା ଟାଣି ହୋଇ ଆସିଲା । ମୁଁ ଶେଷଥର ପାଇଁ ଏ ଜଗତରେ ଗୋଟାଏ ନ୍ୟୂନ, ନିଉଛୁଣା, ଲାଞ୍ଛିତ କୁକ୍‌କୁରୀ ଜୀବନରୁ ବିଦାୟ ଘେନି ଟଳି ପଡ଼ିଥିଲି ମାଟି-ମାଆ ଉପରେ । ସେଠି ଝରି ଯାଇଥିଲା କେତେ ଟୋପା ରକ୍ତ ବିନ୍ଦୁ । କିନ୍ତୁ ସେ ଥିଲା ଅଲୋଡ଼ା ଜୀବନର ଅଖ୍ୟାତ ଶୋଣିତ-ଲିପି ଯାହାକି ପୃଥିବୀର ସାଧୁସନ୍ଥ ଧାର୍ମିକ ବିରାଟ ମହାଜନମାନଙ୍କର କର୍ମ ପ୍ରବାହରେ ସାକ୍ଷର ରଖିନାହିଁ କି ରଖି ପାରିବ ନାହିଁ । ସେମାନେ ଜୀବନ କଅଣ ଜାଣନ୍ତି, ଆଉ ଆମେ ଜାଣୁ ମୃତ୍ୟୁ । ପ୍ରତି ମୁହୂର୍ତ୍ତରେ ଆଘାତ ଓ ଅପମାନ ତାହାହିଁ ଆମ ପ୍ରତି ବରଣୀୟ ଆଶୀର୍ବାଦ....

Image

 

ରଥ-ବଢ଼େଇ

 

ଦୀନନାଥ ବଢ଼େଇ ଏ ବର୍ଷ ରଥ ଗଢ଼ା କାମରେ ଯୋଗ ଦେଇପାରି ନାହାନ୍ତି । ବୃଦ୍ଧ ଦୀନନାଥଙ୍କ ଜୀବନରେ ଏଇ ହେଲା ପ୍ରଥମ ବ୍ୟତିକ୍ରମ ।

 

କିଶୋର ବୟସରୁ ଆଜିଯାଏ ଦୀନନାଥ ରଥକାମ କରି ଆସିଛନ୍ତି । ବାପ, ବଡ଼ବାପ ସହିତ ସେ ଶ୍ରୀକ୍ଷେତ୍ର ଆସି ନିହାଣ ମୁଗୁର ଧରିଥିଲେ । ଆଜି ହଠାତ୍‌ ଥରୁଛି । ମାଂସପେଶୀ ଶକ୍ତ ନାହିଁ । ତଥାପି ଦୀନନାଥ ଆସନ୍ତି ନନ୍ଦିଘୋଷ ରଥର ଖଣ୍ଡେ ଦୁଇଖଣ୍ଡ ଚକ ଗଢ଼ିଦିଅନ୍ତି ।

 

ଅନ୍ୟ ଭାଇଆଳି ବଢ଼େଇମାନେ ସହଭ୍ରମରେ ଦୀନନାଥଙ୍କୁ ଦେଖନ୍ତି । ତାଙ୍କର କାଠଗୋଲା ନାହିଁ କି ଦୋକାନ ନାହିଁ । ପିତୃପୁରୁଷର ଜମି ଉପର ଶସ୍ୟତକ ସେ ଭୋଗ କରନ୍ତି । ଗଜପତିଙ୍କର ଦାନ କିଛି ଭୂସମ୍ପତ୍ତି । ରଥ ଗଢ଼ାଳି ବଢ଼େଇଙ୍କ ପାଇଁ ଏ ସମ୍ପତ୍ତି ବହୁ ଦନିରୁ ଖଞ୍ଜା ରହିଛି ।

 

ରଥଗଢ଼ା ଦୀନନାଥଙ୍କର ଏକମାତ୍ର କର୍ତ୍ତବ୍ୟ ନୁହେଁ । ସେହି ସୂତ୍ରରେ ସେ ବଡ଼ଦାଣ୍ଡଧୂଳି ଉପରେ ବସି ପତିତପାବନଙ୍କର ଦର୍ଶନ କରନ୍ତି ।

 

ସମୟ-ସ୍ରୋତ ବହିଚାଲିଛି । ରଥଚକ୍ର ଆଉ ଓଜନଦାର ହେଉନାହଁ । ରଥକାଠ ଯଥେଷ୍ଟ ଆସୁନାହିଁ । ଆଗେ ରଥ ଗଡ଼ି ଯାଇଥିଲେ ବଡ଼ଦାଣ୍ଡର ଶକ୍ତି ମାଟି ଦି’ଧାରାରେ ଫାଟି ଯାଇଥିଲା ।

 

କମକୂଟ କିଛି କମ୍‍ ହେଉ ନ ଥିଲା । ପିତୁଳା, ସାରଥୀ, ଘୋଡ଼ା, ନାନା ବିଚିତ୍ର ରୂପର ସାଜସଜ୍ଜା ଚମତ୍କାର ହେଉଥିଲା । ଆଜି ଏସବୁ ନାହିଁ । ଲୋକଙ୍କର ଧର୍ମବିଶ୍ୱାସ ନାହିଁ କି ଏପରି ଗୋଟାଏ ଉତ୍ସବରେ ଯେ ବିଧି ବ୍ୟବସ୍ଥା ଆଗରୁ ଥିଲା, ତାହା ଉପରେ କାହାର ଆସ୍ଥା ବି ନାହିଁ ।

 

ପାହାଡ଼ପୁର ଗାଁର ଏଇ ବୃଦ୍ଧ ବଢ଼େଇ ଏବର୍ଷ ଅକ୍ଷୟତୃତୀୟା ଦିନଠାରୁ ମୌନ ହୋଇ ବସିଛନ୍ତି । ଥରେ ଥରେ ଆଖିପତା ଓଦା ହୋଇଯାଏ । ଏହି ଦିନରେ ରଥଗଢ଼ା କାମର ଶୁଭ ଦିଆଯାଏ । ପ୍ରତିବର୍ଷ ଦୀନନାଥ ପ୍ରଥମ ଦିନଟିରେ ନିହାଣ ଉଠାନ୍ତି । ପ୍ରଭୁଙ୍କର ରଥକାଠ ଉପରେ ‘ଠନ୍‌’ ଶବ୍ଦ ହେଲେ ଦୀନନାଥଙ୍କର ଛାତି ଭିତରେ ତା’ର ଗୁଞ୍ଜନ ଉଠେ ।

 

ଏ ଛାତି ବହୁତ ସହିଛି, ବହୁତ ଦେଖିଛି । ଓଡ଼ିଶାର ବଢ଼ି, ମରୁଡ଼ି, ହଇଜା ସବୁ ଦେଖିଛି-। ଗୋପବନ୍ଧୁ ଏଇ ବଡ଼ଦାଣ୍ଡ ଉପରେ ଚାଲିଯାଇଥିବାର ଦୃଶ୍ୟ ଦୀନନାଥ ଦେଖିଛନ୍ତି । ଏହି ପଥ ଉପରେ ଗାନ୍ଧୀ ଯାଇଛନ୍ତି, ସମସ୍ତଙ୍କ ଚଲାଫେରା ଦୀନନାଥ ଦେଖିଛନ୍ତି ।

 

ଭେଣ୍ଡିଆ ବେଳେ ସେ ଜାତୀୟବାଦୀ ଦେଶକର୍ମୀଙ୍କୁ ପାହାଡ଼ପୁରର ତାଙ୍କ ଛୋଟ କୁଡ଼ିଆରେ ଆଶ୍ରୟ ଦେଇଥିଲେ । ସେତେବେଳେ ସ୍ତ୍ରୀ ଚମ୍ପକଲତା ବଞ୍ଚିଥିଲେ । ପୁଲିସ ଆସିଥିଲା; ତଦନ୍ତରେ କିଛି ବାହାରିଲା ନାହିଁ । ନିଜେ ଦୀନନାଥ ବିପ୍ଳବୀ ଥିଲେ ।

 

ମହାରଣା ବଂଶର ଗୋଟିଏ ମାତ୍ର ପ୍ରଦୀପ ଏବେ ଜଳୁଛି । ସେହି ପ୍ରଦୀପର ଜ୍ୟୋତି ଯେତିକି ବିଚ୍ଛୁରିତ ହେଉଛି, ଦୀନନାଥ ସେତିକି ନିଜେ ଦୀପ୍ତହୀନ ହେଉଛନ୍ତି ।

 

ସମାଜ ବଦଳିଳା, ସଂସାର ବଦଳିଲା, ଲୋକଙ୍କର ଚାଲିଚଳଣ, ନୀତି ବିଶ୍ୱାସ–ସବୁ ବଦଳିଲା । ହାତ ପରିବର୍ତ୍ତେ ଯନ୍ତ୍ର ଆସିଲା । ଲୋକେ ଗୋଡ଼ରେ ନ ଚାଲି ଧରିଲେ ଯାନବାହନ । ଏମିତି କେତେ କ’ଣ ସମ୍ଭବ ହେଲା ।

 

ଏ ପରିବର୍ତ୍ତନକୁ ସହଜରେ ଲୋକେ ଚଳେଇ ନେଇ ପାରିଲେ ନାହିଁ, ଯେଉଁମାନେ ପାରିଲେ ସେମାନଙ୍କର ଲାଭ ଛଡ଼ା କ୍ଷତି ହୋଇନାହିଁ ।

 

ସଂସ୍କାର, ସମାଜ, ଧର୍ମର ମୂଲ୍ୟ ଆଗପରି ଆଉ ରହିଲା ନାହିଁ । ରୁଚିରେ ପରିବର୍ତ୍ତନ ଘଟିଲା ।

 

ଏଇ ଯୁଗସନ୍ଧିରେ ଦୀନନାଥଙ୍କର ନୟନ ପ୍ରତିମା ଅମରନାଥ ମହାରଣା ବଂଶର ଗୌରବ ବଢ଼ାଇଲେ । ମାତ୍ର ଏ ଗୌରବ ପ୍ରାକ୍ତନ ବଂଶାନୁସାର ବାଟେ ଆସିଲା ନାହିଁ । ଆସିଲା ଅନ୍ୟ ବାଟରେ ।

 

ଅମରନାଥଙ୍କର ସ୍ୱର୍ଗତା ମାଆଙ୍କର ସ୍ୱପ୍ନ ଥିଲା ପୁଅ ହାତରୁ ନିହାଣ, ମୁଗୁର, ବଟାଳି ଧରାଇବେ ଲେଖନ । ସେ ହେବ ବାବୁଭୟା । ଚୌକିରେ ବସିବ, ଇଜିଲାସ କରିବ । ଖାତିର ପାଇବ ।

 

ଏ ବାସନା ହୁଏତ ଦୀନନାଥଙ୍କର ଥିଲା । କିନ୍ତୁ କୌଳିକ ପ୍ରଥାରୁ ଓହରିଯାଇ ଏପରି ହେବାଟା ସେ ସମ୍ପୂର୍ଣ୍ଣ ଭାବରେ ପସନ୍ଦ କରୁନଥିଲେ ।

 

କିନ୍ତୁ କାଳର ନିର୍ଦ୍ଦେଶ ତ ଅନ୍ୟଥା ହେବ ନାହିଁ । ଦୀନନାଥ ପ୍ରତିବର୍ଷ ରଥ କାମରେ ବାହାରିଲେ, ସାଙ୍ଗରେ ଅମରକୁ ନେଇ ଯାଆନ୍ତି । ଅମର ଦେଖେ ସାଙ୍ଗ ସାଥି ଭାଇଆଳି ଗହଣରେ ବାପା ତା’ର ରଥକାମ କରୁଛନ୍ତି ।

 

ମୁଣ୍ଡ ଉପରେ ନଡ଼ିଆ ବରଡ଼ା ଚାଞ୍ଚ । ଧୂଳି ଉପରେ ଆସନ । ଖୋଲା ଦେହ; କପାଳରେ ଚନ୍ଦନଚିତା । କାନ ଦୁଇଟି ଉପରେ ଦୁଇଗାର ଚନ୍ଦନ । ବେକରେ ତୁଳସୀ ମାଳି, ମୁଣ୍ଡରେ ଚୁଟି । ଏଇ ହେଲା ଦୀନନାଥଙ୍କର ବେଶ । ଏଇ ବେଶରେ ସେ ରଥଚିତ୍ର ଗଢ଼ିବାରେ ତନ୍ମୟ ।

 

ଅମର ପାଖରେ ବସି ଦେଖେ ସ୍କୁଲ ପିଲାଏ ପଢ଼ିବାକୁ ଯାଉଛନ୍ତି । କେଉଁ ଦୂର ସ୍କୁଲକୁ ସେମାନଙ୍କ ଗତି ସେ ଜାଣେ ନାହିଁ । କାଖରେ ବହି ବସ୍ତାନୀ, ହାତରେ ଦୁଆତ କଲମ ଧରି ପିଲାଏ କର୍ମରତ ବଢ଼େଇମାନଙ୍କୁ ଚାହିଁ ଚାହିଁ ଚାଲିଯାଆନ୍ତି । ଥରେ ଅଧେ ଅମରର ଆଖି ସହିତ ସ୍କୁଲପିଲାଙ୍କର ଆଖି ମିଳିଯାଏ । ତାଙ୍କ ଆଖିରେ ଏଇ ଫୁଙ୍ଗୁଳା ଦେହ ବଢ଼େଇ ପିଲାଟି ପାଇଁ ହୁଏତ ଟିକିଏ ସ୍ନେହଭାବ ଫୁଟି ପଡ଼ିଥିବ ।

 

ଅମର ପ୍ରତିଦିନ ଏଇ ଦୃଶ୍ୟ ଦେଖେ । ତା’ର ପିଲା ମନ ଦୁଃଖ ପାଏ । ସେ ବଢ଼େଇ ହେବ, ଭବିଷ୍ୟତ ତା’ର ଦେଖିବ କେବେ କାଠ....କାଠ......କାଠ । ସେଇ କାଠରେ ସେ ଗଢ଼ିବ ଆସନ ଯେଉଁ ଆସନରେ ସେ ବସିବ ନାହିଁ । ସେ ଗଢ଼ିବ ପଲଙ୍କ ଯେଉଁ ପଲଙ୍କରେ ସେ ଶୋଇବ ନାହିଁ । ସେ ତିଆରି କରିବ କେତେ ସୌଖୀନ କାଠୋପକରଣ ଅଥଚ ତା’ର ସମ୍ବଳ ନଥିବ ନିଜପାଇଁ କିଛି କରି ବ୍ୟବହାର କରିବ ।

 

ବଢ଼େଇର ପୁଅ ବଢ଼େଇ । ବାଟ ତା’ର ପିତୃ ଅର୍ଜିତ ବାଟ । ସେ ବାଟରେ ବହୁ ବଢ଼େଇ ଆଗରୁ ଯାଇଛନ୍ତି, ପରେ ବି ଯିବେ । ସେ ସେହି ଯାତ୍ରୀ ଦଳର ଜଣେ ।

 

ଛୋଟ ହୃଦୟର ଛୋଟ ବ୍ୟଥା ସେତେବେଳେ ଅମରର ଆଖିକୁ ପାଣି ଆଣିଥିଲା । ବାପ ପୁଅକୁ ଅନେଇ ଦେଇ କହିଥିଲେ–‘ପୁଅ, ଟିକିଏ ଦୂରକୁ ବଅ, ଆଖିରେ ଧୂଳି ପଡ଼ୁଛି, ଦେଖ୍‌ କିମିତି କାମ ହେଉଛି’–

 

ସମୟର ସୁଅ ଭିତରେ ଅମରର ଶୈଶବ ଅବା କୈଶୋର ଆଜି ବିସ୍ମୃତ ।

 

ସମ୍ବଲପୁର କୋର୍ଟ ଇଜିଲାସରେ ଶ୍ରୀ ଅମରନାଥ ମହାପାତ୍ର ଆଜି ଉଦାସୀନ ଭାବରେ ନଥିପତ୍ର ଓଲଟାଉଛନ୍ତି । କାଲି ଶ୍ରୀଗୁଣ୍ଡିଚା । ଆଜି କାମର ଭିଡ଼ ସେତେ ନାହିଁ । ଯାହା କେସ୍ ଥିଲା ତାହାର ବିଚାର ଶେଷ ହୋଇଛି ।

 

ମନ ତାଙ୍କର ଭଲ ନାହିଁ । ଯେଉଁମାନେ ବୁଢ଼ା ହୋଇଯାଆନ୍ତି ସେମାନେ ଏତେ ଅବୁଝା ହୁଅନ୍ତି କାହିଁକି ? ବାର୍ଦ୍ଧକ୍ୟର ଏଇଟା କଅଣ ଯୁବଶକ୍ତିକୁ ଗୋଟାଏ ପ୍ରଚ୍ଛନ୍ନ ବିଦ୍ରୂପ ?

 

ଅକ୍ଷୟ ତୃତୀୟାର ଦୁଇଦିନ ପୂର୍ବରୁ ସେ ଯେଉଁ ଚିଠି ବାପାଙ୍କୁ ଲେଖିଥିଲେ ସେ କଥା ସେ ମନେ କଲେ । କାମଟା ଠିକ୍‌ କରିଛନ୍ତି ବୋଲି ତାଙ୍କର ହୃଦ୍‌ବୋଧ ହୋଇଛି ।

 

ସେ ଲେଖିଥିଲେ–ବାପା, ତମେ ଆଜି କେବେ ଦୀନନାଥ ମହାରଣା ନୁହଁ । ତୁମେ କେବଳ ସହସ୍ର ବଢ଼େଇ ଭିତରର ଜଣେ ସାଧାରଣ କାଠକଟାଳୀ, ବୃତ୍ତିଧାର ବଢ଼ାଇ ନୁହଁ । ତୁମେ ହେଉଛ ଡେପୁଟି ମାଜିଷ୍ଟ୍ରେଟ ଉଚ୍ଚ ଶିକ୍ଷିତ ଶ୍ରୀ ଅମରନାଥ ମହାପାତ୍ରଙ୍କର ବାପା । ତେଣୁ ତୁମକୁ କିପରି ଚଳିବାକୁ ହେବ କିଭଳି ଆଚରଣ ଦେଖାଇବାକୁ ହେବ, କିପରି ସମ୍ମାନବୋଧ ତୁମର ହେବା ଉଚିତ ପୁଣି ମୋର ପଦମର୍ଯ୍ୟାଦା ସହିତ ସବୁ ଖାପ ଖୁଆଇ କିପରି ତୁମକୁ ସବୁ କରିବାକୁ ହେବ ଏସବୁ ନିର୍ଦ୍ଦେଶ ଏଣିକି ମୁଁ ଦେବି ।

 

ଏହାର କାରଣ ଅଛି । ପ୍ରତିବର୍ଷ ଏପରିକି ବିଗତ ବର୍ଷ ପର୍ଯ୍ୟନ୍ତ ତୁମେ ଅକ୍ଷୟତୃତୀୟା ଦିନ ସେହି ଖୋଲା ଦେହରେ ମୁଣ୍ଡରେ ଚୂରକି ଉଡ଼ାଇ ଧୂଳି ଉପରେ ବସି ରଥ ଚକ ଗଢ଼ୁଥିଲ । ସେଇଠି ହଜାର ଦର୍ଶକ ଦେଖେ ଯେ ଡେପୁଟି ମାଜିଷ୍ଟ୍ରେଟ ଅମରନାଥର ବାପା ଏବେ ବି କାଠ ହାଣୁଛି, କରତ ଧରୁଛି, ନିହାଣରେ ଠକ୍‌ ଠକ୍‌ କରୁଛି ।

 

ଏକଥା ଆଉ ହେବ ନାହିଁ । ତୁମେ ଜାଣ ତୁମ ବୋହୂ ବଢ଼େଇ ଘରୁ ଆସିନାହିଁ । ମୋର ଶିକ୍ଷା ଓ ପଦମର୍ଯ୍ୟାଦା ଯାହା ସେଥିପାଇଁ ବଢ଼େଇ କୁଳରୁ ଝିଅ ଆଣି ମୁଁ ବିବାହ କରିଥାନ୍ତି, ଏକଥା ହୁଅନ୍ତା ନାହିଁ, ଆଜି ବି ତାହା ହୋଇ ନାହିଁ । ତୁମେ ଅମତ ଥିଲ, ତୁମ ଯୁକ୍ତିଥିଲା କୁଳର ଝିଅକୁ ନେଇ ତାକୁ ମଣିଷ କର, ଶିକ୍ଷିତା କର । କିନ୍ତୁ ସକଡ଼ା ଜିନିଷ ଥାଉ ଥାଉ ମାଟି ପିଣ୍ଡଟାକୁ ଘେନି ମୁଁ ଜୀବନରେ କଅଣ କରନ୍ତି ?

 

ସେଥିପାଇଁ ମୁଁ ଜଣେ ଗ୍ରାଜୁଏଟ ଝିଅକୁ ବିବାହ କଲି । ତୁମେ ଗାଁବାଲା ବଢ଼େଇକୁଳ ସବୁ ମୋ ବିଷୟରେ ଗଲା । ମୁଁ ମୋ ପ୍ରତିଜ୍ଞାରେ ଦୃଢ଼ ରହିଲି ।

 

ସବିତା ବଢ଼େଇ ଝିଅ ନୁହେଁ କି ବଢ଼େଇ ସ୍ୱାମୀର ସ୍ତ୍ରୀ ନୁହେଁ । ସେ ମିସେସ୍ ଅମରନାଥ ମହାପାତ୍ର । ତା’ର ପରିଚୟ ତା’ର ସ୍ୱାମୀର ପଦମର୍ଯ୍ୟାଦା ନେଇ, ଅନ୍ୟ କିଛି ନୁହେଁ ।

 

ମୁଁ ଏବେ ତୁମକୁ ବାରଣ କରୁଛି, ତୁମେ ଏ ବର୍ଷ ଅକ୍ଷୟତୃତୀୟାରେ ରାଜନବର ସାମନା ଭୂଇଁରେ ବସି ତିରିଶ ଚାଳିଶଟା ଦୁର୍ଭିଖିଆ, ନୀଚ ଅଭାବଗ୍ରସ୍ତ ବଢ଼େଇଙ୍କ ଭିତରେ ରଥକାଠ ଛୁଇଁବ ନାହିଁ । ଯଦି ମୋ କଥା ନ ମାନି ଏକଥା କର, ମୁଁ ତେବେ ତୁମକୁ ପାଗଳ ସାବ୍ୟସ୍ତ କରିବାରେ ଦ୍ୱିଧା କରିବି ନାହିଁ । ଅମରନାଥ ମହାପାତ୍ରର ବାପା ପାଗଳ ଛଡ଼ା ସୁସ୍ଥ ଜୀବ ହୋଇପାରିବ ନାହିଁ ।

 

ମୁଁ ଜାଣେ ତୁମେ ମୋ ଉପରେ ବିରକ୍ତ ହେବ । କାହାର ବିରକ୍ତି ସହିତ ମୋର ସମ୍ପର୍କ ନାହିଁ । ମୁଁ ମାଜିଷ୍ଟ୍ରେଟ ଅମରନାଥ ମହାପାତ୍ର, ମୋର ବାପା ମାସେ ଯାଏ ସେଇ ଅପରିଷ୍କୃତ ଜାଗାରେ ବସି ରାଜାଙ୍କର ସିପାହୀଠାରୁ ଧକ୍‌କା ଖାଇ ରଥ ଗଢ଼ିବ । ଏ କଥା ଆଉ ହେବନାହିଁ ।

 

କାଳେ ତୁମେ ଗାଁରୁ ଲୁଚି କରି ଯାଇଥିବ ସେଥିପାଇଁ ମୁଁ ଲୋକ ସେଠାରେ ରଖିଛି । ଏ କଥାର ଏପଟ ସେପଟ ହେଲେ ବାପ ପୁଅର ସମ୍ବନ୍ଧ ଆଉ ରହିବ ନାହିଁ । ମୁଁ ସାବଧାନ କରିଦେଲି-। ଏ ଚିଠିକୁ ଗାଁ ସରପଞ୍ଚଙ୍କ ଦ୍ୱାରା ପଢ଼ାଇ ନେବ ।

 

ଅମର ।

 

ବୃଦ୍ଧ ଦୀନନାଥ ଅକ୍ଷୟତୃତୀୟା ଦିନଠାରୁ ମୌନ ଭଜିଛନ୍ତି । ଆଜି ପ୍ରଭୁଙ୍କର ନବଯୌବନ ବେଶ । ପ୍ରତିବର୍ଷ ସାହି ଭାଇଙ୍କ ସହିତ ଦୀନନାଥ ରଥକାମ ସାରି ନବଯୌବନ ଦର୍ଶନ କରନ୍ତି ଏବଂ ନିର୍ବିଘ୍ନରେ ରଥକାମ ସରିଛି ବୋଲି ତ୍ରିମୂର୍ତ୍ତିଙ୍କୁ ପ୍ରମାଣ କରନ୍ତି ।

 

ଆଜି ସେହି ଦୀନନାଥ ପାହାଡ଼ପୁର ଗାଁର ତାଙ୍କ ନିଜ କୁଟୀରରେ ଦୁଇଧାର ଅଶ୍ରୁ ବୁହାଇ ଜଗନ୍ନାଥଙ୍କୁ କହୁଛନ୍ତି–

 

ପୁଅ ଦୋଷ କ୍ଷମାକର ପ୍ରଭୁ ! ସେ ଚଗଲା ଜାଣେନାହିଁ ଯେ ମୁଁ ଆପଣଙ୍କ ରଥ ଗଢ଼ିଲାବେଳେ ସାମାନ୍ୟ ଦରିଦ୍ର ବଢ଼େଇ ଭାବରେ ଆପଣଙ୍କ ଶ୍ରୀ ମନ୍ଦିର ଆଗରେ ବିରାଜମାନ କରି ନ ଥାଏ । ମୁଁ ହୋଇଥାଏ ବିଶ୍ୱକର୍ମା । ପ୍ରଭୁଙ୍କର ଅନୁଗ୍ରହରୁ ରଥ ଗଢ଼ା କାମ ଚାଲେ । ଆମେ କେବଳ ନିହାଣ ଉଠାଉ । କାମ କରନ୍ତି ଆପଣେ । ସବୁ ସର୍ଜନା ଭିତରେ ଏ ଗୋଟିଏ । ବାଳୁତ ପୁଅ ମୋର ଏସବୁ ବୁଝିଲା ନାହିଁ । ମତେ ମନା କରିଦେଲା । ହଁ ସତ କଥା, କେତେ ଉଚ୍ଚରେ ସେ ବସିଛି । ପେଟରୁ କାଟି ତାକୁ ମୁଁ ପଢ଼ାଇଲି । ମାଆ ତା’ର ସ୍ୱପ୍ନକୁ ସାର୍ଥକ କଲା । ପୁଅ ହାକିମ ହେଲା । ସତ କଥା ମୁଁ ଯଦି ଆଜି ସେଇ ବାଲିମାଟିରେ ବସି ନିହାଣ ଧରେ, ତାକୁ ଅପମାନ ହେବ ନାହିଁ କି ?

 

କିନ୍ତୁ ପ୍ରଭୁ, ମନ ତ କାହିଁ ମାନୁ ନାହିଁ ଏବର୍ଷ ଆପଣଙ୍କ ଦର୍ଶନ ପାଇଲି ନାହିଁ । ଆଉ ବଞ୍ଚିବି ନାହିଁ । ମୋରି ହାତ ତିଆରି ସିଂହାସନରେ ଆପଣେ ଉଭା ହେଉଥିଲେ ପ୍ରତିବର୍ଷ । ପ୍ରଭୁ ଆଉ ବଞ୍ଚିବ ନାହିଁ । ମୋର ବଞ୍ଚିବାର ସୁଖ ଚାଲିଗଲା ।

 

ସଞ୍ଜ ମଉଳି ଆସୁଛି । ଶ୍ରୀଗୁଣ୍ଡିଚା ଘରପାଖକୁ ଲାଗି ଆସିଲେଣି ପ୍ରଭୁ ଜଗନ୍ନାଥ । ଆଉ ଟିକିଏ ବାଟ କାଟିଦେଲେ ରକ୍ତ ପତାକା ପାଖରେ ନନ୍ଦିଘୋଷ ରହିଯିବ । ହରିବୋଲ ହୁଳହୁଳି ଧ୍ୱନିରେ ଯାତ୍ରା ଶେଷ ହେବ ।

 

ସେଇ ଟିକକ ବାଟକୁ କାହିଁକି କେଜାଣି ପତିତପାବନ ଜଗନ୍ନାଥ ଖୁବ୍‌ କ୍ଷିପ୍ର ଗତିରେ ଅତିକ୍ରମ କରିବାକୁ ଭାବିଲେ ସେତିକିବେଳେ । ଚାହୁଁ ଚାହୁଁ ରଥ ଚକ୍ର ଘର୍ଘର ନାଦରେ ଗଡ଼ିଗଲା । ‘ଜୟ ପ୍ରଭୁ, ଜଗନ୍ନାଥ’ ଧ୍ୱନି ତୋଳି ଜନତା ବିକ୍ଷୁବ୍‌ଧ ହୋଇ ଉଠିଲା ।

 

ହାଁ-ହାଁ-ହାଁ ରବ ହଠାତ୍‌ ସବୁଆଡ଼ୁ ଶୁଣାଗଲା । ଗୋଟିଏ ମୁହୂର୍ତ୍ତର ଅବକାଶ ଭିତରେ ରଥଚକ୍ର ତଳେ ପିଷ୍ଟ ବିନଷ୍ଟ ରକ୍ତାକ୍ତ ବୃଦ୍ଧ ଦୀନନାଥ ଅନ୍ତିମ ଶଯ୍ୟା ରଚନା କରିଦେଲେ ।

 

ବେଦନାବିଧୂର ସମଗ୍ର ଧର୍ମପ୍ରାଣ ଜନତାଏ ମୃତ୍ୟୁରେ ଅଶ୍ରୁ ତର୍ପଣ କଲା । ଗଜପତିଙ୍କର ହସ୍ତଦତ୍ତ ପୁଷ୍ପମାଲ୍ୟରେ ବିଭୂଷିତ ଶବାଧାର ଚାଲିଲା ଶ୍ମଶାନକୁ ।

 

ଦୀନନାଥ ଥିଲେ ଜଣେ ରଥବଢ଼େଇ, ସାମାନ୍ୟ ଦୀନତମ ଓ ଦରିଦ୍ର ପ୍ରାଣୀ.... ।

Image